/odishatv-khabar/media/post_attachments/uploadimage/library/16_9/16_9_0/Asia_Cup_1757244694.jpg)
Asia Cup
ସେପ୍ଟେମ୍ବର ୯ରୁ ୟୁନାଇଟେଡ୍ ଆରବ ଏମିରେଟ୍ସରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏଥର ଏହା ଟି-୨୦ ଫର୍ମାଟ୍ରେ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ରେକର୍ଡ ନବମ ମୁକୁଟ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ।
ଭାରତୀୟ ଟିମ୍କୁ ଗ୍ରୁପ୍-ଏ’ରେ ପାକିସ୍ତାନ, ଓମାନ୍ ଓ ୟୁଏଇ ସହ ରଖାଯାଇଥିବା ବେଳେ ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ଟିମ୍ ରହିଛି । ପ୍ରଥମ ଥର ଆଠ ଟିମ୍ ଭାଗ ନେଉଥିବାରୁ ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ବଢ଼ିପାରେ । ଭାରତ ଏସିଆ କପ୍ର ସବୁଠାରୁ ସଫଳ ଟିମ୍ ଭାବେ ମୋଟ୍ ଆଠ ଥର ଚାମ୍ପିଅନ୍ ହୋଇଥିବା ବେଳେ ଶ୍ରୀଲଙ୍କା ଛଅ ଓ ପାକିସ୍ତାନ ଦୁଇ ଥର ମୁକୁଟ ଜିତିଛି ।
ଭାରତ ଏବେ ବିଶ୍ୱର ଏକ ନମ୍ବର ମାନ୍ୟତାଧାରୀ ଟି-୨୦ ଟିମ୍ । ତେବେ କ୍ଷୁଦ୍ରତମ ଫର୍ମାଟ୍ରେ ପ୍ରଭାବିତ କରୁଥିବା ଭାରତର ଯୁବ ଖେଳାଳିମାନେ ଏସିଆ କପ୍ରେ କରିପାରିବେ କି ଅନୁରୂପ ପ୍ରଦର୍ଶନ? ପ୍ରଥମ ଥର ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଟିମ୍ର ନେତୃତ୍ୱ ନେଉଥିବା ସୂର୍ଯ୍ୟକୁମାର ଯାଦବ ଟିମ୍କୁ ଜିତାଇପାରିବେ କି ନବମ ମୁକୁଟ?
ସୂର୍ଯ୍ୟକୁମାରଙ୍କ ଆଗରେ ବଡ଼ ଚାଲେଞ୍ଜ୍
ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଯୁଗ ଶେଷ ହୋଇସାରିଛି । ୨୦୨୪ରେ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ପରେ ଏହି ଦୁଇ ପୁରୁଖା ଖେଳାଳି ଅବସର ନେଇଥିଲେ । ସୂର୍ଯ୍ୟକୁମାର ଯାଦବଙ୍କୁ ସେହି ବର୍ଷ ଜୁଲାଇରେ ରୋହିତଙ୍କ ଉତ୍ତରାଧିକାରୀ ଭାବେ ଭାରତୀୟ ଟି-୨୦ ଟିମ୍ର ନୂଆ ଅଧିନାୟକ ନିଯୁକ୍ତ କରାଯାଇଥିଲା । ଗୌତମ ଗମ୍ଭୀରଙ୍କ ରୂପରେ ନୂଆ ମୁଖ୍ୟ କୋଚ୍ ବି ଆସିଥିଲେ ।
ପୂର୍ବରୁ ମଧ୍ୟ ସୂର୍ଯ୍ୟକୁମାର କେତେକ ଅବସରରେ ରୋହିତଙ୍କ ଅନୁପସ୍ଥିତିରେ ଟିମ୍ର ଅଧିନାୟକତ୍ୱ କରିଥିଲେ । ସ୍ଥାୟୀ ଭାବେ ଦାୟିତ୍ୱ ପାଇବା ପରଠାରୁ ସେ ନୂଆ ପିଢ଼ିର ଖେଳାଳିମାନଙ୍କର ସଫଳ ନେତୃତ୍ୱ ନେଇଆସୁଛନ୍ତି ।
