Advertisment

Sports: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜୟର ସୂତ୍ରଧର ଦୀପିକା ସେହରାୱତ

ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ୨୦୨୪ରେ ଭାରତର ଯୁବ ଷ୍ଟ୍ରାଇକର୍ ଦୀପିକା ସେହରାୱତଙ୍କ ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଫାଇନାଲ୍‌ରେ ବିଜୟସୂଚକ ଗୋଲ୍ ଦେଇ ସେ ସାଜିଥିଲେ ଭାରତର ମୁକୁଟ ବିଜୟର ସୂତ୍ରଧର ।

author-image
Biswajit Mohanty
ଅଦ୍ୟତନ ହୋଇଛି
Women's Asian Champions Trophy winner Deepika Sehrawat

Women's Asian Champions Trophy winner Deepika Sehrawat

ନିକଟରେ ବିହାରର ରାଜଗିର ଠାରେ ଆୟୋଜିତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି (ଏସିଟି) ହକି ୨୦୨୪ରେ ଭାରତ ଚାମ୍ପିଅନ୍ ହୋଇ କ୍ରମାଗତ ଦ୍ୱିତୀୟ ଥର ମୁକୁଟ ହାସଲ କରିଛି ।

Advertisment

ସଲୀମା ଟେଟେଙ୍କ ନେତୃତ୍ୱାଧୀନ ଟିମ୍ ଫାଇନାଲ୍‌ରେ ପ୍ୟାରିସ୍ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଚୀନ୍‌କୁ ୧-୦ରେ ହରାଇଥିଲା । ଏହା ସହିତ ଚୀନ୍‌ର ଚାମ୍ପିଅନ୍ ହେବାର ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି ।

ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ର ଯୁବ ଷ୍ଟ୍ରାଇକର୍ ଦୀପିକା ସେହରାୱତଙ୍କ ପ୍ରଦର୍ଶନକୁ ନେଇ ଏବେ କ୍ରୀଡ଼ା ମହଲରେ ଖୁବ୍ ଚର୍ଚ୍ଚା ହେଉଛି । ସେ ଫାଇନାଲ୍‌ରେ ଏକମାତ୍ର ତଥା ବିଜୟସୂଚକ ଗୋଲ୍ କରି ଭାରତର ମୁକୁଟ ବିଜୟର ସୂତ୍ରଧର ସାଜିଥିଲେ ।

Advertisment
Women's Asian Champions Trophy winner Deepika Sehrawatଫାଇନାଲ୍‌ରେ ଏକମାତ୍ର ତଥା ବିଜୟସୂଚକ ଗୋଲ୍ କରି ଭାରତର ମୁକୁଟ ବିଜୟର ସୂତ୍ରଧର ସାଜିଥିଲେ

ହରିୟାଣାର ଝିଅ ଦୀପିକା ପୂରା ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ଭଳି ଖେଳିଥିଲେ । ସେ ମୋଟ୍ ୧୧ ଗୋଲ୍ ଦେଇ ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର୍ ହୋଇପାରିଥିଲେ । ଭାରତର ଏହି ଉଲ୍ଲେଖନୀୟ ବିଜୟ ପରେ ହକି ଇଣ୍ଡିଆ ତାଙ୍କୁ ‘ଗୋଲ୍‌ଡେନ୍ ଗାର୍ଲ’ ଭାବେ ଅଭିହିତ କରିଥିଲା ।

ଅଲିମ୍ପିକ୍ କ୍ଷତରେ ମଲମ ଲଗାଇଲା ଏସିଟି ବିଜୟ

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଚତୁର୍ଥ ସ୍ଥାନରେ ରହିଥିବା ଭାରତୀୟ ମହିଳା ହକି ଟିମ୍ ପ୍ୟାରିସ୍ କ୍ରୀଡ଼ା ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରି ନ ପାରିବା ବିଡ଼ମ୍ବନାର ବିଷୟ ଥିଲା । ଏବେ ଏହି କ୍ଷତ ଉପରେ ଅନେକାଂଶରେ ମଲମ ଲଗାଇଛି ଏସିଟି ବିଜୟ । ଏହା ସହିତ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ିଛି ।

Women's Asian Champions Trophy winner Deepika Sehrawatଅଲିମ୍ପିକ୍ କ୍ଷତରେ ମଲମ ଲଗାଇଲା ଏସିଟି ବିଜୟ

ଏସିଟିରେ ଭାରତ ତୃତୀୟ ଥର ମୁକୁଟ ଜିତିଛି । ଏହା ପୂର୍ବରୁ ୨୦୧୬ ଓ ୨୦୨୩ରେ ମଧ୍ୟ ଟିମ୍ ଚାମ୍ପିଅନ୍ ହୋଇଥିଲା ।

