ଗୋଟିଏ ଦିନରେ ଦୁଇଟି ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ, ଜାଣନ୍ତୁ ଏହା କିପରି ସମ୍ଭବ...

ଅକ୍ଟୋବର ୯, ବୁଧବାର ଟିମ୍‌ ଇଣ୍ଡିଆ ୩୦ ମିନିଟ୍‌ ବ୍ୟବଧାନରେ ଦୁଇଟି ମ୍ୟାଚ୍‌ ଖେଳିବ ।

Team India

ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳିବ ଭାରତ । ଆଉ ଏହି ଦୁଇଟି ମ୍ୟାଚ୍ ମଧ୍ୟରେ ଫରକ ମାତ୍ର ୩୦ ମିନିଟର । ପ୍ରଥମ ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେଉଥିବାବେଳେ ଅନ୍ୟ ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । ଆପଣ ଏବେ ଭାବୁଥିବେ ଏହା କିପରି ସମ୍ଭବ ? ତେବେ ଆସନ୍ତୁ ଜାଣିବା ଗୋଟିଏ ଦିନରେ ଟିମ୍ ଇଣ୍ଡିଆ କିପରି ଦୁଇଟି ମ୍ୟାଚ୍‌ ଖେଳିବ ।

ସୂଚନା ଅନୁସାରେ ଅକ୍ଟୋବର ୯, ବୁଧବାର ଟିମ୍‌ ଇଣ୍ଡିଆ ୩୦ ମିନିଟ୍‌ ବ୍ୟବଧାନରେ ଦୁଇଟି ମ୍ୟାଚ୍‌ ଖେଳିବ । ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଖେଳାଯିବ । ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଖେଳାଯିବ । ସେହିପରି ସନ୍ଧ୍ୟା ୭ଟା ୩୦ରେ ଭାରତୀୟ ମହିଳା ଦଳ ଟି-୨୦ ବିଶ୍ୱକପର ତୃତୀୟ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇବ । ମହିଳା ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତୀୟ ମହିଳା ଦଳ ଶ୍ରୀଲଙ୍କାକୁ ଭେଟିବ ।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି -୨୦ ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ତିନିଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଭାରତ ୭ ୱିକେଟରେ ବିଜୟଲାଭ କରିଥିଲା । ତେବେ ଆଜିର ମ୍ୟାଚରେ ଭାରତ, ବାଂଲାଦେଶକୁ ପରାସ୍ତ କରି ସିରିଜକୁ ନିଜ ନାଁରେ କରିବାକୁ ଚେଷ୍ଟା କରିବ ।

ସେପଟେ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଦୁଇଟି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିଛି । ବୁଧବାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ୍ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟା୩୦ରେ ଏହି ମ୍ୟାଚ୍‌ ଖେଳାଯିବ ।

ମହିଳା ଭାରତୀୟ ଦଳ ଏପର୍ଯ୍ୟନ୍ତ ଟି -୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତା’ପରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ଜିତି ଟୁର୍ଣ୍ଣାମେଣ୍ଟରେ ବିଜୟର ଖାତା ଖୋଲିଥିଲା । ବୁଧବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ବିଜୟଲାଭ କରି ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥିତି ସଦୃଢ଼ କରିବାକୁ ଚେଷ୍ଟା କରିବ ।