Advertisment

ଭାରତ ପାଇଁ ସମ୍ଭାବନା ଆଣିଛି ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍

ଭାରତରେ ଫୁଟବଲ୍ ମହାକୁମ୍ଭର ଆୟୋଜନ ଫୁଟବଲ୍ ସଂସ୍କୃତିର ବିକାଶ ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରିଛି। ଆମକୁ ନିଜ ସାମର୍ଥ୍ୟ ପରଖିବାର ସୁଯୋଗ ଦେଇଛି। ଆଗକୁ ଯିବାର ବାଟ ଫିଟାଇଛି। ଏବେ ଆମକୁ ବିଧିବଦ୍ଧ ଯୋଜନା ସହ ଲକ୍ଷ୍ୟପଥରେ ଆଗକୁ ବଢ଼ିବାକୁ ହେବ ସବୁ ଅନ୍ତରାୟକୁ ଅତିକ୍ରମ କରି।

ଅଦ୍ୟତନ ହୋଇଛି
FIFA U-17 Women's WC

FIFA U-17 Women's WC

Advertisment

ଏବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ କରାଯାଉଛି ଫିଫା 17 ବର୍ଷରୁ କମ୍ ମହିଳା ବିଶ୍ୱକପ୍‌ର ଗ୍ରୁପ୍ ପର୍ଯ୍ୟାୟ ପ୍ରତିଯୋଗିତା। ଏଠାରେ ଗ୍ରୁପ୍-ଏ’ର ପାଞ୍ଚଟି ଓ ଗ୍ରୁପ୍-ବି’ର ଗୋଟିଏ ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଅନ୍ୟ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ଅନ୍ୟତ୍ର ଖେଳାଯାଉଥିବା ବେଳେ କ୍ୱାର୍ଟରଫାଇନାଲ୍, ସେମିଫାଇନାଲ୍ ଓ ଫାଇନାଲ୍ ମଧ୍ୟ ଅନ୍ୟ ଭେନ୍ୟୁରେ ଆୟୋଜିତ ହେବ ମହାରାଷ୍ଟ୍ରର ନଭି ମୁମ୍ବାଇ ଓ ଗୋଆ ଅନ୍ୟ ଦୁଇଟି ଭେନ୍ୟୁ।

Advertisment

ବୟସ-ବର୍ଗର ହେଉ ପଛେ ଫୁଟବଲ୍‌ର ସର୍ବୋଚ୍ଚ ଟୁର୍ଣ୍ଣାମେଣ୍ଟ। ଭାରତ, ବିଶେଷକରି ଓଡ଼ିଶାରେ ଆୟୋଜନ ହେବା ଆମ ପାଇଁ ଗୌରବର ବିଷୟ। ଆୟୋଜକ ହୋଇଥିବା ଦୃଷ୍ଟିରୁ ଭାରତ ଏଥିରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛି। ଏପରି ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିମାନଙ୍କୁ ଖେଳୁଥିବାର ଦେଖି ନୂଆ ପିଢ଼ି ଉତ୍ସାହିତ ହେବେ ଏବଂ ଫୁଟବଲ୍‌ରେ କ୍ୟାରିଅର ଗଢ଼ିବା ପାଇଁ ଆଗେଇ ଆସିବେ।

ବିଶ୍ୱକପ୍‌ରେ ଭାରତୀୟ ଟିମ୍ ନିଜ ଗ୍ରୁପ୍‌ରେ ଏଯାବତ୍ ଖେଳିଥିବା ଦୁଇଟିଯାକ ମ୍ୟାଚ୍ ହାରିଯାଇଛି। ପ୍ରଥମେ ଆମେରିକା ଠାରୁ 0-8ରେ ଏବଂ ଏହାପରେ ମରକ୍କୋ ଠାରୁ 0-3ରେ। ଟିମ୍ ତୃତୀୟ ତଥା ଶେଷ ଗ୍ରୁପ୍ ମ୍ୟାଚ୍ ଶକ୍ତିଶାଳୀ ବ୍ରାଜିଲ୍ ବିପକ୍ଷରେ ଖେଳିବ। ସେଥିରେ ମଧ୍ୟ ସଫଳତା ମିଳିବାର ସମ୍ଭାବନା କ୍ଷୀଣ। ତେବେ କ୍ରମାଗତ ପରାଜୟ ପରେ ଆୟୋଜକ ଟିମ୍ କ୍ୱାର୍ଟର୍-ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି।

