ଫ୍ୟାନ୍ସଙ୍କ ପାଇଁ ଆଉ ଏକ ସିଜନ୍‌ ଖେଳିବେ ମାହି

ଶାରିରୀକ ଭାବେ ଫିଟ୍ ହେବା ପରେ ପୁଣି ଥରେ ଆଉ ଏକ ସିଜନ୍ ଖେଳିବେ ବୋଲି କହିଛନ୍ତି MSD ।

ମହେନ୍ଦ୍ର ସିଂ ଧୋନି

ପୁଣି ଧୋନି..ଧୋନି..ଧ୍ୱନିରେ କମ୍ପିବ ଷ୍ଟାଡିୟମ । କାହିଁକି ନା ଅବସର ନେବେନି କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି । ଗତକାଲି ଚେନ୍ନାଇ ଫାଇନାଲ ଜିତିବା ପରେ ଖୋଦ୍ ମହେନ୍ଦ୍ର ସିଂ ଧୋନି ଏନେଇ ସ୍ପଷ୍ଟ କରିଛନ୍ତି । ଚେନ୍ନାଇ ପ୍ରତି ଫ୍ୟାନଙ୍କ ବଢ଼ୁଥିବା ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ଏକ ଆଇପିଏଲ୍ ସିଜନ୍ ଖେଳିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୬ରୁ ୭ ମାସ ମଧ୍ୟରେ ସେ ଏଥିପାଇଁ ନିଜକୁ ପ୍ରସ୍ତୁତ କରିବେ ବୋଲି ଗତକାଲିରେ ପ୍ରେଜେଣ୍ଟେସନ୍‌ ସେରିମନିରେ କହିଛନ୍ତି ।

ଶାରିରୀକ ଭାବେ ଫିଟ୍ ହେବା ପରେ ପୁଣି ଥରେ ଆଉ ଏକ ସିଜନ୍ ଖେଳିବେ ବୋଲି କହିଛନ୍ତି MSD । ଗତ କିଛି ଦିନ ଧରି ଧୋନି ଅବସର ନେବା ନେଇ ଚର୍ଚ୍ଚା ହେଉଥିଲା । ଏହା ତାଙ୍କ ଶେଷ ଆଇପିଏଲ ବୋଲି ଖବର ପ୍ରକାଶ ହେଉଥିଲା । ତେବେ ଏସବୁରେ ବିରାମ ଲଗାଇଛନ୍ତି ମାହି । ଆଇପିଏଲରେ ପ୍ରଥମ ସିଜନରୁ ଚେନ୍ନାଇ ସହ ଜଡ଼ିତ ରହିଛନ୍ତି ଧୋନି । ତାଙ୍କ ନେତୃତ୍ବରେ CSK ଟୁର୍ଣ୍ଣାମେଣ୍ଟର ସବୁଠୁ ଶକ୍ତିଶାଳୀ ଟିମ୍ ହେବା ସହ ୫ଥରର ବିଜୟୀ ହୋଇପାରିଛି ।

ଅଧିକ ପଢ଼ନ୍ତୁ: ଚାମ୍ପିୟନ ହେଲା ପରେ ବି ଚାହର୍‌ଙ୍କ ଉପରେ ରାଗିଗଲେ ଧୋନି, କାହିଁକି ?

