• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଭାରତୀୟ କ୍ରିକେଟ୍ ମହଲରେ ଏବେ ଯୁବ ତାରକା ଚେନ୍ନାଇର ଭାରଦ୍ୱାଜ ସାଇ ସୁଦର୍ଶନଙ୍କୁ ନେଇ ଖୁବ୍ ଚର୍ଚ୍ଚା । ପ୍ରଥମ-ଶ୍ରେଣୀ କ୍ରିକେଟ୍ ହେଉ କିମ୍ବା ଘରୋଇ ଟି-୨୦ ଲିଗ୍ - ସବୁଠି ଏହି ବାମହାତି ବ୍ୟାଟର୍ ପ୍ରଭାବଶାଳୀ ପ୍ରଦର୍ଶନ ଜରିଆରେ ପ୍ରଶଂସା ସାଉଁଟୁଛନ୍ତି ।  ସ୍ୱଳ୍ପ ଆନ୍ତର୍ଜାତିକ ସୁଯୋଗରେ ମଧ୍ୟ ସେ ନିଜ ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି ।

୨୩ବର୍ଷୀୟ ସୁଦର୍ଶନ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୫ରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି । ତାଙ୍କ ଭଳି ହୁଏତ କେହି ଏଭଳି ନିରନ୍ତର ଭଲ ପ୍ରଦର୍ଶନ କରୁ ନ ଥିବେ । କେଉଁ ଗ୍ରାଉଣ୍ଡରେ ଖେଳାଯାଉଛି, ସାମ୍ନାରେ କେଉଁ ଟିମ୍ ଅଛି, କେଉଁ ବୋଲର୍ ଅଛନ୍ତି - ତାହାକୁ ବିଶେଷ ଗୁରୁତ୍ୱ ନ ଦେଇ ନିଜ ବ୍ୟାଟିଂ ଉପରେ ଫୋକସ୍ କରନ୍ତି ଗୁଜରାଟ ଟାଇଟନ୍ସର ଏହି ପ୍ରତିଭାଶାଳୀ ଓପନର୍ । ଚଳିତ ସିଜନ୍‌ରେ ସେ ଏ ଯାବତ (ଏପ୍ରିଲ୍ ୫ ସୁଦ୍ଧା) ତିନି ମ୍ୟାଚ୍‌ରେ ୧୮୬ ରନ୍ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ରଣଜୀ ଟ୍ରଫି ୨୦୨୪-୨୫ରେ ସୁଦର୍ଶନ ତାମିଲନାଡ଼ୁ ପକ୍ଷରୁ ଦିଲ୍ଲୀ ବିପକ୍ଷ ଏକ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଥିଲେ । ସେ ଏ ଯାବତ ୨୯ ପ୍ରଥମ-ଶ୍ରେଣୀ ମ୍ୟାଚ୍ ଖେଳି ୧୯୫୭ ରନ୍ କରିଛନ୍ତି ।

Also Read

ସାତ ଆଇପିଏଲ୍ ଇନିଂସ୍‌ରେ ୪୪୪ ରନ୍‌

ଚଳିତ ଆଇପିଏଲ୍ ସିଜନ୍‌ରେ ସାଇ ସୁଦର୍ଶନ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ୭୪ ରନ୍ ସଂଗ୍ରହ କରିଥିଲେ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୩ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୪୯ ରନ୍‌ର ଇନିଂସ୍ ଖେଳିଥିଲେ । ଅବଶ୍ୟ ସେ ବାଙ୍ଗାଲୋର ବିପକ୍ଷରେ କ୍ରମାଗତ ଚତୁର୍ଥ ୫୦ ପ୍ଲସ୍ ସ୍କୋର୍‌ରୁ ବଞ୍ଚିତ ହୋଇଥିଲେ ।

ଏହି ବ୍ୟାଟର୍ ପୂର୍ବ ସାତ ଆଇପିଏଲ୍ ଇନିଂସ୍‌ରେ ୪୪୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ରହିଛି । ସେ ଯଥାକ୍ରମେ ୬୫, ୮୪ (ଅପରାଜିତ), ୬, ୧୨୩, ୭୪, ୬୩ ଓ ୪୯ ରନ୍ କରିଛନ୍ତି । ଗୁଜରାଟ ଟାଇଟନ୍ସ ୨୦୨୨ ସିଜନ୍ ପାଇଁ ସୁଦର୍ଶନଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ସେହି ସିଜନ୍‌ରେ ତାଙ୍କ ଆଇପିଏଲ୍ କ୍ୟାରିଅର୍ ଆରମ୍ଭ ହୋଇଥିଲା । ସେବେଠାରୁ ଚାରି ସିଜନ୍ ଧରି ସେ ଏହି ଟିମ୍‌ର ଅଂଶବିଶେଷ ରହିଆସିଛନ୍ତି ।

