ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ ବରଂ ତା’ଠୁ ବି ଅଧିକ । ଏଠି ଖେଳାଳିମାନଙ୍କୁ ଦେବତା ପରି ବ୍ୟବହାର କରାଯାଉଥିବା କହିଲେ ଅତ୍ୟୁକ୍ତି ହେବନାହିଁ । ବାସ୍ତବରେ, କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ 'ଗଡ୍ ଅଫ୍ କ୍ରିକେଟ୍' ବୋଲି କୁହାଯାଏ। କେବଳ ତେନ୍ଦୁଲକର କାହିଁକି ବିଶ୍ୱରେ ଏମିତି ଅନେକ ଖେଳାଳି ଅଛନ୍ତି, ଯାହାଙ୍କୁ ଲୋକେ ଭଗବାନ ଭଳି ମାନିଥାନ୍ତି ।
ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍ ୨୦୨୩ ମହାସମର। ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ତିନି ତାରକା ଅରିଜିତ ସିଂହ, ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଧାନା ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଦର୍ଶକଙ୍କୁ ମତୁଆଲା କରିଥିଲେ । ଖୋଲା ଜିପ୍ରେ ପଡ଼ିଆ ଭିତର ଦେଇ ମଞ୍ଚକୁ ଆସିବା ପରେ ଅରିଜିତ ପିଆନୋରେ ନିଜ କଳାର ଯାଦୁଗରୀ ଦେଖାଇଥିଲେ । ପରେ ‘କେସରିଆ…, ଝୁମେ ଜୋ ପଠାନ,... ଲେହରା ଦୋ…, ଚନ୍ନା ମେରେୟା…, କବିରା… ଓ ଏ ବତନ୍…’ ଆଦି ଗୀତରେ ଦର୍ଶକଙ୍କୁ ଝୁମାଇଥିଲେ ।
Also Read
ଦେଖନ୍ତୁ ଫଟୋ | ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା IPL ମହାସମର
ଏହାପରେ ଉଦ୍ଘାଟନୀ ମ୍ୟାଚ୍ ଖେଳିବାକୁ ଥିବା ଦୁଇଦଳ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ । ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମେହନ୍ଦ୍ର ସିଂହ ଧୋନୀଙ୍କୁ ଷ୍ଟେଜ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହି ସମୟରେ ବଲିଉଡ୍ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଅନେକ ଲୋକ ସେୟାର କରିବା ସହ କ୍ୟାପ୍ସନ୍ରେ ଲେଖିଛନ୍ତି ଯେ, ‘ଅରିଜିତ ଜଣେ ଭଦ୍ର ମଣିଷ’ ।
Arijit Singh touched MS Dhoni's feet during IPL 2023 opening ceremony. pic.twitter.com/8DeX3mRb9N
— Mufaddal Vohra (@mufaddal_vohra) March 31, 2023
କେବଳ ଅରିଜିତ କାହିଁକି ସାରା ବିଶ୍ୱରେ ମହେନ୍ଦ୍ର ସିଂ ଧୋନୀଙ୍କ ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ଧୋନୀଙ୍କୁ ନିଜ ଭଗବାନ ବୋଲି ମାନନ୍ତି । ଧୋନୀଙ୍କ ଜୀବନଶୈଳୀକୁ ଅନୁସରଣ କରନ୍ତି । ଧୋନୀଙ୍କୁ ଜୀବନକୁ ନେଇ ବଲିଉଡ୍ରେ ଚଳଚିତ୍ର ମଧ୍ୟ ନିର୍ମିତ ହୋଇଛି । ଯାହା ଦର୍ଶକଙ୍କୁ ବେଶ୍ ପ୍ରେରଣା ଦେଇଛି ।
ତେବେ କାଲିର ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ମାତ୍ ଦେଇ ଗୁଜୁରାଟ ଟାଇଟନ୍ସ ଟୁର୍ଣ୍ଣାମେଣ୍ଟରେ ବିଜୟ ଅଭିଯାନ ଆରମ୍ଭ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଋତୁରାଜ ଗାଏକ୍ୱାଡଙ୍କ ବିସ୍ଫୋରକ ୯୨ ରନ ବଳରେ ୭ ୱିକେଟ ହରାଇ ୧୭୮ ରନ କରିଥିଲା। ଏହାର ଜବାବରେ ଗୁଜରାଟ ଶୁବମନ ଗିଲଙ୍କ ଚମତ୍କାର ୬୩ ଓ ଶେଷ ଭାଗରେ ରଶିଦ ଖାନଙ୍କ ୩ ବଲରେ ଅପରାଜିତ ୧୦ ରନ ବଳରେ ୫ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।
ଶେଷ ୫ ବଲରେ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ରାହୁଲ ତେୱାତିଆ ଚମତ୍କାର ଚୌକା ମାରି ଦଳର ବିଜୟ ମୁଣ୍ଡି ମାରିଥିଲେ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ ଦେଖାଇଥିବା ଗୁଜରାଟର ରଶିଦ ଖାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ବୋଲିଂରେ ୨୬ ରନ ଦେଇ ୨ଟି ୱିକେଟ ଦଖଲ କରିଥିଲେ।