ଟି-୨୦ ବିଶ୍ୱକପ୍‌: ଖୁବଶୀଘ୍ର ହେବ ଟିମ୍‌ ଘୋଷଣା, ଏହି ୧୫ ଖେଳାଳିଙ୍କୁ ମିଳିପାରେ ସୁଯୋଗ...

ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି।

T-20 World Cup

ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ । ଜୁନ୍‌ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ ଏହି ଟି-୨୦ ବିଶ୍ୱକପ୍‌ । ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି। ଏଥିପାଇଁ ଅଜିତ ଅଗରକରଙ୍କ ନେତୃତ୍ୱରେ ଭାରତୀୟ ଚୟନକର୍ତ୍ତାଙ୍କ ବୈଠକ ଏହି ମାସର ଶେଷ ତାରିଖ (୩୦ ଏପ୍ରିଲ) କିମ୍ବା ଆସନ୍ତା ମାସର ପ୍ରଥମ ଦିନରେ (ମେ ୧ରେ) ଅନୁଷ୍ଠିତ ହେବାକୁ ଯାଉଛି ।

ଟି -୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିବାର ଡେଡ୍‌ଲାଇନ୍‌ ହେଉଛି ମେ’ ୧। ଅର୍ଥାତ ଏହି ତାରିଖ ସୁଦ୍ଧା ସମସ୍ତ ୨୦ଟି ଦେଶକୁ ୧୫ ଜଣିଆ ଟିମ୍‌ ଚୟନ କରିବାକୁ ପଡ଼ିବ । ଭାରତୀୟ ପ୍ରଶଂସକମାନେ ମଧ୍ୟ ବିଶ୍ୱକପ୍‌ ଦଳ ଚୟନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଭାରତୀୟ ଚୟନକର୍ତ୍ତା ଦଳ ଚୟନ କରିବା ପୂର୍ବରୁ ଆସନ୍ତୁ ଜାଣିବା କେଉଁମାନେ ଟି -୨୦ ବିଶ୍ୱକପ ଖେଳିବାର ସୁଯୋଗ ପାଇପାରନ୍ତି...

ଅଧିକ ପଢ଼ନ୍ତୁ: ହାର୍ଦ୍ଦିକଙ୍କୁ ଧୋଇଲେ, କୁନି ଝିଅକୁ ଭେଟି ଦେଲେ..ଭିଡିଓ ଭାଇରାଲ

ବ୍ୟାଟ୍ସମ୍ୟାନ୍ (୫): ଅଧିନାୟକ ରୋହିତ ଶର୍ମାଙ୍କ ସହ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଟି-୨୦ର ନମ୍ବର -୧ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ ବିଶ୍ୱକପ୍ ଦଳରେ ରହିବା ଏକ ପ୍ରକାର ନିଶ୍ଚିତ। ସେହିପରି ଓପନର୍ ଯଶସ୍ୱୀ ଜୈସୱାଲ ଓ ରିଙ୍କୁ ସିଂ ମଧ୍ୟ ବିଶ୍ୱକପ ଖେଳିବାର ସୁଯୋଗ ପାଇପାରନ୍ତି। ନିକଟ ଅତୀତରେ ଯଶ୍ୱସୀ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିବାବେଳେ ରିଙ୍କୁ ସିଂ ମଧ୍ୟ ଫିନିସର ଭାବରେ ଚମତ୍କାର ବ୍ୟାଟିଂ କରିଛନ୍ତି ।

