• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ନିକଟରେ ଶେଷ ହୋଇଥିବା ବର୍ଷର ପ୍ରଥମ ଗ୍ରାଣ୍ଡ୍‌ସ୍ଲ୍‌ାମ୍ ‘ଅଷ୍ଟ୍ରେଲିଆନ୍ ଓପନ୍‌’ରେ ଭାରତୀୟ ଖେଳାଳିମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏକକ (ପୁରୁଷ ଓ ମହିଳା) ବର୍ଗରେ ଦେଶର ଏକମାତ୍ର ଆଶା ସୁମିତ ନାଗଲ୍ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଥିଲେ ।
ପୁରୁଷ ଯୁଗଳରେ ରୋହନ ବୋପନ୍ନା, ୟୁକି ଭାମ୍ବରୀ. ଏନ୍‌. ଶ୍ରୀରାମ ବାଲାଜୀ ଓ ରିତ୍ତ୍ୱିକ ଚୌଧରୀ ବୋଲିପଲ୍ଲୀ ବି ନିରାଶ କରିଥିଲେ । ମିଶ୍ରିତ ଯୁଗଳରେ ବୋପନ୍ନା ଓ ତାଙ୍କ ଚୀନା ଯୋଡ଼ିଦାର ଝାଙ୍ଗ୍ ଶୁଆଇ କ୍ୱାର୍ଟର୍‌-ଫାଇନାଲ୍‌ରେ ହାରିଯାଇଥିଲେ । 

ଏହି ବିଫଳତା ପରେ କେତେକ ପ୍ରଶ୍ନ ଉଠିଛି । ଆନ୍ତର୍ଜାତିକ ଟେନିସ୍‌ରେ ଭାରତର ଭବିଷ୍ୟତ କେତେ ଉଜ୍ଜ୍ୱଳ? ଗ୍ରାଣ୍ଡ୍‌ସ୍ଲାମ୍ ଏକକ ବର୍ଗରେ ଭାରତୀୟ ଖେଳାଳି କେବେ ଜିତିବେ ମୁକୁଟ? କେବେ ସୁଧୁରିବ ସ୍ଥିତି?

ଗ୍ରାଣ୍ଡ୍‌ସ୍ଲାମ୍‌ରେ କେବେ ମିଳିନି ଏକକ ମୁକୁଟ

ଆଜି ଯାଏଁ ଭାରତର କୌଣସି ଖେଳାଳି ଗ୍ରାଣ୍ଡ୍‌ସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ ଏକକ ମୁକୁଟ ଜିତିପାରି ନାହାନ୍ତି । ତେବେ ଭାରତୀୟ ଖେଳାଳି ସେମି-ଫାଇନାଲ୍ ଓ କ୍ୱାର୍ଟର୍‌-ଫାଇନାଲ୍ ପର୍ଯ୍ୟନ୍ତ ଯାଇଛନ୍ତି । ୱିମ୍ବଲଡନ୍‌ରେ ରାମନାଥନ କ୍ରିଷ୍ଣନ କ୍ରମାଗତ ଦୁଇ ଥର (୧୯୬୦ ଓ ୧୯୬୧) ପୁରୁଷ ଏକକର ସେମିଫାଇନାଲ୍‌ରେ ସ୍ଥାନ ପାଇଥିଲେ । ୧୯୬୧ରେ ସେ କ୍ୱାର୍ଟର୍‌-ଫାଇନାଲ୍‌ରେ ୧୨ ଥର ଗ୍ରାଣ୍ଡ୍‌ସ୍ଲାମ୍ ବିଜେତା ରୟ ଏମର୍ସନ୍‌ଙ୍କୁ ମାତ୍ ଦେଇଥିଲେ । 

