• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତୀୟ ଫୁଟବଲକୁ ବଡ ଝଟକା । ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନ ବା AIFFକୁ ସସପେଣ୍ଡ କଲା ବିଶ୍ୱ ପୁଟବଲର ଶୀର୍ଷ ସଙ୍ଗଠନ । FIFA ବ୍ୟୁରୋ ଅଫ ଫିଫା କାଉନ୍ସିଲ ସର୍ବସମ୍ମତି କ୍ରମେ ଭାରତୀୟ ଫୁଟବଲ ସଂଘକୁ ନିଲମ୍ବନ ପାଇଁ ନିଷ୍ପତ୍ତି ନେଇଛି ଏବଂ ଏହାକୁ ତତ୍କାଳ ଲାଗୁ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛି । ଭାରତୀୟ ଫୁଟବଲକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟିର ପରିଚାଳନାକୁ ଫିଫା ତୃତୀୟ ପକ୍ଷର ଅଯଥା ଏବଂ ଅତ୍ୟଧିକ ହସ୍ତକ୍ଷେପ ବୋଲି ଦର୍ଶାଇ ଏହି ନିଲମ୍ବନ ଆଦେଶ ଦେଇଛି । FIFA ଦ୍ୱାରା ନିର୍ଦ୍ଧାରିତ ନିୟାମକର ଏହା ଉଲ୍ଲଂଘନ ବୋଲି ଯୁକ୍ତି ବାଢିଛି  । ବିଶ୍ୱ ଫୁଟବଲର ଶୀର୍ଷ ଗଭର୍ଣ୍ଣିଂ ବଡି ଗଣତାନ୍ତ୍ରିକ ପଦ୍ଧତିରେ AIFFର ବିଭିନ୍ନ ପଦ ଲାଗି ନିର୍ବାଚନ ନହେଲା ଯାଏଁ ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ଫିଫା କହିଛି ।

କେଉଁ କାରଣକୁ ନେଇ AIFFକୁ ସସ୍ପେଣ୍ଡ କରିଛି ଫିଫା

ଅଲ ଇଣ୍ଡିଆ ଫୁଟବଲ ସଂଘର ମୁଖ୍ୟ ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟକାଳ ୨ ବର୍ଷ ତଳୁ ସରଥିଲେ ମଧ୍ୟ ସେ ସଙ୍ଗଠନର ବିଭିନ୍ନ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଥିଲେ ଯାହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ଏହାପରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ରାୟ ଦେବା ସହିତ ଏକ ପ୍ରଶାସନିକ କମିଟି ନିଯୁକ୍ତ କରି AIFF ପରିଚାଳନା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଗତ ମେ ମାସରେ ପ୍ରଶାସନିକ କମିଟି ସଦସ୍ୟ ଏସ ୱାଇ କୁରେଶୀ ସେପଟେମ୍ବର ସୁଦ୍ଧା AIFFର ନୂତନ ସମ୍ବିଧାନ ହେବ ବୋଲି କହିଥିଲେ । ଗତ ଜୁନ ମାସରେ ପ୍ରଶାସନିକ କମିଟି ଏବଂ AIFFର ଅନୁବନ୍ଧିତ ସଂସ୍ଥା ନିର୍ବାଚନ କରିବା ନେଇ ଆଲୋଚନା କରିଥିଲେ । ତେବେ ଏହାପରେ ଭାରତୀୟ ଫୁଟବଲର ପରିଚାଳନାଗତ ତଦାରଖ ପାଇଁ FIFA ଦ୍ୱାରା ଏକ ଟିମ ନିଯୁକ୍ତ କରାଯାଇଥିଲା । ଏହାସତ୍ତ୍ୱେ ଗଣତାନ୍ତ୍ରିକ ପଦ୍ଧତିରେ ପରିଚାଳନା କମିଟି ଗଠନ କରାଯାଇନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଫିଫା ।

