Advertisment

Indian Premier League 2025 New Stars Impact: ଆଇପିଏଲ୍ ୨୦୨୫ରେ ଭାରତର ନବାଗତଙ୍କ ଦ୍ୱାରା ଟି-୨୦ କ୍ରିକେଟ୍ ରେ ନୂଆ ସ୍ୱରୂପ

ଆଇପିଏଲ୍ ୨୦୨୫ରେ ଭାରତର କେତେକ ନବାଗତ ବ୍ୟାଟର୍‌ଙ୍କୁ ନେଇ ଖୁବ୍ ଚର୍ଚ୍ଚା । ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ସେମାନେ କରିଛନ୍ତି ପ୍ରଭାବିତ । ଭାରତୀୟ ଟିମ୍‌ରେ ସୁଯୋଗ ପାଇବା ସ୍ଥଳେ ସେମାନେ ବଦଳାଇ ଦେବେ କି ଟି-୨୦ କ୍ରିକେଟ୍‌ର ରୂପ?

Newcomer

Newcomer

Advertisment

ଟି-୨୦ କ୍ରିକେଟ୍‌ର ରୂପ ବଦଳାଇଦେବେ କି ଭାରତର ନବାଗତ ବ୍ୟାଟର୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୫ ସିଜନ୍‌ର ରୋମାଞ୍ଚ ଏବେ ଚରମ ସୀମାରେ ପହଞ୍ଚିଛି । ଏଥର ଅନେକ ବଡ଼ ତାରକା ବିଫଳ ହେଉଥିବା ବେଳେ ଭାରତର କେତେକ ନବାଗତ ନିଜ ବ୍ୟାଟିଂ ବଳରେ ଚହଳ ସୃଷ୍ଟି କରିଛନ୍ତି । କେହି କେବେ କଳ୍ପନା କରି ନ ଥିଲେ ଯେ ୧୪ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୩୫ ବଲ୍‌ରୁ ଶତକ ହାସଲ କରିବେ । ସେହିପରି ପ୍ରିୟାଂଶ ଆର୍ଯ୍ୟଙ୍କ ଶତକ ବି ଅପ୍ରତ୍ୟାଶିତ ଥିଲା । ଏହିସବୁ ନବାଗତଙ୍କ ବ୍ୟାଟିଂ ଆଗରେ ଅନେକ ସମୟରେ ବଡ଼ ବଡ଼ ବୋଲର୍ ବି ନିଷ୍ପ୍ରଭ ଜଣାପଡ଼ୁଛନ୍ତି । ଭାରତୀୟ ଟିମ୍‌ରେ ସୁଯୋଗ ପାଇବା ସ୍ଥଳେ ସେମାନେ ବଦଳାଇଦେବେ କି ଟି ୨୦ କ୍ରିକେଟ୍‌ର ରୂପ? କ୍ଷୁଦ୍ରତମ ଫର୍ମାଟ୍‌ର ବିଶ୍ୱ ଚାମ୍ପିୟନ୍ ଟିମ୍‌ରେ ସେମାନଙ୍କୁ କେବେ ମିଳିବ ସୁଯୋଗ? ଏ ସବୁକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।

Advertisment

ପ୍ରିୟାଂଶ ଆର୍ଯ୍ୟ (ପଞ୍ଜାବ କିଙ୍ଗ୍‌ସ) ଦିଲ୍ଲୀ ପ୍ରିମିୟର୍ ଲିଗ୍ ଜରିଆରେ ଚର୍ଚ୍ଚାକୁ ଆସିଥିବା ପ୍ରିୟାଂଶ ଆର୍ଯ୍ୟଙ୍କୁ ପଞ୍ଜାବ କିଙ୍ଗ୍‌ସ ଆଇପିଏଲ୍ ମେଗା ନିଲାମରେ ୩.୮ କୋଟି ଟଙ୍କାରେ କିଣିଥିଲା, ଯାହା ତାଙ୍କ ବେସ୍ ପ୍ରାଇସ୍ ଠାରୁ ପ୍ରାୟ ୧୩ ଗୁଣ ଅଧିକ ଥିଲା । ସେ ମଧ୍ୟ ଟିମ୍ ପକ୍ଷରୁ ଆଶାନୁରୂପ ପ୍ରଦର୍ଶନ କରୁଛନ୍ତି ।

