ଶେଷରେ ନିଜ ଉପରୁ ‘ଚୋକର୍ସ’ ଦାଗ ଲିଭାଇ ‘ବିଶ୍ୱ ଚାମ୍ପିଅନ୍’ ହୋଇଛି ଦକ୍ଷିଣ ଆଫ୍ରିକା । ଐତିହାସିକ ଲର୍ଡ୍ସ ଷ୍ଟାଡିୟମ୍ରେ ଆୟୋଜିତ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ୨୦୨୩-୨୫ ଚକ୍ରର ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇ ‘ଇନ୍ଦ୍ରଧନୁର ଦେଶ’ ଅବିସ୍ମରଣୀୟ ସଫଳତା ପାଇଛି ।
ଅଧିନାୟକ ଟେମ୍ବା ବାଭୁମା, ବ୍ୟାଟର୍ ଏଡେନ୍ ମାର୍କ୍ରମ ଓ ପେସର୍ କାଗିସୋ ରବାଡ଼ା ପ୍ରମୁଖ ଟିମ୍ର ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
ଏହା ପୂର୍ବରୁ ଟିମ୍ କେବଳ ଥରେ ୧୯୯୮ରେ ଚାମ୍ପିଅନ୍ସ ଟ୍ରଫି ରୂପରେ ଆଇସିସି ମୁକୁଟ ଜିତିଥିଲା । ୨୭ ବର୍ଷ ଧରି କ୍ରମାଗତ ବିଫଳତା ପରେ ଏବେ ଦକ୍ଷିଣ ଆଫ୍ରିକାର ସ୍ୱପ୍ନ ସାକାର ହୋଇଛି । ଦକ୍ଷିଣ ଆଫ୍ରିକାର ଏହି ବିଶ୍ୱବିଜୟକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଦକ୍ଷିଣ ଆଫ୍ରିକା ଡବ୍ଲ୍ୟୁଟିସିର ପ୍ରଥମ ଦୁଇ ଫାଇନାଲ୍ରେ ସ୍ଥାନ ପାଇ ନ ଥିଲା । କିନ୍ତୁ ତୃତୀୟ ଚକ୍ରରେ ରୋମାଞ୍ଚକ ଢଙ୍ଗରେ ଫାଇନାଲ୍ରେ ପ୍ରବେଶ କରିଥିଲା । ଗୋଟିଏ ସମୟରେ ଟିମ୍ ଫାଇନାଲ୍ରେ ପହଞ୍ଚିବା ପାଇଁ ଛଅରୁ ପାଞ୍ଚ ଟେଷ୍ଟ ଜିତିବା ଆବଶ୍ୟକ ଥିଲା । ଏହାପରେ ବଭୁମାଙ୍କ ଟିମ୍ ପରବର୍ତ୍ତୀ ତିନି ସିରିଜ୍ରେ ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶକୁ ହରାଇଥିଲା ।
Also Read
ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦୁଇ ଦିନ ଚାପରେ ଥିବା ଭଳି ଜଣାପଡ଼ୁଥିଲା । ପ୍ରଥମ ଇନିଂସ୍ରେ ମଧ୍ୟ ଟିମ୍ ୭୪ ରନ୍ରେ ପଛରେ ଥିଲା । କିନ୍ତୁ ଏହାପରେ ଟିମ୍ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ୫ ୱିକେଟ୍ରେ ମ୍ୟାଚ୍ ଜିତିଥିଲା । ଟେମ୍ବା ବଭୁମାଙ୍କ ଲଢ଼ୁଆ ନେତୃତ୍ୱ କେପ୍ଟାଉନ୍ର ୩୫ବର୍ଷୀୟ କୃଷ୍ଣକାୟ ଖେଳାଳି ଟେମ୍ବା ବଭୁମା ନିଜ ଦୃଢ଼ ବ୍ୟାଟିଂ ଓ ନେତୃତ୍ୱ ବଳରେ ଦକ୍ଷିଣ ଆଫ୍ରିକାକୁ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ କରାଇଛନ୍ତି । ଏହି ଐତିହାସିକ ବିଜୟରେ ଚତୁର୍ଥ ଇନିଂସ୍ରେ ଏଡେନ୍ ମାର୍କ୍ରମ ସବୁଠାରୁ ବଡ଼ ଯୋଗଦାନ ଦେଇଥିଲେ । ମାର୍କ୍ରମ ୧୩୬ ରନ୍ କରିଥିବା ବେଳେ ଅଧିନାୟକ ବଭୁମା ମଧ୍ୟ ୬୬ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୪୭ ରନ୍ର ଭାଗୀଦାରୀ ହୋଇଥିଲା ।
