Advertisment

Team India Test Captaincy: ରୋହିତଙ୍କ ପରେ କିଏ ହେବେ ଭାରତର ଟେଷ୍ଟ ଅଧିନାୟକ

ରୋହିତ ଶର୍ମାଙ୍କ ପରେ କିଏ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ହେବେ, ତାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଉପ-ଅଧିନାୟକ ଯଶପ୍ରୀତ ବୁମ୍‌ରାଙ୍କୁ ମିଳିବ କି ଟେଷ୍ଟ ନେତୃତ୍ୱ, ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତଙ୍କୁ ଦିଆଯିବ କି ଟିମ୍‌ର ଦାୟିତ୍ୱ ନା ପୁଣି ଅଧିନାୟକତ୍ୱକୁ ଫେରିବେ କିଙ୍ଗ୍ କୋହଲି?

author-image
Biswajit Mohanty
ଅଦ୍ୟତନ ହୋଇଛି
Who will be India's Test captain after Rohit

Who will be India's Test captain after Rohit

ଏକଦା କୁହାଯାଉଥିଲା, ଦେଶରେ ଏତେ ପ୍ରତିଭା ଅଛନ୍ତି ଯେ ଗୋଟିଏ ସମୟରେ ତିନି ଟିମ୍ ଖେଳିପାରିବେ । କିନ୍ତୁ ଏବେ ଏମିତି ପରିସ୍ଥିତି ଦେଖାଦେଇଛି ଯେ ନୂଆ କୋଚ୍ ଗୌତମ ଗମ୍ଭୀର ଆସିବା ପରେ ଭାରତୀୟ ଟିମ୍ ୨୭ ବର୍ଷ ପରେ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ ହାରିଲା । ଇତିହାସରେ ପ୍ରଥମ ଥର ନ୍ୟୁଜିଲାଣ୍ଡ ଠାରୁ ନିଜ ଘରେ କ୍ଲିନ୍ ସୁଇପ୍‌ର ଶିକାର ହେଲା । ଏବେ ବର୍ଡର-ଗାଭାସ୍କର ଟ୍ରଫି (ବିଜିଟି)ରେ ଦଶନ୍ଧି ବ୍ୟାପୀ ଆଧିପତ୍ୟର ବି ଅନ୍ତ ଘଟିଛି ।

Advertisment

ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି ପାଇଁ ରାହୁଲ, ପାଣ୍ଡ୍ୟାଙ୍କୁ ଉପେକ୍ଷା

ଏହିସବୁ ବିଫଳତା ପାଇଁ ଗମ୍ଭୀରଙ୍କ ବିଫଳ ରଣକୌଶଳ ଛଡ଼ା ରୋହିତ ଶର୍ମାଙ୍କ ଦୁର୍ବଳ ଅଧିନାୟକତ୍ୱ ମୁଖ୍ୟତଃ ଦାୟୀ । ଏହାପରେ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ କଥା ଉଠିବ । ରୋହିତ କେବଳ ଅଧିନାୟକତ୍ୱରେ ନୁହେଁ, ଜଣେ ବ୍ୟାଟର୍ ଭାବେ ମଧ୍ୟ କ୍ରମାଗତ ବିଫଳ ହେଉଛନ୍ତି ।

ଚଳିତ ବର୍ଷ ଜୁନ୍‌ରେ ଇଂଲଣ୍ଡ ଗସ୍ତରୁ ଭାରତୀୟ ଟିମ୍ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ ୨୦୨୫-୨୭ ଚକ୍ର ଆରମ୍ଭ କରିବ । ଏଥିପାଇଁ ଅନେକ ଦିନ ବାକି ଅଛି । ଏହା ମଧ୍ୟରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷରେ ସୀମିତ ଓଭର୍ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫି ଖେଳିବ । ଏହାପରେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୫ ଖେଳାଯିବ, ଯେଉଁଥିରେ ଟେଷ୍ଟ ଟିମ୍‌ରେ ଥିବା ଅଧିକାଂଶ ଖେଳାଳି ଅଂଶଗ୍ରହଣ କରିବେ ।

Advertisment
Who will be India's Test captain after Rohit ରୋହିତଙ୍କ ପରେ କିଏ ହେବେ ଭାରତର ଟେଷ୍ଟ ଅଧିନାୟକ

