ଟିମ୍ ଇଣ୍ଡିଆ ୧୨ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି । ରୋହିତ ସେନା ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ରେ ହରାଇ ଚାମ୍ପିଅନ୍ ହୋଇଛି । ଟୁର୍ଣ୍ଣାମେଣ୍ଟ ଇତିହାସରେ ଭାରତକୁ ରେକର୍ଡ ତୃତୀୟ ଥର ମୁକୁଟ ମିଳିଛି । ଏହା ପୂର୍ବରୁ ୨୦୦୨ ଓ ୨୦୧୩ରେ ଟିମ୍ ଏହି ସଫଳତା ପାଇଥିଲା ।
ଟିମ୍ର ମୁକୁଟ ବିଜୟରେ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ବରୁଣ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଖେଳାଳିଙ୍କ ଯୋଗଦାନ ରହିଛି । ତେବେ ଏହି ସଫଳତାର ପ୍ରକୃତ ସ୍କ୍ରିପ୍ଟ ରାଇଟର୍ ହେଉଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । ଗମ୍ଭୀରଙ୍କ କାର୍ଯ୍ୟକାଳରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ରେ ପରାଜିତ ହୋଇଥିଲା । ପରବର୍ତ୍ତୀ ସମୟରେ ଭାରତର ଟେଷ୍ଟ ଟିମ୍ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଠାରୁ ସିରିଜ୍ ହାରି ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା । ଏହାପରେ ଗମ୍ଭୀରଙ୍କ ପ୍ରଶିକ୍ଷଣ ଉପରେ ପ୍ରଶ୍ନଚିହ୍ନ ଲାଗିଯାଇଥିଲା ଏବଂ ‘ଚାମ୍ପିଅନ୍ସ ଟ୍ରଫି ୨୦୨୫’ ତାଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇଥିଲା ।
Also Read
ଆଠ ମାସ ପୂର୍ବେ ମୁଖ୍ୟ କୋଚ୍ ହୋଇଥିବା ଗମ୍ଭୀର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ତାଙ୍କ ଭିତରେ ଯେ ଟିମ୍କୁ ତୁଙ୍ଗ ଶିଖରରେ ପହଞ୍ଚାଇବାର ସାମର୍ଥ୍ୟ ଅଛି, ତାହା ସେ ପ୍ରମାଣିତ କରିଛନ୍ତି । ତାଙ୍କର ସୁଚିନ୍ତିତ ରଣନୀତି ଓ କେତେକ ବଡ଼ ନିଷ୍ପତ୍ତି ଯୋଗୁଁ ଟିମ୍ ପୂରା ଟୁର୍ଣ୍ଣାମେଣ୍ଟରେ ଦମ୍ଦାର ପ୍ରଦର୍ଶନ ବଜାୟ ରଖି ଶେଷରେ ମୁକୁଟର ଅଧିକାରୀ ହୋଇଛି ।
ଚୂଡ଼ାନ୍ତ ଏକାଦଶରେ ‘ଚାରି ସ୍ପିନର୍’ ରଣନୀତି
ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତର ପ୍ରାରମ୍ଭିକ ଟିମ୍ରେ ଚାରି ଜଣ ସ୍ପିନରଙ୍କୁ ରଖାଯାଇଥିଲା । ଏହାପରେ ଚୂଡ଼ାନ୍ତ ଟିମ୍ରେ ବ୍ୟାଟର୍ ଯଶସ୍ୱୀ ଜୟସ୍ୱାଲଙ୍କୁ ବାଦ୍ ଦିଆଯାଇ ରହସ୍ୟମୟ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ୍ କରାଯାଇଥିଲା । ଏହା ଫଳରେ ସ୍ପିନର୍ଙ୍କ ସଂଖ୍ୟା ପାଞ୍ଚରେ ପହଞ୍ଚିଥିଲା, ଯେଉଁଥିରେ ଦୁଇ ଜଣ ବିଶେଷଜ୍ଞ ସ୍ପିନର୍ - କୁଲଦୀପ ଯାଦବ ଓ ବରୁଣ ଏବଂ ତିନି ଜଣ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ - ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍ ଓ ୱାଶିଂଟନ୍ ସୁନ୍ଦର ଥିଲେ ।
