ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବେ ଗମ୍ଭୀର !

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କୋଚ୍‌ କରିବାକୁ ଚାହୁଁଛି ବିସିସିଆଇ ।

Gautam Gambhir

ଆଗାମୀ ଟି -୨୦ ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଆଉ ଆଗକୁ ଦ୍ରାବିଡ୍‌ ଏହି ପଦରେ ରହିବେ ନାହିଁ ବୋଲି ମଧ୍ୟ ବିସିସିଆଇକୁ ଜଣାଇସାରିଛନ୍ତି । ଏଭଳି ସ୍ଥିତିରେ ବିସିସିଆଇ ନୂଆ କୋଚ୍ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ତେଣୁ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ନୂଆ କୋଚ୍‌ ପାଇବା ଏକପ୍ରକାର ନିଶ୍ଚିତ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କୋଚ୍‌ କରିବାକୁ ଚାହୁଁଛି ବିସିସିଆଇ । ଗମ୍ଭୀର ବିସିସିଆଇର ୱିସ୍‌ ଲିଷ୍ଟର ଶୀର୍ଷରେ ଅଛନ୍ତି । ଏ ସମ୍ପର୍କରେ ବିସିସିଆଇ ଗମ୍ଭୀରଙ୍କ ସହ ଯୋଗାଯୋଗ ମଧ୍ୟ କରିଛି । ଆଇପିଏଲ୍ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସର ଅଭିଯାନ ସମାପ୍ତ ହେବା ପରେ ପରବର୍ତ୍ତୀ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଟିମ୍‌ ଇଣ୍ଡିଆ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ମେ’ ୨୭ । ଏହା ପୂର୍ବରୁ ଆବେଦନ କରିବାକୁ ବିସିସିଆଇ ପକ୍ଷରୁ କୁହାଯାଉଛି ।

ସୂଚନା ଅନୁସାରେ ଗୌତମ ଗମ୍ଭୀର ଏବେ କୋଲକାତା ନାଇଟ୍‌ ରାଇଡର୍ସର ମେଣ୍ଟର ଅଛନ୍ତି । ଗମ୍ଭୀରଙ୍କ ରଣନୀତି ପାଇଁ ଚଳିତ ସିଜିନ୍‌ରେ କେକେଆର ଦମଦାର ପ୍ରଦର୍ଶନ ଜାରି ରଖିଛି । ୧୩ ମ୍ୟାଚ୍‌ ଖେଳି ୯ଟିରେ ବିଜୟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ସେହିପରି ପ୍ରଥମ ଦଳ ଭାବେ କେକେଆର ପ୍ଲେ ଅଫକୁ ମଧ୍ୟ ପ୍ରବେଶ କରିଛି । ତେବେ କେକେଆର ପୂର୍ବରୁ ଗମ୍ଭୀର ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ମେଣ୍ଟର ମଧ୍ୟ ରହିଥିଲେ ।

ବ୍ୟାଟ୍ସମ୍ୟାନ୍‌ ଭାବେ ଗମ୍ଭୀର ଟିମ୍‌ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତ ଦୁଇଟି ବିଶ୍ୱକପ୍‌ ବିଜୟୀ ହେବାରେ ଗମ୍ଭୀରଙ୍କ ଅବଦାନ ବେଶ୍‌ ରହିଛି । ସେ ଭାରତ ପାଇଁ ୫୮ଟି ଟେଷ୍ଟ, ୧୪୭ଟି ଦିନିକିଆ ଓ ୩୭ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ।

ବର୍ତ୍ତମାନର ରିପୋର୍ଟ ଅନୁଯାୟୀ, ଗୌତମ ଗମ୍ଭୀରଙ୍କ ବ୍ୟତୀତ ଷ୍ଟିଫେନ୍ ଫ୍ଲେମିଂ ଏବଂ ରିକି ପଣ୍ଟିଂ ହେଡ୍‌ କୋଚ୍‌ ରେସ୍‌ରେ ଅଛନ୍ତି । ତେବେ ଷ୍ଟିଫେନ୍‌ ଫ୍ଲେମିଂ ଏବେ ଚେନ୍ନାଇ ସୁପର କିଙ୍ଗ୍ସର କୋଚ୍‌ ଥିବାବେଳେ ରିକି ପଣ୍ଟିଂ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍‌ ରହିଛନ୍ତି । ସେହିପରି ଭାରିୟ ଦଳ ପୂର୍ବତନ ଓପନର ବିରେନ୍ଦ୍ର ସେହୱାଗ ଓ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ନୂଆ କୋଚ୍‌ ଦୌଡରେ ଅଛନ୍ତି ।