ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ୨୦୨୫ ସିଜନ୍ରେ ମ୍ୟାଚ୍ ସମୟରେ ବ୍ୟାଟର୍ଙ୍କ ବ୍ୟାଟ୍ ସାଇଜ୍ ଯାଞ୍ଚ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅମ୍ପାୟାର୍ମାନଙ୍କୁ ଏହି ନୂଆ କାମ ଦେଇଛି । ବ୍ୟାଟିଂ ପାଇଁ କ୍ରିଜ୍କୁ ଆସୁଥିବା ବ୍ୟାଟର୍ମାନଙ୍କୁ ପ୍ରଥମେ ନିଜ ବ୍ୟାଟ୍ ଅମ୍ପାୟାର୍ଙ୍କ ଦ୍ୱାରା ଯାଞ୍ଚ କରାଇବାକୁ ପଡ଼ୁଛି, ଯାହାକୁ ବ୍ୟାଟ୍ ଗେଜ୍ ଚେକ୍ କୁହାଯାଉଛି ।
ରୋହିତ ଶର୍ମାଙ୍କ ଠାରୁ ନେଇ ବହୁ କ୍ରିକେଟର୍ଙ୍କ ବ୍ୟାଟ୍ ଯାଞ୍ଚରେ ପାସ୍ ହୋଇସାରିଛି, ହେଲେ କୋଲକାତା ନାଇଟ୍ ରାଇଡର୍ସର ସୁନୀଲ ନାରାୟନଙ୍କ ସମେତ କେତେକ କ୍ରିକେଟର୍ଙ୍କ ବ୍ୟାଟ୍ ଯାଞ୍ଚରେ ଫେଲ୍ ହୋଇଛି । କେତେକ ବ୍ୟାଟର୍ ଏହାକୁ ନେଇ ଅଶ୍ୱସ୍ତିବୋଧ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଲିଗ୍ରେ ଖେଳୁଥିବା ସମସ୍ତ ଖେଳାଳି ବ୍ୟାଟ୍ ସାଇଜ୍ ସମ୍ପର୍କିତ ନିୟମ ମାନିବାକୁ ବାଧ୍ୟ । ଅମ୍ପାୟାର୍ମାନେ ବି ଏହାକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି । ପୂର୍ବ ବର୍ଷ ଯାଏଁ ବ୍ୟାଟ୍ ସାଇଜ୍ ଯାଞ୍ଚ ଡ୍ରେସିଂ ରୁମ୍ ଯାଏଁ ସୀମିତ ଥିଲା, ହେଲେ ଏବେ ଗ୍ରାଉଣ୍ଡରେ କାହିଁକି ବ୍ୟାଟ୍ ଯାଞ୍ଚ କରାଯାଉଛି? କ’ଣ ରହିଛି ଏହା ପଛର ଉଦ୍ଦେଶ୍ୟ?
Also Read
ବ୍ୟାଟ୍ ଓ ବଲ୍ ମଧ୍ୟରେ ବିଗୁଡ଼ୁଛି କି ସନ୍ତୁଳନ
ରବିଚନ୍ଦ୍ରନ ଅଶ୍ୱିନ, କଗିସୋ ରବାଡା ଓ ଶାର୍ଦ୍ଦୂଳ ଠାକୁରଙ୍କ ଭଳି ଅଭିଜ୍ଞ ବୋଲର୍ଙ୍କ କହିବାନୁଯାୟୀ, ଆଇପିଏଲ୍ ୨୦୨୫ ସମୟରେ ବ୍ୟାଟ୍ ଓ ବଲ୍ ମଧ୍ୟରେ ସନ୍ତୁଳନ ବିଗୁଡ଼ୁଛି । ଇମ୍ପାକ୍ଟ ପ୍ଲେୟର୍ ନିୟମ ଯୋଗୁଁ ଟିମ୍ଗୁଡ଼ିକ ଜଣେ ଅତିରିକ୍ତ ବ୍ୟାଟର୍ କି ବୋଲର୍ ଖେଳାଉଛନ୍ତି । ଏହାଦ୍ୱାରା ବ୍ୟାଟର୍ଙ୍କୁ ଅଧିକ ଫାଇଦା ହେଉଛି । ମ୍ୟାଚ୍ରେ ବଡ଼ ସ୍କୋର୍ ଦେଖିବାକୁ ମିଳୁଛି । ଚଳିତ ସିଜନ୍ରେ ସନ୍ରାଇଜର୍ସ ହାଇଦରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍କୁ ଉଦାହରଣ ସ୍ୱରୂପ ନିଆଯାଇପାରେ । ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦ ଟିମ୍ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୮୬ ରନ୍ କରିଥିଲା । ଜବାବରେ ରାଜସ୍ଥାନ ଟିମ୍ ୨୪୨ ରନ୍ କରିଥିଲା । ଏହାର ଅର୍ଥ ମ୍ୟାଚ୍ରେ ମୋଟ୍ ୫୨୮ ରନ୍ ହୋଇଥିଲା । ଗୋଟିଏ ମ୍ୟାଚ୍ରେ ଯଦି ଏତେ ସ୍କୋର୍ ହେବ, ତା’ହେଲେ ବୋଲର୍ଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବ ।
ବୋଲର୍ଙ୍କୁ ସପୋର୍ଟ କରିବା ପାଇଁ ବିସିସିଆଇ ବଲ୍କୁ ଚମକାଇବା ପାଇଁ ଲାଳର ବ୍ୟବହାର ଉପରେ ଲାଗିଥିବା କଟକଣା ଉଠାଇ ଦେଇଛି । ଏହାଛଡ଼ା, କାକରର ମୁକାବିଲା ପାଇଁ ଚଳିତ ଆଇପିଏଲ୍ରେ ମ୍ୟାଚ୍ର ଦ୍ୱିତୀୟ ଇନିଂସ୍ରେ ଦ୍ୱିତୀୟ ବଲ୍ର ବ୍ୟବହାରକୁ ଅନୁମତି ଦିଆଯାଇଛି ।
ମୋଟାମୋଟି ଭାବେ କହିଲେ, ବ୍ୟାଟ୍ ଓ ବଲ୍ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ବୋର୍ଡ ପ୍ରୟାସ କରୁଛି । ସେହି ଦିଗରେ ବ୍ୟାଟ୍ ସାଇଜ୍ ଯାଞ୍ଚ ଏକ ପ୍ରୟାସ । ଏହାଦ୍ୱାରା ମ୍ୟାଚ୍ରେ ସ୍ୱଚ୍ଛତା ଆସିପାରିବ ।
ଏକ ରିପୋର୍ଟ ଅନୁଯାୟୀ, ପୂର୍ବରୁ କେତେକ ଖେଳାଳି ବଡ଼ ସାଇଜ୍ ବ୍ୟାଟ୍ ବ୍ୟବହାର କରୁଥିବା ବେଳେ ଧରା ପଡ଼ିଥିଲେ । ସେତେବେଳେ ତାଙ୍କୁ କେବଳ ଚେତାବନୀ ଦିଆଯାଇଥିଲା, କିନ୍ତୁ ଏବେ ବୋର୍ଡ କଡ଼ା ମନୋଭାବ ପୋଷଣ କରିବାକୁ ନିଷ୍ପତ୍ତି ନେଇଛି । ଆଜିକାଲି ଟି-୨୦ କ୍ରିକେଟ୍ରେ ଲମ୍ବା ଛକା ଦେଖିବାକୁ ମିଳୁଛି । ଏପରି ସ୍ଥଳେ ଚିନ୍ତା ବଢ଼ିଯାଇଛି ଯେ ବ୍ୟାଟ୍ ଯୋଗୁଁ ବଲ୍ ଦୁର୍ବଳ ହୋଇଯାଉନି ତ? ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୂମଲ କହିଛନ୍ତି ଯେ ବ୍ୟାଟ୍ ଯାଞ୍ଚ ନିୟମ ଖେଳୁଆଡ଼ ମନୋଭାବ ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ ।
ଯାଞ୍ଚରେ ଫେଲ୍ ହେଲା ସୁନୀଲ, ଏନରିକ୍ ଓ ରିଆନ୍ଙ୍କ ବ୍ୟାଟ୍