ୱିକେଟ୍ କିପର (୨): ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍‌ଙ୍କ କଥା ଯଦି କହିବା ତାହାଲେ ଆଗାମୀ ଟି-୨୦ ବିଶ୍ୱକପ୍‌ରେ ଋଷଭ ପନ୍ତ ଓ ସଞ୍ଜୁ ସାମସନ୍‌ ଦଳରେ ସାମିଲ ହୋଇପାରନ୍ତି । କାର ଦୁର୍ଘଟଣା ପରେ ପ୍ରାୟ ୧୪ ମାସ ପରେ ପନ୍ତ ଆଇପିଏଲ୍-୨୦୨୪ ମାଧ୍ୟମରେ କ୍ରିକେଟକୁ ପୁଣି ଫେରିଛନ୍ତି। ଚଳିତ ଆଇପିଏଲରେ ଋଷଭ କିଛି ବିସ୍ଫୋରକ ଇନିଂସ ମଧ୍ୟ ଖେଳିଛନ୍ତି । ସେହିପରି ୱିକେଟ୍ ପଛରେ ମଧ୍ୟ ପନ୍ତଙ୍କ ପ୍ରଦର୍ଶନ ଭଲ ରହିଛି । ଅନ୍ୟପକ୍ଷରେ ସଞ୍ଜୁ ସାମସନ ଦ୍ୱିତୀୟ ୱିକେଟ୍ କିପର ଭାବରେ ସ୍ଥାନ ପାଇପାରିବେ। ଚଳିତ ଆଇପିଏଲ୍ ସିଜିନରେ ରାଜସ୍ଥାନ ରୟାଲ୍ସ (ଆରଆର) ପାଇଁ ସଞ୍ଜୁ ଚମତ୍କାର ପ୍ରଦର୍ଶନ କରୁଛନ୍ତି।

ଅଲରାଉଣ୍ଡର (୩): ଅଲରାଉଣ୍ଡରଙ୍କ ବିଷୟରେ ଯଦି କହିବା, ତେବେ ଆଗାମୀ ଟି-୨୦ ବିଶ୍ୱକପ୍‌ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ପ୍ରବେଶ କରିପାରିନ୍ତି। ହାର୍ଦ୍ଦିକ ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ (MI)ର ଅଧିନାୟକ ଅଛନ୍ତି । ସେହିପରି ସ୍ପିନ୍ ବୋଲିଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଟିମ୍‌ରେ ସାମିଲ ହେବା ଏକ ପ୍ରକାର ନିଶ୍ଚିତ । ଅନ୍ୟପକ୍ଷରେ ସିକ୍ସ୍‌ ହିଟିଂ ପାଇଁ ଦଳରେ ଶିବମ ଦୁବେଙ୍କୁ ସାମିଲ କରାଯାଇପାରେ । ଶିବମ୍ ମଧ୍ୟ ବୋଲିଂ କରିବାରେ ସକ୍ଷମ ଅଟନ୍ତି ।

ସ୍ପିନର୍ସ (୨): କୁଲଦୀପ ଯାଦବ ଏବଂ ୟୁଜଭେନ୍ଦ୍ର ଚହଲଙ୍କୁ ବିଶ୍ୱକପ ଦଳରେ ସ୍ପିନ୍ ବୋଲର ଭାବରେ ସାମିଲ କରାଯାଇପାରେ । ଟି -20 କ୍ରିକେଟରେ ଲେଗ୍‌ ସ୍ପିନର ଚହଲ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଛନ୍ତି ଏବଂ ସେ ଆଇପିଏଲରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଟି -୨୦ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଥିବାରୁ ମନ୍ଥର ପିଚରେ କୁଲଦୀପ ଏବଂ ଚହଲଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।

ଦ୍ରୁତ୍‌ ବୋଲର (୩): ଦ୍ରୁତ ବୋଲିଂ ୟୁନିଟରେ ଜଶପ୍ରୀତ ବୁମ୍ରା ଏବଂ ଅର୍ଶଦୀପ ସିଂଙ୍କ ସ୍ଥାନ ନିଶ୍ଚିତ ଥିବା ସୂଚନା ମିଳିଛି । ଏଥି ସହିତ ମହମ୍ମଦ ସିରାଜଙ୍କୁ ମଧ୍ୟ ତୃତୀୟ ଦ୍ରୁତ ବୋଲର ଭାବରେ ଅନ୍ତର୍ଭୁକ୍ତ କରାଯାଇପାରେ । ତେବେ ଚଳିତ ଆଇପିଏଲ୍‌ରେ ଯଦିଓ ସିରାଜଙ୍କ ପ୍ରଦର୍ଶନ ଏତେଟା ଭଲ ନାହିଁ କିନ୍ତୁ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରଦର୍ଶନ ଭଲ ରହଛି ।

ଟି -୨୦ ବିଶ୍ୱକପ ପାଇଁ ସମ୍ଭାବ୍ୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଜଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂ, ସଞ୍ଜୁ ସାମସନ୍ (ୱିକେଟ୍ କିପର), ରିଙ୍କୁ ସିଂ, ମହମ୍ମଦ ସିରାଜ।