ଏହି ବୋଲରମାନେ ବିଶ୍ୱକପ୍‌ରେ ଦୁର୍ଦ୍ଧର୍ଷ ବୋଲିଂ କରି ବିପକ୍ଷ ଦଳକୁ କରିଥିଲେ ଘାଇଲା

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆରମ୍ଭରୁ ଆଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିରୋଧରେ ଭାରତ ଜବରଦସ୍ତ ବିଜୟ । ଭାରତର ଏଭଳି ବିଜୟ ଦଳର ଆତ୍ମବିଶ୍ୱାସକୁ ବଳ ଯୋଗାଇଛି ।

Zaheer Khan

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆରମ୍ଭରୁ ଆଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିରୋଧରେ ଭାରତ ଜବରଦସ୍ତ ବିଜୟ । ଭାରତର ଏଭଳି ବିଜୟ ଦଳର ଆତ୍ମବିଶ୍ୱାସକୁ ବଳ ଯୋଗାଇଛି । ବିସିସିଆଇର ୧୫ ଜଣିଆ ଟିମ୍‌ ଏହି ବଡ ଟୁର୍ନାମେଣ୍ଟ ପାଇଁ ପାଦ ଥାପି ସାରିଛନ୍ତି । ତେବେ ଅନୁଭବୀ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍‌ଙ୍କୁ ଟି-୨୦ ବିଶ୍ୱକପ୍‌ରେ ସ୍ଥାନ ମିଳିଥିବା ବେଳେ ତାଙ୍କର ସାଥୀ ୟୁଜଭେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ଚହଲ ଟି-୨୦ ଫର୍ମାଟରେ ଦେଶରେ ଭଲ ବୋଲର ଭାବେ ବେଶ ଜଣାଶୁଣା । ଏମିତିକି ଭଲ ୱିକେଟ୍ ନେବାରେ ମଧ୍ୟ ସେ ସଫଳ । ଆଇପିଏଲ୍‌ରେ ନିଜର ପ୍ରଦର୍ଶନ ପାଇଁ ମଧ୍ୟ ସେ ବେଶ୍‌ ପ୍ରଶଂସିତ ହୋଇଛନ୍ତି । ତଥାପି ବିଶ୍ୱକପ୍‌ ପାଇଁ ଦଳରେ ନିଜ ସ୍ଥାନ ସେ ସୁରକ୍ଷିତ କରିପାରି ନାହାନ୍ତି । ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ନିଜର ରେକର୍ଡଧାରୀ ବୋଲର ବିନା ମଇଦାନକୁ ଓହ୍ଲାଇଛି । ତଥାପି ବିରାଟ କୋହଲିଙ୍କ ପାଖରେ ଆକ୍ରମକ ଓ ଦ୍ରୁତ ବୋଲର ମହଜୁଦ୍‌ ଅଛନ୍ତି । ଯାହାକୁ ନେଇ ଦଳ ମଇଦାନରେ ରାଜ୍‌ କରିବ ବୋଲି ଆଶା କରାଯାଉଛି । ତେବେ ଆସନ୍ତୁ ଏବେ ନଜର ପକାଇବା ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଘାତକ ବୋଲିଂ କରି ସାରା ବିଶ୍ୱକୁ ଚକିତ କରିଥିବା କିଛି ବୋଲରଙ୍କ ଉପରେ । ଯାହା ବୋଲିଂକୁ ସାରା ବିଶ୍ୱର ବ୍ୟାଟ୍ସମ୍ୟାନ୍‌ ଡରନ୍ତି ବୋଲି କୁହାଯାଇପାରେ ।

ହରଭଜନ ସିଂ: ଟି-୨୦ ବିଶ୍ୱକପ୍‌ରେ ଦଳ ପାଇଁ ସେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ହାସଲ କରିଥିବା ଖେଳାଳି । ୪୧ ବର୍ଷୀୟ ଏହି ଖେଳାଳି ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି । ଏହି ଖେଳାଳି ଟି-୨୦ ବିଶ୍ୱକପରେ ମୋଟ ୧୬ଟି ୱିକେଟ୍ ନେଇଛନ୍ତି । ସେ ଭାରତର ୨୦୦୭ ବିଶ୍ୱକପ ବିଜେତା ଦଳର ଅଂଶ ଥିଲେ ।

ଇରଫାନ ପଠାନ: ପୂର୍ବତନ ଦ୍ରୁତ ବୋଲର ତଥା ଅଲରାଉଣ୍ଡର, ଟି-୨୦ ବିଶ୍ୱକପରେ ୧୫ଟି ମ୍ୟାଚରେ ୧୪ଟି ୱିକେଟ୍ ନେଇଛନ୍ତି । ସେ ମଧ୍ୟ ୨୦୦୭ ବିଶ୍ୱକପ ବିଜେତା ଦଳରେ ସାମିଲ ଥିଲେ । ସେ ୨୦୦୭ ରୁ ୨୦୧୨ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଟି-୨୦ ବିଶ୍ୱକପରେ ଭାଗ ନେଇଥିଲେ ।

ଆଶିଷ ନେହେରା: ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର, ୨୦୦୯ ରୁ ୨୦୧୬ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ । ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଦଳ ପାଇଁ ଟି-୨୦ ଆନ୍ତର୍ଜାତୀୟ ବିଶେଷଜ୍ଞ ହେଲେ । ନେହେରା ୬.୮୯ ଇକୋନୋମୀ ସହ ୧୭.୯୩ ହାରରେ ୧୫ ୱିକେଟ୍ ନେଇଛନ୍ତି । ଆରପି ସିଂ: ସେ ମଧ୍ୟ ୨୦୦୭ ରେ ଟି-୨୦ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିଲେ । ଏହି ପୂର୍ବତନ ଦ୍ରୁତ ବୋଲର ଦଳ ପାଇଁ ୯ଟି ମ୍ୟାଚ୍‌ରେ ୧୪ଟି ୱିକେଟ୍ ନେଇଛନ୍ତି ।

ରବିନ୍ଦ୍ର ଜାଡେଜା: ଜବରଦସ୍ତ ଅଲରାଉଣ୍ଡର । ବିଶ୍ୱକପ୍‌ରେ ଭାରତ ପାଇଁ ପଞ୍ଚମ ସର୍ବାଧିକ ୱିକେଟ୍‌ ହାସଲ କରିଥିବା ଅଲରାଉଣ୍ଡ । ଜାଡେଜା ୩୨ ବର୍ଷୀୟ ଖେଳାଳି ଆରପି ସିଂଙ୍କ ରେକର୍ଡ ସହ ସମକକ୍ଷ ରହିଛନ୍ତି । ୧୭ଟି ମ୍ୟାଚରେ ଏବେ ସୁଦ୍ଧା ସେ ୧୪ଟି ୱିକେଟ୍ ନେଇଛନ୍ତି ।

ଜହିର ଖାନ: ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଆନ୍ତର୍ଜାତୀୟରେ ଡେବ୍ୟୁ କରିଥିଲେ । କିନ୍ତୁ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଇଁ ସେ ମାତ୍ର ୧୨ଟି ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାମରେ ମୋଟ ୧୨ ୱିକେଟ୍ ରହିଛି ।