ମ୍ୟାଚ୍ ସମୟରେ ବଭୁମା ହାମ୍ଷ୍ଟ୍ରିଙ୍ଗ ସମସ୍ୟା ଭୋଗିଥିଲେ ବି ଦୃଢ଼ତାର ସହ କ୍ରିଜ୍ରେ ତିଷ୍ଠି ରହିଥିଲେ । ଏହାଛଡ଼ା ପେସର୍ କଗିସୋ ରବାଡ଼ା ମ୍ୟାଚ୍ରେ ୯ ୱିକେଟ୍ ନେଇଥିଲେ । ଅଧିନାୟକ ଭାବେ ଏହି ସଫଳତା ଟେମ୍ବାଙ୍କ ପାଇଁ ଏକ ବିଶେଷ ଉପଲବ୍ଧି ଥିଲା । ତାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଏ ଯାବତ ୧୦ ଟେଷ୍ଟ ମ୍ୟାଚ୍ ଖେଳି ନଅ ମ୍ୟାଚ୍ ଜିତିଛି ଏବଂ ଅନ୍ୟ ଏକ ମ୍ୟାଚ୍ ଡ୍ର’ ରହିଛି । ଏହା ପୂର୍ବରୁ ଟେଷ୍ଟ ଇତିହାସରେ କେବଳ ଇଂଲଣ୍ଡର ପର୍ସି ଚାପମାନ୍ ଏଭଳି ଅଧିନାୟକ ଥିଲେ ଯିଏ ନିଜ ପ୍ରଥମ ୧୦ ଟେଷ୍ଟ ମ୍ୟାଚ୍ରୁ ନଅ ମ୍ୟାଚ୍ ଜିତିଥିଲେ ।
ଅତୀତରେ ବଭୁମାଙ୍କ ଚୟନ ନେଇ ସୋସିଆଲ୍ ମିଡିଆ ଓ ଅନେକ ମିଡିଆ ସଂସ୍ଥା ବହୁ ବାର କଟାକ୍ଷ କରିଛନ୍ତି । ଦକ୍ଷିଣ ଆଫ୍ରିକାର ପ୍ରତି ବିଫଳତାକୁ ଟିମ୍ରେ ଅଣ-ଶ୍ୱେତାଙ୍ଗଙ୍କ ପାଇଁ ଲାଗୁ ‘କୋଟା ନୀତି’ର ବିଫଳତା ଭାବେ ବିଚାର କରାଯାଇଛି, ଯାହାକୁ ବଭୁମା ସହ୍ୟ କରିଆସିଛନ୍ତି ।
ବିଡ଼ମ୍ବନାର ବିଷୟ ହେଉଛି ଯେ ଦେଶ ପାଇଁ ଶତକ ଲଗାଇଥିବା, ଟେଷ୍ଟ ଟିମ୍ର ନେତୃତ୍ୱ ନେଉଥିବା ଏବଂ ଏହାକୁ ଚାମ୍ପିଅନ୍ କରାଇଥିବା ଖେଳାଳିଙ୍କୁ ବାରମ୍ବାର ନିଜ ଦକ୍ଷତାର ପ୍ରମାଣ ଦେବାକୁ ପଡ଼ିଛି ।
ଏହି ବିଜୟ କେବଳ ଏକ ଟ୍ରଫି ହାସଲର କାହାଣୀ ନୁହେଁ । ଯେତେବେଳେ ଦକ୍ଷିଣ ଆଫ୍ରିକା ଡବ୍ଲ୍ୟୁଟିସି ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଥିଲା, ତାହା ଦକ୍ଷିଣ ଆଫ୍ରିକା ପାଇଁ ପରିବର୍ତ୍ତନର ବିଜୟ ଥିଲା । ଅଧିନାୟକ ବଭୁମା ଦେଶର ପ୍ରଥମ ସ୍ଥାୟୀ କୃଷ୍ଣକାୟ ଟେଷ୍ଟ ଅଧିନାୟକ ଭାବେ ଯେପରି ଆତ୍ମବିଶ୍ୱାସ ଓ ସଂଯମତାର ସହ ଟିମ୍ର ନେତୃତ୍ୱ ନେଇଥିଲେ, ତାହା ବର୍ଣ୍ଣବୈଷମ୍ୟର ଇତିହାସ ସହ ସଂଘର୍ଷ କରିଆସୁଥିବା ଦେଶ ପାଇଁ ଏକ ପ୍ରତୀକାତ୍ମକ ମୁହୂର୍ତ୍ତ ପାଲଟିଥିଲା ।
ଜଣେ ‘କୋଟା ଖେଳାଳି’ଙ୍କୁ କେବଳ ଭଲ ପ୍ରଦର୍ଶନ କରିବାକୁ ପଡ଼ି ନ ଥାଏ, ବାରମ୍ବାର ଏହା ପ୍ରମାଣିତ କରିବାକୁ ପଡ଼ିଥାଏ ଯେ ସେ କୌଣସି ବିଶେଷାଧିକାର ଯୋଗୁଁ ନୁହେଁ, ନିଜ ଦକ୍ଷତା ବଳରେ ଟିମ୍ରେ ଅଛନ୍ତି । ସମାଲୋଚନା ମଧ୍ୟରେ ଆତ୍ମବିଶ୍ୱାସ ବଜାୟ ରଖିବା ଓ ଟିମ୍କୁ ପ୍ରେରିତ କରିବା ଏକ ବଡ଼ ଚାଲେଞ୍ଜ୍ । ବଭୁମାଙ୍କ ଭଳି ଖେଳାଳି ଏପରି ଚାଲେଞ୍ଜ୍କୁ ଗ୍ରହଣ କରିଥିଲେ ଏବଂ ବିଜେତା ଭାବେ ଉଭା ହୋଇଥିଲେ ।
୧୯୯୧ରେ କ୍ରିକେଟ୍କୁ ଫେରିଥିଲା ଦକ୍ଷିଣ ଆଫ୍ରିକା