କୋରିଆ ସହିତ ଭାରତ ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ଟିମ୍ ହେବାର ଗୌରବ ଅର୍ଜନ କରିଛି । ତେବେ ଭାରତ ପାଞ୍ଚ ଥର ଓ କୋରିଆ ତିନି ଥର ଫାଇନାଲ୍‌ରେ ସ୍ଥାନ ପାଇଛି ।

ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହେବା ପରେ ହରେନ୍ଦ୍ର ସିଂହଙ୍କୁ ଟିମ୍‌ର କୋଚ୍ ଦାୟିତ୍ୱ ଦିଆଯାଇଥିଲା । ସେ ଭାରତକୁ ଏସିଟି ଟ୍ରଫି ଜିତାଇ ଦେଖାଇ ଦେଇଛନ୍ତି ଯେ ଟିମ୍ ମିଶନ୍ ୨୦୨୮ ଆଡ଼କୁ ସଫଳତାପୂର୍ବକ ଅଗ୍ରସର ହେଉଛି ।

ହରେନ୍ଦ୍ର ଯୁବ ଖେଳାଳିଙ୍କ ଉପରେ ଭରସା ରଖିଥିଲେ । ତାଙ୍କ ଯୁବ ବ୍ରିଗେଡ୍‌ରେ ଦୀପିକାଙ୍କ ଛଡ଼ା ସଙ୍ଗୀତା କୁମାରୀ, ବ୍ୟୁଟୀ ଡୁଙ୍ଗ ଡୁଙ୍ଗ, ଶର୍ମିଲାଙ୍କ ଭଳି ଖେଳାଳି ଥିଲେ । ଏହି ପରିବର୍ତ୍ତନ ଏସିଟିରେ ଫଳପ୍ରଦ ହୋଇଛି ।

ଏସିଟିରେ ପିସିରୁ ଛଅ ଗୋଲ୍ ଦେଇଥିଲେ ଦୀପିକା

ଏସିଟିରେ ଦୀପିକା ସାତ ମ୍ୟାଚ୍‌ରୁ ୧୧ ଗୋଲ୍ ସ୍କୋର୍ କରିଥିଲେ । ସେଥିମଧ୍ୟରୁ ଛଅ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ହୋଇଥିବା ବେଳେ ଚାରି ଫିଲ୍ଡ ଗୋଲ୍ ଥିଲା । ସେ ଅନ୍ୟ ଏକ ଗୋଲ୍ ପେନାଲ୍ଟି ଷ୍ଟ୍ରୋକ୍‌ରୁ ଦେଇଥିଲେ ।

Women's Asian Champions Trophy winner Deepika Sehrawatଏସିଟିରେ ପିସିରୁ ଛଅ ଗୋଲ୍ ଦେଇଥିଲେ ଦୀପିକା

ଟୁର୍ଣ୍ଣାମେଣ୍ଟରେ ଭାରତ ମୋଟ୍ ୨୯ ଗୋଲ୍ ଦେଇଥିଲା, ଯେଉଁଥିରେ ୧୨ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା । ଥାଇଲାଣ୍ଡ ବିପକ୍ଷରେ ଭାରତ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୩-୦ରେ ବିଜୟୀ ହୋଇଥିଲା । ସେଥିମଧ୍ୟରୁ ପାଞ୍ଚ ଗୋଲ୍ ଦୀପିକାଙ୍କ ଖାତାକୁ ଯାଇଥିଲା ।

ଏହାଛଡ଼ା ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ୍‌ରେ ଭାରତର ୩-୨ ବିଜୟରେ ମଧ୍ୟ ସେ ଦୁଇ ଗୋଲ୍ ଦେଇଥିଲେ । ସେ ସେମିଫାଇନାଲ୍‌ରେ ଗୋଲ୍ କରିପାରି ନ ଥିଲେ, ହେଲେ ଫାଇନାଲ୍‌ରେ ଗୁରୁତ୍ୱପୂର୍ଣ୍ଣ ଗୋଲ୍ ଦେଇ ଟିମ୍‌କୁ ଚାମ୍ପିଅନ୍ କରାଇଥିଲେ ।