ସୂର୍ଯ୍ୟକୁମାର ଏ ଯାବତ ମୋଟ୍ ଛଅ ଟି-୨୦ ଆନ୍ତର୍ଜାତିକ ସିରିଜ୍ରେ ଭାରତୀୟ ଟିମ୍ର ନେତୃତ୍ୱ ନେଇଛନ୍ତି । ସେଥିମଧ୍ୟରୁ ଭାରତ ପାଞ୍ଚ ସିରିଜ୍ ଜିତିଛି ଏବଂ ଅନ୍ୟ ଏକ ସିରିଜ୍ ଡ୍ର’ ରହିଛି । ସୂର୍ଯ୍ୟକୁମାରଙ୍କ ଟିମ୍ ଅଷ୍ଟ୍ରେଲିଆକୁ ୪-୧, ଶ୍ରୀଲଙ୍କାକୁ ୩-୦, ବାଂଲାଦେଶକୁ ୩-୦, ଦକ୍ଷିଣ ଆଫ୍ରିକାକୁ ୩-୧ ଓ ଇଂଲଣ୍ଡକୁ ୪-୧ରେ ହରାଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ୟ ଏକ ସିରିଜ୍ ୧-୧ରେ ଅମୀମାଂସିତ ରହିଥିଲା ।
ଏହି ଦ୍ୱିପାକ୍ଷିକ ରେକର୍ଡକୁ ଦେଖିଲେ, ସୂର୍ଯ୍ୟକୁମାରଙ୍କ ପାଖରେ ଏସିଆ କପ୍ ଜିତାଇବାର ସାମର୍ଥ୍ୟ ରହିଛି ବୋଲି କୁହାଯାଇପାରିବ । କିନ୍ତୁ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ତାଙ୍କର ନେତୃତ୍ୱ ନେବାର ଅଭିଜ୍ଞତା ନାହିଁ, ସେଥିପାଇଁ ଏସିଆ କପ୍ ତାଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହେବ । ଟିମ୍ ଇଣ୍ଡିଆକୁ ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ଚାଲେଞ୍ଜ୍ ମିଳିପାରେ । ବାଂଲାଦେଶ ଓ ଆଫଗାନିସ୍ତାନ ଭଳି ଟିମ୍ ‘ସାଇଲେଣ୍ଟ କିଲର୍’ ସାବ୍ୟସ୍ତ ହୋଇପାରନ୍ତି ।
ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ ପାଇଁ ନିଜ ସାମର୍ଥ୍ୟକୁ ପରଖିବା ପାଇଁ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଏକ ଉତ୍ତମ ମଞ୍ଚ । ତେଣୁ ସୂର୍ଯ୍ୟକୁମାରଙ୍କ ଟିମ୍ ଏଥିରେ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ ।
କୋଚ୍ ଭାବେ ଗମ୍ଭୀରଙ୍କ ପାଇଁ ଏସିଆ କପ୍ ସୀମିତ ଓଭର୍ରେ ଦ୍ୱିତୀୟ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ । ଚାମ୍ପିଅନ୍ସ ଟ୍ରଫି ପରେ ସେ ଟିମ୍କୁ ଆଉ ଏକ ମୁକୁଟ ଜିତାଇବେ ବୋଲି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ଆଶା ରହିଛି ।
ମଜଭୁତ ବ୍ୟାଟିଂ ଲାଇନ୍ଅପ୍ରେ ‘ସାମ୍ସନ୍’ ଅଡ଼ୁଆ
ଭାରତୀୟ ଟି-୨୦ ଟିମ୍ରେ ଏବେ ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଖେଳାଳି ନ ଥିଲେ ବି ଟିମ୍ ପାଖରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କୁ ନେଇ ବିଶ୍ୱସ୍ତରୀୟ ଚୂଡ଼ାନ୍ତ ଏକାଦଶ କମ୍ବିନେସନ୍ ପ୍ରସ୍ତୁତ କରାଯାଇପାରିବ ।
