ଭାରତର ପ୍ରଖ୍ୟାତ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ତାଙ୍କ ଦୀର୍ଘ କ୍ୟାରିଅର୍ରେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେଥିମଧ୍ୟରୁ ଅଲିମ୍ପିକ୍ ପଦକ ହାସଲ ବିଶେଷ ଗୁରୁତ୍ୱ ରଖେ। ଆଜି ବି ତାଙ୍କର ସେହି ଗୌରବୋଜ୍ଜ୍ୱଳ ଉପଲବ୍ଧିକୁ ସ୍ମରଣ କରାଯାଏ।
ପେସ୍ ଟେନିସ୍ରେ ଦେଶ ପକ୍ଷରୁ ପ୍ରଥମ ଅଲିମ୍ପିକ୍ ପଦକ ଜିତିଥିଲେ। ଆଟ୍ଲାଣ୍ଟା ଅଲିମ୍ପିକ୍ସ ୧୯୯୬ରେ ତାଙ୍କର କାଂସ୍ୟ ପଦକ ବିଜୟ ଅପ୍ରତ୍ୟାଶିତ ଓ ଐତିହାସିକ ଥିଲା। ତାଙ୍କ ପରେ ଏ ଯାବତ ଅନ୍ୟ କୌଣସି ଭାରତୀୟ ଖେଳାଳି ଟେନିସ୍ରେ ଅଲିମ୍ପିକ୍ ପଦକ ଜିତିପାରି ନାହାନ୍ତି।
‘ଜୋନ୍’ରେ ପହଞ୍ଚିଥିଲେ ପେସ୍:
ବେଳେବେଳେ ଏମିତି ସମୟ ଆସିଥାଏ ଯେତେବେଳେ ଗ୍ରହ-ନକ୍ଷତ୍ର ଉଚିତ ସନ୍ତୁଳନରେ ଥା’ନ୍ତି ଏବଂ ଆଥ୍ଲେଟ୍ କୌଣସି ତ୍ରୁଟି କରନ୍ତିନି। ଯାହାକୁ ସାଧାରଣତଃ ‘ଜୋନ୍’ କୁହାଯାଏ, ଆଟ୍ଲାଣ୍ଟା କ୍ରୀଡ଼ାରେ ପେସ୍ ତାହାର ଅନୁଭବ କରିଥିଲେ।
Also Read
କାଂସ୍ୟ ପଦକ ମ୍ୟାଚ୍ ବିଷୟରେ ପେସ୍ କହିଛନ୍ତି, “ପ୍ରଥମ ସେଟ୍ ହାରିବା ପରେ ଯେତେବେଳେ ମୁଁ ଦ୍ୱିତୀୟ ସେଟ୍ରେ ୧-୨ ଓ ୩୦-୪୦ରେ ସର୍ଭିସ୍ କରୁଥିଲି, ସେତେବେଳେ କିଛି ଯାଦୁ ହୋଇଥିଲା। ମୁଁ ସେହି ସ୍ଥିତିରେ ପହଞ୍ଚିଥିଲି, ଯାହାକୁ ଆଥ୍ଲେଟ୍ମାନେ ‘ଜୋନ୍’ କହନ୍ତି, ଯେଉଁଠି ଆପଣଙ୍କର ମନେ ରହେ ନାହିଁ ଯେ ସେହି ଅବଧିରେ କ’ଣ ଘଟିଥିଲା।”
ଏହି ମ୍ୟାଚ୍ରେ ପେସ୍ ବ୍ରାଜିଲ୍ର ଫର୍ଣ୍ଣାଣ୍ଡୋ ମେଲିଗେନିଙ୍କ ବିପକ୍ଷରେ ଗୋଟିଏ ସେଟ୍ରେ ପଛରେ ଥିଲେ ଏବଂ ଦ୍ୱିତୀୟ ସେଟ୍ରେ ବ୍ରେକ୍-ପଏଣ୍ଟ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ।
