Advertisment

Sports: ପ୍ରତିଭାଶାଳୀ ଓପନର୍ ପୃଥ୍ୱୀ ଶ’ଙ୍କ କ୍ୟାରିଅର୍‌ର ପୁନରୁତ୍ଥାନ ସମ୍ଭବ କି ?

ରଣଜୀ, ଦଲୀପ ଟ୍ରଫି ଓ ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିଥିବା ପୃଥ୍ୱୀ ଶ’ଙ୍କ କ୍ୟାରିଅର୍ ଆଜି ପ୍ରଶ୍ନଘେରରେ । ଘରୋଇ କ୍ରିକେଟ୍‌ରେ ବିଫଳ ହେଉଛନ୍ତି ଏହି ପ୍ରତିଭାଶାଳୀ ଯୁବ ଓପନର୍ । ତାଙ୍କ ପାଇଁ ଫିଟ୍‌ନେସ୍ ବଜାୟ ରଖିବା ବି ହୋଇଛି ଚାଲେଞ୍ଜ୍ ।

ଅଦ୍ୟତନ ହୋଇଛି
Is it possible the revival of talented opener Prithvi Shaw's career

Is it possible the revival of talented opener Prithvi Shaw's career

Advertisment

ଏକଦା ତାଙ୍କୁ କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ଉତ୍ତରାଧିକାରୀ ଦୃଷ୍ଟିରୁ ବିଚାର କରାଯାଉଥିଲା । କିନ୍ତୁ ଆଜି ତାଙ୍କ କ୍ୟାରିଅର୍ ପ୍ରଶ୍ନଘେରକୁ ଚାଲିଆସିଛି । ଏବେ ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ନେଇ ନୁହେଁ, ବିଫଳତାକୁ ନେଇ ଚର୍ଚ୍ଚା ହେଉଛି ।

Advertisment

ମୁମ୍ବାଇର ସେହି ପ୍ରତିଭାଶାଳୀ ଯୁବ ଓପନର୍ ପୃଥ୍ୱୀ ଶ’ଙ୍କ କ୍ୟାରିଅର୍ ଏବେ ଦୁର୍ଦ୍ଦିନ ଦେଇ ଗତି କରୁଛି । ନିକଟରେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ପାଇଁ ହୋଇଥିବା ମେଗା ନିଲାମରେ ତାଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣି ନ ଥିଲେ । ଏହାପରେ ଏହି ୨୫ବର୍ଷୀୟ କ୍ରିକେଟର୍‌ଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହୋଇଥିଲା ।

ପୃଥ୍ୱୀଙ୍କ ପ୍ରତିଭାର ଚମକ ଆଉ ଦେଖିବାକୁ ମିଳୁ ନାହିଁ । ତାଙ୍କ ପ୍ରଦର୍ଶନରେ ନିରନ୍ତରତା ନାହିଁ । ଭଲ ଫିଟ୍‌ନେସ୍ ନାହିଁ । ସେ ବିଭିନ୍ନ ସମୟରେ ବିବାଦରେ ବି ଛନ୍ଦି ହେଉଛନ୍ତି ।

Advertisment

ତେବେ କେତେକ ଲୋକ ଭାବୁଛନ୍ତି ଯେ ସେ ଦମ୍‌ଦାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିବେ । କିନ୍ତୁ ଏବେ ସେମିତି କିଛି ହେବା ଭଳି ଜଣାପଡ଼ୁ ନାହିଁ ।

ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ପ୍ରଭାବଶୂନ୍ୟ ପ୍ରଦର୍ଶନ

ଚଳିତ ରଣଜୀ ସିଜନ୍‌ରେ ବିଶେଷକରି ଫିଟ୍‌ନେସ୍‌ଜନିତ କାରଣରୁ ପୃଥ୍ୱୀଙ୍କୁ ମୁମ୍ବାଇ ଟିମ୍‌ରୁ କାଢ଼ି ଦିଆଯାଇଥିଲା । ଅବଶ୍ୟ ଏହାପରେ ନିଜ ଫିଟ୍‌ନେସ୍ ସ୍ତରରେ ସୁଧାର ଆଣିବା ପାଇଁ ସେ ପ୍ରୟାସ କରିଥିଲେ ।