୨୦୨୩ ସିଜନ୍‌ରେ ସେ ଆଠ ମ୍ୟାଚ୍ ଖେଳି ୩୬୨ ରନ୍ କରିଥିଲେ । ଚେନ୍ନାଇ ସୁପର୍ କିଙ୍ଗ୍‌ସ ବିପକ୍ଷ ଫାଇନାଲ୍ ମ୍ୟାଚ୍‌ରେ ସେ ୯୬ (୪୭ ବଲ୍‌ରୁ) ରନ୍‌ର ଉଲ୍ଲେଖନୀୟ ଇନିଂସ୍ ଖେଳିଥିଲେ, ହେଲେ ତାଙ୍କ ଟିମ୍ ହାରିଯାଇଥିଲା । ଏହାପରେ ୨୦୨୪ରେ ସେ ୧୨ ଇନିଂସ୍‌ରେ ୫୨୭ ରନ୍ କରି ଟିମ୍‌ରେ ନିଜ ଉପଯୋଗିତା ସାବ୍ୟସ୍ତ କରିଥିଲେ । ଆଇପିଏଲ୍‌ରେ ସେ ଏ ଯାବତ ୨୮ ମ୍ୟାଚ୍ ଖେଳି ୧୪୧.୭ ଷ୍ଟ୍ରାଇକ୍ ରେଟ୍‌ରେ ୧୨୨୦ ରନ୍ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ଆଠ ଅର୍ଦ୍ଧଶତକ ରହିଛି ।

ପୁଅକୁ ଆଥ୍‌ଲେଟ୍ କରାଇବାକୁ ଚାହୁଁଥିଲେ ବାପା

ସାଇ ସୁଦର୍ଶନଙ୍କ ବାପା ଆର୍‌. ଭାରଦ୍ୱାଜ ଜଣେ ଧାବକ ଥିଲେ । ସେ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ସେହିପରି ମାଆ ଉଷା ଭାରଦ୍ୱାଜ ଜଣେ ରାଜ୍ୟସ୍ତରୀୟ ଭଲିବଲ୍ ଖେଳାଳି ଥିଲେ । ତାଙ୍କ ବଡ଼ ଭାଇ ସାଇ ରାମ ମଧ୍ୟ କ୍ରିକେଟ୍ ଖେଳନ୍ତି ।
ବାପା ଭାରଦ୍ୱାଜ ଚାହୁଁଥିଲେ ଯେ ସୁଦର୍ଶନ ମଧ୍ୟ ଆଥ୍‌ଲେଟ୍ ହୁଅନ୍ତୁ । ସେ ପୁଅକୁ ଦୌଡ଼ର ପ୍ରଶିକ୍ଷଣ ଦେଉଥିଲେ । ପୁଅ ମଧ୍ୟ ସ୍କୁଲ୍‌ରେ ଦୌଡ଼ରେ ପଦକ ଜିତିଥିଲା । ତେବେ ସୁଦର୍ଶନଙ୍କ ବଡ଼ ବାପା ଚାହୁଁଥିଲେ ଯେ ତାଙ୍କ ପୁତୁରା କ୍ରିକେଟର୍ ହେଉ ।

