ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଦଳକୁ ଫେରିଲେ ରୋହିତ ଓ ବିରାଟ

ଘୋଷଣା ହୋଇଥିବା ୧୬ ଟିମ୍‌ରେ ଶୁବମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ ସ୍ଥାନ ପାଇଛନ୍ତି। ସେହିପରି ୨ ୱିକେଟ କିପର ଜିତେଶ ଶର୍ମା, ସଂଜୁ ସାମସନ୍ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।

India Squad For Afghanistan

ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ୧୩ ମାସ ପରେ ଟି-ଟ୍ୱେଣ୍ଟି ଦଳକୁ ଫେରିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି। ଏହି ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ଭାର ତୁଲାଇବେ। ୨୦୨୨ ଟି-୨୦ ବିଶ୍ୱକପ୍‌ ପରଠାରୁ ରୋହିତ ଶର୍ମା ଓ ବିରାଟ କୋହଲି କୌଣସି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳି ନାହାନ୍ତି। ତେବେ ଆଫଗାନିସ୍ତାନ ସିରିଜ୍‌ ପୂର୍ବରୁ ଟି-୨୦ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏହି ଦୁଇ ଖେଳାଳି।

ତେବେ ଘୋଷଣା ହୋଇଥିବା ୧୬ ଟିମ୍‌ରେ ଶୁବମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ ସ୍ଥାନ ପାଇଛନ୍ତି। ସେହିପରି ୨ ୱିକେଟ କିପର ଜିତେଶ ଶର୍ମା, ସଂଜୁ ସାମସନ୍ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ୩ ପେସର ଅର୍ଶଦୀପ ସିଂ, ଅଭେଶ ଖାନ୍ ଓ ମୁକେଶ କୁମାରଙ୍କ ସହ ସ୍ପିନର ରବି ବିଷ୍ଣୋୟୀ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ ଓ କୁଳଦୀପ ଯାଦବ ମଧ୍ୟ ଟିମରେ ଅଛନ୍ତି। ସେହିପରି ଆହତ କାରଣରୁ ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ବାଦ୍‌ ପଡ଼ିଛନ୍ତି।

ସୂଚନା ଅନୁସାରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଜାନୁଆରୀ ୧୧ରେ ଖେଳିବ ଭାରତ। ସେହିପରି ଜାନୁଆରୀ ୧୪ରେ ଦ୍ୱିତୀୟ ମ୍ୟାଚ୍‌ ଓ ଜାନୁଆରୀ ୧୭ରେ ଶେଷ ମ୍ୟାଚ୍‌ ଖେଳାଯିବ। ଜୁନ୍‌ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଏହା ଭାରତ ପାଇଁ ଶେଷ ଦ୍ୱିପାକ୍ଷିକ ସିରିଜ୍‌।