D Gukesh Prize Money: ବିଶ୍ୱ ଚେସ୍ ଚାମ୍ପିୟନ୍ ହେଲେ ଡି ଗୁକେଶ; ଐତିହାସିକ ବିଜୟ ପରେ ପାଇଲେ କେତେ କୋଟି ଜାଣନ୍ତୁ..

ଡୋମାରାଜୁ ଗୁକେଶ ଏବେ ସିଙ୍ଗାପୁରଠାରେ ବିଶ୍ୱ ଚାମ୍ପିୟନ ହୋଇ ଖୁବ୍ କମ ବୟସରେ ଏକ ଅନନ୍ୟ ସଫଳତାର ଅଧିକାରୀ ହୋଇପାରିଛନ୍ତି । ୧୮ ବର୍ଷ ୬ ମାସ ଓ ୧୫ଦିନରେ ସେ ଚେସ୍ ଜଗତର ସର୍ବକନିଷ୍ଠ ବିଜେତା ହେବା ନିଶ୍ଚିତ ଭାବେ ଅବିସ୍ମରଣୀୟ।

ଡି ଗୁକେଶଙ୍କ ଉପରେ ଟଙ୍କା ବର୍ଷା

ଭାରତୀୟ କ୍ରୀଡ଼ା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିହୋଇଛି। ସିଙ୍ଗାପୁରରେ  ଚାଲିଥିବା ୨୦୨୪ ବିଶ୍ୱ ଚେସ୍ ଚାମ୍ପିୟନସିପରେ ବିଜୟୀ ହୋଇଛନ୍ତି ଭାରତର ୧୮ ବର୍ଷୀୟ ଚେସ୍ ତାରକା ଡି ଗୁକେଶ ବା ଗୁକେଶ ଡୋମାରାଜୁ । ଏପ୍ରିଲ ୨୦୨୩ରୁ କ୍ଲାସିକାଲ ଫର୍ମାଟରେ ବିଶ୍ୱ ଚେସ୍ ଚାମ୍ପିୟନ୍ ଥିବା ଚୀନର ଡିଙ୍ଗ୍ ଲିରେନଙ୍କୁ ପରାସ୍ତ କରି ଗୁକେଶ ତାଙ୍କଠାରୁ ବିଜୟ ମୁକୁଟ ଛଡ଼ାଇ ଆଣିଛନ୍ତି। ଏହି ଅବିଶ୍ୱସନୀୟ କୀର୍ତ୍ତି ସହିତ ଗୁକେଶ ଦ୍ୱିତୀୟ ଭାରତୀୟ ଚେସ ଖେଳାଳି ଭାବେ ବିଶ୍ୱ ବିଜେତା ହୋଇଛନ୍ତି। ତେବେ ସେ ବିଜୟୀ ହେବା ପରେ ତାଙ୍କୁ ପୁରସ୍କାର ବାବଦରେ କେତେ ଅର୍ଥ ମିଳିଛି ତାହା ଆପଣ ଜାଣିଛନ୍ତି କି ?

ଗୁକେଶ ଏବଂ ଡିଙ୍ଗ ଲିରେନଙ୍କ ପୁରସ୍କାର ରାଶି କେତେ?

FIDE ନିୟମ ଅନୁଯାୟୀ, ପ୍ରତ୍ୟେକ ଖେଳାଳି ପ୍ରତ୍ୟେକ ମ୍ୟାଚ୍ ଜିତିବା ପାଇଁ ୨ ଲକ୍ଷ ଡଲାର ବା ୧.୬୯ କୋଟି ପାଇଥାନ୍ତି । ତେଣୁ ଗୁକେଶଙ୍କୁ ୬ ଲକ୍ଷ ଡଲାର ବା ପ୍ରାୟ ୫.୦୯ କୋଟି ପ୍ରଦାନ କରାଯାଇଛି। ସେହିଭଳି ଡିଙ୍ଗଙ୍କୁ ୪ ଲକ୍ଷ ଡଲାର ବା ପାଖାପାଖି ୩.୩୯ କୋଟି ପ୍ରଦାନ କରାଯାଇଛି। ମ୍ୟାଚ୍ ପାଇଁ ମୋଟ ପୁରସ୍କାର ରାଶି ହେଉଛି ୨.୫ ମିଲିୟନ୍ ଡଲାର୍, ଯେଉଁଥିରେ ଖେଳ ଫଳାଫଳ ଉପରେ ଆଧାର କରି ନିର୍ଦ୍ଦିଷ୍ଟ ଭାବେ ବଣ୍ଟନ କରାଯାଇଥାଏ।