ପ୍ରଶାସନିକ କମିଟି ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଚିଠା ପ୍ରସ୍ତାବରେ କୁହାଯାଇଛି ଯେ, ଇଲେକଟୋରାଲ କଲେଜରେ ୩୬ ଟି ରାଜ୍ୟ ସଙ୍ଗଠନର ପ୍ରତିନିଧି ଏବଂ ୩୬ ଜଣ ପ୍ରତିଷ୍ଠିତ ଫୁଟବଲ ଖେଳାଳି ରହିବେ । ତେବେ ଇଲେକ୍ଟୋରାଲ କଲେଜରେ ରାଜ୍ୟ ସଙ୍ଗଠନର ପ୍ରତିନିଧିଙ୍କ ସହ ସମାନ ସଂଖ୍ୟକ ଖେଳାଳି ରହିବା ଉଚିତ୍ ଚିନ୍ତାଧାରା ନୁହେଁ ବୋଲି ଫିଫା କହିଛି । ବୁଧବାର AIFF ସଭାପତି ନାମାଙ୍କନ ପାଇଁ ଶେଷ ତାରିଖ ହୋଇଥିବା ବେଳେ, ଏ ସମ୍ପର୍କିତ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି ମଧ୍ୟ ହେବାର ଅଛି । ସେପଟେ ପ୍ରଶାସନିକ କମିଟି, ଭାରତୀୟ ଫୁଟବଲର ପରିଚାଳନା କ୍ଷମତା AIFF କାର୍ଯ୍ୟନିର୍ବାହୀ କମିଟିକୁ ହସ୍ତାନ୍ତର କଲାପରେ ନିଲମ୍ବନ ହଟାଯିବ ବୋଲି ଫିଫା କହିଛି ।

AIFFକୁ ଫିଫା ନିଲମ୍ବନ କରିବା ପ୍ରଥମ ଘଟଣା । ତେବେ ଏହାର ସୁଦୂର ପ୍ରସାରୀ ପରିଣାମ ହେବାକୁ ଯାଉଛି । ଏହାର ସିଧା ସଳଖ ପ୍ରଭାବ ପଡ଼ିବ । ଦୁଇ ମାସ ପରେ ଭାରତରେ ହେବାକୁ ଥିବା ଜୁନିୟର ମହିଳା ବିଶ୍ୱକପ ବିବାଦର ସମାଧାନ ହୋଇନଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ଭାରତକୁ ଅନୁମତି ମିଳିବ ନାହିଁ ଯାହା ଦେଶରେ ଫୁଟବଲ ବିକାଶରେ ବିରାଟ ପ୍ରତିବନ୍ଧକ ସାଜିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଟୁର୍ଣ୍ଣାମେଣ୍ଟର ପ୍ରମୁଖ ଭେନ୍ୟୁ ହୋଇ ଥିବାରୁ ରାଜ୍ୟର ଫୁଟବଲ ଖେଳାଳି ଓ ଦର୍ଶକ ଉବୟ ନିରାଶ ହେବେ ।

FIFA ଦ୍ୱାରା AIFFର ନିଲମ୍ବନ ପରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ବିଶ୍ୱକପକୁ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା । ଏପରିକି ଯଦି ନିଲମ୍ବନ ଆଦେଶ ପ୍ରତ୍ୟାହାର ନହୁଏ, ଭାରତ ଏହି ବଡ ଟୁର୍ଣ୍ଣାମେଣ୍ଟକୁ ହାତ ଛଡା ମଧ୍ୟ କରିପାରେ ।

ଆସନ୍ତା ଅକ୍ଟୋବର ୧୧ରୁ ୩୦ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର ଥିଲା । ଗତ ଜୁଲାଇ ୨୦୨୧ରେ ଏହା ଆୟୋଜିତ ହେବାକୁ ଥିବା ବେଳେ କରୋନା ମହାମାରୀ ଯୋଗୁ ସ୍ଥଗିତ ରଖାଯାଇଥିଲା ।