୧୯୭୦ ଯାଏଁ ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ଟିମ୍ରେ କେବଳ ଶ୍ୱେତାଙ୍ଗ ଖେଳାଳିଙ୍କୁ ସୁଯୋଗ ମିଳୁଥିଲା । ଦକ୍ଷିଣ ଆଫ୍ରିକା ସେହି ଟିମ୍ଗୁଡ଼ିକ ସହ କୌଣସି ମ୍ୟାଚ୍ ଖେଳୁ ନ ଥିଲା, ଯେଉଁଥିରେ କୌଣସି କୃଷ୍ଣକାୟ ଖେଳାଳି ଥିଲେ । ଏଥିପାଇଁ ସେ ଭାରତ, ୱେଷ୍ଟଇଣ୍ଡିଜ୍, ପାକିସ୍ତାନ ଭଳି ଟିମ୍ଗୁଡ଼ିକ ସହ ଖେଳୁ ନ ଥିଲା । ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତିକୁ ଭାରତ ଓ ୱେଷ୍ଟଇଣ୍ଡିଜ୍ କଡ଼ା ବିରୋଧ କରିଥିଲେ । ଏହାପରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ଦକ୍ଷିଣ ଆଫ୍ରିକାକୁ ୨୨ ବର୍ଷ ପାଇଁ ଆନ୍ତର୍ଜାତିକ କ୍ରିକେଟ୍ରୁ ବାସନ୍ଦ କରିଥିଲା । ୧୯୯୧ରେ ଏହି କଟକଣା ଉଠିଥିଲା । ଏହାପରେ ଦକ୍ଷିଣ ଆଫ୍ରିକୀୟ ଟିମ୍ ସର୍ବପ୍ରଥମେ ଭାରତ ଗସ୍ତ କରିଥିଲା । ୧୯୯୨ରେ ଏହି ଦେଶର କ୍ରିକେଟ୍ ଟିମ୍ ପ୍ରଥମ ଥର କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲା । ସେତେବେଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ମିଳିତ ଆନୁକୂଲ୍ୟରେ ହୋଇଥିବା ଦିନିକିଆ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ ଯାଏଁ ପହଞ୍ଚିଥିଲା ।
ଦକ୍ଷିଣ ଆଫ୍ରିକାକୁ କାହିଁକି କୁହାଯାଉଥିଲା ‘ଚୋକର୍ସ’
ଆଇସିସି ଟୁର୍ଣ୍ଣାମେଣ୍ଟରେ ବଡ଼ ସୁଯୋଗରେ ଚାପଗ୍ରସ୍ତ ହୋଇ ବିଫଳ ହେଉଥିବା ଯୋଗୁଁ ଦକ୍ଷିଣ ଆଫ୍ରିକାକୁ ‘ଚୋକର୍ସ’ କୁହାଯାଉଥିଲା । ଦକ୍ଷିଣ ଆଫ୍ରିକାର ସାମର୍ଥ୍ୟ ସହ ଏହି କଳା ଛାଇ ଅଢ଼େଇ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ରହିଥିଲା । ସଦ୍ୟତମ ସଫଳତା ପୂର୍ବରୁ ଦିନିକିଆ କି ଟେଷ୍ଟ ହେଉ ଅଥବା ଟି-୨୦ - ସବୁ ଫର୍ମାଟ୍ରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଏହି ଟିମ୍ ବିଶ୍ୱକପ୍ରେ କେବଳ ଥରେ ଫାଇନାଲ୍ ଖେଳିପାରିଥିଲା । ଟିମ୍କୁ କେବେ ଭାଗ୍ୟ ଧୋକା ଦେଇଥିଲା ତ କେବେ ବର୍ଷା । ଦକ୍ଷିଣ ଆଫ୍ରିକା ଆଇସିସି ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ୍ରେ ପାଞ୍ଚ ଥର (୨୦୦୦, ୨୦୦୨, ୨୦୦୬, ୨୦୧୩ ଓ ୨୦୨୫) ପରାଜିତ ହୋଇଥିବା ବେଳେ ଦିନିକିଆ ବିଶ୍ୱକପ୍ର ସେମିଫାଇନାଲ୍ରେ ଚାରି ଥର (୧୯୯୨, ୨୦୦୭, ୨୦୧୫, ୨୦୨୩) ପରାଜୟର ସମ୍ମୁଖୀନ ହୋଇଥିଲା । ଏହାଛଡ଼ା ଟିମ୍ ଗତ ବର୍ଷ ଟି-୨୦ ବିଶ୍ୱକପ୍ ଫାଇନାଲ୍ରେ ଭାରତ ଠାରୁ ହାରିଯାଇଥିଲା ।