• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଜଗତରେ ଦୁଇଟି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ । ଉଭୟ ଟିମ ମଧ୍ୟରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ସର୍ବଦା ଚର୍ଚ୍ଚାରେ ରହିଥାଏ । ଭାରତୀୟ ଟିମ ଅଷ୍ଟ୍ରେଲିଆ ମାଟିରେ ବିଜୟ ବାନା ଉଡ଼ାଇବା ପରେ କଙ୍ଗାରୁ ଖେଳାଳିଙ୍କ ଅପରାଜେୟ ଆତ୍ମଗର୍ବ ଚୁରମାର ହୋଇସାରିଛି । ଶୋଚନୀୟ ଭାବେ ଭାରତ ଠାରୁ ସିରିଜ ହାରିବା ପରେ ଏବେ ବିଜୟ ପାଇଁ ବ୍ୟାକୁଳ କଙ୍ଗାରୁ ଖେଳାଳି । କାରଣ ପରାଜୟକୁ କେବେ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥାନ୍ତି ଅଷ୍ଟ୍ରେଲୀୟ । ସେଥିପାଇଁ ବର୍ଡର-ଗାଭାସ୍କର ସିରିଜର ଢେର୍ ପୂର୍ବରୁ ମାଇଣ୍ଡ ଗେମ୍ ଆରମ୍ଭ କରିସାରିଲେଣି ରିକି ପଣ୍ଟିଂଙ୍କ ସମେତ ଅନେକ ଅଷ୍ଟ୍ରେଲିଆ ଖେଳାଳି ।

ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ସହ ଶେଷ ହେବ ଭାରତର ୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଅଭିଯାନ । ଏହି ସିରିଜରେ ୫ଟି ଟେଷ୍ଟ ଖେଳିବା ନେଇ ସୂଚୀ ରହିଛି । ତେବେ ଏହି ଚର୍ଚ୍ଚିତ ସିରିଜକୁ ନେଇ ଆସିଛି ବଡ଼ ଅପଡେଟ୍ । ଯୁବ ଭାରତୀୟ ବ୍ୟାଟର ଜଶସ୍ୱୀ ଜୟସ୍ୱାଲଙ୍କୁ ନେଇ କଙ୍ଗାରୁ ଖେଳାଳି ଚିନ୍ତାରେ ଥିବା କୁହାଯାଉଛି । ଏମିତିକି ଏହି ପ୍ରତିଭାବାନ ଖେଳାଳିଙ୍କ ମୁକାବିଲା ପାଇଁ ଏବେଠାରୁ ଅଷ୍ଟ୍ରେଲିଆ ଖେଳାଳି ଯୋଜନା ଆରମ୍ଭ କରିସାରିଲେଣି । କଙ୍ଗାରୁ ଖେଳାଳିଙ୍କ ମତ ଭାରତର ପରବର୍ତ୍ତୀ କ୍ରିକେଟ ସୁପରଷ୍ଟାର ହୋଇପାରନ୍ତି ସେହି ଖେଳାଳି । 

ଷ୍ଟିଭ ସ୍ମିଥ୍, ମିଚେଲ ଷ୍ଟାର୍କ ଓ ନାଥନ ଲାୟନଙ୍କ ପରି ଶୀର୍ଷ ଅଷ୍ଟ୍ରେଲୀୟ ଖେଳାଳି ଜୟସ୍ୱାଲଙ୍କୁ ଭାରତର ଆଗାମୀ ସୁପରଷ୍ଟାର ଖେଳାଳି ଭାବେ ଚୟନ କରିଛନ୍ତି । ଜୟସ୍ୱାଲଙ୍କ ବ୍ୟତୀତ ଶୁବମନ ଗିଲଙ୍କୁ ମଧ୍ୟ କିଛି କଙ୍ଗାରୁ ଖେଳାଳି ସୁପରଷ୍ଟାର ଭାବେ ଚୟନ କରିଛନ୍ତି । କେମରନ ଗ୍ରୀନ ଓ ଟ୍ରାଭିସ ହେଡ୍ ଗିଲଙ୍କୁ ପରବର୍ତ୍ତୀ ଭାରତୀୟ କ୍ରିକେଟ ସୁପରଷ୍ଟାର କହିଥିବାବେଳେ, ମାର୍ନସ ଲାବୁସାନ ଉଭୟ ଜୟସ୍ୱାଲ ଓ ଗିଲଙ୍କ ନାମ କହିଛନ୍ତି । 

ଜୟସ୍ୱାଲ ଏଯାବତ ୯ଟି ଟେଷ୍ଟ ଖେଳିଥିବାବେଳେ ଆକର୍ଷଣୀୟ ୬୮.୫୩ ହାରରେ ୧୦୨୮ ରନ୍ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ ୨ଟି ଦ୍ୱିଶତକୀୟ ଇଂନିସ ମଧ୍ୟ ରହିଛି । ସେହିପରି ଜୟସ୍ୱାଲ ୨୩ଟି ଟି-ଟ୍ୱେଣ୍ଟିରୁ ୫ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହାୟତାରେ ୭୨୩ ରନ୍ ନିଜ ନାମରେ କରିଛନ୍ତି । ତେବେ ଅନ୍ତର୍ଜାତୀୟ ଦିନିକିଆରେ ଏଯାଏଁ ଡେବ୍ୟୁ ଅପେକ୍ଷାରେ ରହିଛନ୍ତି ବାମହାତୀ ଓପନର । 

ଅନ୍ୟପଟେ ଗିଲ୍ ଭାରତର କାମଚଳା ଅଧିନାୟକ ରହିବା ସହ ୨୫ଟି ଟେଷ୍ଟ, ୫୭ଟି ଦିନିକିଆ ଓ ୨୧ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିସାରିଛନ୍ତି । ଟେଷ୍ଟରେ ଗିଲ୍ ୪ଟି ଶତକୀୟ ଇଂନିସ ସହ ୧୪୯୨ ରନ୍ ସଂଗ୍ରହ କରିସାରିଛନ୍ତି । ସେହିପରି ଦିନିକିଆରେ ଦ୍ୱିଶତକ ହାସଲ କରିବା ସହ ୨୩୨୮ ରନ୍ ଓ ଟି-ଟ୍ୱେଣ୍ଟିରେ ୫୭୮ ରନ୍ ସଂଗ୍ରହ କରିଛନ୍ତି ।

ଭାରତୀୟ ଟିମ ଏବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାର ପ୍ରଥମରେ ରହିଛି । ତେବେ ପରବର୍ତ୍ତୀ ୪ ମାସ ମଧ୍ୟରେ ୧୦ଟି ଟେଷ୍ଟ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ପ୍ରଥମେ ବାଂଲାଦେଶ ବିପକ୍ଷରେ ଘରୋଇ ମାଟିରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ଅଭିଯାନ ଆରମ୍ଭ କରିବ ମେନ ଇନ୍ ବ୍ଲୁ । ବାଂଲାଦେଶ ପରେ ନ୍ୟୁଜିଲାଣ୍ଡ ଓ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ସିରିଜ ଖେଳିବ ଭାରତ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଆସନ୍ତାବର୍ଷ ଜୁନ ୧୧ ତାରିଖରେ ଲଣ୍ଡର ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବା ନେଇ ସୂଚୀ ରହିଛି ।   

OTV is now on Whatsapp

Join and get latest news update delivered to you via whatsapp

Join Now