ବିଜୟ ଅମ୍ରିତରାଜ ଗ୍ରାଣ୍ଡ୍‌ସ୍ଲାମ୍‌ରେ ଚାରି ଥର ଏକକ କ୍ୱାର୍ଟର୍‌-ଫାଇନାଲ୍‌ରେ ପ୍ରବେଶ କରିଥିଲେ । ସେ ୧୯୭୩ ଓ ୧୯୮୧ରେ ୱିମ୍ବଲ୍‌ଡନ୍ ଏବଂ ୧୯୭୩ ଓ ୧୯୭୪ରେ ୟୁଏସ୍ ଓପନ୍ ଅନ୍ତିମ-୮ରେ ସ୍ଥାନ ପାଇଥିଲେ । 
ଏହାଛଡ଼ା ରାମନାଥନ କ୍ରିଷ୍ଣନଙ୍କ ପୁଅ ରମେଶ କ୍ରିଷ୍ଣନ ଥରେ (୧୯୮୬) ୱିମ୍ବଲ୍‌ଡନ୍ ଓ ଦୁଇ ଥର (୧୯୮୧ ଓ ୧୯୮୭) ୟୁଏସ୍ ଓପନ୍‌ରେ କ୍ୱାର୍ଟର୍‌-ଫାଇନାଲ୍‌ରେ ପହଞ୍ଚିଥିଲେ । 

କିନ୍ତୁ ୧୯୮୭ ପରଠାରୁ ଆଉ କୌଣସି ଭାରତୀୟ ଖେଳାଳି ଗ୍ରାଣ୍ଡ୍‌ସ୍ଲାମ୍‌ର ଏକକ ବର୍ଗରେ ନକ୍‌ଆଉଟ୍ ପର୍ଯ୍ୟନ୍ତ ଯାଇପାରି ନାହାନ୍ତି । ଯୁବ ଖେଳାଳି ନାଗଲ୍‌ଙ୍କ ଉପରେ ସମସ୍ତଙ୍କର ଆଶା ଅଛି । ସେ ଅଷ୍ଟ୍ରେଲିଆନ୍ ଓପନ୍ ୨୦୨୫ରେ ସିଧାସଳଖ ପୁରୁଷ ଏକକ ମୁଖ୍ୟ ଡ୍ର’ରେ ସ୍ଥାନ ପାଇଥିଲେ । 

ନାଗଲ୍ ଏବେ ଏଟିପି ଏକକ ମାନ୍ୟତାରେ ଶୀର୍ଷ ଭାରତୀୟ ଭାବେ ୧୦୬ତମ ସ୍ଥାନରେ ରହିଛନ୍ତି । ତାଙ୍କୁ ଛାଡ଼ିଦେଲେ ଟପ୍‌-୩୦୦ରେ ଜଣେ ବି ଭାରତୀୟ ନାହାନ୍ତି । ମୁକୁନ୍ଦ ଶଶିକୁମାର ୩୬୫ତମ, ରାମକୁମାର ରାମନାଥନ ୪୦୬ତମ ଓ କରଣ ସିଂହ ୪୯୬ତମ ସ୍ଥାନରେ ଅଛନ୍ତି । 
 

ଯୁଗଳରେ କିଏ ହେବେ ପରବର୍ତ୍ତୀ ସୁପର୍‌ଷ୍ଟାର୍ 

ଗ୍ରାଣ୍ଡ୍‌ସ୍ଲାମ୍‌ର ଏକକ ବର୍ଗରେ ଭାରତୀୟ ଖେଳାଳି ମୁକୁଟ ଜିତିପାରି ନାହାନ୍ତି, ହେଲେ ଯୁଗଳ ବର୍ଗରେ ଅନେକ ସଫଳତା ମିଳିଛି । ପୁରୁଷ ଯୁଗଳ, ମିଶ୍ରିତ ଯୁଗଳ ଓ ମହିଳା ଯୁଗଳରେ କିଛି ବର୍ଷ ପୂର୍ବ ଯାଏଁ ଭାରତୀୟ ଖେଳାଳି ଗ୍ରାଣ୍ଡ୍‌ସ୍ଲାମ୍ ଚାମ୍ପିଅନ୍ ହୋଇଆସୁଥିଲେ । କିନ୍ତୁ ଏବେ ଯୁଗଳରେ ବି ସ୍ଥିତି ଗମ୍ଭୀର ହେଲାଣି । 