ପ୍ରିୟାଂଶୁଙ୍କୁ ଓପନିଂ ଦାୟିତ୍ୱ ଦିଆଯାଇଛି । ଏହି ବ୍ୟାଟର୍ ଚଳିତ ସିଜନ୍‌ରେ ଏ ଯାବତ (ମେ’ ୮ ସୁଦ୍ଧା) ୧୨ ଇନିଂସ୍ ଖେଳି ୩୪.୭୫ ଆଭରେଜ୍ ଓ ୧୯୪.୮୫ ଷ୍ଟ୍ରାଇକ୍ ରେଟ୍‌ରେ ୪୧୭ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ଦୁଇ ଅର୍ଦ୍ଧଶତକ ରହିଛି । ସେ ୨୨ ଛକା ଓ ୩୫ ଚୌକା ମାରିଛନ୍ତି । ପ୍ରିୟାଂଶୁ ଚେନ୍ନାଇ ସୁପର୍ କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ୧୦୩ ରନ୍‌ର ଇନିଂସ୍ ଖେଳିଥିଲେ । ଲିଗ୍‌ରେ ଏହା ତାଙ୍କର ସର୍ବୋଚ୍ଚ ସ୍କୋର୍ । ସେ ୩୯ ବଲ୍‌ରେ ଶତକ ପୂରଣ କରିଥିଲେ । ନିଜ ପାୱାର ହିଟିଂ ଦ୍ୱାରା ସେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ଭବିଷ୍ୟତରେ ଏହି ୨୩ବର୍ଷୀୟ ବ୍ୟାଟର୍ ବଡ଼ ରେକର୍ଡ କରିପାରିବେ । ଦିଲ୍ଲୀ ପ୍ରିମିୟର୍ ଲିଗ୍‌ରେ ସେ ଗୋଟିଏ ଓଭର୍‌ରେ କ୍ରମାଗତ ଛଅ ଛକା ମାରିଥିଲେ । ଆଗାମୀ ଦିନରେ ଭାରତୀୟ ଟି-୨୦ ଟିମ୍‌ରେ ତାଙ୍କୁ ସୁଯୋଗ ଦେବା ଉପରେ ବିଚାର କରାଯାଇପାରେ ।

Advertisment

ଅଧିକ ପଢ଼ନ୍ତୁ: କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ, କାହା ପାଖକୁ ଯିବ ଟେଷ୍ଟ କ୍ୟାପଟେନ୍ସି

ଆୟୁଷ ମହାତ୍ରେ (ଚେନ୍ନାଇ ସୁପର୍ କିଙ୍ଗ୍‌ସ) ୧୭ବର୍ଷୀୟ ବ୍ୟାଟର୍ ଆୟୁଷ ମହାତ୍ରେଙ୍କ ବ୍ୟାଟିଂ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ତାଙ୍କୁ ପୂର୍ବ ନିଲାମରେ କେହି କିଣି ନ ଥିଲେ । ସିଜନ୍ ମଝିରେ ସେ ବଦଳ ଖେଳାଳି ଭାବେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ସହ ଯୋଡ଼ି ହୋଇଥିଲେ । ଏବେ ସେ ନିଜ ହିଟିଂ କ୍ଷମତା ଜରିଆରେ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଆୟୁଷ ଏ ଯାବତ (ମେ’ ୮ ସୁଦ୍ଧା) ପାଞ୍ଚ ଇନିଂସ୍ ଖେଳି ୩୨.୬୦ ଆଭରେଜ୍ ଓ ୧୮୧.୧୧ ଷ୍ଟ୍ରାଇକ୍ ରେଟ୍‌ରେ ୧୬୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି । ଲିଗ୍‌ରେ ତାଙ୍କ ସର୍ବୋଚ୍ଚ ସ୍କୋର୍ ୯୪ ରନ୍ । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ୪୮ ବଲ୍‌ରେ ଏହି ବିସ୍ଫୋରକ ଇନିଂସ୍ ଖେଳିଥିଲେ । ଏଥିରେ ୫ ଚୌକା ଓ ୯ ଚୌକା ଥିଲା । ଆଇପିଏଲ୍ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଥିବା ଚେନ୍ନାଇ ଟିମ୍‌ରେ ସେ ଏକ ଉଜ୍ଜ୍ୱଳ ତାରକା ଭାବେ ଉଭା ହୋଇଛନ୍ତି । ଅନିକେତ ବର୍ମା (ସନ୍‌ରାଇଜର୍ସ ହାଇଦ୍ରାବାଦ) ୨୩ବର୍ଷୀୟ ଅନିକେତ ବର୍ମାଙ୍କୁ ସନ୍‌ରାଇଜର୍ସ ହାଇଦରାବାଦ ମଧ୍ୟକ୍ରମରେ ବ୍ୟାଟିଂ ପାଇଁ ପଠାଉଛି । ଏହି ବ୍ୟାଟର୍ କିଛି ଇନିଂସ୍‌ରେ ନିଜ ଭବିଷ୍ୟତର ଝଲକ ଦେଖାଇଛନ୍ତି । ତାଙ୍କର ବିଶେଷତ୍ୱ ହେଉଛି, ସେ କ୍ରିକେଟିଂ ସଟ୍ ଛଡ଼ା ଅଣପାରମ୍ପରିକ ସଟ୍ ବି ଲଗାଇପାରିବେ ।

