• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁବାଇ: ରେକର୍ଡ ସୃଷ୍ଟି କଲେ ରସିଦ୍ ଖାନ । ଗତକାଲି ମ୍ୟାଚରେ ନିଜର ଚମତ୍କାର ବୋଲିଂ ଦ୍ୱାରା ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ୍ ମଲିଙ୍ଗାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଯଦିଓ ଆଫଗାନିସ୍ତାନ ଗତକାଲି ପାକିସ୍ତାନ ଠାରୁ ମ୍ୟାଚ ହାରି ଯାଇଛି, କିନ୍ତୁ ଆଫଗାନିସ୍ତାନର ସ୍ପିନ ବୋଲର ରସିଦ୍ ଖାନ ଇତିହାସ ରଚିଛନ୍ତି । ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ଗତିରେ ୧୦୦ ୱିକେଟ ନେବାର ଇତିହାସ ରଚିଛନ୍ତି ।

୨୩ ବର୍ଷୀୟ ରସିଦ ଖାନ ତାଙ୍କର ୫୩ ତମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ଏହି ଫର୍ମାଟରେ ଦ୍ରୁତତମ ୧୦୦ ୱିକେଟ୍ ନେବାର ରେକର୍ଡ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ଲାସିଥ୍ ମାଲିଙ୍ଗାଙ୍କ ନାମରେ ଥିଲା, ଯିଏ ୭୬ ମ୍ୟାଚ୍ ରେ ୧୦୦ ୱିକେଟ କ୍ଲବରେ ସାମିଲ ହୋଇଥିଲେ । ବାଂଲାଦେଶର ଶାକିବ ଅଲ ହାସନ ଏବଂ ନ୍ୟୁଜିଲାଣ୍ତର ଟିମ୍‌ ସାଉଦି ଉଭୟ ୮୪ ଟି ମ୍ୟାଚରେ ୧୦୦ ୱିକେଟ୍‌ର ମାଇଲଖୁଣ୍ଟ ହାସଲ କରିଥିଲେ ।

ଗତକାଲି ମ୍ୟାଚରେ ରସିଦ ଖାନ ୧୫ ନମ୍ବର ଓଭରରେ ପାକିସ୍ତାନର ମହମ୍ମଦ ହଫିଜ୍‌ଙ୍କୁ ଆଉଟ କରି ୧୦୦ ଟି ୱିକେଟ କ୍ଲବରେ ସାମିଲ ହୋଇଥିଲେ । ଏହାପରେ ସେ ପାକିସ୍ତାନର ଅଧିନାୟକ ବାବର୍ ଆଜମଙ୍କୁ ବୋଲ୍ଡ କରି ୧୦୧ ତମ ୱିକେଟ ହାସଲ କରିଥିଲେ । ରସିଦ ୫୩ ଟି-୨୦ ଟି ଇଣ୍ଟରନ୍ୟାସନାଲ ମ୍ୟାଚରେ ମୋଟ ୧୦୧ଟି ୱିକେଟ୍ ନେଇଛନ୍ତି। ସେ ଏହି ମ୍ୟାଚ ମାନଙ୍କରେ ୨ ଥର ୫ ଟି ଲେଖାଏଁ ୱିକେଟ ଓ ୪ ଥର ୪ଟି ଲେଖାଏଁ ୱିକେଟ ନେଇଛନ୍ତି ।

ଗତକାଲି ଆଫଗାନିସ୍ତାନ ପାକିସ୍ତାନ ସହ ଜବରଦସ୍ତ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣି ନେଇଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ପାକିସ୍ତାନ ଆଗରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପାକିସ୍ତାନ ଗୋଟିଏ ଓଭର ବାକି ଥାଇ ଜିତିନେଇଥିଲା । ପାକିସ୍ତାନ ପକ୍ଷରୁ ବାବର ଆଜମ ୫୧ ରନ୍ କରିଥିବା ବେଳେ ଫକର ଜମାନ ୩୦ ଓ ଆସିଫ ଅଲି ୨୫ ରନ କରିଥିଲେ । ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ନବି ଓ ଗୁଲବୁଦ୍ଦିନ ୩୫ ରନ ଲେଖାଏଁ କରିଥିଲେ । ପାକିସ୍ତାନ ପକ୍ଷରୁ ଇମାଦ ୱାସିମ ୨ଟି ଓ୍ବିକେଟ ନେଇଥିବାବେଳେ ସାହିନ ଆଫ୍ରିଦି, ହାସାନ ଅଲି, ହାରିସ ରୌଫ ଓ ସଦାବ ଖାଁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।