ଶେଷ ଥର ୨୦୨୪ରେ ବୋପନ୍ନା ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏବଡେନ୍‌ଙ୍କ ସହ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳ ମୁକୁଟ ଜିତିଥିଲେ । ଭାରତୀୟ ଖେଳାଳି ୧୯୯୭ରୁ ୨୦୨୪ ମଧ୍ୟରେ ମୋଟ୍ ୩୧ ଗ୍ରାଣ୍ଡ୍‌ସ୍ଲାମ୍ ମୁକୁଟ ଜିତିଛନ୍ତି । ଏଥିରେ ୧୮ ମିଶ୍ରିତ ଯୁଗଳ, ୧୦ ପୁରୁଷ ଯୁଗଳ ଓ ତିନି ମହିଳା ଯୁଗଳ ମୁକୁଟ ରହିଛି । 

ଏହି ସମସ୍ତ ମୁକୁଟ କେବଳ ଚାରି ଖେଳାଳି - ଲିଆଣ୍ଡର ପେସ୍‌, ମହେଶ ଭୂପତି, ରୋହନ ବୋପନ୍ନା ଓ ସାନିଆ ମିର୍ଜା ହାସଲ କରିଛନ୍ତି । ସେମାନେ କେତେବେଳେ ନିଜ ନିଜ ମଧ୍ୟରେ ଯୋଡ଼ି କରି ତ କେତେବେଳେ ବିଦେଶ ଖେଳାଳିଙ୍କ ସହ ମିଶି ମୁକୁଟ ଜିତିଛନ୍ତି । 
ସେମାନଙ୍କ ମଧ୍ୟରୁ ଏବେ କେବଳ ବୋପନ୍ନା ସକ୍ରିୟ ଅଛନ୍ତି । ସେ ତାଙ୍କ କ୍ୟାରିଅର୍‌ର ଅନ୍ତିମ ସୋପାନରେ ପହଞ୍ଚିଲେଣି ଅଥଚ କୋର୍ଟରେ ସଂଘର୍ଷ ଜାରି ରଖିଛନ୍ତି । ଏକଦା ସେ ଯୁଗଳ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲେ । ତେବେ ତାଙ୍କ ପରେ କିଏ ହେବେ ଭାରତର ସୁପର୍‌ଷ୍ଟାର୍‌? 
ଏବେ ଯୁଗଳ ମାନ୍ୟତାରେ ୪୪ବର୍ଷୀୟ ବୋପନ୍ନା ୨୧ତମ ସ୍ଥାନରେ ରହିଛନ୍ତି । ଏହାପରେ ଭାମ୍ବରୀଙ୍କ ସ୍ଥାନ, ଯିଏକି ୪୭ତମ ସ୍ଥାନରେ ଅଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ବାଲାଜୀ ୬୪ତମ, ରିତ୍ତ୍ୱିକ ୭୯ତମ ଓ ଅର୍ଜୁନ କାଧେ ୮୩ତମ ସ୍ଥାନରେ ରହିଛନ୍ତି । 

ମହିଳା ବର୍ଗରେ ସାନିଆଙ୍କ ପରେ ଶୂନ୍ୟତା

ସାନିଆ ମିର୍ଜା ଟେନିସ୍ ଜଗତରେ ନିଜ ପରିଚୟ ସୃଷ୍ଟି କରିପାରିଥିଲେ । ଦେଶର ନୂଆ ପିଢ଼ିର ମହିଳା ଖେଳାଳିଙ୍କ ପାଇଁ ସେ ଆଦର୍ଶ । ସେ ଯୁଗଳ ବର୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ଥିଲେ । ତାଙ୍କୁ ଛଅ ମେଜର୍ ମୁକୁଟ ମିଳିଛି । ତେବେ ସେ ଅବସର ନେବା ପରେ ଭାରତୀୟ ମହିଳା ଟେନିସ୍‌ରେ ଏକପ୍ରକାର ଶୂନ୍ୟତା ଦେଖାଦେଇଛି । 

