• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

‘ଏହା ସମ୍ପୂର୍ଣ୍ଣ ଭାବେ ଗୁଜବ ଓ ମିଛ..ମୁଁ ଜୀବନ୍ତ ଅଛି ଏବଂ ସୁସ୍ଥ ଅଛି’ ଏମିତି କହିଛନ୍ତି ଜିମ୍ବାୱେ କ୍ରିକେଟ୍‌ର ପୂର୍ବତନ ଅଲ୍‌ରାଉଣ୍ଡର୍‌ ହିଥ୍‌ ଷ୍ଟ୍ରିକ୍‌ । ବିଶ୍ୱବ୍ୟାପୀ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଜିମ୍ବାୱେ କ୍ରିକେଟ୍‌ର ପୂର୍ବତନ ଅଲ୍‌ରାଉଣ୍ଡର୍‌ ହିଥ୍‌ ଷ୍ଟ୍ରିକ୍‌ ଜୀବିତ ବୋଲି ସୂଚନା ଦେଇଛନ୍ତି । ଆଜି ସକାଳୁ କର୍କଟ ରୋଗରେ ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ହୋଇଥିବା ଖବର ବେଶ୍‌ ଭାଇରାଲ ହୋଇଥିଲା । ଏହାକୁ ନେଇ କ୍ରିକେଟ ଜଗତ ମଧ୍ୟ ଶୋକ ପ୍ରକାଶ କରିଥିଲା । ହେଲେ ଷ୍ଟ୍ରିକ ଜୀବିତ ଥିବା ନେଇ ସେ ଖୋଦ ନିଜେ ସୂଚନା ଦେଇଛନ୍ତି ।

ତାଙ୍କ ମୃତ୍ୟୁ ଖବର ପ୍ରଚାର କରାଯିବା ଘଟଣାରେ ସେ ଆଘାତ ପାଇଛନ୍ତି ଓ ଏହା ପଛରେ ଥିବା ଲୋକ କିମ୍ବା ସଂଗଠନକୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି । କୌଣସି ସତ୍ୟତା ନଥାଇ ଏପରି ଏକ କଥାକୁ ପ୍ରଚାର କରାଯିବା ଘଟଣାରେ ସେ ମର୍ମାହତ ଓ ବ୍ୟଥିତ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ‘ଏହାର ସୂତ୍ରଧର କ୍ଷମା ମାଗିବେ ବୋଲି ମୋର ବିଶ୍ୱାସ । ଏହି ଖବର ମୋତେ ଆଘାତ ଦେଇଛି’ ।

ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁ ଖବର ଭାଇରାଲ ହେବା ପରେ ଭାରତୀୟ କ୍ରିକେଟର ରବି ଅଶ୍ୱିନଙ୍କ ଠାରୁ ଆରମ୍ଭ କରି ଅନେକ ବରିଷ୍ଠ କ୍ରିକେଟର ମଧ୍ୟ ଏହି ଖବର ପାଇ ଶୋକ ପ୍ରକାଶ କରିଥିଲେ । ବିଜୁଳି ବେଗରେ ମୃତ୍ୟୁ ଖବର ପ୍ରଚାର ହେବାରୁ ଷ୍ଟ୍ରିକ ନିଜେ ସାମ୍ନାକୁ ଆସି ସେ ଜୀବିତ ଥିବା ସମସ୍ତଙ୍କୁ ଜଣାଇଛନ୍ତି ।

ଆଜି ସକାଳୁ ୪୯ ବର୍ଷ ବୟସରେ ଷ୍ଟ୍ରିକ ପ୍ରାଣ ହରାଇଥିବା ତାଙ୍କର ପୂର୍ବତନ ଟିମ ମେଟ୍‌ ଓଲଙ୍ଗା ଟ୍ୱିଟ କରି ସମସ୍ତଙ୍କୁ ଜଣାଇଥିଲେ । ବର୍ତ୍ତମାନ ତାଙ୍କ ମୃତ୍ୟୁ ଖବର ଗୁଜବ ବୋଲି ସେ ଜଣାଇଛନ୍ତି । ସଦ୍ୟତମ ‘ଏକ୍ସ୍‌’ରେ ସେ ସୂଚନା ଦେଇଛନ୍ତି ଯେ ହିଥ୍‌ ଷ୍ଟ୍ରିକ୍‌ଙ୍କ ମୃତ୍ୟୁ ସମ୍ବାଦ ଗୁଜବକୁ ଖୁବ୍‌ ଅତିରଞ୍ଜିତ କରାଯାଇଛି । ଏବେ ମୁଁ ତାଙ୍କଠାରୁ ଶୁଣିଲି। ‘ଥାର୍ଡ ଅମ୍ପାୟାର୍‌’ ତାଙ୍କୁ ଫେରାଇ ଆଣିଛନ୍ତି । ସେ ବଞ୍ଚିଛନ୍ତି ।

 

୧୯୯୩ରେ ସର୍ବ ପ୍ରଥମେ ପାକିସ୍ତାନ ବିପକ୍ଷରେ ଖେଳି ଷ୍ଟ୍ରିକ୍‌ କ୍ରିକେଟ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ । ରାୱଲ୍‌ ପିଣ୍ଡିରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ୮ଟି ୱିକେଟ୍‌ ନେଇ ଖ୍ୟାତି ଅର୍ଜନ କରିଥିଲେ । ୨୦୦୫ ରେ ସେ ଅବସର ନେଇଥିଲେ । ଅବସର ଗ୍ରହଣ ପରେ ସେ ଜିମ୍ବାୱେ, ସ୍କଟ୍‌ଲାଣ୍ଡ୍‌, ବାଂଲାଦେଶ, ଗୁଜରାଟ ଲାଇଅନ୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ ଆଦି ଟିମ୍‌ର କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି ।