• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ୟାଡମିଣ୍ଟନରେ ଭାରତକୁ ବଡ଼ ସଫଳତା ।  ବିଶ୍ୱ ପୁରୁଷ ଟିମ୍ ଚାମ୍ପିଅନସିପ୍ କୁହାଯାଉଥିବା ଥୋମାସ୍ କପ୍ ଇତିହାସରେ ପ୍ରଥମ ଥର ପାଇଁ ଟାଇଟଲ୍ ବିଜେତା ଭାବେ ନିଜ ନାମକୁ ଲିପିବଦ୍ଧ କରିଛି  ଭାରତ ।  ତାହା ପୁଣି ୧୪ ଥରର ବିଜେତା ଇଣ୍ଡୋନେସିଅକୁ ୩-୦ରେ ହରାଇ  ବ୍ୟାଙ୍କକେର ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ବାଜିମାତ୍ ପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଫୋନରେ କଥା ହୋଇ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି  । ଏଥିସହ ବିଜୟୀ ଟିମ୍ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି କେନ୍ଦ୍ରୀ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର  ।

ଗୋଟିଏ ପଟେ ୧୪ଥର ଚାମ୍ପିଅନ୍ ଇଣ୍ଡୋନେସିଆ, ଆରପଟେ ୭ ଦଶନ୍ଧି ଭିତରେ ପ୍ରଥମ ଥର ଫାଇନାଲରେ ପାଦ ଥାପିଥିବା ଭାରତ । ସମସ୍ତେ ଭାବୁଥିଲେ ଏକପାଖିଆ ହୋଇଯିବ ଲଢ଼େଇ । ହେଲେ କହିବା ଅନାବଶ୍ୟକ ଯେ, ଇତିହାସ ଚାହୁଁଥିଲା ଆଉ କିଛି । ଆଉ ଆଜି ଇତିହାସରେ ଯୋଡ଼ି ହୋଇଛି ନୂଆ ପୃଷ୍ଠା ଯୋଡ଼ିହେବାର ସ୍ବର୍ଣ୍ଣିମ ମୁହୂର୍ତ୍ତ । 

୧୪ ଥରର ଚାମ୍ପିଅନ୍ ଇଣ୍ଡୋନେସିଆକୁ ଧୂଳି ଚଟାଇ, ପ୍ରଥମ ଥର ପାଇଁ ଖ୍ୟାତିସମ୍ପନ୍ନ ଥୋମାସ୍ କପ୍ ଟାଇଟଲ୍ ବାଜି ମାରିନେଇଛନ୍ତି ଭାରତର ୪ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍, ସାତ୍ତ୍ୱିକ ସାଇରାଜ୍-ଚିରାଗ ସେଟ୍ଟୀ ଯୋଡ଼ି ଏବଂ କିଦାମ୍ବୀ ଶ୍ରୀକାନ୍ତ । ଥାଇଲ୍ୟାଣ୍ଡ୍ ରାଜଧାନୀ ବ୍ୟାଙ୍କକରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଇଣ୍ଡୋନେସିଆକୁ ୩-୦ରୁ ହରାଇ ଇତିହାସ ରଚିଛି  ଭାରତ । 

ଫାଇନାଲର ପ୍ରଥମ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ଓ୍ୱାଲ୍ଡ ରାଙ୍କିଂର ପଞ୍ଚମ ସ୍ଥାନରେ ଥିବା ଆନ୍ଥୋନୀ ଜିନଟିଙ୍ଗଙ୍କୁ, ଡବଲ୍ସରେ ଚିରାଗ୍ ଓ ସାତ୍ୱିକ ସାଇରାଜ୍ ଯୋଡ଼ି ମହମ୍ମଦ ଏହମନ୍-କେଭିନ୍ ସଞ୍ଜୟ ସୁକାମୁଲ୍ଜୋଙ୍କୁ ଏବଂ ଦ୍ୱିତୀୟ ସିଙ୍ଗଲ୍ସରେ କିଦାମ୍ବି ଶ୍ରୀକାନ୍ତ ଏସିଆନ୍ ଗେମ୍ସ ଗୋଲଡ୍ ମେଡାଲିଷ୍ଟ ଜୋନାଥନ୍ କ୍ରିଷ୍ଟିଙ୍କୁ ହରାଇ ଭାରତକୁ ବିଜୟର ସ୍ୱାଦ ଚଖାଇଛନ୍ତି ।  ଟୁର୍ଣ୍ଣାମେଣ୍ଟର ୭୩ ବର୍ଷ ଇତିହାସରେ ଭାରତ ତିନି ତିନିଥର ସେମିଫାଇନାଲ୍କୁ ଯାଇଥିଲେ ବି ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇପାରିନଥିଲା । 

 
ପ୍ରଥମ ଥର ପାଇଁ ଥୋମାସ୍ କପ୍ ଜିତି ଇତିହାସ ରଚିବା ପରେ ଭାରତୀୟ ବ୍ୟାଡମିଣ୍ଟନ ଟିମ୍କୁ ଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହି ସଫଳତାରେ ସାରା ଦେଶ ଉତ୍ଫୁଲ୍ଲିତ ।  ଏହା ବହୁ ଆଗାମୀ କ୍ରୀଡ଼ାବିତକୁ ପ୍ରେରଣା ଯୋଗାଇବ ବୋଲି ମଧ୍ୟ ଟୁଇଟ୍ କରିଛନ୍ତି ମୋଦି । ସେପଟେ ବିଜୟୀ ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।

ବ୍ୟାଡମିଣ୍ଟନ ଜଗତର ସବୁଠୁ ବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଥୋମାସ୍ କପକୁ ବିଶ୍ୱ ପୁରୁଷ ଟିମ୍ ଚାମ୍ପିୟନସିପ୍ ବୋଲି ମଧ୍ୟ କୁହାଯାଏ ।  ୧୯୪୮-୪୯ରୁ ଏହା ପ୍ରତି ୩ ବର୍ଷରେ ଖେଳାଯାଉଥିବା ବେଳେ ୧୯୮୨ରୁ ପ୍ରତି ୨ ବର୍ଷରେ ଖେଳାଯାଉଛି ।  ତେବେ ପ୍ରଥମରୁ ଏହାର ଟାଇଟଲ୍ ଉପରେ ରହି ଆସିଥିଲା ମାତ୍ର ୨-୩ଟି ଦେଶର କବଜା ।  ଇଣ୍ଡୋନେସିଆ ସର୍ବାଧିକ ୧୪ ଥର ଚାମ୍ପିଅନ୍ ହୋଇଥିବା ବେଳେ, ଚୀନ୍ ୧୦ଥର ଓ ମାଲେସିଆ ୫ଥର ଟାଇଟଲ୍ ଜିତିଥିଲା ।  ଡେନମାର୍କ ଓ ଜାପାନ୍ ହାତେଇଥିଲେ ଗୋଟିଏ ଲେଖାଏଁ ଟାଇଟଲ୍ ।  ହେଲେ ସମସ୍ତଙ୍କୁ ଚକିତ କରି ଚଳିତଥର ଥୋମାସ୍ କପ୍ ଚାମ୍ପିଅନ୍ କ୍ଲବରେ ଭାରତ ନିଜ ସ୍ବାକ୍ଷର ଛାଡ଼ିଛି  ।