Advertisment

ଇତ୍ୟବସରେ ତାଙ୍କୁ ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫି ୨୦୨୪-୨୫ ପାଇଁ ମୁମ୍ବାଇ ଟିମ୍‌ରେ ସାମିଲ୍ କରାଯାଇଥିଲା । କିନ୍ତୁ ପ୍ରଭାବଶୂନ୍ୟ ପ୍ରଦର୍ଶନ ଯୋଗୁଁ ତାଙ୍କ ସମସ୍ୟା ଆହୁରି ବଢ଼ିଯାଇଛି ।

ସୟଦ ମୁସ୍ତାକ୍ ଅଲୀ ଟ୍ରଫିର ଗ୍ରୁପ୍ ପର୍ଯ୍ୟାୟରେ ମୁମ୍ବାଇର ଛଅରୁ ଦୁଇ ମ୍ୟାଚ୍‌ରେ ସେ ଖାତା ବି ଖୋଲିପାରି ନ ଥିଲେ । ଅନ୍ୟ ଚାରି ମ୍ୟାଚ୍ ମଧ୍ୟରୁ ସେ ଗୋଆ ବିପକ୍ଷରେ ୩୩, କେରଳ ବିପକ୍ଷରେ ୨୩, ନାଗାଲାଣ୍ଡ ବିପକ୍ଷରେ ୪୦ ଓ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୩୪ ରନ୍ ସଂଗ୍ରହ କରିଥିଲେ ।

Is it possible the revival of talented opener Prithvi Shaw's careerପୃଥ୍ୱୀଙ୍କ ପ୍ରତିଭାର ଚମକ ଆଉ ଦେଖିବାକୁ ମିଳୁ ନାହିଁ

ରଣଜୀ, ଦଲୀପ ଟ୍ରଫି ଓ ଟେଷ୍ଟ ପଦାର୍ପଣରେ ଶତକ

ପୃଥ୍ୱୀଙ୍କ ପରିବାର ବିହାରର ଗୟାରୁ ଆସି ମୁମ୍ବାଇରେ ଅବସ୍ଥାପିତ ହୋଇଥିଲା । ପୃଥ୍ୱୀ ସ୍କୁଲ୍ କ୍ରିକେଟ୍‌ରୁ ହିଁ ନିଜ ପରିଚୟ ସୃଷ୍ଟି କରିପାରିଥିଲେ । ୨୦୧୩ରେ ହାରିସ୍ ସିଲ୍ଡ ଟୁର୍ଣ୍ଣାମେଣ୍ଟରେ ସେ ୧୪ ବର୍ଷ ବୟସରେ ୫୪୬ ରନ୍ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ।

୨୦୧୭ରେ ୧୭ ବର୍ଷ ବୟସରେ ପୃଥ୍ୱୀ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫିରେ ପାଦ ଥାପିଥିଲେ । ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ସେ ଶତକ ହାସଲ କରିଥିଲେ ଏବଂ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍‌’ ବି ବିବେଚିତ ହୋଇଥିଲେ ।

ପୃଥ୍ୱୀ ଦଲୀପ ଟ୍ରଫିରେ ମଧ୍ୟ ନିଜ ପ୍ରଥମ ମ୍ୟାଚ୍‌ରେ ଶତକୀୟ ଇନିଂସ୍ ଖେଳିଥିଲେ । ଉଭୟ ରଣଜୀ ଓ ଦଲୀପ ଟ୍ରଫିର ପଦାର୍ପଣ ମ୍ୟାଚ୍‌ରେ ଶତକ ଲଗାଇ ସେ ସଚିନଙ୍କ ସମକକ୍ଷ ହୋଇପାରିଥିଲେ । ଏହାଛଡ଼ା ତାଙ୍କ ଅଧିନାୟକତ୍ୱରେ ଭାରତର ୧୯ ବର୍ଷରୁ କମ୍ ଟିମ୍ ୨୦୧୮ରେ ବିଶ୍ୱ ଚାମ୍ପିଅନ୍ ହୋଇଥିଲା ।