ଅନ୍ୟପଟେ, ପେସର୍ଙ୍କ ସଂଖ୍ୟା ଥିଲା ଚାରି । ସେଥିମଧ୍ୟରୁ ମହମ୍ମଦ ଶାମୀ, ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ବିଶେଷଜ୍ଞ ପେସର୍ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ ପେସ୍ ବୋଲିଂ ଅଲ୍ରାଉଣ୍ଡର୍ । ଟିମ୍ରେ ବିଶେଷଜ୍ଞ ବ୍ୟାଟର୍ ଭାବେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍, ଶ୍ରେୟସ ଆୟର, ଲୋକେଶ ରାହୁଲ (ୱିକେଟ୍କିପର୍-ବ୍ୟାଟର୍) ଓ ରିଷଭ ପନ୍ତ (ୱିକେଟ୍କିପର୍-ବ୍ୟାଟର୍) ଥିଲେ ।
ଚାମ୍ପିଅନ୍ସ ଟ୍ରଫି ଟିମ୍ରେ ଅଧିକ ବିଶେଷଜ୍ଞ ବ୍ୟାଟର୍ଙ୍କୁ ନିଆ ନ ଯାଇ ସ୍ପିନର୍ ବା ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ଙ୍କୁ ଅଗ୍ରାଧିକାର ଦିଆଯିବା ନେଇ ପ୍ରଶ୍ନ ଉଠିଥିଲା । ଏହାଛଡ଼ା ଦୁବାଇ ପିଚ୍ରେ ସ୍ପିନର୍ କେତେ ଉପଯୋଗୀ ହେବେ, ତାହାକୁ ନେଇ ମଧ୍ୟ ଆଶଙ୍କାବ୍ୟକ୍ତ କରାଯାଇଥିଲା ।
ତେବେ ଭାରତୀୟ ଟିମ୍ ଦୁବାଇରେ ଯେତେବେଳେ ମଇଦାନକୁ ଓହ୍ଲାଇଥିଲା, ରୋହିତ ସେନାର ସ୍ପିନ୍ ବାହିନୀ ଅନ୍ୟ ଟିମ୍ର ବ୍ୟାଟର୍ମାନଙ୍କୁ ନାକେଦମ୍ କରିଥିଲା । ଭାରତ ଭଳି ଗୁଣାତ୍ମକ ସ୍ପିନର୍ କାହା ପାଖରେ ନ ଥିଲେ ।
ବାଂଲାଦେଶ ଓ ପାକିସ୍ତାନ ବିପକ୍ଷ ପ୍ରଥମ ଦୁଇ ଲିଗ୍ ମ୍ୟାଚ୍ରେ ଗମ୍ଭୀର ତିନି ସ୍ପିନର୍ - କୁଲଦୀପ, ଜାଡ଼େଜା ଓ ଅକ୍ଷରଙ୍କୁ ଖେଳାଇଥିଲେ । ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍, ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍ ଓ ଶେଷରେ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଚୂଡ଼ାନ୍ତ ଏକାଦଶରେ ଚାରି ସ୍ପିନର୍ଙ୍କୁ ନିଆଯାଇଥିଲା, ଯେଉଁଥିରେ ଅନ୍ୟ ତିନି ଜଣଙ୍କ ସହ ବରୁଣ ଯୋଗ ଦେଇଥିଲେ ।
