ପାଞ୍ଚ ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସବୁବେଳେ ଚର୍ଚ୍ଚାରେ ରହିଥାଏ । ହୁଏତ ଏହି ଆଇପିଏଲରେ ପ୍ଲେ ଅଫ୍ ଦୌଡ଼ରେ ମୁମ୍ବାଇ ବାହାରି ଯାଇଛି । କିନ୍ତୁ ପ୍ରଶଂସକମାନେ ମୁମ୍ବାଇର ବାକି ମ୍ୟାଚ୍ ଗୁଡ଼ିକରେ ଭଲ ପ୍ରଦର୍ଶନ ଉପରେ ଆଶା ରଖିଛନ୍ତି | ଆଇପିଏଲ୍ ଅନେକ ଯୁବକଙ୍କ ଭବିଷ୍ୟତକୁ ଆକୃଷ୍ଟ କରିଛି ଏବଂ ସେମାନଙ୍କ ଭାଗ୍ୟ ମଧ୍ୟ ବଦଳାଇଛି । ଏପରି କ୍ରିକେଟରଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୁମାର କାର୍ତ୍ତିକେୟ । ଯିଏ ଚଳିତ ସିଜିନ ନିଲାମ ବେଳେ ମୁମ୍ବାଇ ଦଳ ପକ୍ଷରୁ କିଣା ହୋଇଥିଲେ।
ନୂତନ ବାମହାତୀ ସ୍ପିନ୍ ସେନ୍ସେସନ୍ ବା 'ମିଷ୍ଟ୍ରି ସ୍ପିନର୍' ହେଉଛନ୍ତି କାର୍ତ୍ତିକେୟ । ଅନେକ ଯୁବ ଖେଳାଳିଙ୍କ ଠାରୁ ସେ ଟିକେ ଭିନ୍ନ । କାରଣ ସେ ନିଜ ସ୍ୱପ୍ନ ପୂରଣ ପାଇଁ ନିଜ ଘର ଛାଡି ଦେଇଥିଲେ ଏବଂ ଏହାକୁ ହାସଲ କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିଥିଲେ । ଦିନ ମଜୁରିଆରୁ ଆରମ୍ଭ କରି ଦେଶର ଗୋଟେ ମିଷ୍ଟ୍ରି ସ୍ପିନର ହେବାର ଯାତ୍ରା ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି ।
Also Read
କାର୍ତ୍ତିକେୟଙ୍କ କୋଚ୍ ସଞ୍ଜୟ ଭରଦ୍ୱାଜଙ୍କ କହିବାନୁଯାୟୀ କାର୍ତ୍ତିକେୟ ପିଲାବେଳୁ ତାଙ୍କ ଘର ଛାଡିଥିଲେ। ରୋଜଗାର ପାଇଁ ତାଙ୍କୁ ଦିନ ମଜୁରୀ କରିବାକୁ ପଡିଥିଲା । ସେ ଆହୁରି କହିଛନ୍ତି ଯେ, କାର୍ତ୍ତିକେୟଙ୍କ ଜୀବନ କାହାଣୀ ହେଉଛି କେବଳ ସଂଘର୍ଷ ।
କାର୍ତ୍ତିକେୟ ନିଜର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ପଡ଼ିଆରେ ଏପରି ସମୟରେ ଓହ୍ଲାଇଥିଲେ, ଯେତେବେଳେ ମୁମ୍ବାଇ ପ୍ଲେ ଅଫ୍ରେ ସ୍ଥାନ ବଜାୟ ରଖିବା ପାଇଁ ସଂଗ୍ରାମ ଜାରି ରଖିଥିଲା । 'ମିଷ୍ଟ୍ରି ସ୍ପିନର' କାର୍ତ୍ତିକେୟ ପ୍ରଥମ ମ୍ୟାଚରେ ହିଁ ନିଜର କ୍ଷମତା ଦେଖାଇଥିଲେ । ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କୁ ପ୍ରଥମ ମ୍ୟାଚ୍ରେ ଆଉଟ୍ କରି ରାତାରାତି ଲୋକପ୍ରିୟ ହୋଇଯାଇଥିଲେ ।