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ନୂଆ ଟେଷ୍ଟ ଚକ୍ର ପୂର୍ବରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିପାରେ । ତେବେ ଟେଷ୍ଟ ଟିମ୍‌ର ପରବର୍ତ୍ତୀ ଅଧିନାୟକ କିଏ ହେବେ, ତାହାକୁ ନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଉପ-ଅଧିନାୟକ ଯଶପ୍ରୀତ ବୁମ୍‌ରାଙ୍କୁ ମିଳିବ କି ଟେଷ୍ଟ ନେତୃତ୍ୱ, ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତଙ୍କୁ ଦିଆଯିବ କି ଟିମ୍‌ର ଦାୟିତ୍ୱ ନା ପୁଣି ଅଧିନାୟକତ୍ୱକୁ ଫେରିବେ ବିରାଟ କୋହଲି?

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ଟେଷ୍ଟରେ ସରିଆସିଲାଣି କି ରୋହିତଙ୍କ ସମୟ

ଟେଷ୍ଟରେ ରୋହିତଙ୍କ ସମୟ ସରିଆସିଲାଣି ବୋଲି ଆଲୋଚନା ହେଉଛି । ଏହି ୩୭ବର୍ଷୀୟ କ୍ରିକେଟର୍ ଆଗକୁ ଟେଷ୍ଟ ଅଧିନାୟକତ୍ୱ ବଜାୟ ରଖିବା ସମ୍ଭାବନା କ୍ଷୀଣ ।

ବିଜିଟିି ୨୦୨୪-୨୫ ପରେ ରୋହିତ ଟେଷ୍ଟରୁ ଅବସର ନେବେ ବୋଲି ଶୁଣାଯାଉଥିଲା । ପ୍ରଦର୍ଶନ ଆଧାରରେ ସେ ସିରିଜ୍‌ର ଶେଷ ମ୍ୟାଚ୍‌ରୁ ବି ଓହରି ଯାଇଥିଲେ । କିନ୍ତୁ ଏବେ ସେ ଟେଷ୍ଟ କ୍ରିକେଟ୍ କି ଅଧିନାୟକତ୍ୱ ଛାଡ଼ିବା ମୁଡ୍‌ରେ ନାହାନ୍ତି ।

ରୋହିତ ୨୪ ଟେଷ୍ଟରେ ଭାରତର ନେତୃତ୍ୱ ନେଇଛନ୍ତି । ସେଥିମଧ୍ୟରୁ ଟିମ୍ ୧୨ ମ୍ୟାଚ୍ ଜିତିଥିବା ବେଳେ ନଅ ମ୍ୟାଚ୍ ହାରିଛି ଏବଂ ଅନ୍ୟ ତିନି ମ୍ୟାଚ୍ ଡ୍ର’ ରହିଛି । ଆଗାମୀ ଦିନରେ ଚୟନକାରୀମାନେ ରୋହିତଙ୍କ ସଂକ୍ରାନ୍ତରେ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଟେଷ୍ଟ ଟିମ୍‌ରେ ତାଙ୍କ ଅଧିନାୟକତ୍ୱ ଓ ସ୍ଥାନ - ଉଭୟ ସୁରକ୍ଷିତ ନୁହେଁ ।

ଅଧିନାୟକତ୍ୱ ବଜାୟ ରଖିବାରେ ତାଙ୍କ ବ୍ୟାଟିଂର ସବୁଠାରୁ ବଡ଼ ଭୂମିକା ରହିଆସିଥିଲା । କିନ୍ତୁ ଅନେକ ଦିନ ହେଲା ସେ ଫର୍ମରେ ନାହାନ୍ତି । ତାଙ୍କ ଅଧିନାୟକତ୍ୱରେ ବି ଆଉ ଦମ୍ ନାହିଁ ।