କୋଲକାତା ନାଇଟ୍ ରାଇଡର୍ସର ସୁନୀଲ ନାରାୟନ ଓ ଏନରିକ୍ ନୋର୍କିଆ ଏବଂ ରାଜସ୍ଥାନ ରୟାଲ୍ସର ରିଆନ୍ ପରାଗଙ୍କ ବ୍ୟାଟ୍ ଯାଞ୍ଚରେ ଫେଲ୍ ହୋଇଛି । ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ କୋଲକାତା ଆଗରେ ୧୧୨ ରନ୍ର ସହଜ ବିଜୟଲକ୍ଷ୍ୟ ଥିଲା । କୋଲକାତାର ଇନିଂସ୍ ଆରମ୍ଭ ହେବା ପୂର୍ବରୁ ଓପନିଂ ବ୍ୟାଟର୍ ସୁନୀଲଙ୍କ ବ୍ୟାଟ୍ ଲମ୍ବ-ଓସାରରେ ଧାର୍ଯ୍ୟ ସୀମା ଠାରୁ ଅଧିକ ଥିବା ଜଣାପଡ଼ିଥିଲା । ସେ ନିଜ ବ୍ୟାଟ୍ ବଦଳାଇଥିଲେ । ସୁନୀଲ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଟିମ୍ର ଅନ୍ୟତମ ଖେଳାଳି ଏନରିକ୍ ମଧ୍ୟ ଧାର୍ଯ୍ୟ ସୀମା ଠାରୁ ବଡ଼ ବ୍ୟାଟ୍ ଧରିଥିବା ଜଣାପଡ଼ିଥିଲା । ତାଙ୍କୁ ବି ନିଜ ବ୍ୟାଟ୍ ବଦଳାଇବା ପାଇଁ କୁହାଯାଇଥିଲା । କୋଲକାତା ଟିମ୍ ୯୫ ରନ୍ରେ ଅଲ୍ଆଉଟ୍ ହୋଇ ୧୬ ରନ୍ରେ ମ୍ୟାଚ୍ ହାରିଯାଇଥିଲା ।
ପରେ ଏହି ତାଲିକାରେ ଯୋଡ଼ି ହୋଇଥିଲେ ରାଜସ୍ଥାନ ରୟାଲ୍ସର ରିଆନ୍ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ତାଙ୍କ ବ୍ୟାଟ୍ ଧାର୍ଯ୍ୟ ମାନଦଣ୍ଡ ପୂରଣ କରି ନ ଥିଲା । ସେ ବ୍ୟାଟ୍ ବଦଳାଇବାକୁ ବାଧ୍ୟ ହୋଇଥିଲେ । ସେହି ମ୍ୟାଚ୍ରେ ରିଆନ୍ ମାତ୍ର ୮ ରନ୍ କରି ପାଭିଲିଅନ୍ ଫେରିଥିଲେ ।
ଜଣେ ପୂର୍ବତନ ଅମ୍ପାୟାର୍ କହିଛନ୍ତି ଯେ ପୂର୍ବରୁ ଖେଳାଳି ନିଜ ବ୍ୟାଟ୍ ଦେଉଥିଲେ ଏବଂ ସେମାନେ ତାହାକୁ ଡ୍ରେସିଂ ରୁମ୍ରେ ଯାଞ୍ଚ କରୁଥିଲେ । ଏବେ ପ୍ରଶ୍ନ ଉଠୁଛି ଯେ ଖେଳାଳି କ’ଣ ଯାଞ୍ଚ କରିବା ପାଇଁ ଗୋଟିଏ ବ୍ୟାଟ୍ ଦେଉଥିଲେ ଆଉ ଖେଳୁଥିଲେ ଅନ୍ୟ ଏକ ବ୍ୟାଟ୍ରେ? ଯଦି ସେମିତି ହେଉଥିଲା, ତା’ହେଲେ ଏହି ନୂଆ ନିୟମ ଯଥାର୍ଥ । ଖେଳାଳି ସବୁବେଳେ ଅନେକ ବ୍ୟାଟ୍ ରଖନ୍ତି । ସେଗୁଡ଼ିକର ଓଜନ ଅଲଗା ହୋଇପାରେ; କିନ୍ତୁ ଲମ୍ବ, ଓସାର, ମୋଟେଇ ଓ ଧାରର ଓସାର ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ନିୟମାନୁଯାୟୀ ହେବା ଆବଶ୍ୟକ ।