Advertisment

ଆମେରିକା ଓ ମରକ୍କୋ ମ୍ୟାଚ୍: ଏକ ସଂକ୍ଷିପ୍ତ ଆକଳନ
ଭାରତୀୟ ଟିମ୍ ଆମେରିକା ବିପକ୍ଷ ନିଜ ପ୍ରଥମ ମ୍ୟାଚରେ ଦୁର୍ବଳ ପ୍ରଦର୍ଶନ କରିଥିଲା। ପରିଣାମସ୍ବରୂପ, ଟିମ୍ ଆଠଟି ଗୋଲ୍ ଖାଇଥିଲା। ଟିମର ରକ୍ଷଣଭାଗ ଆଶାଜନକ ପ୍ରଦର୍ଶନ କରିପାରି ନ ଥିଲା ଅଗ୍ରଭାଗ ବି ଫ୍ଲପ୍ ହୋଇଥିଲା। ଟିମ୍ ସ୍କୋରିଂ ସୁଯୋଗ ସୃଷ୍ଟି କରିପାରି ନ ଥିଲା।

ଭାରତୀୟ ଟିମର ସ୍ତର ଆମେରିକାର ସମତୁଲ୍ୟ ହୋଇ ନ ଥିଲେହେଁ ଟିମ୍ ଅଧିକ ପ୍ରସ୍ତୁତ ହୋଇ ଆସିବାର ଥିଲା, କିନ୍ତୁ ମରକ୍କୋ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ର ପ୍ରଦର୍ଶନରେ ସୁଧାର ଦେଖିବାକୁ ମିଳିଥିଲା। ପରାଜୟର ବ୍ୟବଧାନ ତିନି ଗୋଲ୍ ଥିଲା। ରକ୍ଷଣଭାଗ ପୂର୍ବାପେକ୍ଷା ଅଧିକ ସୁଦୃଢ଼ ଥିଲା। ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା ମଧ୍ୟାନ୍ତର ସୁଦ୍ଧା ଭାରତର ପ୍ରଦର୍ଶନ ଠିକଠାକ୍ ଥିଲା କିନ୍ତୁ ମରକ୍କୋକୁ ବିଜୟ ହାସଲରୁ ରୋକିବା ପାଇଁ ତାହା ପର୍ଯ୍ୟାପ୍ତ ନ ଥିଲା। ଦ୍ୱିତୀୟାର୍ଦ୍ଧରେ ଦୃଶ୍ୟପଟ୍ଟ ବଦଳି ଯାଇଥିଲା। ଏହାଛଡ଼ା ଟିମ୍ ଶେଷ ଯାଏଁ ଗୋଟିଏ ବି ଗୋଲ୍ ପରିଶୋଧ କରିପାରି ନ ଥିଲା।

Advertisment

ବ୍ରାଜିଲ୍ ବିପକ୍ଷ ଶେଷ ମ୍ୟାଚ୍‌ରେ ମଧ୍ୟ କଡ଼ା ଆହ୍ବାନ ରହିଛି। ସେଥିରେ ରକ୍ଷଣଭାଗ ଅଧିକ ସତର୍କ ହୋଇ ନ ଖେଳିଲେ, ଆମେରିକା ମ୍ୟାଚ୍ ଭଳି ସ୍ଥିତି ଉପୁଜିବ। ଏହାଛଡ଼ା ଯେପରି ଗୋଲ୍ ଖାତା ଖୋଲିବ, ସେଥିପ୍ରତି ମଧ୍ୟ କୋଚ୍ ଥମାସ୍ ଡେନରବୀଙ୍କୁ ଫୋକସ୍ କରିବାକୁ ହେବ।

  • ସଫଳତା ନୁହେଁ, ପ୍ରଦର୍ଶନ ଗୁରୁତ୍ୱ ରଖେ

ବିଶ୍ୱକପ୍‌ରେ ଭାରତର ବିଫଳତା ସେତେ ବେଶୀ ଗୁରୁତ୍ୱ ରଖେ ନାହିଁ। ଟିମ୍‌ରେ ହରାଇବାକୁ କିଛି ନାହିଁ, ମ୍ୟାଚଗୁଡ଼ିକର ଫଳାଫଳ ଅପେକ୍ଷା ଭାରତୀୟ ଖେଳାଳିମାନେ କିଭଳି ପ୍ରଦର୍ଶନ କରିଛନ୍ତି, କେତେ ସାମର୍ଥ୍ୟ ଦେଖାଇପାରିଛନ୍ତି, ତାହା ବଡ଼ କଥା ଏବଂ ତାହା ହିଁ ଗୁରୁତ୍ୱ ରଖେ।