ଗମ୍ଭୀରଙ୍କ ରଣନୀତି ସଫଳ ହୋଇଥିଲା । ପୂରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ସ୍ପିନ୍ ବାହିନୀର ଆଧିପତ୍ୟ ଥିଲା । ଫାଇନାଲ୍ରେ ମଧ୍ୟ ସେମାନେ କିୱି ବ୍ୟାଟର୍ଙ୍କୁ ବଡ଼ ଟାର୍ଗେଟ୍ ଛିଡ଼ା କରିବାର ସୁଯୋଗ ଦେଇ ନ ଥିଲେ । ୫୦ ଓଭର୍ ମଧ୍ୟରୁ ଚାରି ସ୍ପିନର୍ ମୋଟ୍ ୩୮ ଓଭର୍ ବୋଲିଂ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ସ୍ପିନ୍ ବାହିନୀ ୨୬ ୱିକେଟ୍ ନେଇଥିବା ବେଳେ ପେସ୍ ବାହିନୀ ୧୭ ୱିକେଟ୍ ପାଇଥିଲେ । ବରୁଣଙ୍କୁ ଟିମ୍ରେ ନିଆଯିବା ନିଷ୍ପତ୍ତି ‘ମାଷ୍ଟର୍ ଷ୍ଟ୍ରୋକ୍’ ସାବ୍ୟସ୍ତ ହୋଇଥିଲା । ସେ ସ୍ପିନର୍ଙ୍କ ମଧ୍ୟରେ ତିନି ମ୍ୟାଚ୍ରୁ ସର୍ବାଧିକ ନଅ ୱିକେଟ୍ ଅକ୍ତିଆର କରିଥିଲେ। ଏହା ଛଡ଼ା କୁଲଦୀପ ସାତ ଏବଂ ଜାଡ଼େଜା ଓ ଅକ୍ଷର ପାଞ୍ଚ ଲେଖାଏଁ ୱିକେଟ୍ ନେଇଥିଲେ । ଏହି ତିନି ଜଣ ସମସ୍ତ ପାଞ୍ଚ ମ୍ୟାଚ୍ ଖେଳିଥିଲେ ।
ପାଞ୍ଚ ନମ୍ବରରେ ଅକ୍ଷର, ଆଠ ଯାଏଁ ବ୍ୟାଟର୍
ବର୍ଷକ ପୂର୍ବରୁ କେହି ଭାବି ନ ଥିଲେ ଯେ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ଅକ୍ଷର ପଟେଲ୍ ଦିନିକିଆ କ୍ରିକେଟ୍ରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ । ତେବେ ଗମ୍ଭୀରଙ୍କ ଏହି ପ୍ରୟୋଗ ବି ସଫଳ ହୋଇଥିଲା । ଆଇସିସି ଚାମ୍ପିଅନ୍ସ ଟ୍ରଫିର ଅବ୍ୟବହିତ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ର ପ୍ରଥମ ଦୁଇ ମ୍ୟାଚ୍ରେ ଅକ୍ଷର ପାଞ୍ଚ ନମ୍ବରରେ ଖେଳିବାକୁ ଆସିଥିଲେ । ଏହି ଦୁଇ ମ୍ୟାଚ୍ରେ ସେ ଯଥାକ୍ରମେ ୫୨ ଓ ଅପରାଜିତ ୪୧ ରନ୍ର ଇନିଂସ୍ ଖେଳିଥିଲେ ।
ଏହାପରେ ଗମ୍ଭୀର ଆଇସିସି ଟୁର୍ଣ୍ଣାମେଣ୍ଟରେ ବି ଅକ୍ଷରଙ୍କୁ ଏହି ସ୍ଥାନରେ ବ୍ୟାଟିଂ କରିବାକୁ ପଠାଇଥିଲେ । ଏହି ବାମହାତି ବ୍ୟାଟର୍ ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ୍ ମ୍ୟାଚ୍ ଓ ଫାଇନାଲ୍ ଛଡ଼ା ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍ରେ ବି ଉପଯୋଗୀ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ସେ ମୋଟ୍ ୧୦୯ ରନ୍ ସଂଗ୍ରହ କରିଥିଲେ । ସେ ଦିନିକିଆରେ ଆଗକୁ ମଧ୍ୟ ପାଞ୍ଚ ନମ୍ବରରେ ବ୍ୟାଟିଂ କରିପାରନ୍ତି ।
ଭାରତୀୟ ଟିମ୍ରେ ତିନି ଜଣ ଅଲ୍ରାଉଣ୍ଡର୍ ଥିବାରୁ ବ୍ୟାଟିଂ କ୍ରମ ମଜଭୁତ ହୋଇଥିଲା । ଆଠ ନମ୍ବର ଯାଏଁ ଟିମ୍ ପାଖରେ ବ୍ୟାଟର୍ ଥିଲେ । ଶୀର୍ଷ ଓ ମଧ୍ୟକ୍ରମର କିଛି ୱିକେଟ୍ ପଡ଼ିଗଲେ ବି ବେଶୀ ଚିନ୍ତାର ବିଷୟ ନ ଥିଲା । ଟିମ୍ ମ୍ୟାନେଜ୍ମେଣ୍ଟର ‘ଆଠ ବ୍ୟାଟର୍’ ବାଜି ଫଳପ୍ରଦ ହୋଇଥିଲା ।
ପନ୍ତଙ୍କ ଠାରୁ ରାହୁଲଙ୍କୁ ଅଗ୍ରାଧିକାର