୨୦୧୮ରେ ରାଜକୋଟ ଠାରେ ପୃଥ୍ୱୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ । ସେତେବେଳକୁ ତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା । ଏହା ସହିତ ସେ ପ୍ରଥମ ଟେଷ୍ଟରେ ହିଁ ଶତକ ହାସଲ କରିଥିଲେ । ସେହି ବର୍ଷ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ତାଙ୍କୁ ପାଞ୍ଚ ଉଦୀୟମାନ ଖେଳାଳିଙ୍କ ମଧ୍ୟରେ ସାମିଲ୍ କରିଥିଲା ।

କାରିବୀୟ ଟିମ୍ ବିପକ୍ଷ ସେହି ଟେଷ୍ଟ ସିରିଜ୍‌ରେ ସେ ଦୁଇ ମ୍ୟାଚ୍‌ରେ ୨୩୭ ରନ୍ ସଂଗ୍ରହ କରିଥିଲେ । ଏହାପରେ ସେ ୨୦୨୦ ଫେବ୍ରୁଆରୀରେ ଟିମ୍ ପକ୍ଷରୁ ଖେଳିଥିଲେ । ବର୍ଡର-ଗାଭାସ୍କର ଟ୍ରଫି ୨୦୧୮-୧୯ର ପ୍ରଥମ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ସମୟରେ ସେ ଆଘାତପ୍ରାପ୍ତ ହେବାରୁ ପୂରା ସିରିଜ୍‌ରୁ ବାଦ୍ ପଡ଼ିଥିଲେ ।

୨୦୨୧ ଜୁଲାଇ ପରଠାରୁ ଖେଳି ନାହାନ୍ତି ଆନ୍ତର୍ଜାତିକ ମ୍ୟାଚ୍

ଗୋଟିଏ ବର୍ଷ ମଧ୍ୟରେ ପୃଥ୍ୱୀ ସଫଳତାର ଶିଖରରୁ ତଳକୁ ଖସିଆସିଥିଲେ । ୨୦୧୯ରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଡୋପିଂ ଓ ବିଶୃଙ୍ଖଳା ଅଭିଯୋଗରେ ତାଙ୍କୁ ଆଠ ମାସ ପାଇଁ କ୍ରିକେଟ୍‌ରୁ ବାସନ୍ଦ କରିଥିଲା ।

ସୟଦ ମୁସ୍ତାକ୍ ଅଲୀ ଟ୍ରଫି ସମୟରେ ତାଙ୍କ ନମୁନାରୁ ନିଷିଦ୍ଧ ପଦାର୍ଥ ମିଳିଥିଲା । ପରେ ପୃଥ୍ୱୀ କହିଥିଲେ ଯେ କଫ ସିରପ୍ ସେବନ ଯୋଗୁଁ ନିଷିଦ୍ଧ ପଦାର୍ଥ ତାଙ୍କ ଶରୀରରେ ପ୍ରବେଶ କରିଥିଲା ।

Is it possible the revival of talented opener Prithvi Shaw's career୨୦୧୮ରେ ରାଜକୋଟ ଠାରେ ପୃଥ୍ୱୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ

୨୦୨୦ରେ ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ଟେଷ୍ଟ ସିରିଜ୍‌ରେ ଭାରତୀୟ ବ୍ୟାଟର୍‌ଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ପୃଥ୍ୱୀ ଦୁଇ ମ୍ୟାଚ୍‌ରେ ୯୮ ରନ୍ କରିଥିଲେ । ସେହି ବର୍ଷ ଆଇପିଏଲ୍‌ରେ ମଧ୍ୟ ସେ ବିଫଳ ହୋଇଥିଲେ ।

୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତ ସମୟରେ ମଧ୍ୟ ସେ ନିରାଶ କରିଥିଲେ । ଆଡିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ତାଙ୍କ ସ୍କୋର୍ ଥିଲା ୦ ଓ ୪ ରନ୍ ।

