• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱକପ୍‌ କ୍ରିକେଟରେ ଭାରତର ବିଜୟ ଧାରା ଅବ୍ୟାହତ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସହଜ ବିଜୟ । ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍‌ରେ ହରାଇଲା ଭାରତ । ମ୍ୟାଚ୍‌କୁ ଏକତରଫା ଜିତିଲା ଭାରତ । ରବିନ୍ଦ୍ର ଜାଡେଜାଙ୍କ ଦମଦାର ପ୍ରଦର୍ଶନ । ସେ ସର୍ବାଧିକ ୫ଟି ୱିକେଟ୍‌ ନେଇଛନ୍ତି । ତାଙ୍କ ଛଡ଼ା ସାମି ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ଓ ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ୍‌ ନେଇଛନ୍ତି । ଭାରତର ବିଶ୍ୱକପ୍‌ରେ ଏହା କ୍ରମାଗତ ଅଷ୍ଟମ ବିଜୟ । ବିରାଟ କୋହଲି ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ୩୨୬ ରନ୍‌ର ବିଶାଳ ସ୍କୋର୍‌ ଠିଆ କରିଥିଲା । କ୍ୟାପଟେନ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଧୂଆଁଧାର ବ୍ୟାଟିଂ କରି ଚଉକା ଛକ୍କାର ବର୍ଷା କରିଥିଲେ । ୧୦ ଓଭରରେ ଟିମ ଇଣ୍ଡିଆର ସ୍କୋର ୯୦ ରନ ପାର କରିସାରିଥିଲା । ରୋହିତ ଶର୍ମା ୪୦ ରନ ଓ ଶୁଭମନ ଗିଲ୍ ୨୩ ରନ କରି ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଶତକୀୟ ପାର୍ଟନରସିପ୍ କରି ଭାରତକୁ ବଡ ସ୍କୋର ଆଡକୁ ନେବାରେ ସହାୟକ ହୋଇଥିଲେ ।

ଶ୍ରେୟସ ଆୟର ୭୭ ରନରେ ଆଉଟ ହେବା ପରେ କେଏଲ ରାହୁଲ ମାତ୍ର ୮ ରନରେ ଆଉଟ ହୋଇଥିଲେ । ତେବେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କ ସହ ଉପଯୋଗୀ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୫୦ ଓଭରରେ ୩୨୬ ରନରେ ପହଞ୍ଚାଇଥିଲେ ।

ସେପଟେ ବାର୍ଥଡେରେ ବିରାଟ୍‌ ସେଞ୍ଚୁରୀ ମାରିଛନ୍ତି । ନିଜର ୩୫ତମ ଜନ୍ମଦିନରେ ୪୯ତମ ଦିନିକିଆ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏଥିସହ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ । କୋଲକତାର ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଶତକ ହାସଲ କରିଛନ୍ତି ବିରାଟ । ଭାରତ ଆଜିର ମ୍ୟାଚରେ ୩୨୬ ରନ୍ କରିଥିବା ବେଳେ ବିରାଟ ୧୦୧ ରନ୍ କରି ନଟଆଉଟ୍ ରହିଛନ୍ତି ।

ବିରାଟ ୨୦୦୯ ମସିହାରେ ଇଡେନ ଗାର୍ଡେନରେ ହିଁ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ସେଞ୍ଚୁରୀ ମାରିଥିଲେ । ସଚିନ ୪୫୨ଟି ଇନିଂସ ଖେଳି ୪୯ତମ ଶତକ କରିଥିବା ବେଳେ ବିରାଟ ୨୭୭ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଚଳିତ ବିଶ୍ୱକପରେ ବିରାଟଙ୍କ ଏହା ଦ୍ୱିତୀୟ ଶତକ । ପୂର୍ବରୁ ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ  ଅପରାଜିତ ୧୦୩ ରନ୍ କରିଥିଲେ  । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ରନ୍ ଏବଂ ଶ୍ରୀଲଙ୍କା ବିପକ୍ଷରେ ୮୮ ରନ୍ କରି ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ତେଣୁ ଆଜି ଜନ୍ମଦିନରେ ସେ ୪୯ତମ ଶତକ କରିବେ ବୋଲି କ୍ରିକେଟ ଫ୍ୟାନଙ୍କ ଆଶା ଥିଲା । ଆଉ ଏହା କରିଛନ୍ତି କିଙ୍ଗ କୋହଲି ।