ରୋହିତ ୨୦୨୪ ମାର୍ଚ୍ଚରେ ଧର୍ମଶାଳା ଠାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ତାଙ୍କ ଶେଷ ଶତକ ଲଗାଇଥିଲେ । ସେ ଅଷ୍ଟ୍ରେଲିଆ ଗସ୍ତରେ ପାଞ୍ଚ ଇନିଂସ୍ ଖେଳି ମାତ୍ର ୩୧ ରନ୍ କରିଥିଲେ । ଏହା ପୂର୍ବରୁ ସେ ଘରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଛଅ ଇନିଂସ୍‌ରେ ୯୧ ଓ ବାଂଲାଦେଶ ବିପକ୍ଷରେ ଚାରି ଇନିଂସ୍‌ରେ ୪୨ ରନ୍ କରିଥିଲେ ।

Who will be India's Test captain after Rohit ରୋହିତଙ୍କ ପରେ କିଏ ହେବେ ଭାରତର ଟେଷ୍ଟ ଅଧିନାୟକ

ବୁମ୍‌ରା ଅଧିନାୟକ ହେବାରେ ଅସୁବିଧା କେଉଁଠି

ଅଷ୍ଟ୍ରେଲିଆରେ ନିୟମିତ ଅଧିନାୟକ ରୋହିତଙ୍କ ଅନୁପସ୍ଥିତିରେ ବୁମ୍‌ରା ଦୁଇ ଟେଷ୍ଟରେ ଭାରତୀୟ ଟିମ୍‌ର ନେତୃତ୍ୱ ନେଇଥିଲେ । ଟିମ୍ ପର୍ଥରେ ଜିତିଥିବା ବେଳେ ସିଡ୍‌ନୀରେ ହାରିଯାଇଥିଲା ।

ପଞ୍ଚମ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସମୟରେ ବୁମ୍‌ରା ଆହତ ହୋଇଥିଲେ । ଏହାପରେ ସେ ଆଉ ବୋଲିଂ କରିପାରି ନ ଥିଲେ । ଟିମ୍ ଉପରେ ଏହାର ପ୍ରଭାବ ପଡ଼ିଥିଲା ।

କେବଳ ଭାରତ ନୁହେଁ, ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସର୍ ବୁମ୍‌ରା ପ୍ରାୟତଃ ଫିଟ୍‌ନେସ୍ ସମସ୍ୟା ଭୋଗିଥା’ନ୍ତି । ତାଙ୍କୁ ମଝିରେ ମଝିରେ ବିଶ୍ରାମ ଦିଆଯିବା ଜରୁରୀ ହୋଇଥାଏ । ଗୋଟିଏ ସମୟରେ ସେ ଆଘାତଜନିତ ସମସ୍ୟା ଯୋଗୁଁ ପ୍ରାୟ ୧୫ ମାସ କ୍ରିକେଟ୍‌ରୁ ଦୂରରେ ଥିଲେ ।

Who will be India's Test captain after Rohit ରୋହିତଙ୍କ ପରେ କିଏ ହେବେ ଭାରତର ଟେଷ୍ଟ ଅଧିନାୟକ

ବର୍ଡର-ଗାଭାସ୍କର ଟ୍ରଫିରେ ସେ ସର୍ବାଧିକ ୩୨ ୱିକେଟ୍ ନେଇଥିଲେ । ଏହା ସହ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ମଧ୍ୟ ବିବେଚିତ ହୋଇଥିଲେ ।

ପ୍ରଦର୍ଶନ ଓ ଅଭିଜ୍ଞତା ଦୃଷ୍ଟିରୁ ବୁମ୍‌ରା ଟେଷ୍ଟ ଅଧିନାୟକତ୍ୱ ପାଇଁ ମଜଭୁତ ଦାବିଦାର । କିନ୍ତୁ ଫିଟ୍‌ନେସ୍ ଦୃଷ୍ଟିରୁ ବିଚାର କଲେ, ତାଙ୍କୁ ସ୍ଥାୟୀ ଅଧିନାୟକ କରାଯିବାରେ ବିପଦ ଅଛି । ଏହାଛଡ଼ା ଅଧିନାୟକତ୍ୱର ଚାପ ଯୋଗୁଁ ତାଙ୍କ ବୋଲିଂ ବି ପ୍ରଭାବିତ ହୋଇପାରେ ।