ରୋମାଞ୍ଚକ ଫାଇନାଲ୍ ଲଢ଼େଇ

ଏସିଟି ୨୦୨୪ର ଫାଇନାଲ୍ ମ୍ୟାଚ୍ ଖୁବ୍ ରୋମାଞ୍ଚକ ଥିଲା । ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧର ପ୍ରଥମ ମିନିଟ୍‌ରେ ହିଁ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ମ୍ୟାଚ୍‌ରେ ଏହା ଟିମ୍‌ର ପଞ୍ଚମ ପେନାଲ୍ଟି କର୍ଣ୍ଣର ଥିଲା ।

କିନ୍ତୁ ଲାଲରେମସିଆମୀଙ୍କ ପୁଶ୍‌କୁ ଠିକ୍‌ରେ ଅଟକା ଯାଇପାରି ନ ଥିଲା । ନବନୀତ କୌର ସର୍କଲ ବାହାରେ ବଲ୍‌କୁ ଅଟକାଇ ଦୀପିକାଙ୍କୁ ପାସ୍ ଦେଇଥିଲେ । ଏହାପରେ ଦୀପିକା ଦୁଇ ଡିଫେଣ୍ଡର୍‌ଙ୍କୁ ଚକମା ଦେଇ ରିଭର୍ସ ହିଟ୍‌ରୁ ଗୋଲ୍ କରିଥିଲେ । ଭାରତ ଅଗ୍ରଣୀ ହାସଲ କରିଥିଲା ।

Women's Asian Champions Trophy winner Deepika Sehrawatରୋମାଞ୍ଚକ ଫାଇନାଲ୍ ଲଢ଼େଇ

ଅବଶ୍ୟ ୪୨ତମ ମିନିଟ୍‌ରେ ଟିମ୍‌କୁ ମିଳିଥିବା ଏକ ପେନାଲ୍ଟି ଷ୍ଟ୍ରୋକ୍‌କୁ ଦୀପିକା ଗୋଲ୍‌ରେ ପରିଣତ କରିପାରି ନ ଥିଲେ । ପ୍ରତିପକ୍ଷ ଗୋଲ୍‌କିପର୍ ତାଙ୍କ ପୁଶ୍‌କୁ ଡାହାଣ ଗୋଡ଼ ବଢ଼ାଇ ଅଟକାଇ ଦେଇଥିଲେ ।

ଶେଷ ଯାଏଁ ଚୀନ୍ ଗୋଲ୍ ପରିଶୋଧ କରିପାରି ନ ଥିଲା ଏବଂ ଭାରତର ପ୍ରଥମ ଗୋଲ୍ ନିର୍ଣ୍ଣାୟକ ହୋଇଥିଲା ।

କୁସ୍ତିରେ ଲାଗିଲାନି ମନ, ଧରିଲେ ହକି ଷ୍ଟିକ୍‌

ଯେତେବେଳେ ଦୀପିକା ଛୋଟ ଥିଲେ, ସେତେବେଳେ ତାଙ୍କ ବାପା ତାଙ୍କୁ ହିସାରସ୍ଥିତ କୁସ୍ତି କେନ୍ଦ୍ରକୁ ନେଇକି ଯାଉଥିଲେ । ସେଠାରେ ତାଙ୍କ ବଡ଼ ଭାଇ ପ୍ରଶିକ୍ଷଣ ନେଉଥିଲେ ।

ରୋହତକ ନିକଟସ୍ଥ ଏକ ଗାଁରେ ରହୁଥିବା ଦୀପିକା କୁସ୍ତିଯୋଦ୍ଧାଙ୍କ ପରିବାରରୁ ଆସିଥିଲେ, କିନ୍ତୁ କୁସ୍ତିରେ ତାଙ୍କ ମନ ଲାଗି ନ ଥିଲା । ତାଙ୍କୁ ଲାଗୁଥିଲା ଯେ ତାଙ୍କ ପକ୍ଷେ କୁସ୍ତିଯୋଦ୍ଧା ହେବା ସମ୍ଭବ ନୁହେଁ ।

ଦିନେ ସେ କୁସ୍ତି କେନ୍ଦ୍ରରୁ ଚାଲିଆସି ହକି ଖେଳ ଦେଖିଥିଲେ । ସେଠାକାର କୋଚ୍ ଆଜାଦ ସିଂହଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା । ସେ ଦୀପିକାଙ୍କୁ ପଚାରିଥିଲେ ଯେ ତୁମେ ହକି ଖେଳିବାକୁ ଚାହୁଁଛ । ଦୀପିକା ‘ହଁ’ କରିଥିଲେ ।

ଏହାପରେ କୋଚ୍ ତାଙ୍କୁ ହକି ଷ୍ଟିକ୍ ଦେଇଥିଲେ । ସେହି ଦିନ ଠାରୁ ଦୀପିକା ହକିକୁ ନିଜ କ୍ୟାରିଅର୍ କରିଥିଲେ । ପ୍ରାୟ ଏକ ଦଶନ୍ଧି ମଧ୍ୟରେ ସେ ଦେଶର ତାରକା ହୋଇପାରିଛନ୍ତି ।

