ଭାଇ ବାହାଘରକୁ ଯାଇଥିଲେ, ଡେରି ହେବାରୁ ହେଲିକପ୍ଟର ଚଢ଼ି ପଡ଼ିଆରେ ପହଞ୍ଚିଲେ

ଷ୍ଟାଡିୟମକୁ ଷ୍ଟାଇଲରେ ଏଣ୍ଟ୍ରି ମାରଲେ ଡେଭିଡ୍ ୱାର୍ଣ୍ଣର । ବିଗ୍ ବାସ୍ ଲିଗ୍ ମ୍ୟାଚ ଖେଳିବା ଲାଗି ହେଲିକପ୍ଟରରେ ଗ୍ରାଉଣ୍ଡକୁ ପହଞ୍ଚିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର ।

David Warner

ଷ୍ଟାଡିୟମକୁ ଷ୍ଟାଇଲରେ ଏଣ୍ଟ୍ରି ମାରଲେ ଡେଭିଡ୍ ୱାର୍ଣ୍ଣର । ବିଗ୍ ବାସ୍ ଲିଗ୍ ମ୍ୟାଚ ଖେଳିବା ଲାଗି ହେଲିକପ୍ଟରରେ ଗ୍ରାଉଣ୍ଡକୁ ପହଞ୍ଚିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର । ବିଗ୍ ବାସ୍ ଲିଗରେ ନିଜ ଟିମ୍ ସିଡନୀ ଥଣ୍ଡର ପକ୍ଷରୁ ମ୍ୟାଚ ଖେଳିବା ଲାଗି ୱାର୍ଣ୍ଣର ହେଲିକପ୍ଟରରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପହଞ୍ଚିଥିଲେ ।

ଆଜି ଏକ ବଡ ମୁକାବିଲାରେ ସିଡନୀ ସିକ୍ସରକୁ ଭେଟିବ ସିଡନୀ ଥଣ୍ଡର । ଆଉ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଲାଗି ୱାର୍ଣ୍ଣରଙ୍କୁ ଟିମରେ ସାମିଲ କରାଯାଇଥିଲା । ତେବେ ୱାର୍ଣ୍ଣର ନିଜ ଭାଇ ବାହାଘର ଲାଗି ସିଡନୀଠାରୁ ୨୫୦ କିଲୋମିଟର ଦୂର ହଣ୍ଟର ଭ୍ୟାଲିକୁ ଯାଇଥିଲେ ।

ଏଣୁ ଖେଳିବା ଲାଗି ସେ ମ୍ୟାଚର ଠିକ୍ ପୂର୍ବରୁ ଷ୍ଟାଡିୟମରେ ପହଞ୍ଚିଥିଲେ । ୱାର୍ଣ୍ଣର ଚଳିତ ବିଗ ବାସ୍ ଲିଗରେ ସିଡନୀ ଥଣ୍ଡର ପକ୍ଷରୁ ୩ଟି ମ୍ୟାଚ ଖେଳିବେ । ଅନ୍ୟପଟେ ଟେଷ୍ଟ ଓ ଦିନିକିଆରୁ ନିକଟରେ ଅବସର ଘୋଷଣା କରିଛନ୍ତି ୱାର୍ଣ୍ଣର । ପୂର୍ବରୁ ଟେଷ୍ଟ ଛାଡ଼ିଥିବା ବେଳେ ନୂଆବର୍ଷରେ ଦିନିକିଆ ଛାଡ଼ିଛନ୍ତି ୱାର୍ଣ୍ଣର ।

ପରିବାରକୁ ଅଧିକ ସମୟ ଦେବାକୁ ୱାର୍ଣ୍ଣର ଦିନିକିଆ କ୍ରିକେଟକୁ ବାଏ ବାଏ କହିଥିଲେ । ତେବେ ଆଗାମୀ ଚାମ୍ପିୟନ୍ସ ଟ୍ରଫି ପାଇଁ ଯଦି ଓପନରଙ୍କ ଆବଶ୍ୟକତା ପଡେ ତେବେ ସେ ପୁଣିଥରେ କ୍ରିକେଟ ପଡିଆକୁ ଫେରିବେ ବୋଲି କହିଥିଲେ  । ୨୦୨୫ରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ ।

ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟର ୨୦୨୩ ବିଶ୍ୱକପରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ରନ୍ ସ୍କୋର କରିଥିଲେ । ୱାର୍ଣ୍ଣର ୧୬୧ ଦିନିକିଆ ମ୍ୟାଚରୁ ୬୯୩୨ ରନ୍ କରିଥିବା ବେଳେ ୧୧୧ଟି ଟେଷ୍ଟ ମ୍ୟାଚରେ ୮୬୯୫ ରନ୍ କରିଛନ୍ତି । ୨୦୦୯ରେ ଅଷ୍ଟ୍ରେଲିଆ ପାଇଁ ଦିନିକିଆ ପଦାର୍ପଣ କରିଥିଲେ ଡେଭିଡ ୱାର୍ଣ୍ଣର ।