ତେବେ ଭାରତୀୟ ଖେଳାଳି ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଶେଷରେ ୩-୬, ୬-୨, ୬-୪ ସେଟ୍ରେ ବିଜୟୀ ହୋଇ ଟେନିସ୍ରେ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ତଥା ଏସୀୟ ହେବାର ଗୌରବ ଅର୍ଜନ କରିଥିଲେ। ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୨୨ ବର୍ଷ ବୟସ।
୪୪ ବର୍ଷ ମଧ୍ୟରେ ଭାରତର ପ୍ରଥମ ବ୍ୟକ୍ତିଗତ ପଦକ:
ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ୪୪ ବର୍ଷ ମଧ୍ୟରେ ପେସ୍ଙ୍କ କାଂସ୍ୟ ବିଜୟ ଦେଶର ପ୍ରଥମ ବ୍ୟକ୍ତିଗତ ପଦକ ଥିଲା। ଏତଦ୍ଭିନ୍ନ, ଆଟ୍ଲାଣ୍ଟା କ୍ରୀଡ଼ାରେ ଭାରତ ଏହି ଗୋଟିଏ ପଦକହିଁ ଜିତିଥିଲା।
ଷ୍ଟୋନ୍ ମାଉଣ୍ଟେନ୍ ଟେନିସ୍ ସେଣ୍ଟର ଠାରେ ଆୟୋଜିତ ଏହି ମ୍ୟାଚ୍ ବିଷୟରେ ପେସ୍ ଆହୁରି ମଧ୍ୟ କହିଛନ୍ତି, “ଯେତେବେଳେ ମୁଁ ବ୍ରେକ୍-ପଏଣ୍ଟ ବଞ୍ଚାଇଲି, ସେହି ଗେମ୍କୁ ୨-୨ରେ ଜିତିଲି, ଦ୍ୱିତୀୟ ସେଟ୍ ଜିତିଲି ଏବଂ ତୃତୀୟ ସେଟ୍ରେ ୫-୪ ସ୍କୋର୍ରେ ସର୍ଭିସ୍ କରୁଥିଲି, ସେତେବେଳେ ମୁଁ ଏକ ଜୋନ୍ରେ ପହଞ୍ଚି ଯାଇଥିଲି। ମୋର ସେହି ପଏଣ୍ଟ ବି ମନେ ନାହିଁ, କାରଣ ମୁଁ ଖେଳରେ ବହୁତ ଅଧିକ ମଗ୍ନ ଥିଲି। ଏଥିପାଇଁ ମୁଁ ଏକ ରହସ୍ୟମୟ ଓ ଯାଦୁକରୀ ଅଭିଜ୍ଞତା ବିଷୟରେ କହୁଛି।”
ଏହି ଟେନିସ୍ ଲିଜେଣ୍ଡଙ୍କ କହିବାନୁଯାୟୀ ଯେତେବେଳେ ଆପଣ ୧୪୦ କୋଟି ଲୋକଙ୍କ ପାଇଁ ଖେଳନ୍ତି, ଯେତେବେଳେ ଡେଭିସ୍ କପ୍ କି ଅଲିମ୍ପିକ୍ସ ଖେଳିବାକୁ ଯାଆନ୍ତି, ସେତେବେଳେ ଏକ ଭିନ୍ନ ଅନୁଭବ ଆସିଥାଏ।
ପେସ୍ ଆଟ୍ଲାଣ୍ଟା କ୍ରୀଡ଼ାରେ ୱାଇଲ୍ଡକାର୍ଡ ଏଣ୍ଟ୍ରି କରିଥିଲେ। ସେତେବେଳେ ତାଙ୍କ ବିଶ୍ୱ ମାନ୍ୟତା ୧୨୬ ଥିଲା। ସେମିଫାଇନାଲ୍ ଓ କାଂସ୍ୟ ପଦକ ମ୍ୟାଚ୍ ମଧ୍ୟରେ ଥିବା ବିରତି ଦିନରେ ଯନ୍ତ୍ରଣାବଶତଃ ତାଙ୍କ ମଣିବନ୍ଧକୁ ପ୍ଲାଷ୍ଟରରେ ବନ୍ଧା ଯାଇଥିଲା। ଭାରତୀୟ ଖେଳାଳି କେବଳ ଯନ୍ତ୍ରଣାରୁ ମୁକୁଳି ନ ଥିଲେ, ଗୋଟିଏ ସେଟ୍ରେ ପଛରେ ରହିବା ପରେ ପ୍ରତ୍ୟାବର୍ତ୍ତନ କରି କାଂସ୍ୟ ପଦକ ମ୍ୟାଚ୍ ବି ଜିତିଥିଲେ।