ଫର୍‌ୱାର୍ଡ ହେବା ସତ୍ତ୍ୱେ ଡ୍ରାଗ୍‌ଫ୍ଲିକର୍ ଭୂମିକାରେ

ଦୀପିକାଙ୍କ ଭଳି ଖେଳାଳି କମ୍ ଦେଖିବାକୁ ମିଳନ୍ତି । ସେ ଟିମ୍‌ର ଫର୍‌ୱାର୍ଡ ଖେଳାଳି ହେବା ସହିତ ଡ୍ରାଗ୍‌ଫ୍ଲିକର୍ ମଧ୍ୟ ।

ସାଧାରଣତଃ ଡ୍ରାଗ୍‌ଫ୍ଲିକର୍ ଡିଫେଣ୍ଡର୍ ହୋଇଥା’ନ୍ତି । ଏହି କାରଣରୁ ଡିଫେଣ୍ଡର୍ ମଜଭୁତ ଖେଳାଳି ହୋଇଥା’ନ୍ତି ଏବଂ ତାଙ୍କ ଶକ୍ତି ତାଙ୍କ ସଟ୍‌ରୁ ଦେଖିବାକୁ ମିଳେ । କିନ୍ତୁ ଦୀପିକା ଏ ଦିଗରେ ଭିନ୍ନ ।

ବାସ୍ତବରେ ତାଙ୍କ ମଧ୍ୟରେ ଡିଫେଣ୍ଡର୍‌ଙ୍କ ଭଳି ଶକ୍ତି ରହିଛି । କୁସ୍ତିଯୋଦ୍ଧାଙ୍କ ପରିବାରରୁ ଆସୁଥିବାରୁ ତାଙ୍କୁ ଉତ୍ତରାଧିକାର ସୂତ୍ରରେ ଶକ୍ତି ମିଳିଛି ବୋଲି ଖୋଦ୍ ଦୀପିକା କହନ୍ତି ।

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୧-୨୨ରେ ଦୀପିକା ସିନିଅର୍ ଟିମ୍‌ରେ ପଦାର୍ପଣ କରିଥିଲେ । ଏସିଆଡ୍ ୨୦୨୨ ଓ ଏସିଆ କପ୍ ୨୦୨୨ରେ କାଂସ୍ୟ ପଦକ ବିଜେତା ଟିମ୍‌ର ସେ ସଦସ୍ୟା ଥିଲେ । ଏହାଛଡ଼ା ଏସିଟି ୨୦୨୩ରେ ସ୍ୱର୍ଣ୍ଣ ଜିତିଥିବା ଟିମ୍ ପକ୍ଷରୁ ବି ସେ ପ୍ରତିନିଧିତ୍ୱ କରିଥିଲେ । 
ଦୀପିକାଙ୍କୁ ଏବେ ୨୦ ବର୍ଷ ବୟସ । ଆଗକୁ ତାଙ୍କର ଲମ୍ବା କ୍ୟାରିଅର୍ ରହିଛି । ତାଙ୍କ ଭିତରେ ପ୍ରତିଭା ଅଛି, ଫର୍‌ୱାର୍ଡ ହୋଇ ଡିଫେଣ୍ଡର୍ ଭଳି ଶକ୍ତି ରହିଛି । ଡ୍ରାଗ୍‌ଫ୍ଲିକର୍ ଭାବରେ ମଧ୍ୟ ସେ ପ୍ରସିଦ୍ଧି ଅର୍ଜନ କଲେଣି । 

ଏଫ୍‌ଆଇଏଚ୍ ବିଶ୍ୱକପ୍ ୨୦୨୬ ଓ ଲସ୍ ଆଞ୍ଜଲସ୍ ଅଲିମ୍ପିକ୍ସ ୨୦୨୮ ତାଙ୍କର ପରବର୍ତ୍ତୀ ବଡ଼ ଲକ୍ଷ୍ୟ ହେବ । ୨୦୨୬ରେ ଏସିଆଡ୍ ବି ଅଛି । ଆଗକୁ ଏସିଟି ଭଳି ଅନ୍ୟ ବଡ଼ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ମଧ୍ୟ ସେ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ଆଶା କରାଯାଉଛି ।

ଇମେଲ୍: [email protected]
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
 

Indian Hockey Indian Hockey Team Women's Hockey Team
Advertisment
Advertisment