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ୱିକେଟ୍କିପର୍-ବ୍ୟାଟର୍ ଲୋକେଶ ରାହୁଲ ତିନି ମ୍ୟାଚ୍ରେ ମାତ୍ର ୫୨ ରନ୍ ସଂଗ୍ରହ କରିଥିଲେ । ଏହାପରେ ରିଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବା ପାଇଁ ଦାବି ହୋଇଥିଲା । ଏହାସତ୍ତ୍ୱେ ରାହୁଲଙ୍କ ଉପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ଭରସାବ୍ୟକ୍ତ କରିଥିଲେ ।
ଚୟନ କମିଟି ପନ୍ତଙ୍କୁ ପ୍ରଥମ ପସନ୍ଦ ୱିକେଟ୍କିପର୍ ଭାବେ ଟିମ୍ରେ ସାମିଲ୍ କରିଥିଲା । କିନ୍ତୁ ଗମ୍ଭୀର ଚାମ୍ପିଅନ୍ସ ଟ୍ରଫିରେ ରାହୁଲଙ୍କୁ ଚୂଡ଼ାନ୍ତ ଏକାଦଶରେ ଖେଳାଇଥିଲେ । ଦିନିକିଆ ଆନ୍ତର୍ଜାତିକରେ ରାହୁଲ ଜଣେ ଭଲ ବ୍ୟାଟର୍ । ସେ ଅତୀତରେ କେତେକ ଉଲ୍ଲେଖନୀୟ ଇନିଂସ୍ ଖେଳିସାରିଛନ୍ତି । ଟିମ୍ର ନେତୃତ୍ୱ ବି ନେଇଛନ୍ତି ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ରାହୁଲଙ୍କୁ ସମସ୍ତ ମ୍ୟାଚ୍ରେ ସୁଯୋଗ ଦିଆଯାଇଥିଲା । ସେ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୪୦ ରନ୍ କରିଥିଲେ । ସେମିଫାଇନାଲ୍ ଓ ଫାଇନାଲ୍ରେ ଚାପଗ୍ରସ୍ତ ପରିସ୍ଥିତିରେ ତାଙ୍କ ବ୍ୟାଟିଂ ପ୍ରଶଂସନୀୟ ଥିଲା । ରାହୁଲ ନିଜ ପ୍ରଦର୍ଶନ ବଳରେ ସେହି ସମାଲୋଚକମାନଙ୍କୁ ଜବାବ ଦେଇଛନ୍ତି, ଯେଉଁମାନେ ତାଙ୍କୁ ଟିମ୍ରେ ନିଆଯିବା ନେଇ ପ୍ରଶ୍ନ ଉଠାଉଥିଲେ ।
ଶେଷ ହୋଇନି ଗମ୍ଭୀରଙ୍କ ଚାଲେଞ୍ଜ୍
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଗୁରୁ ଗମ୍ଭୀରଙ୍କ ମୁଣ୍ଡ ଉପରେ ଯେଉଁ ଖଣ୍ଡା ଝୁଲୁଥିଲା, ତାହା ଏବେ ଅପସରି ଯାଇଛି । ହ୍ୱାଇଟ୍ ବଲ୍ କ୍ରିକେଟ୍ ପାଇଁ ଗମ୍ଭୀର ଯେ ପ୍ରକୃଷ୍ଟ କୋଚ୍, ଏହା ପ୍ରମାଣିତ ହୋଇଛି । ୨୦୨୭ ଦିନିକିଆ ବିଶ୍ୱକପ୍ ଯାଏଁ ସେ ଟିମ୍ର ଦାୟିତ୍ୱରେ ଅଛନ୍ତି । ସେ ଆଗକୁ ବି ଦିନିକିଆ ଓ ଟି-୨୦ ଟିମ୍କୁ ଉଚିତ ମାର୍ଗଦର୍ଶନ କରାଇବେ ବୋଲି ଆଶା କରାଯାଉଛି ।
ତେବେ ଗମ୍ଭୀରଙ୍କ ପାଇଁ ଆଉ ଏକ ବଡ଼ ଚାଲେଞ୍ଜ୍ ହେଉଛି ଟେଷ୍ଟ କ୍ରିକେଟ୍ । ତାଙ୍କ କାର୍ଯ୍ୟକାଳ ସମୟରେ ହିଁ ଟିମ୍ ପ୍ରଥମ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରୁ ବଞ୍ଚିତ ହୋଇଥିଲା । ନୂଆ ଟେଷ୍ଟ ଚକ୍ରରେ ଟିମ୍କୁ ପୁଣି ଥରେ ଟ୍ରାକ୍କୁ ଫେରାଇ ଆଣିବା ତାଙ୍କ ଦାୟିତ୍ୱ । ଯଦି ସେ ଏଥିରେ ବିଫଳ ହୁଅନ୍ତି, ତା’ହେଲେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ସୀମିତ ଓଭର୍ ଓ ଟେଷ୍ଟ ପାଇଁ ଅଲଗା ଅଲଗା କୋଚ୍ ରଖିବା କଥା ବିଚାର କରିପାରେ ।