ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ କିଶୋର ଜେନା । ହାଙ୍ଗଝୌ ଏସିଆନ୍ ଗେମସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତି ରେକର୍ଡ କରିଛନ୍ତି । ଏସିଆନ୍ ଗେମ୍ସରେ ପ୍ରଥମ ଓଡ଼ିଆ ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ସିଲଭର ପଦକ ପାଇଛନ୍ତି ପୁରୀ ବ୍ରହ୍ମଗିରିର ଏହି ଆଥଲେଟ୍ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ନିଜର ସ୍ୱତନ୍ତ୍ର ଛାପ ଛାଡିଥିବା କିଶୋର ଆଜି ଜାଭେଲିନ୍ ଥ୍ରୋ ଇଭେଣ୍ଟ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।
ପ୍ରଥମ ପ୍ରୟାସରେ ସେ ୮୧ ଦଶମିକ ୨୬ ମିଟର, ଦ୍ୱିତୀୟରେ ୭୯ ଦଶମିକ ୭୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ ତୃତୀୟ ଉଦ୍ୟମରେ ୮୬ ଦଶମିକ ୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ଏହା ଥିଲା ତାଙ୍କର ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ତେବେ ଚତୁର୍ଥ ପ୍ରୟାସରେ ସେ ୮୭ ଦଶମିକ ୫୪ ମିଟର ଫିଙ୍ଗି ଏହି ରେକର୍ଡଙ୍କୁ ଭାଙ୍ଗିଥିଲେ କିଶୋର । ତେବେ ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ୮୮ ଦଶମିକ ୮୮ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
Also Read
ସେପଟେ ଖୁସିରେ ଉଛୁଳି ଉଠୁଛି ପୁରୀ ବ୍ରହ୍ମଗିରିର କୋଠସାହି ଗାଁ। ଏଇ ଗାଁର ପୁଅ ଆଜି ଦେଶର ଟେକ ରଖିଛି ଚୀନ ମାଟିରେ । କିଶୋର ଜେନାଙ୍କୁ ନେଇ ଗର୍ବ କରୁଛି ଜନ୍ମମାଟି । ହାଙ୍ଗ୍ଜୋ ଏସିଆଡରେ ଜାଭେଲିନ୍ ଥ୍ରୋ ଚୂଡ଼ାନ୍ତ ପ୍ରତିଯୋଗିତା ଚାଲିଥିବା ବେଳେ, ଉତ୍ସୁକତାର ସହ ଅନାଇ ରହିଥିଲେ ସମସ୍ତେ । ଆଉ କିଶୋର ସମସ୍ତଙ୍କୁ ଚମକାଇ ଦେଇ ରୌପପଦକ ଜିତିବା ପରେ ଖୁସିରେ ଝୁମୁଛି ପୂରା ଗାଁ । ପରିବାର ଲୋକେ ଖୁସିରେ ଆତ୍ମହରା ହୋଇଥିବା ବେଳେ, କିଶୋରଙ୍କ ମାଆଙ୍କ ଆଖିରେ ଆନନ୍ଦର ଅଶ୍ରୁ ।
ଉଭୟ ପଦକ ସଂଖ୍ୟା ଓ ସର୍ଣ୍ଣ ଜିତିବାରେ ରେକର୍ଡ କରିଛନ୍ତି ଭାରତୀୟ ଆଥଲେଟ୍। ଆଜି ପ୍ରତିଯୋଗିତାର ଏକାଦଶ ଦିନ ସୁଦ୍ଧା ଭାରତ ଖାତାକୁ ଆସିଛି ମୋଟ ୧୮ଟି ସ୍ୱର୍ଣ୍ଣ ପଦକ। ସେହିଭଳି ୩୧ ରୌପ୍ୟ ଓ ୩୨ ବ୍ରୋଞ୍ଜ ସହ ମୋଟ୍ ପଦକ ସଂଖ୍ୟା 81 ଛୁଇଁଛି। ଯାହାକି ଏସିଆଡରେ ଭାରତ ପାଇଁ ସର୍ବଶ୍ରେଷ୍ଠ ରେକର୍ଡ। ଏହା ପୂର୍ବରୁ ୨୦୧୮ ଜାକର୍ତ୍ତା ଏସିଆଡରେ ଭାରତ ମୋଟ ୧୬ଟି ସ୍ୱର୍ଣ୍ଣ ସହ ମୋଟ ୭୦ଟି ପଦକ ଜିତିଥିଲେ ଭାରତୀୟ ଆଥଲେଟ୍ ।
ଏକାଦଶ ଦିନରେ ଆଜି ୪x୪୦୦ ପୁରୁଷ ରିଲେରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ସେହିଭଳି ଜାଭେଲିନରେ ନୀରଜ ଚୋପ୍ରା ମଧ୍ୟ ସ୍ୱର୍ଣ୍ଣ ପଦକ ବଜାୟ ରଖିଛନ୍ତି। ଆର୍ଚେରୀ କମ୍ପାଉଣ୍ଡ ମିକ୍ସରେ ସ୍ୱର୍ଣ୍ଣ ଜିତିଛି ଭାରତୀୟ ଦଳ। ଏସିଆଡରେ ଏବେ ଆହୁରି କିଛି ବିଭାଗରେ ଲଢେଇ ବାକି ଥିବାରୁ ପଦକ ସଂଖ୍ୟା ଆହୁରି ବଢ଼ିବା ଆଶା କରାଯାଉଛି ।