ବିଶ୍ୱକପ୍ ପୂର୍ବରୁ ମୁଖ୍ୟ କୋଚ୍ ଥମାସ୍ ଡେନରବୀ କହିଥିଲେ, ‘ଏହା କେବଳ ଫଳାଫଳର କଥା ନୁହେଁ ବରଂ ଏହା ପ୍ରଦର୍ଶନର କଥା ଯେ ଭାରତୀୟ ବାଳିକାମାନେ ଫୁଟବଲ୍ ଖେଳିପାରନ୍ତି ଗ୍ରୁପ୍ ମଧ୍ୟରେ ଅବଶ୍ୟ ଆମର ନିଜସ୍ୱ ଲକ୍ଷ୍ୟ ଅଛି ଏବଂ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛୁ।

ଆମେରିକା, ବ୍ରାଜିଲ୍ ଅଥବା ମରକ୍କୋ ବିପକ୍ଷରେ ଆମେ ପଏଣ୍ଟ ଅର୍ଜନ ଓ ଗୋଲ୍ ସ୍କୋର୍ କରିବାକୁ ପ୍ରତିବଦ୍ଧ ଏବଂ ଆମେ ଭାରତୀୟ ପ୍ରଶଂସକମାନଙ୍କୁ ଦେଖାଇ ଦେବାକୁ ଯାଉଛୁ ଯେ ଆମର ଏକ ଭଲ ଟିମ୍ ଅଛି ଭାରତ କିଛି ବର୍ଷ ମଧ୍ୟରେ ମହିଳା ବର୍ଗରେ ଏକ ସଫଳ ଟିମ୍ ହୋଇପାରିବ। ତେଣୁ ଆଶା ଅଛି ଯେ ଆମେ ବାଳିକାମାନଙ୍କୁ ଫୁଟବଲ୍ ଖେଳିବା ପାଇଁ ଉତ୍ସାହିତ କରିବା ଏବଂ ବିଶ୍ୱାସ କରିବା ଯେ ଏହା ବାଳିକାଙ୍କ ପାଇଁ ଏକ ସୁନ୍ଦର କ୍ରୀଡ଼ା‘।

ଏହାସତ୍ତ୍ୱେ ଭାରତୀୟ ଟିମ୍ ବିନା ଗୋଲ୍‌ରେ ଅଭିଯାନ ଶେଷ କରିବା ଆଦୌ ସମୀଚୀନ ନୁହେଁ। ଟିମ୍ ମ୍ୟାଚ୍ ନ ଜିତୁ ପଛେ ଅନ୍ତତଃ କିଛି ଗୋଲ୍ ସ୍କୋର୍ କରିବା କଥା। ମରକ୍କୋ ବିପକ୍ଷରେ କିଛିଟା ସୁଯୋଗ ଥିଲା, କିନ୍ତୁ ବ୍ରାଜିଲ୍ ବିପକ୍ଷ ଶେଷ ମ୍ୟାଚରେ ସେଭଳି ହେବାର ସମ୍ଭାବନା କମ୍। ଏଭଳି ବଡ଼ ପ୍ରତିଯୋଗିତାରେ ଖେଳିବା ଭାରତ ପାଇଁ ବିରଳ ସୁଯୋଗ। ଭବିଷ୍ୟତରେ ପୁନର୍ବାର ଏଭଳି ସୁଯୋଗ ମିଳିବା ବେଳକୁ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦରକାର। 
ଫୁଟବଲ୍ ସଂସ୍କୃତି ବିକଶିତ ହେବା ଆବଶ୍ୟକ।