ପନ୍ତ ହେବେ କି ସ୍ଥାୟୀ ଅଧିନାୟକ

ଭାରତୀୟ ଟେଷ୍ଟ ଟିମ୍‌ରେ ଏବେ ଏମିତି ତିନି ଖେଳାଳି ଅଛନ୍ତି, ଯେଉଁମାନଙ୍କର ସ୍ଥାନ ଚୂଡ଼ାନ୍ତ ଏକାଦଶରେ ସୁରକ୍ଷିତ । ସେମାନେ ହେଲେ ବୁମ୍‌ରା, ପନ୍ତ ଓ ଯଶସ୍ୱୀ ଜୟସ୍ୱାଲ।

ଯଶସ୍ୱୀ ଯେ ଜଣେ ପ୍ରତିଭାଶାଳୀ ବ୍ୟାଟର୍‌, ଏଥିରେ ସନ୍ଦେହ ନାହିଁ । ଅଷ୍ଟ୍ରେଲିଆ ଗସ୍ତରେ ସେ ଭାରତ ପକ୍ଷରୁ ସର୍ବାଧିକ ୩୯୧ ରନ୍ କରିଥିଲେ । କିନ୍ତୁ ଟିମ୍‌ର ଅଧିନାୟକତ୍ୱ ସମ୍ଭାଳିବା ଭଳି ବୟସ ତାଙ୍କର ହୋଇ ନାହିଁ ।

Who will be India's Test captain after Rohitରୋହିତଙ୍କ ପରେ କିଏ ହେବେ ଭାରତର ଟେଷ୍ଟ ଅଧିନାୟକ

ବୁମ୍‌ରା ଓ ଜୟସ୍ୱାଲଙ୍କୁ ଛାଡ଼ିଦେଲେ, ବାକି ରହିଲେ ପନ୍ତ । ସେ ଏବେ ଟେଷ୍ଟରେ ବିଶ୍ୱର ଶୀର୍ଷ ୱିକେଟ୍‌କିପର୍‌-ବ୍ୟାଟର୍‌ଙ୍କ ମଧ୍ୟରେ ପରିଗଣିତ ହେଉଛନ୍ତି । ସେ ଏ ଯାବତ ୪୩ ଟେଷ୍ଟ ଖେଳି ୨୯୪୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଛଅ ଶତକ ରହିଛି । ସେ ଟିମ୍ ପକ୍ଷରୁ ଅନେକ ମ୍ୟାଚ୍‌-ବିଜୟୀ ଇନିଂସ୍ ଖେଳିସାରିଛନ୍ତି ।

ଆଇପିଏଲ୍‌ରେ ନେତୃତ୍ୱ ନେବାର ଅଭିଜ୍ଞତା ବି ତାଙ୍କର ଅଛି । ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଟିମ୍‌ର ଅନ୍ୟ ଖେଳାଳିମାନଙ୍କୁ ସକାରାତ୍ମକ ଢଙ୍ଗରେ ଖେଳିବା ପାଇଁ ଉତ୍ସାହିତ କରିବ । ଏହାସତ୍ତ୍ୱେ ତାଙ୍କ ବ୍ୟାଟିଂ ଶୈଳୀ ଭଳି ତାଙ୍କ ଅଧିନାୟକତ୍ୱ ବି ଟିକେ ବିପଦପୂର୍ଣ୍ଣ ହୋଇପାରେ ।

ଯୁବ ବ୍ୟାଟର୍‌ଙ୍କ ମଧ୍ୟରେ ଶୁଭମନ ଗିଲ୍ ବି ରହିଛନ୍ତି । କିନ୍ତୁ ଏବେ ତାଙ୍କୁ ନେତୃତ୍ୱ ଦାୟିତ୍ୱ ଦିଆଯିବା ତରବରିଆ ନିଷ୍ପତ୍ତି ହେବ । ତାଙ୍କୁ ଟେଷ୍ଟରେ ଅଧିକ ଅଭିଜ୍ଞତା ହାସଲ କରିବାକୁ ଦିଆଯାଉ । ଅବଶ୍ୟ ବର୍ତ୍ତମାନ ତାଙ୍କୁ ଉପ-ଅଧିନାୟକ କରାଯାଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯାଇପାରେ ।

