ଗରମରେ ସନ୍ତୁଳି ହେଉଥିଲେ ଭାରତୀୟ ଖେଳାଳି, ଏସି ପଠାଇଲା କ୍ରୀଡା ମନ୍ତ୍ରଣାଳୟ

ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ଭାରତୀୟ କ୍ରୀଡା ମନ୍ତ୍ରଣାଳୟ । ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବୁଲ ଏସି ପଠାଇଛି କ୍ରୀଡା ମନ୍ତ୍ରଣାଳୟ ।

AC in games village

ପ୍ୟାରିସ୍‌ରେ ଚାଲିଛି କ୍ରୀଡ଼ା ମହାକୁମ୍ଭ । ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ ଜାରି ରଖିଛି । ଭାରତୀୟ ଖେଳାଳି ଚଳିତ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ମୋଟ୍‌ ୩ଟି ବ୍ରୋଞ୍ଜ ପଦକ ନିଜ ନାମରେ କରିଛି । ତେବେ ଆଗକୁ ଆହୁରି ଅନେକ ଇଭେଣ୍ଟରେ ଭାରତର ଧୁରନ୍ଧରମାନେ ଭାଗ୍ୟ ପରୀକ୍ଷା କରିବେ । ଏହାରି ମଧ୍ୟରେ କିନ୍ତୁ ଅଲିମ୍ପିକ୍ସ କ୍ରୀଡା ଗ୍ରାମରେ ଅନେକ ଅବ୍ୟବସ୍ଥାର ଖବର ସାମ୍ନାକୁ ଆସିଛି । କ୍ରୀଡା ଗ୍ରାମରେ ଏସି ବ୍ୟବହାର ହେଉନଥିବାରୁ ଅସହ୍ୟ ଗରମରେ କ୍ରୀଡାବିତ୍‌ ସନ୍ତୁଳି ହେଉଛନ୍ତି । ତେବେ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ଭାରତୀୟ କ୍ରୀଡା ମନ୍ତ୍ରଣାଳୟ । ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବୁଲ ଏସି ପଠାଇଛି କ୍ରୀଡା ମନ୍ତ୍ରଣାଳୟ ।

ବାସ୍ତବରେ, ପ୍ୟାରିସରେ ହୋଇଥିବା କ୍ରୀଡ଼ା ଗ୍ରାମରେ ବହୁତ ଅବ୍ୟବସ୍ଥା ହୋଇଥିବାର ଖବର ସାମ୍ନାକୁ ଆସିଛି । ଅନେକ ଦେଶର ଖେଳାଳି ଏଠାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତାପ ସହିତ ଖେଳାଳୀଙ୍କୁ ମଧ୍ୟ ଖରାପ ବାଥରୁମ ବ୍ୟବହାର କରିବାକୁ ପଡୁଛି । କିନ୍ତୁ କ୍ରୀଡ଼ା ମନ୍ତ୍ରଣାଳୟ ଭାରତୀୟ ଖେଳାଳିଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଛି ।

କ୍ରୀଡ଼ା ମନ୍ତ୍ରଣାଳୟ ଖେଳାଳିଙ୍କ ରୁମ୍‌ରେ ଏସି ଲଗାଇଛି । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଅନୁସାରେ ପ୍ୟାରିସରେ ଏବେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହୁଛି । କିନ୍ତୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏସି ଲଗାଯିବା ପରେ ଖେଳାଳିମାନେ ଆଶ୍ୱସ୍ତି ପାଇଛନ୍ତି । ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଏବଂ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ସହିତ ଆଲୋଚନା ପରେ ଏୟାର କଣ୍ଡିସନରକୁ କ୍ରୀଡାଗ୍ରାମକୁ ପଠାଯାଇଥିଲା ।

ପ୍ୟାରିସ୍‌ରେ ଏବେ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ପୁରୁଷ ୫୦ ମିଟର ରାଇଫଲ ୩-ପୋଜିସନ୍ ଇଭେଣ୍ଟରେ ଭାରତର ବ୍ରୋଞ୍ଜ ବିଜେତା ସ୍ୱପ୍ନିଲ କୁସାଲେଙ୍କ ସମେତ ସମସ୍ତ ଆଠଜଣ ଫାଇନାଲିଷ୍ଟ ସୁଟିଂ ରେଞ୍ଜରେ ଅତ୍ୟଧିକ ଗରମ ଅନୁଭୂତ କରିଥିଲେ । ଗତ କିଛି ଦିନ ମଧ୍ୟରେ ପ୍ୟାରିସରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ସୂଚନା ମିଳିଛି ।

ସୂଚନାନୁସାରେ, ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ଆରମ୍ଭ ପୂର୍ବରୁ ଆୟୋଜକମାନେ କହିଥିଲେ ଯେ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ କରିବା ପାଇଁ ସେମାନେ ଏୟାର କଣ୍ଡିସିନର ବ୍ୟବହାର କରିବେ ନାହିଁ । ତେବେ ପ୍ୟାରିସର ପାଗ ଯୋଗୁଁ ଅନେକ ଦେଶର ଦଳ ମଧ୍ୟ ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲେ। କ୍ରୀଡା ଗ୍ରାମରେ ତାପମାତ୍ରା କମ୍ ରଖିବା ପାଇଁ ଆୟୋଜକ କମିଟି ଅଣ୍ଡର ଫ୍ଲୋର୍ କୁଲିଂ ମେକାନିଜିମ୍ ଏବଂ ବିଲ୍ଟ-ଇନ୍ ଇନସୁଲେସନ୍ ଭଳି ପଦକ୍ଷେପ ନେଇଥିଲେ ।