ଗତ କିଛି ସିଜନ୍‌ରେ ଧୋନିଙ୍କ ଅବସର କଥା ଚର୍ଚ୍ଚା ହେଉଥିବା ବେଳେ ଧୋନି କିନ୍ତୁ ଏହାକୁ ନିଜ ଅନ୍ଦାଜରେ ଏଡ଼ାଇ ଦେଇଛନ୍ତି । କେତେବେଳେ ‘ଡେଫିନେଟଲି ନଟ୍‌’ କହି ତ କେତେବେଳେ କ୍ୟାରିୟର୍‌ର ଶେଷ ମ୍ୟାଚ୍‌ ଚେପକ୍‌ରେ ଖେଳିବେ ବୋଲି କହି ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି । ଧୋନି କାଲି ମ୍ୟାଚ୍‌ର ପ୍ରେଜେଣ୍ଟେସନ୍‌ ସେରିମନିରେ କହିଛନ୍ତି ଯେ, ‘ଏହି ସମୟଟି ସଠିକ୍‌ ସମୟ ଅବସର ଘୋଷଣା କରିବା ପାଇଁ । କିନ୍ତୁ ଚଳିତ ସିଜିନ୍‌ରେ ଫ୍ୟାନ୍ସଙ୍କଠୁ ମୁଁ ଯେତିକି ଭଲ ପାଇବା ପାଇଛି, ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । କିନ୍ତୁ ପୁଣିଥରେ ପରିଶ୍ରମ କରି ନିଜକୁ ଫିଟ୍‌ ରଖି ଆଉ ଏକ ସିଜିନ ଖେଳିବା, ତାହା ଟିକେ କଷ୍ଟଦାୟକ । କିନ୍ତୁ ମୋ ପାଖରେ ୮ରୁ ୯ ମାସ ସମୟ ଅଛି, ନିଷ୍ପତ୍ତି ନେବା ପାଇଁ । ଏହା ମୋ ଫିଟନେସ୍‌ ଉପରେ ନିର୍ଭର କରୁଛି । ଯେହେତୁ ମୁଁ ମୋ କ୍ୟାରିୟର୍‌ର ଶେଷ ସମୟରେ ଗତି କରୁଛି, ତେବେ ପ୍ରତିଟି ମ୍ୟାଚ୍‌କୁ ମଜା ଉଠାଇବା ମୋ ପାଇଁ ଭଲ ହେବ’ ।

ଗତକାଲି ଗୁଜରାଟ ଟଇଟନ୍ସକୁ ୫ ୱିକେଟରେ ମାତ ଦେଇଛି ଚେନ୍ନାଇ ସୁପରକିଙ୍ଗ୍ସ । ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିତି ମହେନ୍ଦ୍ର ସିଂ ଧୋନୀ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ କରିଥିଲା । ତେବେ ବର୍ଷା ବାଧକ ସାଜିବା ପରେ DL ମେଥଡ୍ ଅନୁସାରେ ଚେନ୍ନାଇ ଲାଗି ୧୫ ଓଭରରେ ୧୭୧ ରନର ଟାର୍ଗେଟ ରହିଥିଲା । ପ୍ରତିଟି ଓଭର, ପ୍ରତିଟି ବଲ୍ ଗତକାଲି ନିର୍ଣ୍ଣାୟକ ଥିଲା । ମୋହିତ ଶର୍ମାଙ୍କ ଦୁଇଟି ୱିକେଟ୍ ସମ୍ପୂର୍ଣ୍ଣ ମ୍ୟାଚକୁ ଗୁଜରାଟ ପଟକୁ କରି ଦେଇଥିଲା । ଏପରିକି ଧୋନି ଡକ୍‌ ଆଉଟ୍ ହେବା ପରେ ଚେନ୍ନାଇର ହାର୍ ଏକପ୍ରକାର ସୁନିଶ୍ଚିତ ବୋଲି ଆକଳନ କରାଯାଉଥିଲା । କିନ୍ତୁ ରବୀନ୍ଦ୍ର ଜାଡ଼େଜା ସବୁ କିଛି ବଦଳାଇ ଦେଇଥିଲେ । ଶେଷ ଦୁଇଟି ବଲରେ ବିଜୟର ମୁକୁଟ ପିନ୍ଧାଇଥିଲେ ସାର୍ ଜାଡ଼େଜା । ଶେଷ ଦୁଇଟି ବଲରେ ଛକା ଓ ଚୌକା ମାରି ଟିମକୁ ପଞ୍ଚମ ଥର ପାଇଁ ଚାମ୍ପିଅନ କରାଇଥିଲେ ।