• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବୟସ ବଢ଼ୁଛି ହେଲେ ଦକ୍ଷତା ଆଜି ବି ପୂର୍ବଭଳି ରହିଛି । ୪୯ ବର୍ଷ ବୟସରେ ବି ୨୦ ବର୍ଷୀୟ ଯୁବା କ୍ରିକେଟରଙ୍କ ଭଳି ପାୱାର ହିଟିଂ ଦେଖାଉଛନ୍ତି । କିଏ ତାଙ୍କୁ କ୍ରିକେଟ୍‌ର ଭଗବାନ କହୁଛି ତ କିଏ ଲିଟିଲ୍‌ ମାଷ୍ଟର । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ଟି ଶତକ ରେକର୍ଡ ହାସଲ କରିଥିବା ଏକମାତ୍ର ଖେଳାଳି ସଚିନ ରମେଶ ତେନ୍ଦୁଲକର୍‌ । ରୋଡ୍‌ ସେଫ୍ଟି ୱାର୍ଲ୍ଡ ସିରିଜ ୨୦୨୨ ରେ ନିଜର ବ୍ୟାଟିଂର ଜଲୱା ଦେଖାଉଛନ୍ତି ସଚିନ୍‌ । ନିଜର ପାୱାରଫୁଲ୍‌ ହିଟିଂ ଦ୍ୱାରା ବୋଲର୍‌ଙ୍କ ଅବସ୍ଥା ବେହାଲ କରୁଛନ୍ତି ।

ଗତକାଲି ଲିଜେଣ୍ତସ୍‌ କ୍ରିକେଟ୍‌ର ୧୪ତମ ମ୍ୟାଚ୍‌ ଇଣ୍ତିଆ ଲିଜେଣ୍ତସ୍‌ ଓ ଇଂଲଣ୍ତ ଲିଜେଣ୍ତସ୍‌ ମଧ୍ୟରେ ଦେହରାଡୁନ୍‌ରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଲିଟିଲ୍‌ ମାଷ୍ଟର ସଚିନ ତେନ୍ଦୁଲକର୍‌ ନିଜର ପୁରୁଣା ଅନ୍ଦାଜରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି । ଟସ୍‌ ଜିତି ଇଂଲଣ୍ତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ନମନ ଓଝା ଓ ଅଧିନାୟକ ସଚିନ୍‌ ତେନ୍ଦୁଲକର ଓପନିଂ କରିବାକୁ ଆସିଥିଲେ । ସଚିନ୍‌ ୨୦ ବଲ୍‌ରେ ୨୦୦ ଷ୍ଟ୍ରାଇକ୍‌ ରେଟ୍‌ ସହ ୪୦ ରନ୍‌ ସଂଗ୍ରହ କରିଥିଲେ । ତାଙ୍କ ବ୍ୟାଟ୍‌ରୁ ୩ଟି ଚୌକା ସହ ୩ଟି ଉତ୍କୃଷ୍ଟ ଛକା ମଧ୍ୟ ଦେଖିବାକୁ ମିଳିଥିଲା ।

ସଚିନ୍‌ଙ୍କ ଏହି ବିସ୍ଫୋରକ ବ୍ୟାଟିଂର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ମୋବାଇଲ୍‌ରେ ଘୁରି ବୁଲୁଛି । କ୍ରିକେଟ୍‌ପ୍ରେମୀ ସଚିନ୍‌ଙ୍କ ପ୍ରଶଂସା ନକରି ରହିପାରୁନାହାନ୍ତି । କେତେକ ଭିଡିଓକୁ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ୪୯ ବର୍ଷୀୟ ସଚିନ୍‌ଙ୍କ ଶରୀରରେ ଆଜି ବି ସେହି ପୁରୁଣା ଜୋସ୍‌ ରହିଛି । ଆଉ କେତେଜଣ ଲେଖିଛନ୍ତି ଯେ, ‘କ’ଣ ଆମେ ଏବେ ୧୯୯୮ ମସିହାରେ ଅଛୁ’ ।