ଆଟ୍ଲାଣ୍ଟା ପାଇଁ ବିଶେଷ ପ୍ରସ୍ତୁତି ଓ ଯାଦୁକରୀ ଅନୁଭବ:
ପେସ୍ ଆଟ୍ଲାଣ୍ଟାର ପାଣିପାଗ ଓ କୋର୍ଟ ସହ ଉପଯୋଜିତ ହେବା ପାଇଁ ବିଶେଷ ପ୍ରସ୍ତୁତି କରିଥିଲେ। ତାଙ୍କ କହିବାନୁଯାୟୀ ବାର୍ସିଲୋନା ଅଲିମ୍ପିକ୍ସ ୧୯୯୨ ଶେଷ ହେବା ପରେ ସେ ଆଟ୍ଲାଣ୍ଟା କ୍ରୀଡ଼ା ପାଇଁ ଚାରି ବର୍ଷ ଧରି ବିଶେଷ ପ୍ରସ୍ତୁତି କରିଥିଲେ।
ସେ ପ୍ରୋ ଟୁର୍ରୁ ସମୟ କାଢ଼ି ଏଭଳି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ, ଯେଉଁଥିରେ କୋର୍ଟର ଉଚ୍ଚତା ଅଧିକ ଥିଲା। ସେ ଦକ୍ଷିଣ ଆମେରିକାର ସମସ୍ତ ଉଚ୍ଚ ହାର୍ଡକୋର୍ଟରେ ଖେଳିଥିଲେ।
ଡ୍ର’ ନ ଥିଲା ଅନୁକୂଳ:
ତେବେ ଅଲିମ୍ପିକ୍ସ ପାଇଁ ଆଟ୍ଲାଣ୍ଟାରେ ପହଞ୍ଚିବା ପରେ ପେସ୍ ଜାଣିବାକୁ ପାଇଥିଲେ ଯେ ଡ୍ର’ ତାଙ୍କ ପାଇଁ ସେତେ ଅନୁକୂଳ ନ ଥିଲା। ସେ ପ୍ରଥମ ରାଉଣ୍ଡରେ ବଡ଼ ଖେଳାଳି ଆମେରିକାର ପିଟ୍ ସାମ୍ପ୍ରସ୍କୁ ଭେଟିବାର ଥିଲା, ଯିଏ ସେତେବେଳକୁ ବିଶ୍ୱର ଏକ ନମ୍ବର ସ୍ଥାନରେ ପହଞ୍ଚି ସାରିଥାଆନ୍ତି।
ପେସ୍ଙ୍କ ସମକାଳୀନ ଖେଳାଳିମାନେ ତାଙ୍କ ପିଠି ଥାପୁଡ଼ାଉଥିଲେ ଏବଂ କହୁଥିଲେ ଯେ ଏହା ଏକ କଠିନ ମୁକାବିଲା। କିନ୍ତୁ ତାଙ୍କୁ ଲାଗୁଥିଲା ଯେ ଆଟ୍ଲାଣ୍ଟାରେ କିଛି ଯାଦୁ ଅଛି। ପ୍ରକୃତରେ ସେମିତି ହିଁ କିଛି ଘଟିଥିଲା।
କିଛି ଯାଦୁକରୀ ଓ ରହସ୍ୟମୟ କଥା:
ଏହି ଅଲିମ୍ପିଆନ୍ କହିଛନ୍ତି, “କିଛି ଯାଦୁକରୀ ଓ ରହସ୍ୟମୟ କଥା ଥିଲା, ଯାହାକୁ ଶବ୍ଦରେ ବଖାଣିବା ବହୁତ କଷ୍ଟ। ପିଟ୍ ସାମ୍ପ୍ରସ୍ ଓହରି ଯାଇଥିଲେ ଏବଂ ତାଙ୍କ ସ୍ଥାନରେ ରିଚି ରେନବର୍ଗ (ଅନ୍ୟତମ ଆମେରିକୀୟ) ଆସିଥିଲେ, ଯିଏକି ବିଶ୍ୱ ମାନ୍ୟତାର ଶୀର୍ଷ-୨୦ ମଧ୍ୟରେ ଥିଲେ। ମୁଁ ତାଙ୍କୁ ହରାଇଥିଲି।”
