/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670737998.jpg)
Wall Painting
ଓଡିଶାରେ ଜାନୁୟାରୀ ୧୩ ତାରିଖରୁ ହେବାକୁ ଥିବା ବିଶ୍ୱକପ୍ ହକି ଲାଗି ସଜେଇ ହେଉଛି ରାଜଧାନୀ । ସହରର କାନ୍ଥବାଡର ଚିତ୍ର ଏବେ କଥା କହୁଛି । ରଙ୍ଗତୂଳି ଧରି ଓଡ଼ିଶାର କଳା, ସଂସ୍କୃତିର ଝଲକ ଚିତ୍ର ମାଧ୍ୟମରେ ବଣାଣୁଛନ୍ତି ଶିଳ୍ପୀ । ଆଉ ଏହି ଚିତ୍ରଶିଳ୍ପୀଙ୍କ ଚିତ୍ର ଦେଖିବାକୁ ରାସ୍ତାରେ ଘଡିଏ ଠିଆ ହୋଇଯାଉଛନ୍ତି ବାଟୋଇ ।
ବିଶ୍ୱକପ ହକିକୁ ଆଉ ମାତ୍ର ରହିଲା କିଛି ସପ୍ତାହ । ଏଥିପାଇଁ ନୂଆ ବୋହୂ ଭାବେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱରର ରାସ୍ତା । ପାଶର୍ବ, ବ୍ରିଜ୍ ୱାଲ ସବୁଠି ଚାଲିଛି ରଙ୍ଗ ମରା କାମ । ଭଳିକି ଭଳି ରଙ୍ଗରେ ରଙ୍ଗୀନ ହେଉଛି କାନ୍ଥବାଡ । କାନ୍ଥରେ ରଙ୍ଗ ଆଉ ତୂଳୀରେ ଜୀବନ ଭରୁଛନ୍ତି ରାଜ୍ୟର ବଡ଼ ବଡ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜର ଛାତ୍ରଛାତ୍ରୀ । ୱାଲ୍ରେ ଓଡ଼ିଶାର କଥାକୁ ପେଣ୍ଟିଂ ଜରିଆରେ ବଖାଣୁଛନ୍ତି ଶିଳ୍ପୀ । ଏହି ଯୁବ ପ୍ରତିଭାବାନ କଳାକାରମାନେ ବି ନିଜେ ଅଭିଜ୍ଞତା ସାଉଁଣ୍ଟୁଛନ୍ତି ।
ରାଜଧାନୀ କାନ୍ଥ ବଖାଣୁଛି କଳିଙ୍ଗର କଥା । ବିଶ୍ୱକପ ହକି ଖେଳିବାକୁ ଆସୁଥିବା ଟିମ୍ ଦେଖିବେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ପୂଜା ପାର୍ବଣ ଓ ଲୋକଙ୍କ ଚାଲିଚଳନ । ତାସହିତ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟ ଚିତ୍ର ଅଙ୍କା ଯାଇଛି । ରାଜଧାନୀକୁ ସଜାଇବା ପାଇଁ BMC ଏହି ଦାୟିତ୍ୱ ନେଇଛି । ୨୮ଟି ଜୋନ୍ରେ ବିଭକ୍ତ କରାଯାଇଛି । ପ୍ରାୟ ୧୫ ଶହ କଳାକାର ଲାଗିପଡିଛନ୍ତି । ଏସବୁକୁ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ତଦାରଖ କରାଯାଇଛି ।
ଜାନୁଆରୀ ୧୩ରୁ ଆରମ୍ଭ ହେଉଛି ହକି ବିଶ୍ୱକପ୍ । ଏଥିରେ ୧୬ଟି ଦେଶ ଭାଗ ନେବେ । ଆଗକୁ ରାଜଧାନୀର ଆହୁରି ସୌନ୍ଦର୍ଯ୍ୟକରଣ ବି କରାଯିବ ।
(ରିପୋର୍ଟର- ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)