ବିଶ୍ୱ ଫୁଟବଲ୍‌ରେ ଆଗଧାଡ଼ିରେ ଥିବା ଟିମଗୁଡ଼ିକୁ ଦେଖି ଭାରତୀୟ ଫୁଟବଲ୍‌ର ସ୍ତରରେ ଯଥେଷ୍ଟ ଉନ୍ନତି ଆଣିବାକୁ ହେବ କେହି କେହି ଭାରତୀୟ ଫୁଟବଲ୍‌ର ଭବିଷ୍ୟତକୁ ସମ୍ଭାବନାମୟ ଆଖ୍ୟା ଦେଉଥାଇପାରନ୍ତି, ତେବେ ଆମକୁ ତୃଣମୂଳ ବାସ୍ତବତାକୁ ଆଖି ଆଗରେ ରଖି ଉପରକୁ ଉଠିବାକୁ ହେବ। ଦେଶରେ ପ୍ରତିଭାର ଅଭାବ ନାହାନ୍ତି। ସଠିକ୍ ପ୍ରତିଭା ଚୟନ ଓ ପ୍ରତିଭାର ବିକାଶ ସାଙ୍ଗକୁ ଭିିଭୂମିର ବିକାଶ, ଅଧିକରୁ ଅଧିକ ପ୍ରତିଯୋଗିତାର ଆୟୋଜନ ଉପରେ ମଧ୍ୟ ଫୋକସ୍ କରିବାକୁ ହେବ। ଏକ ବିଧିବଦ୍ଧ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବା ଦରକାର, ଯେଉଁଥିରେ ବ୍ୟାପକ ଅଞ୍ଚଳ ପରିସରଭୁୂକ୍ତ ଥିବ ଏବଂ ବହୁ ପ୍ରତିଭାଙ୍କୁ ସାମିଲ୍ କରାଯିବ। ଅବଶ୍ୟ ଦେଶରେ ଏହି କ୍ରୀଡ଼ାର ବିକାଶ ପାଇଁ ପୂର୍ବାପେକ୍ଷା ଅଧିକ ପଦକ୍ଷେପ ନିଆଗଲାଣି।

ସାମଗ୍ରିକ ଭାବରେ କହିବାକୁ ଗଲେ, ଦେଶରେ ଏକ ଫୁଟବଲ୍ ସଂସ୍କୃତି ବିକଶିତ ହେବା ଆବଶ୍ୟକ। ଆଜି ଦେଶରେ କ୍ରିକେଟ୍ ଓ ହକି ଯେଉଁ ସ୍ତରରେ ଅଛି, ଫୁଟବଲ୍ ସେହି ସ୍ତରରେ ନାହିଁ। ଅନେକ ବଡ଼ ବଡ଼ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ ନାହିଁ। ବାଇଚୁଙ୍ଗ ଭୂଟିଆ, ସୁନୀଲ ଛେତ୍ରୀଙ୍କ ଭଳି କତିପୟ ଭାରତୀୟ ଖେଳାଳି ବିଶ୍ୱ ଫୁଟବଲ୍‌ରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି। ଭୂଟିଆ ତ କେବେ ଠାରୁ ଅବସର ନେଇସାରିଲେଣି। ଆଉ ଛେତ୍ରୀଙ୍କ କ୍ୟାରିଅର ଏବେ ଅନ୍ତିମ ପର୍ଯ୍ୟାୟରେ ଉପନୀତ। ଆମେ ବିଶ୍ୱ ଫୁଟବଲ୍‌ରେ କେତେ ପଛରେ ଅଛୁ, ତାହା ଆମ ରାଙ୍କିଙ୍ଗ୍ ସୂଚାଉଛି- ଏହା ପୁରୁଷ ଫୁଟ୍ବଲ୍ ହେଉ ବା ମହିଳା।

ଦେଶରେ ଫୁଟବଲ୍ ମହାକୁମ୍ଭର ଆୟୋଜନ ଫୁଟବଲ୍ ସଂସ୍କୃତି ବିକଶିତ କରିବା ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରିଛି। ଆମକୁ ନିଜ ସାମର୍ଥ୍ୟ ପରଖିବାର ସୁଯୋଗ ଦେଇଛି। ଆଗକୁ ଯିବାର ବାଟ ଫିଟାଇଛି। ଏବେ ଆମକୁ ବିଧିବଦ୍ଧ ଯୋଜନା ସହ ଲକ୍ଷ୍ୟପଥରେ ଆଗକୁ ବଢ଼ିବାକୁ ହେବ ସବୁ ଅନ୍ତରାୟକୁ ଅତିକ୍ରମ କରି।

ଭ୍ରାମ୍ୟଭାଷ - 9438179219

FIFA Under-17 Women’s World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