ପୁରସ୍କାର ରାଶି ନିମ୍ନଲିଖିତ ଭାବରେ ବଣ୍ଟନ କରାଯିବ: -

FIDE ଏକ ବିବୃତିରେ କହିଛି, ପ୍ରତ୍ୟେକ ଖେଳାଳିଙ୍କୁ ୨ ଲକ୍ଷ ଡଲାର ବା ୧.୬୯ କୋଟି ଟଙ୍କା ମିଳିବ । ଅବଶିଷ୍ଟ ପୁରସ୍କାର ରାଶି ଖେଳାଳିଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ। ଯଦି ବିଜେତା ଟାଇ-ବ୍ରେକ୍ ଉପରେ ନିଷ୍ପତ୍ତି ନିଆଯାଏ, ପୁରସ୍କାର ରାଶି ନିମ୍ନଲିଖିତ ଭାବରେ ବିଭକ୍ତ ହେବ:

ବିଜେତା ୧୩ ଲକ୍ଷ ଡଲାର୍ (ପ୍ରାୟ ୧୧.୦୨ କୋଟି) , ରନର୍ସ ଅପ୍ ୧୨ ଲକ୍ଷ ଡଲାର୍ (ପ୍ରାୟ ୧୦.୧୭ କୋଟି) ପାଇବେ । ଏହିପରି, ଗୁକେଶ ସମୁଦାୟ ୧୩ ଲକ୍ଷ ୫୦ ହଜାର ଡଲାର୍ (ପ୍ରାୟ ୧୧.୪୫ କୋଟି) ଜିତିଥିବାବେଳେ ଡିଙ୍ଗ ୧୧ ଲକ୍ଷ ୫୦ ହଜାର ଡଲାର୍ (ପ୍ରାୟ ୯.୭୫କୋଟି) ପାଇଥିଲେ।

ତେବେ ବିଶ୍ୱ ଚେସ ଚାମ୍ପିଅନସିପ୍ ୨୦୨୪ର ଏହି ମ୍ୟାଚ୍ ୧୩୮ ବର୍ଷରେ ପ୍ରଥମ ମ୍ୟାଚ୍ ଥିଲା ଯେଉଁଥିରେ ଏସିଆର ଦୁଇ ପ୍ରତିଯୋଗୀ, ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ଡିଙ୍ଗ୍ ଲିରେନ୍ ଏବଂ ଭାରତର ଚ୍ୟାଲେଞ୍ଜର ଗୁକେଶ ଟାଇଟଲ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୧୮୮୬ ପରଠାରୁ କେବଳ ୧୭ ଖେଳାଳି ବିଶ୍ୱ ଚେସ୍ ଚାମ୍ପିଅନ୍ ସମ୍ମାନଜନକ ଟାଇଟଲ୍ ଜିତିଛନ୍ତି । ଗୁକେଶ ବର୍ତ୍ତମାନ ଅଷ୍ଟାଦଶ ବିଶ୍ୱ ଚେସ ଚାମ୍ପିୟନ ହୋଇଛନ୍ତି ।

ଅଧିକ ପଢନ୍ତୁ: ଚେସ୍ ତାରକା ଗୁକେଶଙ୍କୁ ନେଇ ଦୁଇ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ

