ପ୍ୟାରିସ୍‌ ଅଲିମ୍ପିକ୍ସ: ହକି କ୍ୱାର୍ଟର ଫାଇନାଲରେ ଗ୍ରେଟ୍‌ ବ୍ରିଟେନକୁ ଭେଟିବ ଭାରତ

ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମି ଫାଇନାଲରେ ଆଜି ଭାରତର ଲକ୍ଷ୍ୟ ସେନଙ୍କ ମଧ୍ୟ ମ୍ୟାଚ୍ ରହିଛି । ସେମିରେ ଡେନମାର୍କର ଭିକ୍ଟୋରଙ୍କୁ ଭେଟିବେ ଲକ୍ଷ୍ୟ ।

Paris Olympics

ଅଲିମ୍ପିକ୍ସରେ ଆଜି ଭାରତର ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କ ନଜର । ଆଜି ଅଲିମ୍ପିକ୍ସର ନବମ ଦିନରେ ଭାରତର ଅନେକ ଇଭେଣ୍ଟ ରହିଛି । ପୁରୁଷ ହକି କ୍ବାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ଦିନ ଗୋଟାଏ ୩୦ରେ ଖେଳାଯିବ ଏହି ମ୍ୟାଚ୍ । ସେହିପରି ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମି ଫାଇନାଲରେ ଆଜି ଭାରତର ଲକ୍ଷ୍ୟ ସେନଙ୍କ ମଧ୍ୟ ମ୍ୟାଚ୍ ରହିଛି । ସେମିରେ ଡେନମାର୍କର ଭିକ୍ଟୋରଙ୍କୁ ଭେଟିବେ ଲକ୍ଷ୍ୟ । ଏହି ମ୍ୟାଚ୍‌ ଭାରତୀୟ ସମୟ ୩ଟା ୩୦ରେ ଖେଳାଯିବ ।

ସେହିପରି ବକ୍ସିଂ, ସୁଟିଂ ଏବଂ ଆଥଲେଟିକ୍ସରେ ମଧ୍ୟ ଆଜି ରହିଛି ଭାରତର ଅନେକ ଇଭେଣ୍ଟ ରହିଛି । ମହିଳା ୩ ହଜାର ମିଟର ଷ୍ଟିପଲଚେଜ୍ ରାଉଣ୍ଡ -୧ରେ ଭାରତର ପାରୁଲ ଚୌଧୁରୀ ଅଂଶଗ୍ରହଣ କରିବେ। ସେହିପରି ପୁରୁଷ ଲଙ୍ଗ ଜମ୍ପ କ୍ବାଲିଫିକେସନ ରାଉଣ୍ଡରେ ଭାରତର ଜେଶ୍ବୀନ ଭାଗ ନେଉଛନ୍ତି। ବକ୍ସିଂରେ ମହିଳା ୭୫ କେଜି କ୍ବାର୍ଟର ଫାଇନାଲରେ ଲଭଲିନା ଭେଟିବେ ଚୀନର ଲି କ୍ବୀନଙ୍କୁ । ତେବେ ଆଜି ହକି ଓ ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ୍‌ଙ୍କ ଉପରେ ପୂରା ଭାରତର ନଜର ରହିବ ।

ସୂଚନା ଅନୁସାରେ ହକି ଇଭେଣ୍ଟର ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଭାରତର ମନୋବଳ ଦୃଢ଼ ରହିଛି । ୫୨ ବର୍ଷ ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ । ଶେଷଥର ପାଇଁ ଅଲିମ୍ପିକ୍ସରେ ଭାରତ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ତେବେ ୫୨ ବର୍ଷ ପରେ ଆଜି ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ, କଙ୍ଗାରୁ ଦଳକୁ ୩-୨ରେ ପରାସ୍ତ କରିଥିଲା ।

ସେପଟେ ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ୨୨ ବର୍ଷିୟ ଲକ୍ଷ୍ୟ ସେନ୍‌ । କ୍ୱାର୍ଟର ଫାଇନଲରେ ତାଇୱାନ ଖେଳାଳି ଚୋଉ ଟିନ୍-ଚେନ୍‌ଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ ଲକ୍ଷ୍ୟ । କ୍ୱାର୍ଟର ଫାଇନାଲରେ ୧୯-୨୧, ୨୧-୧୫, ୨୧-୧୨ ସେଟରେ ଜିତିଥିଲେ ଲକ୍ଷ୍ୟ । ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ ସେମିରେ ପ୍ରବେଶ କରିବାରେ ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଏବଂ ପି.ଭି. ସିନ୍ଧୁ ଏବଂ ସାଇନା ନେହୱାଲଙ୍କ ପରେ ତୃତୀୟ ଭାରତୀୟ ଖେଳାଳି । ପଦକ ପକ୍କା କରିବାରୁ ଆଉ ମାତ୍ର ଗୋଟିଏ ପାହୁଣ୍ଡ ଦୂରରେ ଅଛନ୍ତି ୨୨ ବର୍ଷୀୟ ଲକ୍ଷ୍ୟ ସେନ୍ । ତେବେ ଆଜି ମ୍ୟାଚ୍‌ରେ ବିଜୟ ଲାଭ କଲେ ଅଲିମ୍ପିକ୍ସରେ ଆଉ ଏକ ପଦକ ପକ୍କା କରିବେ ଲକ୍ଷ୍ୟ ।