IND vs BAN: ଭାରତ ନାମରେ ପ୍ରଥମ ଟେଷ୍ଟ, ଧୂଳି ଚାଟିଲା ବାଂଲାଦେଶ

ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଭାରତର ବୃହତ ବିଜୟ । ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନରେ ହରାଇଲା ଟିମ୍ ଇଣ୍ଡିଆ ।

IND vs BAN

ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଭାରତର ବୃହତ ବିଜୟ । ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନରେ ହରାଇଲା ଟିମ୍ ଇଣ୍ଡିଆ । ଅଶ୍ୱିନଙ୍କ ଯାଦୁଗରୀ ସ୍ପିନ ଆଗରେ ଆଣ୍ଠେଇଲା ଭ୍ରମଣକାରୀ ବାଂଲା ଟିମ୍ । ୫୧୫ ରନ୍ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ତାର ଦ୍ୱିତୀୟ ଇନିଂସରେ ମାତ୍ର ୨୩୪ରନ କରି ପାରିଥିଲା ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବାଂଲାଦେଶ ବୋଲିଂ କରିଥିଲା । ଭାରତ ତାର ପ୍ରଥମ ଇନିଂସରେ ୩୭୬ ରନରେ ଅଲଆଉଟ୍ ହୋଇଥିଲା । ଭାରତର ପ୍ରଥମ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ ୧୧୩ ରନ କରିଥିବା ବେଳେ ରବିନ୍ଦ୍ର ଜାଡେଜା ୮୬ ରନ କରିଥିଲେ । ଜବାବରେ ବାଲଂଦେଶ ତାର ପ୍ରଥମ ଇନିଂସରେ ମାତ୍ର ୧୪୯ କରି ଅଲ ଆଉଟ ହୋଇଥିଲା ।

ବାଂଲାଦେଶକୁ ଫଲୋଅନ ନଦେଇ ଭାରତ ନିଜ ଦ୍ୱିତୀୟରେ ୪ ୱିକେଟର ୨୮୭ କରି ପାଳି ଘୋଷଣା କରିଥିଲା । ୫୧୫ ରନର ପିଛା କରି ବାଂଲେଦେଶ ନିଜ ଦ୍ୱିତୀୟ ଇନିଂସରେ ୨୩୪ ରନରେ ଅଲଆଉଟ ହୋଇଛି । ଅଲରାଉଣ୍ଡର ପ୍ରଦର୍ଶନ ଲାଗି ରବିଚନ୍ଦ୍ରନ ଅଶ୍ୱିନୀ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି ।

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି । ଚତୁର୍ଥ ଦିନରେ ବାଂଲାଦେଶକୁ ପରାସ୍ତ କରି ଭାରତ ଏକ ବଡ଼ ସଫଳତା ହାସଲ କରିଛି । ଏହି ସଫଳତା ପାଇବା ପାଇଁ ଭାରତକୁ ୯୨ ବର୍ଷ ଅପେକ୍ଷା କରିବାକୁ ପଡିଛି । ୧୯୩୨ ମସିହାରେ ଭାରତୀୟ କ୍ରିକେଟ୍ ଦଳ ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲା ​​।

ସେବେଠାରୁ ଭାରତ ମୋଟ ୫୮୦ ମ୍ୟାଚ୍ ଖେଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୯୨ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ପରାଜୟ ଅପେକ୍ଷା ଅଧିକ ବିଜୟର ଆକଳନକୁ ଛୁଇଁ ପାରିଛି । ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ କ୍ରିକେଟ୍‌ରେ ୧୭୯ ତମ ବିଜୟ ହାସଲ କରିଛି ।

ଭାରତ ୨୨୨ ଡ୍ର ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍ ବାତିଲ ହୋଇଛି । ଟେଷ୍ଟ କ୍ରିକେଟରେ ହାରିବା ଅପେକ୍ଷା ଅଧିକ ମ୍ୟାଚ୍ ଜିତିବାରେ ଭାରତ ବିଶ୍ୱର ପଞ୍ଚମ ଦଳ ହୋଇପାରିଛି । ଏହାପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ଥାନର ଦଳମାନେ ଏଭଳି ସଫଳତା ହାସଲ କରିସାରିଛନ୍ତି । ଅଷ୍ଟ୍ରେଲିଆ ୪୧୪ ଟି ମ୍ୟାଚ୍ ଜିତିଛି ଏବଂ ୮୬୬ ଟି ମ୍ୟାଚ୍ ମଧ୍ୟରୁ ୨୩୨ଟି ମ୍ୟାଚ୍ ହାରିଛି ।