ତାଙ୍କ ବ୍ୟାଟିଂ କୌଶଳ ଉପରେ ବି ପ୍ରଶ୍ନ ଉଠିଥିଲା ଏବଂ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ କାଢ଼ି ଦିଆଯାଇଥିଲା । ଏହା ପରଠାରୁ ଚାରି ବର୍ଷ ହୋଇଗଲାଣି, ସେ ଆଉ ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି ।

ପୃଥ୍ୱୀ ନିଜ ଆନ୍ତର୍ଜାତିକ କ୍ୟାରିଅର୍‌ର ଶେଷ ଦିନିକିଆ ଓ ଏକମାତ୍ର ଟି-୨୦ ମ୍ୟାଚ୍ ତିନି ବର୍ଷ ପୂର୍ବେ ୨୦୨୧ ଜୁଲାଇରେ ଖେଳିଥିଲେ ।

ପିଛା ଛାଡ଼ୁନି ବିବାଦ ଓ ବିଫଳତା

୨୦୨୧ରେ ପୃଥ୍ୱୀ ଗୋଆକୁ ଛୁଟି କଟାଇବାକୁ ଯାଇଥିଲେ । ସେଠାରେ ଲକ୍‌ଡାଉନ୍ ଉଲ୍ଲଂଘନ ଅଭିଯୋଗରେ ପୋଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା ।

ଆଇପିଏଲ୍ ୨୦୨୨ ପୂର୍ବରୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ହୋଇଥିବା ୟୋ-ୟୋ ଟେଷ୍ଟରେ ସେ ବିଫଳ ହୋଇଥିଲେ । ଏହାଛଡ଼ା ଗତ ବର୍ଷର ପ୍ରାରମ୍ଭରେ ଏକ ପବ୍‌ରେ ସପ୍ନା ଗିଲ୍ ନାମକ ଜଣେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍‌ସର୍‌ଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା ।

ଚଳିତ ରଣଜୀ ସିଜନ୍ ସମୟରେ ମୁମ୍ବାଇ ଟିମ୍‌ରୁ ତାଙ୍କୁ କଢ଼ାଯିବା ପଛର କାରଣ ଫିଟ୍‌ନେସ୍ ଓ ବିଶୃଙ୍ଖଳା ବୋଲି ଚର୍ଚ୍ଚା ହୋଇଥିଲା । ଏହାଛଡ଼ା ସେ ଭଲ ପ୍ରଦର୍ଶନ ମଧ୍ୟ କରିପାରିି ନ ଥିଲେ ।

ଛଅ ବର୍ଷ ପୂର୍ବେ ଆନ୍ତର୍ଜାତିକ କ୍ରିକେଟ୍‌ରେ ପଦାର୍ପଣ କରିଥିବା ପୃଥ୍ୱୀ ଏ ଯାବତ ମାତ୍ର ୫ ଟେଷ୍ଟ, ୬ ଦିନିକିଆ ଓ ଗୋଟିଏ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲ୍‌ରେ ମଧ୍ୟ ତାଙ୍କ ପ୍ରଦର୍ଶନ ସେତେ ପ୍ରଭାବଶାଳୀ ନୁହେଁ । ସେ ଏହି ଲିଗ୍‌ରେ ୭୯ ମ୍ୟାଚ୍ ଖେଳି ୧୮୯୨ ରନ୍ ସଂଗ୍ରହ କରିଛନ୍ତି ।

ଘରୋଇ କ୍ରିକେଟ୍‌ରେ ଚମକପ୍ରଦ ପ୍ରଦର୍ଶନ କରିବା ସ୍ଥଳେ ଆନ୍ତର୍ଜାତିକ ଟିମ୍‌କୁ ପୃଥ୍ୱୀଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା ବଢ଼ିବ । ଏହା ସହିତ ଭଲ ଫିଟ୍‌ନେସ୍ ବି ଦରକାର । ଅନ୍ୟଥା ତାଙ୍କ କ୍ୟାରିଅର୍‌ର ପୁନରୁତ୍‌ଥାନ କେମିତି ସମ୍ଭବ ହେବ?

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Cricket Prithvi Shaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