ବର୍ଷକ ପରେ ଶୁବମନ ଗିଲ୍ ଟି-୨୦ ଆନ୍ତର୍ଜାତିକ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କୁ ଟିମ୍ର ଉପ-ଅଧିନାୟକ ବି କରାଯାଇଛି । ଏବେ ଓପନିଂ ପାଇଁ ଅଭିଷେକ ଶର୍ମା, ସଞ୍ଜୁ ସାମ୍ସନ୍ ଓ ଗିଲ୍ଙ୍କ ରୂପରେ ତିନି ବିକଳ୍ପ ରହିଛନ୍ତି ।
ଅଭିଷେକ ବିଶ୍ୱର ଶୀର୍ଷ ମାନ୍ୟତାଧାରୀ ଟି-୨୦ ବ୍ୟାଟର୍ । ସେ ସାଧାରଣତଃ ଓପନିଂ କରନ୍ତି । ତାଙ୍କ ଓପନିଂ ସ୍ଥାନ ସୁରକ୍ଷିତ । ଅନ୍ୟ ଏକ ସ୍ଥାନରେ ଗିଲ୍ କିମ୍ବା ସାମ୍ସନ୍ ଖେଳିପାରନ୍ତି ।
ଗିଲ୍ଙ୍କ ଅନୁପସ୍ଥିତିରେ ସାମ୍ସନ୍ ଓ ଅଭିଷେକ ଓପନିଂ ସ୍ଥାନରେ ସେଟ୍ ହୋଇଯାଇଥିଲେ । ଏହି ସ୍ଥାନରେ ସାମ୍ସନ୍ ତିନି ଓ ଅଭିଷେକ ଦୁଇ ଶତକ ହାସଲ କରିଛନ୍ତି ।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଗିଲ୍ ନ ଥିବାରୁ ସାମ୍ସନ୍ଙ୍କୁ ଓପନିଂ ପାଇଁ ପଠାଯାଇଥିଲା । ଏଥିରୁ ସଙ୍କେତ ମିଳୁଛି ଯେ ଗିଲ୍ ଓ ଅଭିଷେକ ଇନିଂସ୍ ଓପନ୍ କରିପାରନ୍ତି । ଏପରି ସ୍ଥଳେ ସାମ୍ସନ୍ କେଉଁ ସ୍ଥାନରେ ଖେଳିବେ, ତାହା ଏକ ପ୍ରଶ୍ନ ।
ୱିକେଟ୍କିପର୍-ବ୍ୟାଟର୍ ଦୃଷ୍ଟିରୁ ବିଚାର କଲେ, ସାମ୍ସନ୍ ଓ ଜିତେଶ ଶର୍ମାଙ୍କ ମଧ୍ୟରେ ସାମ୍ସନ୍ଙ୍କ ପଲା ଭାରୀ ରହିବ । କିନ୍ତୁ ସାମ୍ସନ୍ କେଉଁ ସ୍ଥାନରେ ଫିଟ୍ ହେବେ?
ତିନି ନମ୍ବର ସ୍ଥାନରେ ବିଶ୍ୱର ଦ୍ୱିତୀୟ ମାନ୍ୟତାଧାରୀ ତିଲକ ବର୍ମା ଖେଳିବେ । ସାମ୍ସନ୍ଙ୍କ ପାଇଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯିବା ଉଚିତ ହେବ ନୁହେଁ । ଅନ୍ୟପଟେ, ପ୍ରଥମ ତିନି ସ୍ଥାନ ବାହାରେ ସାମ୍ସନ୍ଙ୍କ ରେକର୍ଡ ଭଲ ନାହିଁ । ଚାରି ନମ୍ବର ସ୍ଥାନରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଖେଳିବା ପ୍ରାୟତଃ ନିଶ୍ଚିତ ।
ଯଦି ସାମ୍ସନ୍ ଓ ତିଲକ ଦୁଇ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳେ, ତା’ହେଲେ ସାମ୍ସନ୍ଙ୍କୁ ତିନି ଓ ତିଲକଙ୍କୁ ପାଞ୍ଚ ନମ୍ବରରେ ପଠାଯାଇପାରେ । ପାଞ୍ଚ ନମ୍ବର ପାଇଁ ରିଙ୍କୁ ସିଂହ ବି ଦୌଡ଼ରେ ଅଛନ୍ତି, ହେଲେ ସେ ସ୍ଥାନ ପାଇବାର ସମ୍ଭାବନା କମ୍ ।
ଏହାପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ଅଲ୍ରାଉଣ୍ଡର୍ଙ୍କୁ ସୁଯୋଗ ମିଳିପାରେ । ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ଶିବମ୍ ଦୁବେଙ୍କ ରୂପରେ ଟିମ୍ ପାଖରେ ତିନି ଅଲ୍ରାଉଣ୍ଡର୍ ଅଛନ୍ତି । ହାର୍ଦ୍ଦିକ ଓ ଅକ୍ଷର ଚାରି ଓଭର୍ ଯାଏଁ ବୋଲିଂ କରିପାରିବେ । ଦୁବେ ବି ଆବଶ୍ୟକ ସ୍ଥଳେ କିଛି ଓଭର୍ ବୋଲିଂ କରିପାରିବେ । ହାର୍ଦ୍ଦିକ ଓ ଦୁବେ ଉଭୟ ଫିନିଶର୍ ଭୂମିକା ତୁଲାଇପାରିବେ ।
