Paris 2024 Olympics: ଲକ୍ଷ୍ୟଙ୍କ ଐତିହାସିକ ସଫଳତା, ପ୍ରଥମ ଭାରତୀୟ ଭାବେ ସେମିକୁ ଏଣ୍ଟ୍ରି

ବ୍ୟାଡ୍ ମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ଐତିହାସିକ ସଫଳତା । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ବ୍ୟାଡ଼ମିଣ୍ଟନ ସେମିକୁ ଏଣ୍ଟ୍ରି ।

Paris 2024 Olympics

ବ୍ୟାଡ୍ ମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ଐତିହାସିକ ସଫଳତା । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ବ୍ୟାଡ଼ମିଣ୍ଟନ ସେମିକୁ ଏଣ୍ଟ୍ରି । ପ୍ୟାରିସ ଅଲିମ୍ପିକ୍ସରେ ଏହି ଇଭେଣ୍ଟର କ୍ୱାର୍ଟର ଫାଇନଲରେ ଆଜି ତାଇୱାନ ଖେଳାଳି ଚୋଉ ଟିନ୍-ଚେନ୍‌ଙ୍କୁ ହରାଇ ସେମିରେ ପ୍ରବେଶ କରିଛନ୍ତି । କ୍ୱାର୍ଟରରେ ୧୯-୨୧, ୨୧-୧୫, ୨୧-୧୨ ସେଟରେ ଜିତିଲେ ଲକ୍ଷ୍ୟ ।

ବ୍ୟାଡମିଣ୍ଟନ ସେମିରେ ପ୍ରବେଶ କରିବାରେ ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଏବଂ ପି.ଭି. ସିନ୍ଧୁ ଏବଂ ସାଇନା ନେହୱାଲଙ୍କ ପରେ ତୃତୀୟ ଭାରତୀୟ ଖେଳାଳି । ପଦକ ପକ୍କା କରିବାରୁ ଆଉ ମାତ୍ର ଗୋଟିଏ ପାହୁଣ୍ଡ ଦୂରରେ ଅଛନ୍ତି ୨୨ ବର୍ଷୀୟ ଲକ୍ଷ୍ୟ ସେନ୍ । ସେପଟେ ପ୍ୟାରିସ ଅଲିମ୍ପିକ୍ସ ସୁଟିଂ ରେଞ୍ଜରେ ଜାରି ରହିଛି ମନୁ ମ୍ୟାଜିକ ।

ଭାରତର ଷ୍ଟାର୍ ସୁଟର ମନୁ ଭାକର ଦେଶ ପାଇଁ ଚଳିତ ଅଲିମ୍ପିକ୍ସରେ ଆଉ ଏକ ପଦକ ବିଜୟ ଆଡ଼କୁ ଅଗ୍ରସର ହୋଇଛନ୍ତି । ପୂର୍ବରୁ ୨ଟି ପଦକ ହାସଲ କରିଥିବା ମନୁ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ସେ ଦମଦାର ପ୍ରଦର୍ଶନ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ତେଣୁ ସେ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଜି ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତ ଅଲିମ୍ପିକ୍ସରେ ମନୁ ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତକୁ ପ୍ରଥମ ବ୍ରୋଞ୍ଜ ଭେଟି ଦେଇଥିଲେ । ଏହାପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହଙ୍କୁ ସାଥୀ କରି ବ୍ରୋଞ୍ଜ ଜିତିଥିଲେ ମନୁ ।

ଏବେ ସେ ନିଜର ତୃତୀୟ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି । ସେପଟେ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି । ଭାରତ ପକ୍ଷରୁ ଅଭିଷେକ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ବାକି ଦୁଇଟି ଗୋଲ ହରମନପ୍ରୀତଙ୍କ ଷ୍ଟିକରୁ ଆସିଥିଲା ।

ଏହି ବିଜୟ ସହ ଭାରତ ଗ୍ରୁପ-Bର ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ପୂର୍ବରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି । ଏହି ବିଜୟ ସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ପାଇଛି । ଶେଷ ଥର ପାଇଁ ଭାରତ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଥିଲା ।