/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696696284.jpg)
Asian Games 2023
ଇସ୍ ବାର୍ ସୋ ପାର୍ । ଏଥର ୧୦୦ ପାର୍ । ସଫଳ ହୋଇଛି ଏହି ଅଭିଯାନ । ହାଙ୍ଗଝୌ ଏସିଆନ ଗେମ୍ସରେ ୧୦୦ରୁ ଅଧିକ ମେଡାଲ ଆଣି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ ଆଥଲେଟ୍ । ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ପଦକ ସହ ମୋଟ ୧୦୭ ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛି ଭାରତ । ଏ ପର୍ଯ୍ୟନ୍ତ ହୋଇଥିବା ଏସିଆନ ଗେମସରେ ଭାରତର ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
ଏସିଆନ୍ ଗେମ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ପ୍ରଥମ ଥର ୧୦୦ ପାର୍ ହେଲା ପଦକ ତାଲିକା । ଐତିହାସିକ ସଫଳତା ଆଣିଲେ ଭାରତୀୟ ଆଥଲେଟ୍ ହାଙ୍ଗଝୌ ଏସୀୟ କ୍ରୀଡାରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ । ଆଜିର ଖେଳ ଶେଷ ସୁଦ୍ଧା ଭାରତକୁ ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ପଦକ ସହ ମୋଟ ୧୦୭ ପଦକ ମିଳିଛି । ଆଉ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।
ବିଗତ ଏସିଆନ୍ ଗେମ୍ସରେ ଭାରତ କେବେ ବି ଏତେ ସଂଖ୍ୟାରେ ପଦକ ହାସଲ କରି ନଥିଲା । ଭାରତ ପାଇଁ ଗୋଲଡେନ୍ ଡେ ଥିଲା ପ୍ରତିଯୋଗିତାର ଶେଷ ଦିନ । ଆଜି ମୋଟ୍ ୬ଟି ସ୍ବର୍ଣ୍ଣପଦକ ହାସଲ କରିଥିଲେ ଭାରତୀୟ ଖେଳାଳି । ତୀରନ୍ଦାଜୀ କମ୍ପାଉଣ୍ଡ ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ଶକ୍ତିଶାଳୀ କୋରିଆକୁ ହରାଇ ଗୋଲଡ ମେଡାଲ ଜିତିଥିଲେ ଭାରତର ଜ୍ୟୋତି । ଏହି ଇଭେଣ୍ଟରେ ୧୭ ବର୍ଷୀୟା ଅଦିତି ସ୍ୱାମୀ ବ୍ରୋଞ୍ଜ ହାସଲ କରିଥିଲେ ।
ସେହିପରି କମ୍ପାଉଣ୍ଡର ପୁରୁଷ ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲରେ ମୁକାବିଲା ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ । ତେବେ ଏଥିରେ ଯୁବ ତୀରନ୍ଦାଜ ପ୍ରବୀଣ ଦେଓତଲେ ଭେଟରାନ୍ ଅଭିଷେକ ବର୍ମାଙ୍କୁ ହରାଇ ସ୍ୱର୍ଣ୍ଣପଦକ ହାତେଇଥିଲେ । ଏହାପରେ ମହିଳା କବାଡିରେ ଭାରତୀୟ ଦଳ ଏକ ରୋମାଞ୍ଚକର ମୁକାବିଲାରେ ଚାଇନିଜ୍ ତାଇପେକୁ ହରାଇ ଦେଶ ଲାଗି ୧୦୦ତମ ମେଡାଲ ଜିତିଥିଲେ ।
ଶେଷ ଦିନରେ ସବୁଠାରୁ ଐତିହାସିକ କ୍ଷଣ ଆସିଥିଲା ବ୍ୟାଡମିଣ୍ଟନ କୋର୍ଟରୁ । ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସ ଇଭେଣ୍ଟରେ ଭାରତକୁ ପ୍ରଥମ ଥର ଲାଗି ଗୋଲଡ ମେଡାଲ ଆଣି ଦେଇଥିଲେ ସ୍ୱସ୍ତିକ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ିକୁ ହରାଇ ଏହି ସଫଳତା ଆଣିଥିଲେ । ଏସିଆନ୍ ଗେମ୍ସର ବ୍ୟାଡମିଣ୍ଟନ ଇତିହାସରେ ଭାରତ ପାଇଁ ଏହା ଥିଲା ପ୍ରଥମ ସ୍ୱର୍ଣ୍ଣ ପଦକ ।
ପରେ ପରେ ଭାରତୀୟ ପୁରୁଷ କବାଡ଼ି ଓ କ୍ରିକେଟ ଟିମ୍କୁ ମିଳିଥିଲା ଗୋଲଡ ମେଡାଲ । ସେପଟେ ଭାରତୀୟ ମହିଳା ହକି ଦଳ ୨-୧ ଗୋଲରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିବା ସହ ପୋଡିୟମ ଫିନିସ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ଟିମରେ ଥିଲେ ଅନ୍ୟତମ ଓଡ଼ିଆ ଖେଳାଳି ଦୀପଗ୍ରେସ୍ ଏକ୍କା।
ଏସିଆନ ଗେମ୍ସରେ ଓଡ଼ିଶା ଖେଳାଳିଙ୍କୁ ବି ମିଳିଛି ସଫଳତା । ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ପ୍ରମୁଖ ସଦସ୍ୟ ଥିଲେ ଅମିତ ରୋହିଦାସ । ଭାରତର ବିଜୟରେ ପ୍ରମୁଖ ଭୂମିକା ନେଇଥିବା ଅମିତ ରୋହିଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ସେପଟେ ଜାଭେଲିନରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନା ସ୍ୱଦେଶ ଫେରିବା ପରେ ତାଙ୍କୁ ଉଚ୍ଛସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)