ତେବେ ଚୂଡ଼ାନ୍ତ ଏକାଦଶରେ ତିନିରୁ ଦୁଇ ଜଣ ଅଲ୍ରାଉଣ୍ଡର୍ଙ୍କୁ ନିଆଯାଇପାରେ, ଯଦ୍ଦ୍ୱାରା ବ୍ୟାଟିଂକୁ ମଜଭୁତ କରିବା ପାଇଁ ଜଣେ ଅତିରିକ୍ତ ବ୍ୟାଟର୍ଙ୍କୁ ସାମିଲ୍ କରାଯାଇପାରିବ । ଏପରି ସ୍ଥଳେ ହାର୍ଦ୍ଦିକ ଓ ଅକ୍ଷରଙ୍କୁ ଅଗ୍ରାଧିକାର ଦିଆଯିବ ଏବଂ ସେମାନେ ଛଅ ଓ ସାତ ନମ୍ବରରେ ବ୍ୟାଟିଂ କରିବେ ।
ଯଦି ୱିକେଟ୍କିପର୍-ବ୍ୟାଟର୍ ଭାବେ ସାମ୍ସନ୍ଙ୍କ ବଦଳରେ ଜିତେଶ ଶର୍ମାଙ୍କୁ ସୁଯୋଗ ଦିଆଯାଏ, ତା’ହେଲେ ତିଲକ ତାଙ୍କ ପୂର୍ବ (ତିନି ନମ୍ବର) ସ୍ଥାନରେ ଖେଳିବେ ଏବଂ ପାଞ୍ଚ, ଛଅ ଓ ସାତ ନମ୍ବରରେ ହାର୍ଦ୍ଦିକ, ଅକ୍ଷରଙ୍କ ସହ ଜିତେଶଙ୍କୁ ଫିଟ୍ କରାଯିବ ।
ଚୂଡ଼ାନ୍ତ ଏକାଦଶରେ ତିନି ନା ଦୁଇ ପେସର୍
ଅବଶିଷ୍ଟ ଚାରି ସ୍ଥାନ ବୋଲର୍ଙ୍କ ପାଇଁ ରହିପାରେ । ପିଚ୍ ଓ ପାଣିପାଗକୁ ଦୃଷ୍ଟିରେ ରଖି ‘ତିନି ପେସର୍ ଓ ଜଣେ ସ୍ପିନର୍’ ଅଥବା ‘ଦୁଇ ପେସର୍ ଓ ଦୁଇ ସ୍ପିନର୍’ ରଣନୀତି ଆପଣାଯାଇପାରେ । ଏହାଛଡ଼ା ହାର୍ଦ୍ଦିକ ଓ ଅକ୍ଷରଙ୍କ ରୂପରେ ଦୁଇ ଫୁଲ୍ଟାଇମ୍ ବୋଲର୍ ଏବଂ ଅଭିଷେକ ଶର୍ମାଙ୍କ ଭଳି ପାର୍ଟଟାଇମ୍ ସ୍ପିନର୍ ବି ଉପଲବ୍ଧ ରହିବେ ।
‘ତିନି ପେସର୍ ଓ ଜଣେ ସ୍ପିନର୍’ ରଣନୀତିରେ ବିଶେଷଜ୍ଞ ପେସର୍ ଭାବେ ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କ ସହ ସ୍ପିନର୍ ଭାବେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣେ ସ୍ଥାନ ପାଇବେ ।
‘ଦୁଇ ପେସର୍ ଓ ଦୁଇ ସ୍ପିନର୍’ ରଣନୀତିରେ ବିଶେଷଜ୍ଞ ପେସର୍ ଭାବେ ବୁମ୍ରା ଓ ଅର୍ଶଦୀପଙ୍କୁ ସାମିଲ୍ କରାଯାଇପାରେ । ଏହି ରଣନୀତି ଆପଣାଇବା ବେଳେ ଏ କଥା ଧ୍ୟାନରେ ରଖାଯିବ ଯେ ଟିମ୍ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ପେସ୍ ବୋଲିଂ ଅଲ୍ରାଉଣ୍ଡର୍ ଅଛନ୍ତି, ଯିଏ ତୃତୀୟ ପେସର୍ ଭୂମିକା ତୁଲାଇବେ ।
ଭାରତୀୟ ଟିମ୍ ପାଖରେ ବ୍ୟାଟିଂ ଓ ବୋଲିଂରେ ପ୍ରତିଭାଶାଳୀ ଖେଳାଳିଙ୍କ ଅଭାବ ନାହିଁ । ତେଣୁ ଚୂଡ଼ାନ୍ତ ଏକାଦଶରେ କେଉଁମାନଙ୍କୁ ସ୍ଥାନ ଦିଆଯିବ, ତାହାର ନିଷ୍ପତ୍ତି ନେବା ଟିମ୍ ମ୍ୟାନେଜ୍ମେଣ୍ଟ ପାଇଁ ଆଦୌ ସହଜ ହେବ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)