ଭାରତର ମହାନ ଚେସ୍ ତାରକା ବିଶ୍ୱନାଥନ ଆନନ୍ଦ ୫ ଥର ବିଶ୍ୱ ଚେସ୍ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। କ୍ଲାସିକାଲ ଚେସରେ ସେ ୨୦୦୦, ୨୦୦୭, ୨୦୦୮, ୨୦୧୦ ଓ ୨୦୧୨ରେ ବିଶ୍ୱବିଜେତା ହୋଇଥିଲେ। ଏତଦବ୍ୟତୀତ ରାପିଡ୍ ଚେସରେ ମଧ୍ୟ ବିଶ୍ୱ ଚମ୍ପିୟନ ହେବା ଆନନ୍ଦଙ୍କର ଅନ୍ୟତମ ସଫଳତା। ୨୦୧୩ରେ ଚେନ୍ନାଇରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ବିଶ୍ୱନାଥନ ଆନନ୍ଦ ନରୱେର ମ୍ୟାଗନସ୍ କାର୍ଲସନଙ୍କଠାରୁ ପରାଜିତ ହୋଇଯାଇଥିଲେ। ଏବେ ଚେନ୍ନାଇରେ ଜନ୍ମିତ ଡୋମ୍ମାରାଜୁ ଗୁକେଶ ବିଶ୍ୱ ଚାମ୍ପିଆନ ହେବା ଫଳରେ ଭାରତ ଏହାର ହୃତ ଗୌରବ ଫେରିପାଇଛି। ଏଥିସହିତ ଗୁକେଶ ଏବେ ଆନନ୍ଦଙ୍କ ପଛକୁ ଦ୍ୱିତୀୟ ଭାରତୀୟ ଭାବେ ଚେସ୍ ଜଗତର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି।

କମ୍ ବୟସରେ ବଡ଼ ସଫଳତା

୨୦୦୬ ମେ’ ୨୯ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ଗୁକେଶ ମାତ୍ର ୧୨ବର୍ଷ ୭ ମାସ ଓ ୧୭ ଦିନର ହୋଇଥିବା ବେଳେ ତାଙ୍କୁ ମିଳିଥିଲା ଗ୍ରାଣ୍ଡମାଷ୍ଟର ଟାଇଟଲ୍। ଏହି ଟାଇଟଲ୍ ହାସଲ କରିବା ସମୟରେ ସେ ଥିଲେ ବିଶ୍ୱର ଦ୍ୱିତୀୟ ସର୍ବ କନିଷ୍ଠ ଖେଳାଳି। କମ ବୟସରୁ ବିଭିନ୍ନ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବାର ସଫଳତା ମଧ୍ୟ ତାଙ୍କୁ ମିଳିଥିଲା।୨୦୨୨ରେ ଚେନ୍ନାଇରେ ଅନୁଷ୍ଠିତ ୪୪ତମ ଚେସ୍ ଅଲିମ୍ପିଆଡ଼ରେ ଗୁକେଶ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବ୍ରୋଞ୍ଜପଦକ ବିଜୟୀ କରାଇବା ସହିତ ନିଜେ ବ୍ୟକ୍ତିଗତ ଭାବେ ଟପ୍ ବୋର୍ଡର ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଅଧିକ ପଢନ୍ତୁ: ଜଣେ କ୍ରିକେଟ୍‌ର ଭଗବାନ ଆଉ ଜଣେ ଅସଫଳ-ଅସହାୟ ମଣିଷ

ଚଳିତ ବର୍ଷ ବୁଦାପେଷ୍ଟରେ ଅନୁଷ୍ଠିତ ୪୫ତମ ଚେସ୍ ଅଲିମ୍ପିଆଡରେ ମଧ୍ୟ ତାଙ୍କୁ ଟପ୍ ବୋର୍ଡର ସ୍ୱର୍ଣ୍ଣ ମିଳିଛି ଏବଂ ସେ ଭାରତୀୟ ଦଳକୁ ସ୍ୱର୍ଣ୍ଣ ବିଜୟୀ କରାଇବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୭୯୪ ୟେଲୋ ରେଟିଂ ପ୍ରାପ୍ତ ବିଶ୍ୱର ୫ ନମ୍ବର ଖେଳାଳି ଡୋମାରାଜୁ ଗୁକେଶ ଏବେ ସିଙ୍ଗାପୁରଠାରେ ବିଶ୍ୱ ଚାମ୍ପିୟନ ହୋଇ ଖୁବ୍ କମ ବୟସରେ ଏକ ଅନନ୍ୟ ସଫଳତାର ଅଧିକାରୀ ହୋଇପାରିଛନ୍ତି । ୧୮ ବର୍ଷ ୬ ମାସ ଓ ୧୫ଦିନରେ ସେ ଚେସ୍ ଜଗତର ସର୍ବକନିଷ୍ଠ ବିଜେତା ହେବା ନିଶ୍ଚିତ ଭାବେ ଅବିସ୍ମରଣୀୟ।