• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରାଜନୀତି ଓ କ୍ରିକେଟର ଚର୍ଚ୍ଚା ଭାରତରେ ବର୍ଷତମାମ ଚାଲିଥାଏ । ଅନେକ ରାଜନେତା କ୍ରିକେଟ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାବେଳେ ଅନେକ ପ୍ରଶାସନିକ ଦାୟିତ୍ୱରେ ରହିଛନ୍ତି । ସେହିପରି ଅନେକ କ୍ରିକେଟର ମଧ୍ୟ ରାଜନୀତିରେ ମଧ୍ୟ ରହିଛନ୍ତି । ତେବେ ଜଣେ ରାଜନେତା ନିଜର କ୍ରିକେଟ କ୍ୟାରିୟରକୁ ନେଇ ଦୋଇଥିବା ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଆରଜେଡି ନେତା ତେଜସ୍ୱୀ ଯାଦବ ନିଜ କ୍ରିକେଟ ଯାତ୍ରା ବିଷୟରେ ଖୁଲାସା କରିଛନ୍ତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଓ ଆରଜେଡି ନେତା ହେଉଛନ୍ତି ତେଜସ୍ୱୀ । ଘରୋଇ କ୍ରିକେଟରେ ତାଙ୍କ ଅଧିନାୟକତ୍ୱରେ ମହାନ ଭାରତୀୟ କ୍ରିକେଟର ବିରାଟ କୋହଲି ଖେଳିଛନ୍ତି । ଏହା କହିବା ପରେ ସୋସିଆଲ ମିଡିଆରେ ନୂଆ ବିବାଦ ଆରମ୍ଭ ହୋଇଛି । 

ନିଜ ସମୟରେ ଘରୋଇ କ୍ରିକେଟରେ ଜଣେ ଷ୍ଟାର ଖେଳାଳି ରହିଥିବା ସତ୍ତ୍ୱେ ତାଙ୍କର କ୍ରିକେଟ କ୍ୟାରିୟରକୁ ସ୍ମରଣ ରଖିାଯାଇନଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ତେଜସ୍ୱୀ । ସେ କହିଛନ୍ତି, "କେବଳ ବିରାଟ ନୁହଁନ୍ତି ବରଂ ବର୍ତ୍ତମାନର ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ଅନେକ ଖେଳାଳି  ତାଙ୍କର ସାଥୀ ଖେଳାଳି ରହିଛନ୍ତି ।"

ତେଜସ୍ୱୀ କହିଛନ୍ତି, "ମୁଁ ଜଣେ କ୍ରିକେଟର ଥିଲି, କିନ୍ତୁ ଏବିଷୟରେ କେହି ଚର୍ଚ୍ଚା କରନ୍ତି ନାହିଁ । ବିରାଟ କୋହଲି ମୋ ଅଧିନାୟକତ୍ୱରେ ଖେଳିଛନ୍ତି । ଜଣେ ପେଷାଦାର ଖେଳାଳି ଭାବେ ମୁଁ ଭଲ କ୍ରିକେଟ ଖେଳିଛି । ଅନେକ ଟିମ ଇଣ୍ଡିଆ ଖେଳାଳି ମୋର ସାଥୀ ରହିଛନ୍ତି । ତେବେ ଉଭୟ ଲିଗାମେଣ୍ଟ ଭାଙ୍ଗିଯିବା ଯୋଗୁଁ ଆହତ କାରଣରୁ କ୍ରିକେଟକୁ ଛାଡ଼ିବାକୁ ପଡ଼ିଲା ।" ଏକ ସାକ୍ଷାତକାରରେ ଏପରି କହିଛନ୍ତି ତେଜସ୍ୱୀ । ତେବେ ତେଜସ୍ୱୀଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ କ୍ରିକେଟ ଫ୍ୟାନ୍ସ ଏଥିରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।   

ତେଜସ୍ୱୀ ଯାଦବଙ୍କ କ୍ରିକେଟ କ୍ୟାରିୟର
ତେଜସ୍ୱୀ ନିଜ କ୍ୟାରିୟରରେ ମୋଟ ଗୋଟିଏ ଫାଷ୍ଟ କ୍ଳାସ୍ ମ୍ୟାଚ୍, ୨ଟି ଲିଷ୍ଟ A ଓ ୪ଟି ଟି-ଟ୍ୱେଣ୍ଚି ମ୍ୟାଚ ଖେଳିଛନ୍ତି । ଘରୋଇ କ୍ରିକେଟରେ ସେ ଝାଡ଼ଖଣ୍ଡ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ନଭେମ୍ବର ୨୦୦୯ରେ ବିଦର୍ଭ ବିପକ୍ଷରେ ଫାଷ୍ଟ କ୍ଳାସ୍ ଡେବ୍ୟୁ କରିଥିଲେ । ଫେବ୍ରୁଆରୀ ୨୦୧୦ରେ ତ୍ରିପୁରା ଓ ଓଡ଼ିଶା ବିପକ୍ଷରେ ୨ଟି ଲିଷ୍ଟ A ମ୍ୟାଚ୍ ଖେଳିଛନ୍ତି । ସେହିପରି ଓଡ଼ିଶା, ଆସାମ, ବେଙ୍ଗଲ ଓ ତ୍ରିପୁରା ବିପକ୍ଷରେ ଧାନବାଦ ପକ୍ଷରୁ ୪ଟି ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । 

ଅନେକ ହୁଏତ ଜାଣନଥିବେ ଯେ, ତେଜସ୍ୱୀଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗର(IPL) ୨୦୦୮ ସିଜିନରେ ଦିଲ୍ଲୀ ଡେୟାରଡେଭିଲ୍ସ(ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) କିଣିଥିଲା । ମାତ୍ର ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିଥିଲା । ସେ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now