ପୁଣି ନେତୃତ୍ୱକୁ ଫେରିବେ କି ବିରାଟ

ବିରାଟ ଭାରତର ସର୍ବଶ୍ରେଷ୍ଠ ଟେଷ୍ଟ ଅଧିନାୟକ । ୨୦୨୦ରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ତାଙ୍କୁ ଦଶନ୍ଧିର ସର୍ବଶ୍ରେଷ୍ଠ ଟେଷ୍ଟ ଟିମ୍‌ର ଅଧିନାୟକ କରିଥିଲା । ସେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତାଇଥିବା ପ୍ରଥମ ଭାରତୀୟ ଅଧିନାୟକ । ସେ ତିନି ବର୍ଷ ହେଲା ଟେଷ୍ଟ ଟିମ୍‌ର ନେତୃତ୍ୱ ଛାଡ଼ିଲେଣି।

ଅଷ୍ଟ୍ରେଲିଆ ଗସ୍ତର ଶେଷ ଟେଷ୍ଟରେ କାର୍ଯ୍ୟନିର୍ବାହୀ ଅଧିନାୟକ ଯଶପ୍ରୀତ ବୁମ୍‌ରା ଆହତ ହେବା ପରେ ବିରାଟ ଟିମ୍‌ର ଦାୟିତ୍ୱ ସମ୍ଭାଳିଥିଲେ । ଟେଷ୍ଟ ଅଧିନାୟକତ୍ୱରେ ରୋହିତଙ୍କ କ୍ରମାଗତ ବିଫଳତା ମଧ୍ୟରେ ସେ ପୁଣି ଥରେ ନେତୃତ୍ୱ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Who will be India's Test captain after Rohitରୋହିତଙ୍କ ପରେ କିଏ ହେବେ ଭାରତର ଟେଷ୍ଟ ଅଧିନାୟକ

ତେବେ ପର୍ଥରେ ଶତକକୁ ଛାଡ଼ିଦେଲେ, ସେ ଦୀର୍ଘ ଦିନ ହେଲା ଟେଷ୍ଟ କ୍ରିକେଟ୍‌ରେ ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି । କିନ୍ତୁ ତାଙ୍କ ଫିଟ୍‌ନେସ୍ ନେଇ କେହି ଅଙ୍ଗୁଳି ଉଠାଇ ପାରିବେନି । ପଡ଼ିଆରେ ସେ ବେଶ୍ ସକ୍ରିୟ ଥା’ନ୍ତି । ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ବିଚାରରେ ବିରାଟଙ୍କ ମଧ୍ୟରେ ଆହୁରି ୩-୪ ବର୍ଷର ଟେଷ୍ଟ କ୍ରିକେଟ୍ ବାକି ଅଛି।

ଏଠାରେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ବୋର୍ଡ ଜଣେ ପୁରୁଣା ସ୍ଥାୟୀ ଅଧିନାୟକଙ୍କୁ ପୁନର୍ବାର ନେତୃତ୍ୱ ଦାୟିତ୍ୱ ଦେବ କି? ଅବଶ୍ୟ ଜଣେ ଯୁବ ଖେଳାଳି ଅଧିନାୟକତ୍ୱ ପାଇଁ ପ୍ରସ୍ତୁତ ହେବା ଯାଏଁ ବିରାଟଙ୍କୁ ଟିମ୍‌ର ଦାୟିତ୍ୱ ଦିଆଯାଇପାରେ।

ଏହାଛଡ଼ା ଲୋକେଶ ରାହୁଲ ବି ଟେଷ୍ଟ ଅଧିନାୟକତ୍ୱ ପାଇଁ ଅନ୍ୟତମ ଦାବିଦାର ହେବେ । ସେ ହାତଗଣତି ଟେଷ୍ଟ ମ୍ୟାଚ୍ ଓ ଆଇପିଏଲ୍‌ରେ ନେତୃତ୍ୱ ନେଇଛନ୍ତି । ସେ ବିଜିଟି ୨୦୨୪-୨୫ରେ ଦୁଇ ଇନିଂସ୍‌କୁ ଛାଡ଼ିଦେଲେ ବାକି ଆଠ ଇନିଂସ୍‌ରେ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ । ଏବେ ବ୍ୟାଟିଂ ପ୍ରଦର୍ଶନରେ ନିରନ୍ତରତା ରଖିବା ତାଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛି।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Jasprit Bumrah Virat Kohli Rohit Sharma Indian Cricket Indian Cricket Team Indian Cricketer
Advertisment
Advertisment