Advertisment

ଟିମ୍‌ର ନୂଆ ତାରକା ଅନିକେତ ଏ ଯାବତ (ମେ’ ୮ ସୁଦ୍ଧା) ନଅ ଇନିଂସ୍‌ରେ ୨୪.୧୩ ଆଭରେଜ୍ ଓ ୧୫୪.୪୦ ଷ୍ଟ୍ରାଇକ୍ ରେଟ୍‌ରେ ୧୯୩ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି । ସେ ୧୬ ଛକା ଓ ୯ ଚୌକା ମାରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ୪୧ ବଲ୍‌ରେ ୭୪ ରନ୍‌ର ଇନିଂସ୍ ଖେଳିଥିଲେ, ଯାହା ଲିଗ୍‌ରେ ତାଙ୍କ ସର୍ବୋଚ୍ଚ ସ୍କୋର୍ । ସେ ମଧ୍ୟ ପ୍ରଦେଶ ଲିଗ୍‌ରେ ନିଜ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ଖ୍ୟାତି ଅର୍ଜନ କରିଥିଲେ । ବୈଭବ ସୂର୍ଯ୍ୟବଂଶୀ (ରାଜସ୍ଥାନ ରୟାଲ୍ସ) ୧୪ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ମେଗା ନିଲାମୀରେ ବିକ୍ରି ହେବା କ୍ଷଣି ନାଁ କମେଇଥିଲେ । ତାଙ୍କୁ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାର ବଡ଼ ଅର୍ଥରାଶି ଦେଇ କିଣିଥିଲା ।

ମାତ୍ର ୧୨ ବର୍ଷ ବୟସରେ ରଣଜୀ ପଦାର୍ପଣ କରି ଇତିହାସ ସୃଷ୍ଟିଥିବା ଏହି ବାମହାତୀ ବ୍ୟାଟର୍ ୧୯ ବର୍ଷରୁ କମ୍ ଏସିଆ କପ୍‌ରେ ଖେଳିସାରିଛନ୍ତି । ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ବୈଭବ ୩୫ ବଲ୍‌ରୁ ବିଧ୍ୱଂସକାରୀ ଶତକ ହାସଲ କରିଥିଲେ । କୋଚ୍ ଦ୍ରାବିଡ଼ ତାଙ୍କୁ କାହିଁକି ଗୁରୁତ୍ୱ ଦେଇଥିଲେ, ଏହି ଶତକ ତାହାର ବାଖ୍ୟା କରିଥିଲା । ତାଙ୍କର ୧୦୧ ରନ୍‌ର ଇନିଂସ୍ ବଳରେ ରାଜସ୍ଥାନ ସେହି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିଲା । ଏହି ଓପନିଂ ବ୍ୟାଟର୍ ଏ ଯାବତ (ମେ’ ୮ ସୁଦ୍ଧା) ପାଞ୍ଚ ଇନିଂସ୍‌ରେ ୩୧ ଆଭରେଜ୍ ଓ ୨୦୯.୪୫ ଷ୍ଟ୍ରାଇକ୍ ରେଟ୍‌ରେ ୧୫୫ ରନ୍ ରହିଛି, ଯେଉଁଥିରେ ଗୋଟିଏ ଶତକ ରହିଛି । ସେ ୧୬ ଛକା ଓ ୧୦ ଚୌକା ମାରିଛନ୍ତି । ବୈଭବ ଛକା ମାରି ନିଜ ଆଇପିଏଲ୍ କ୍ୟାରିୟର୍ ଆରମ୍ଭ କରିଥିଲେ । ତାଙ୍କ ପାଖରେ ପ୍ରତିଭା ଓ ସାମର୍ଥ୍ୟ ରହିଛି । ସେ ଆଗାମୀ ଦିନରେ ଭାରତୀୟ ଟିମ୍‌ରେ ସୁଯୋଗ ପାଇପାରନ୍ତି ।

ଅଧିକ ପଢ଼ନ୍ତୁ: ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି !

IPL IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