ପେସ୍ ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିବା ପରେ ଦ୍ୱିତୀୟ ରାଉଣ୍ଡରେ ଭେନେଜୁଏଲାର ନିକୋଲାସ୍ ପେରେରାଙ୍କୁ ୬-୨, ୬-୩ରେ ସହଜରେ ହରାଇଥିଲେ। ସେ ତୃତୀୟ ରାଉଣ୍ଡରେ ସ୍ୱିଡେନ୍ର ଥୋମାସ୍ ଏଙ୍କଭିଷ୍ଟଙ୍କ ବିପକ୍ଷରେ ୭-୫, ୭-୬ (୭-୩)ରେ ବିଜୟ ହାସଲ କରିଥିଲେ। ଏହାପରେ କ୍ୱାର୍ଟର୍-ଫାଇନାଲ୍ରେ ଇଟାଲୀର ରେଞ୍ଜୋ ଫୁରଲାନ୍ଙ୍କୁ ୬-୧, ୭-୫ରେ ମାତ୍ ଦେଇଥିଲେ।
କିନ୍ତୁ ପେସ୍ ସେମିଫାଇନାଲ୍ରେ କଡ଼ା ସଂଘର୍ଷ ସତ୍ତ୍ୱେ ଅନ୍ୟତମ ବଡ଼ ଖେଳାଳି ଆନ୍ଦ୍ରେ ଆଗାସୀଙ୍କ ବିପକ୍ଷରେ ବିପର୍ଯ୍ୟୟ ଘଟାଇବାରେ ବିଫଳ ହୋଇଥିଲେ। ଆମେରିକୀୟ ତାରକା ୭-୬ (୭-୫), ୬-୩ରେ ବିଜୟୀ ହୋଇଥିଲେ।
ସାତ ଥର ଅଲିମ୍ପିକ୍ ଖେଳିଥିବା ପେସ୍ଙ୍କ କହିବାନୁଯାୟୀ ସେତେବେଳେ ଯାହା ସେ ଅନୁଭବ କରିଥିଲେ, ତାହାକୁ ପ୍ରକାଶ କରିବାର ପ୍ରୟାସ ସମୟରେ ତାଙ୍କ ଲୋମ ଟାଙ୍କୁରି ଉଠେ, ଏପରିକି ଏକ ଉଷ୍ଣ କୋଠରିରେ ମଧ୍ୟ।
୨୮ ବର୍ଷ ରେ ପୁଣି ମଇଦାନରେ:
ଏବେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ୨୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛନ୍ତି ଭାରତୀୟ ଟେନିସ୍ ଖେଳାଳି। ଏହି କ୍ରୀଡ଼ାରେ ଭାରତର ତିନିଜଣିଆ ଟେନିସ୍ ଦଳ ପ୍ରତିନିଧିତ୍ୱ କରୁଛି। ପୁରୁଷ ଯୁଗଳରେ ପୂର୍ବରୁ ଦୁଇ ଥର ଅଲିମ୍ପିକ୍ସ ଖେଳିସାରିଥିବା ରୋହନ ବୋପନ୍ନାଙ୍କ ଯୋଡ଼ିଦାର ଭାବେ ଏନ୍. ଶ୍ରୀରାମ ବାଲାଜୀ ଥିବା ବେଳେ ପୁରୁଷ ଏକକରେ ସୁମିତ ନାଗଲ ରହିଛନ୍ତି।
ନିକଟରେ ଆନ୍ତର୍ଜାତିକ ଟେନିସ୍ ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଥିବା ପେସ୍ଙ୍କ ଭଳି ଯାଦୁକରୀ ପ୍ରଦର୍ଶନ କରିବା ସହଜ ନୁହେଁ, ଏ କଥା ଭେଟେରାନ୍ ବୋପନ୍ନା ଓ ଯୁବ ଖେଳାଳି ନାଗଲ ଭଲ ଭାବେ ଜାଣନ୍ତି। କିନ୍ତୁ କିଛି ବି ଅସମ୍ଭବ ନୁହେଁ। ପେସ୍ଙ୍କ ସଫଳତାର ପୁନରାବୃତ୍ତି ହୋଇପାରିବ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)