କ’ଣ ରହିଛି ବ୍ୟାଟ୍ ସାଇଜ୍ ନିୟମ
କ୍ରିକେଟ୍ରେ ବ୍ୟାଟ୍ର ଲମ୍ବ, ଓସାର, ଚଉଡ଼ା ଆଦି ସମ୍ପର୍କରେ ଆଇସିସିରେ ସ୍ପଷ୍ଟ ନିୟମ ରହିଛି । କ୍ରିକେଟ୍ ବ୍ୟାଟ୍ର ଦୁଇଟି ଭାଗ ଥାଏ - ଗୋଟିଏ ବ୍ଲେଡ୍ ଓ ଅନ୍ୟଟି ହ୍ୟାଣ୍ଡଲ୍ । ବ୍ୟାଟ୍ର ହ୍ୟାଣ୍ଡଲ୍ ବେତ କିମ୍ବା କାଠରେ ତିଆରି ହେବା ଜରୁରୀ । ହ୍ୟାଣ୍ଡଲ୍ ଉପରେ ରବରର ଗ୍ରୀପ୍ ଲାଗିଥାଏ, ଯଦ୍ଦ୍ୱାରା ବ୍ୟାଟର୍ ହ୍ୟାଣ୍ଡଲ୍କୁ ଭଲ ଭାବେ ଧରିପାରିଥା’ନ୍ତି । ବ୍ଲେଡ୍ ମଧ୍ୟ କାଠର ହେବା ଆବଶ୍ୟକ । ବ୍ଲେଡ୍ର ସମ୍ମୁଖଭାଗର ଓସାର ୪.୨୫ ଇଞ୍ଚ (୧୦.୭୯ ସେଣ୍ଟିମିଟର) ଓ ମୋଟେଇ ୨.୬୪ ଇଞ୍ଚ (୬.୭ ସେଣ୍ଟିମିଟର) ଯାଏଁ ରହିପାରିବ । ବ୍ଲେଡ୍ ଧାରର ମୋଟେଇ ୧.୫୬ ଇଞ୍ଚ (୪ ସେଣ୍ଟିମିଟର)କୁ ଅତିକ୍ରମ କରିପାରିବ ନାହିଁ । ହ୍ୟାଣ୍ଡଲ୍ ସମେତ ବ୍ୟାଟ୍ର ମୋଟ୍ ଉଚ୍ଚତା ଅତି ବେଶୀରେ ୩୮ ଇଞ୍ଚ (୯୬.୪ ସେଣ୍ଟିମିଟର) ରହିପାରିବ । ଆଇପିଏଲ୍ ୨୦୨୫ ନିୟମାବଳୀରେ ମଧ୍ୟ ଏହାର ଉଲ୍ଲେଖ ରହିଛି ।
ବ୍ୟାଟ୍ର ନିମ୍ନଭାଗରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠି ବ୍ୟାଟର୍ ଅଧିକାଂଶ ଷ୍ଟ୍ରୋକ୍ ଲଗାନ୍ତି । ଯଦି ଏହି ଅଂଶ ଉପର ଅଂଶ ତୁଳନାରେ ଅଧିକ ଚଉଡ଼ା କିମ୍ବା ଓଜନିଆ ହୁଏ, ତା’ହେଲେ ଷ୍ଟ୍ରୋକ୍ ଅଧିକ ଶକ୍ତିଶାଳୀ ହୋଇଥାଏ । ବିସ୍ଫୋରକ ବ୍ୟାଟର୍ ଏଭଳି ବ୍ୟାଟ୍କୁ ଗୁରୁତ୍ୱ ଦେଇଥା’ନ୍ତି, ଯାହାର ଧାର ଓସାରିଆ ହୋଇଥାଏ । ଅନେକ ସମୟରେ ବଲ୍ ଠିକ୍ ଟାଇମିଂରେ ବ୍ୟାଟ୍କୁ ନ ଆସିଲେ କିମ୍ବା ଧାରରେ ବାଜିଲେ ବି ବାଉଣ୍ଡାରୀ ଯାଏଁ ପହଞ୍ଚିଯାଏ । ଆଇପିଏଲ୍ରେ ଏବେ ବ୍ୟାଟ୍ ଉପରେ ଅଧିକ ଦୃଷ୍ଟି ରହିବ । ଏପରି ସ୍ଥଳେ ଆଶା କରାଯାଇପାରେ ଯେ କୌଣସି ବ୍ୟାଟର୍ ଧାର୍ଯ୍ୟ ସୀମା ଠାରୁ ବଡ଼ କିମ୍ବା ଚଉଡ଼ା ବ୍ୟାଟ୍ ନେଇ ଗ୍ରାଉଣ୍ଡକୁ ଆସିବେ ନାହିଁ । ଏହା ସହିତ ବିଶ୍ୱର ସବୁଠାରୁ ବଡ଼ ଟି-୨୦ ଲିଗ୍ର ସ୍ୱଚ୍ଛତା ବି ବଜାୟ ରହିବ ।