ଭାରଦ୍ୱାଜଙ୍କ କହିବାନୁଯାୟୀ ଥରେ ସୁଦର୍ଶନ ବିବି ଚନ୍ଦ୍ରଶେଖର କ୍ରିକେଟ୍ ଏକାଡେମୀ ମ୍ୟାଚ୍‌ରେ ୧୩ ବଲ୍‌ରେ ୨୯ ରନ୍‌ର ଇନିଂସ୍ ଖେଳିଥିଲେ । ସେତେବେଳକୁ ପୁଅର ବୟସ ହୋଇଥିଲା ମାତ୍ର ୧୩ ବର୍ଷ । ତାଙ୍କର ମନେ ହେଲା ଯେ ପୁଅ ଭିତରେ କ୍ରିକେଟର୍ ହେବାର ସାମର୍ଥ୍ୟ ରହିଛି ।
ସୁଦର୍ଶନ ବି ଧାବକ ନ ହୋଇ କ୍ରିକେଟର୍ ହେବାକୁ ଚାହୁଁଥିଲେ । ଏହାପରେ ଭାରଦ୍ୱାଜ ତାଙ୍କୁ କ୍ରିକେଟ୍ ଉପରେ ପୂରା ଫୋକସ୍ କରିବାକୁ କହିଥିଲେ । ୨୦୨୧ ସିଜନ୍‌ରେ ତାମିଲନାଡ଼ୁ ପ୍ରିମିଅର୍ ଲିଗ୍‌ରେ ଦ୍ୱିତୀୟ ସର୍ବାଧିକ ସ୍କୋରର୍ ହେବା ପରେ ସୁଦର୍ଶନ ସେହି ବର୍ଷ ଶେଷ ବେଳକୁ ରାଜ୍ୟ ପକ୍ଷରୁ ହ୍ୱାଇଟ୍‌-ବଲ୍‌ରେ ପଦାର୍ପଣ କରିଥିଲେ । ଏହାର ବର୍ଷେ ପରେ ସେ ରଣଜୀ ଟ୍ରଫି ଖେଳିଥିଲେ । ହାଇଦରାବାଦ ବିପକ୍ଷ ରଣଜୀ ପଦାର୍ପଣ ମ୍ୟାଚ୍‌ରେ ସେ ୧୭୯ ଓ ୪୨ ରନ୍‌ର ଇନିଂସ୍ ଖେଳିଥିଲେ ।  

ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନର ସମ୍ଭାବନା କେତେ

ସାଇ ସୁଦର୍ଶନ ଭାରତ ପକ୍ଷରୁ ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରେ ପଦାର୍ପଣ କରିସାରିଛନ୍ତି । ସେ ତିନି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୬୩.୫୦ ଆଭରେଜ୍‌ରେ ୧୨୭ ରନ୍ ସଂଗ୍ରହ କରିଛନ୍ତି । ୨୦୨୩ ଡିସେମ୍ବରରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ର ସମସ୍ତ ତିନି ମ୍ୟାଚ୍ ଖେଳି ଦୁଇ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାଛଡ଼ା ସେ ଗୋଟିଏ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେହେଁ ସେଥିରେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ । ଏହି ମ୍ୟାଚ୍ ୨୦୨୪ ଜୁଲାଇରେ ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିଲା । ଏହାପରେ ସେ ଆଉ କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନାହାନ୍ତି । ଆଗାମୀ ଦିନରେ ସୀମିତ ଓଭର୍ ଟିମ୍‌ରେ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ସେ ଚମକପ୍ରଦ ପ୍ରଦର୍ଶନ କରୁଛନ୍ତି ।

ଯଦି ତାଙ୍କୁ ପୁନର୍ବାର ଟିମ୍‌ରେ ସାମିଲ୍ କରାଯାଏ, ତା’ହେଲେ ପ୍ରଦର୍ଶନରେ ନିରନ୍ତରତା ତାଙ୍କ ଚୟନର ମାପକାଠି ହେବ । କିନ୍ତୁ ଟିମ୍ ଇଣ୍ଡିଆରେ ପୁନର୍ବାର ସ୍ଥାନ ପାଇବା ତାଙ୍କ ପାଇଁ ଆଦୌ ସହଜ ହେବ ନାହିଁ । ଭାରତର ଉଭୟ ଦିନିକିଆ ଓ ଟି-୨୦ ଟିମ୍ ବିଶ୍ୱ କ୍ରିକେଟ୍‌ରେ ଆଧିପତ୍ୟ ବିସ୍ତାର କରିଛି । ଅନ୍ୟପଟେ, ଦେଶରେ ପ୍ରତିଭାଶାଳୀ ଯୁବ ଖେଳାଳିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷକରି ଟି-୨୦ କ୍ରିକେଟ୍‌ରେ ଏହି ସଂଖ୍ୟା ଅଧିକ । ଏପରି ସ୍ଥଳେ ସୁଦର୍ଶନଙ୍କ ଭଳି ବ୍ୟାଟର୍ ଯେତେ ପ୍ରତିଭାଶାଳୀ ହେଲେ ବି ସୁଯୋଗ ପାଇବା ଆହ୍ୱାନପୂର୍ଣ୍ଣ । ତେବେ ତାଙ୍କୁ ଭଲ ପ୍ରଦର୍ଶନ ଜାରି ରଖିବାକୁ ହେବ, ଯାହା ଫଳରେ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା ଉଜ୍ଜ୍ୱଳ ହୋଇପାରିବ ।