/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700030488.jpg)
Mumbai Police received threat before semi-final match
ଆଜି ସେମିଫାଇନାଲ ଲଢ଼େଇ । ନ୍ୟୁଜିଲାଣ୍ତ ଓ ଭାରତ ମଧ୍ୟରେ ବିଶ୍ୱକପରେ ସେମି ଟକ୍କର । ଯିଏ ଜିତିବ ଫାଇନାଲରେ ସ୍ଥାନ ପକ୍କା କରିବ । ଏନେଇ ଦର୍ଶକ ଓ ଖେଳାଳି ଉଭୟ ଉତ୍ସାହିତ । ତେବେ ଏହାରି ମଧ୍ୟରେ ଧମକ ପୂର୍ଣ୍ଣ ଟ୍ୱିଟ ମୁମ୍ବାଇ ପୋଲିସର ନିଦ ହଜାଇ ଦେଇଛି ।
ଭାରତ ନ୍ୟୁଜିଲାଣ୍ତ ମ୍ୟାଚ ପୂର୍ବରୁ ସୋସିଆଲ ମିଡ଼ିଆ X ରେ ଧମକପୂର୍ଣ୍ଣ ଟ୍ୱିଟ । ମୁମ୍ବାଇ ପୋଲିସର ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ କରି ଧମକ ଦେଇଛି ସନ୍ଦିଗ୍ଧ । ୱାଙ୍ଖଡେ ଷ୍ଟାଡିୟମରେ ବଡ଼ ଧରଣର ଅଘଟଣର ଚେତାବନୀ ମିଳିଛି । ବନ୍ଧୁକ, ଗୁଳି ଓ ହ୍ୟାଣ୍ତ ଗ୍ରେନେଡ ସହ ମୁମ୍ବାଇ ପୋଲିସର X ଆକାଉଣ୍ଟକୁ ଟ୍ୟାଗ କରିଛି ସନ୍ଦିଗ୍ଧ ।
ତେବେ ଆକାଉଣ୍ଟର ପ୍ରକୃତ ସୋର୍ସ କେଉଁଠି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ଏଭଳି ଧମକପୂର୍ଣ୍ଣ ଟ୍ୱିଟ ପାଇବା ପରେ ୱାଙ୍ଖଡେରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆ ଯାଇଛି । ଯେକୌଣସି ବଡ଼ ଅଘଟଣ ପାଇଁ ପୋଲିସ ପ୍ରସ୍ତୁତ ରହିଛି । ସୂଚନା ଯୋଗ୍ୟ ମ୍ୟାଚ ଅପରାହ୍ନ ଦୁଇଟାରେ ଆରମ୍ଭ ହେବ ।
ଏଥିପାଇଁ ଉଭୟ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯଦି ସଂଖ୍ୟା ଗଣିତରେ ନଜର ପକା ଯାଏ ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସେମି ଫାଇନାଲରେ ତିନିଥର ବିଜୟ ଓ ଚାରି ଥର ପରାଜିତ ହୋଇଛି । ଗତ ବିଶ୍ୱକପରେ ନ୍ୟୁଜିଲାଣ୍ତ, ଭାରତକୁ ସେମିଫାଇନାଲରେ ହରାଇ ଦେଇଥିଲା । ଚଳିତ ଥର ଭାରତ ମଧୁର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।
ଭାରତୀୟ ଦଳର ସମସ୍ତ ଖେଳାଳି ଚମତ୍କାର ଫର୍ମରେ ରହିଛନ୍ତି । ବ୍ୟାଟରଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି, ଶୁବମାନ ଗିଲ, ଶ୍ରେୟାସ ଆୟର, କେଏଲ ରାହୁଲ ସମସ୍ତେ ଭଲ ପ୍ରଦର୍ଶନ ଦେଇ ଆସିଛନ୍ତି । ସେହିପରି ବୋଲରଙ୍କ ମଧ୍ୟରେ ଜଶପ୍ରୀତ ବୁମରା, ମହମ୍ମଦ ଶାମୀ ଓ ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ମଧ୍ୟ ବେଶ ଉଚ୍ଚକୋଟୀର ରହିଛି । ଏଣୁ ଆଜିର ମ୍ୟାଚ ପାଇଁ ଭାରତ ନିହାତି ଭାବରେ ପ୍ରମୁଖ ଦାବିଦାର ରୂପେ ଉଭା ହୋଇଛି ।
ତେବେ ନ୍ୟୁଜିଲାଣ୍ତକୁ ମଧ୍ୟ ଡାର୍କ ହର୍ସ କୁହାଯାଏ । ବିଶ୍ୱର ଯେକୌଣସି ଦଳକୁ ହରାଇବାର କ୍ଷମତା ନ୍ୟୁଜିଲାଣ୍ତ ପାଖରେ ରହିଛି । ଭାରତ ବିପକ୍ଷ ମ୍ୟାଚରେ ଦଳ ନିଜର ସବୁ ଶକ୍ତି ଲଗାଇ ଜିତିବାକୁ ଚେଷ୍ଟା କରିବ ବୋଲି ଅଧିନାୟକ କେନ ୱିଲିୟମସନ୍ କହି ସାରିଛନ୍ତି । ମୋଟ ଉପରେ ଯେଉଁ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେବ, ସିଏ ଫାଇନାଲ ଖେଳିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)