ମୁମ୍ବାଇ ଇଣ୍ତିଆନ୍ସ ଟ୍ୱିଟର ପେଜ୍ରେ ଏକ ଭିଡିଓ ସେୟାର କରାଯାଇଥିଲା, ଯେଉଁଥିରେ କାର୍ତ୍ତିକେୟ ନଅ ବର୍ଷ ପରେ ଘରକୁ ଫେରିବା ନେଇ ନିଜର ଉତ୍ସାହ ବାଣ୍ଟିଥିବାର ଦେଖିବାକୁ ମିଳିଛି । ସେ ଭିଡିଓରେ କହିଛନ୍ତି ଯେ, ‘ଜୀବନରେ କିଛି ହାସଲ ନକଲେ ସେ ଘରକୁ ଫେରିବେ ନାହିଁ ବୋଲି ସେ ନିଜକୁ ପ୍ରତିଶୃତି ଦେଇଥିବାର କହିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ମୋତେ ବହୁତ ସମର୍ଥନ କରିଛି । ଯେତେବେଳେ ବୋଲିଂ ପାଇଁ ମୋ ପାଳି ଆସିଲା, ରୋହିତ ଭାଇ ମୋତେ ବିନା ସଙ୍କୋଚରେ ବୋଲିଂ କରିବାକୁ କହିଥିଲେ । ସେ ମୋତେ କହିଥିଲେ ଯେ କେବଳ ବୋଲିଂ ଉପରେ ଧ୍ୟାନ ଦେ ଏବଂ ବାକି ସବୁ ମୋ ଉପରେ ଛାଡିଦେ’।
"Main 9⃣ saal baad apne ghar jaunga!" 🙌
— Mumbai Indians (@mipaltan) May 10, 2022
Catch Kartikeya's inspiring journey, premiering tomorrow 9 PM! 💙#OneFamily #DilKholKe #MumbaiIndians @Kartike54075753 MI TV pic.twitter.com/jgAHlfeVvF
ସେ ଆହୁରି କହିଛନ୍ତି ଯେ, “ମୁଁ ମୋ ବାପାଙ୍କୁ ଯେବେ ଜଣାଇଲି ଯେ ମୁଁ ମୁମ୍ବାଇ ପାଇଁ ଖେଳିବାକୁ ଯାଉଛି। ସେ ତାଙ୍କର ପୁରା ବାଟାଲିୟନକୁ ଏକଥା ଜଣାଇଥିଲେ । ମ୍ୟାଚ୍ ପରେ ଯେତେବେଳେ ସେ ମୋ ସହ ଏକ ଭିଡିଓ ସେୟାର କରିଥିଲେ, ଏହା ମୋ ପାଇଁ ଏକ ସ୍ମରଣୀୟ ଅନୁଭୂତି ଥିଲା । ଭିଡିଓରେ, ମୁଁ ମୋ ବାପାଙ୍କ ମୁହଁରେ ହସ ଦେଖିଥିଲି ଯାହା ଗତଥର ମୁଁ ପିଲାଦିନେ ଦେଖିଥିଲି । ଯେତେବେଳେ ମୁଁ ମୋ ପରିବାର ସହ ଦେଖା କରିବି, ମୁଁ ବହୁତ ଉତ୍ସାହିତ ରହିବି। କାରଣ ମୁଁ ମୋ ଘରକୁ ୯ ବର୍ଷ ପରେ ଫେରୁଛି”।
ଏହି ଭିଡିଓର ସମ୍ପୂର୍ଣ୍ଣ ସଂସ୍କରଣ ବୁଧବାର ରାତି ୯ ଟାରେ ପ୍ରିମିୟର୍ ହେବ । ଯେଉଁଥିରେ କାର୍ତ୍ତିକେୟଙ୍କ ପ୍ରେରଣାଦାୟକ ଯାତ୍ରା ଉପସ୍ଥାପନ କରାଯିବ ।