• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ବକ୍ସିଂକୁ ନେଇ ଦେଖିଥିଲେ ଆଖିଏ ସ୍ୱପ୍ନ । ଇଚ୍ଛା ଥିଲା ଦେଶ ପାଇଁ ଗୌରବ ଆଣିବେ । ମେଡାଲ ପିନ୍ଧି ଛାତି ଚୌଡା ହେବ, ହେଲେ ବିଡମ୍ବନାର ବିଷୟ, ଆଜି ସେଇ ଛାତିରେ ମେଡାଲ ନୁହେଁ, ରହିଛି ସିକ୍ୟୁରିଟି ଗାର୍ଡର ପୋଷାକ । ଜଣେ ବକ୍ସର ଭାବେ ଆଗକୁ ବଢିବାକୁ ଇଚ୍ଛା ରଖିଥିବା ସନ୍ତୋଷ ଭୋଇ ପୁରୀ ବସଷ୍ଟାଣ୍ଡରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ ସେ ଛାଡି ଦେଇଛନ୍ତି କ୍ରୀଡାଭ୍ୟାସ ।

ଏବେ କେବଳ ଯାହା ପୁରୁଣା ମେଡାଲ ଓ ପଦକକୁ ଦେଖି ମନକୁ ବୁଝାଉଛନ୍ତି । ତେଣେ ଜିଲ୍ଲାରେ ବକ୍ସିଂର ଦୁର୍ବଳ ଭିତ୍ତିଭୂମି ସହ ତତ୍କାଳୀନ ନବୀନ ସରକାରଙ୍କ ଉଦାସୀନତା ଓ ପ୍ରୋତ୍ସାହନର ଅଭାବକୁ ଦାୟୀ କରିଛନ୍ତି ସନ୍ତୋଷଙ୍କ କୋଚ୍ । ସେପଟେ ଏନେଇ ଜିଳ୍ଲା କ୍ରୀଡା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲାରୁ ସେ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି । 

ସେପଟେ ରାଉରକେଲାରେ ବି ଅବହେଳିତ ଅବସ୍ଥାରେ ଅଛନ୍ତି ଫିରୋଜ ଆଲାମ । ଜଣେ ଦିବ୍ୟାଙ୍ଗ ଭାବେ ଭାରତ ପାଇଁ ୨୦୦୭ରେ ଚାଇନାର ସାଂଘାଇରେ ଆୟୋଜିତ ସ୍ୱତନ୍ତ୍ର ଅଲିମ୍ପିକ୍ସରେ ସେ ବ୍ରୋଞ୍ଜ ମେଡାଲ ଆଣିଥିଲେ । ହ୍ୟାଣ୍ଡବଲ, କ୍ରିକେଟ୍ ଆଦି ଖେଳରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ପାଇଛନ୍ତି ଅନେକ ପଦକ, ପୁଳା ପୁଳା ସମ୍ମାନ ଓ ସାର୍ଟିଫିକେଟ୍ । ସାଉଁଟିଛନ୍ତି ଅନେକ ସ୍ମୃତି, ହେଲେ ସରକାରଙ୍କ ମାନସପଟରୁ ସତେ ଯେମିତି ଗାଏବ ହୋଇଯାଇଛନ୍ତି ଫିରୋଜ ।

ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସରେ କେବଳ ସମ୍ମାନିତ କରି ଚୁପ୍ ବସିଯାଏ ପ୍ରଶାସନ, କିନ୍ତୁ ସୁବିଧା ବାବଦକୁ ମିଳୁନି କିଛି । ବଡ଼ କଷ୍ଟରେ ପରିବାର ନେଇ ଚଳୁଥିବା ଫିରୋଜ ସରକାରୀ ଯୋଜନାର କାଣିଚାଏ ଲାଭ ଉଠାଇ ପାରୁନଥିବା କ୍ଷୋଭର ସହ କହିଛନ୍ତି । ନା ରାସନ କାର୍ଡ ଅଛି, ନା ଘର । ପୂର୍ବ ସରକାର ଅମଳରେ କିଛି ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତେଣେ ଏନେଇ ପାନପୋଷ ଉପଜିଲ୍ଲାପାଳ କହିଛନ୍ତି, ସରକାରୀ ସୁବିଧା ସେ କିଭଳି ପାଇବେ, ସେନେଇ ପଦକ୍ଷେପ ନିଆଯିବ । 

ଆଜି ହେଉଛି ଜାତୀୟ କ୍ରୀଡା ଦିବସ । କିମ୍ବଦନ୍ତୀ ହକି ଖେଳାଳି ସ୍ୱର୍ଗତ ମେଜର ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇ ସାରା ଦେଶ ଏହି ଦିବସକୁ ପାଳନ କରୁଛି । ସେପଟେ କିନ୍ତୁ ପ୍ରୋତ୍ସାହନ ଅଭାବରୁ ଆଜିବି ଅଣଦେଖା ଅବସ୍ଥାରେ ରହୁଛନ୍ତି ଅନେକ ପ୍ରତିଭାବାନ୍ ଖେଳାଳି । 

 

  • Reported by:
  • PRADEEP MAHANTY , PAWAN TIWARI

OTV is now on Whatsapp

Join and get latest news update delivered to you via whatsapp

Join Now