୩୨ବର୍ଷୀୟା ଅଙ୍କିତା ରାଇନାଙ୍କ ଉପରେ ସମସ୍ତଙ୍କ ଆଶା ଥିଲା, ହେଲେ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି । ମହିଳା ଏକକ ମାନ୍ୟତାରେ ସହଜା ୟମଲାପଲ୍ଲୀ ଭାରତର ଶୀର୍ଷ ଖେଳାଳି ଭାବେ ୨୯୪ତମ ସ୍ଥାନରେ ରହିଛନ୍ତି । ଏହାଛଡ଼ା ଅଙ୍କିତା (୨୯୫ତମ), ଶ୍ରୀବଲ୍ଲୀ ରଶ୍ମିକା ଭାମିଦିପତୀ (୩୩୨ତମ), ବୈଦେହୀ ଚୌଧରୀ (୩୯୮ତମ) ଟପ୍‌-୫୦୦ ମଧ୍ୟରେ ଅଛନ୍ତି ।

ଟେନିସ୍ ଏକ ବ୍ୟୟବହୁଳ ଖେଳ 

ଭାରତରେ ଟେନିସ୍‌ର ଦୁର୍ଦ୍ଦଶା ପଛର ବଡ଼ କାରଣ ହେଉଛି ଯେ ଏହା ଏକ ବ୍ୟୟବହୁଳ ଖେଳ । ଏହାର ଖର୍ଚ୍ଚ ଉଠାଇବା ସବୁ ଖେଳାଳିଙ୍କ ପକ୍ଷରେ ସମ୍ଭବ ହୋଇ ନ ଥାଏ । 
ଉତ୍ତର-ପୂର୍ବାଞ୍ଚଳ, ଉତ୍ତର ପ୍ରଦେଶ, ବିହାର ଓ ପଞ୍ଜାବ ଭଳି ରାଜ୍ୟରେ ଟେନିସ୍‌ର ସେତେ ଚାହିଦା ନାହିଁ । ଓଡ଼ିଶାକୁ ବି ଏଥିରେ ଅନ୍ତର୍ଭୁକ୍ତ କରାଯାଇପାରେ । 

ଘର ପାଖ ଗଳିରେ ଆପଣ ବ୍ୟାଡ୍‌ମିଣ୍ଟନ ଖେଳିପାରିବେ, କିନ୍ତୁ ଟେନିସ୍ ଖେଳିପାରିବେ ନାହିଁ । ଟେନିସ୍ ପାଇଁ ପ୍ରଥମେ ର‌୍ୟାକେଟ୍ ଓ ବଲ୍ କିଣିବାକୁ ପଡ଼େ । ଏହାପରେ ନିୟମିତ ବ୍ୟବଧାନରେ ର‌୍ୟାକେଟ୍‌ର ତାର ବଦଳାଇବାକୁ ହେବ । ଜୋର୍‌ରେ ଖେଳିଲେ ଗୋଟିଏ ସେସନ୍ ପରେ ବଲ୍ ନଷ୍ଟ ହୋଇଯାଏ । ସାଧାରଣତଃ ମାଗଣାରେ ଖେଳିବା ପାଇଁ ଟେନିସ୍ କୋର୍ଟ ଉପଲବ୍‌ଧ ନ ଥାଏ । ଟେନିସ୍ କୋଚିଂ ବି ବ୍ୟୟବହୁଳ । 

ଏହାଛଡ଼ା ଦେଶରେ ବେଶୀ ଏଟିପି ଚାଲେଞ୍ଜର୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ନ ଥାଏ । ଅଭିଜ୍ଞତା ପାଇଁ ଭାରତୀୟ ଖେଳାଳିଙ୍କୁ ଅନ୍ୟ ଦେଶକୁ ଯିବାକୁ ପଡ଼େ । ଏପରି ସ୍ଥିତିରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦେଶରେ ଏହି ଖେଳକୁ ଲୋକପ୍ରିୟ କରାଇବାର ଆବଶ୍ୟକତା ରହିଛି । ଅଖିଳ ଭାରତୀୟ ଟେନିସ୍ ସଂଘ ଅଧିକ ଗୁଣାତ୍ମକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଉଚିତ । ପ୍ରତିଭା ଚିହ୍ନଟରେ ଅଧିକ ସକ୍ରିୟତା ଲୋଡ଼ା । ଏହା ସହିତ ଟେନିସ୍‌ର ବିକାଶ କାର୍ଯ୍ୟରେ ପୁରୁଣା ଖେଳାଳିମାନଙ୍କୁ ବି ସାମିଲ୍ କରାଯିବା ଦରକାର ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now