କ୍ରିକେଟ୍‌ର ସବୁ ଫର୍ମାଟ୍‌କୁ ବାଏ ବାଏ କହିଲେ ହରଭଜନ

୨୩ ବର୍ଷର କ୍ରିକେଟ୍ କ୍ୟାରିୟରକୁ ସ୍ମରଣୀୟ ଏବଂ ସୁନ୍ଦର କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ହରଭଜନ । ୧୭ ବର୍ଷ ବୟସରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।

Harbhajan Singh

କ୍ରିକେଟକୁ ବାଏ ବାଏ କଲେ ଷ୍ଟାର୍ ସ୍ପିନର ହରଭଜନ ସିଂ । କ୍ରିକେଟ୍‌ର ସବୁ ଫର୍ମାଟରୁ ଆଜି ଅବସର ଘୋଷଣା କରିଛନ୍ତି ଭଜ୍ଜି ନାଁରେ ଜଣାଶୁଣା ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର୍ । ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି ।

୨୩ ବର୍ଷର କ୍ରିକେଟ୍ କ୍ୟାରିୟରକୁ ସ୍ମରଣୀୟ ଏବଂ ସୁନ୍ଦର କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ହରଭଜନ । ୧୭ ବର୍ଷ ବୟସରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ହରଭଜନ ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ନେଇଥିଲେ ।

୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷ ଗାଭାସ୍କର-ବର୍ଡର ସିରିଜ୍‌ରେ ୩ଟି ମ୍ୟାଚରେ ୩୨ ଓ୍ୱିକେଟ୍ ନେଇ ଭାରତକୁ ଐତିହାସିକ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ ପଞ୍ଜାବର ଏହି ଖେଳାଳି । ୪୧ ବର୍ଷୀୟ ହରଭଜନ ୧୦୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୪୧୭ ଓ୍ୱିକେଟ୍ ଅକ୍ତିଆର୍ କରିଥିବା ବେଳେ ୨୩୬ଟି ଦିନିକିଆରେ ୨୬୯ ଓ୍ୱିକେଟ୍ ଏବଂ ଟି-ଟ୍ୱେଣ୍ଟିରେ ୨୫ ଓ୍ୱିକେଟ୍ ନେଇଛନ୍ତି ।

ସେ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ । ଶେଷ ଥର ଲାଗି ସେ ୨୦୧୬ରେ ଭାରତ ପାଇଁ ଅର୍ନ୍ତଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଥିଲେ । ଆଇପିଏଲ୍‌ରେ ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ଏବଂ କୋଲକତା ନାଇଟ୍ ରାଇଡର୍ସ ପାଇଁ ପ୍ରତିନିଧିତ୍ୱ କରିଥିଲେ ।