Advertisment

ପାକିସ୍ତାନ୍‌କୁ ଝଟକା, ଏସିଆ କପ୍‌ରୁ ବାଦ ପଡ଼ିଲେ ଶାହୀନ୍‌ ଆଫ୍ରିଦି

ବାମହାତୀ ଶାହୀନ ଆଫ୍ରିଦି ନିଜର ସୁଇଂ ବୋଲିଂରେ ସମସ୍ତ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚକମା ଦିଅନ୍ତି । ଶାହୀନ ଆଫ୍ରିଦି ଏସିଆ କପରୁ ବାଦ ପଡ଼ିଛନ୍ତି ।

author-image
Manoranjan Behera
Shaheen Afridi

Shaheen Afridi

ପାକିସ୍ତାନକୁ ବଡ଼ ଝଟକା । ଆସନ୍ତା ୨୭ ରୁ ଆରମ୍ଭ ହେବାକୁ ଥିବା ଏସିଆ କପ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦି ଏସିଆ କପରୁ ବାଦ ପଡ଼ିଛନ୍ତି । ଆହତ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କୁ ଏସିଆ କପରୁ ବାଦ ଦିଆଯାଇଛି ।

Advertisment

ବାମହାତୀ ଶାହୀନ ଆଫ୍ରିଦି ନିଜର ସୁଇଂ ବୋଲିଂରେ ସମସ୍ତ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚକମା ଦିଅନ୍ତି । ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଆଫ୍ରିଦିଙ୍କ ଜଲୱା ଦେଖିବାକୁ ମିଳିଥିଲା । ଏବେ ତାଙ୍କ ଅନୁପସ୍ଥିତି ଏସିଆ କପରେ ପାକିସ୍ତାନକୁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି।

ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଆହତ ସମସ୍ୟା ଦେଇ ଗତି କରୁଥିବା ଶାହୀନଙ୍କୁ ମେଡିକାଲ ପରାମର୍ଶଦାତା କମିଟି ୪ରୁ ୬ ସପ୍ତାହ ବିଶ୍ରାମ ନେବାକୁ କହିଛି । ଏହାର ଅର୍ଥ ସେ ଟି-୨୦ ଏସିଆ କପ ଖେଳିପାରିବେ ନାହିଁ । ସେହିପରି ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ନାହିଁ।

Advertisment

ନିକଟରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଶାହୀନ ଆହତ ହୋଇଥିଲେ। ସେ ଫିଲ୍ଡିଂ କରୁଥିବା ବେଳେ ଆଣ୍ଠୁ ଲିଗାମେଣ୍ଟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ ଖେଳ ମଝିରୁ ପଡ଼ିଆ ମଧ୍ୟ ଛାଡ଼ିବାକୁ ପଡ଼ିଥିଲା । ଏନେଇ ଚିକିତ୍ସା ଚାଲିଥିଲେ ମଧ୍ୟ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ତେଣୁ ତାଙ୍କୁ ୪ରୁ ୬ ସପ୍ତାହ ବିଶ୍ରାମ ନେବାକୁ ପଡ଼ିବ ବୋଲି ପିସିବି କହିଛି।

ପିସିବିର ମୁଖ୍ୟ ମେଡିକାଲ ଅଫିସର ଡା ନଜିବୁଲ୍ଲା ସୋମରୋ କହିଛନ୍ତି, “ମୁଁ ଏ ସମ୍ପର୍କରେ ଶାହୀନଙ୍କ ସହ କଥା ହୋଇଛି। ସେ ଏହି ଖବର ପାଇ ବେଶ ଦୁଃଖିତ ଅଛନ୍ତି । କିନ୍ତୁ ସେ ଜଣେ ସାହାସୀ କ୍ରିକେଟର । ସେ ଆଗାମୀ ଦିନରେ ନିଶ୍ଚୟ କମବ୍ୟାକ୍‌ କରି ଦେଶ ତଥା ଟିମ୍‌ ପାଇଁ ନିଜର ସେବା ଯୋଗାଇ ଦେବେ । ତାଙ୍କର ଏପରି ଅବସ୍ଥା ଆମକୁ ପ୍ରଭାବିତ କରିଛି।”

ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ରେ ସ୍କ୍ୱାଡରେ ୨୨ ବର୍ଷୀୟ ଆଫ୍ରିଦି ରହିଥିଲେ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ନାହାନ୍ତି। ଏସବୁ ଭିତରେ ସେ ଏସିଆ କପରୁ ବାଦ ପଡ଼ିଛନ୍ତି। ଆଫ୍ରିଦି ବାଦ ପଡ଼ିଥିଲେ ମଧ୍ୟ ପିସିବି ଏଯାଏ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିନାହିଁ। ପାକିସ୍ତାନ ୨୮ ତାରିଖରେ ଭାରତ ବିପକ୍ଷ ମ୍ୟାଚ୍‌ରୁ ତା’ର ଏସିଆ କପ ଅଭିଯାନ ଆରମ୍ଭ କରିବ।

Cricket Ruled Out Shaheen Afridi
Advertisment
Advertisment