• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୟସର ଅପରାହ୍ନରେ ଯୁବସୁଲଭ ଚପଳତା । କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ବୟସ ଏକ ସଂଖ୍ୟା ମାତ୍ର । ଆଉ ଏହାକୁ ସତ କରି ଦେଖାଇଛନ୍ତି ହରିୟାଣା ଚରଖି ଦାଦରି ଜିଲ୍ଲାର ୧୦୬ ବର୍ଷିୟ ରାମବାଇ । ଉତ୍ତରାଖଣ୍ଡର ଦେହରାଡୁନ ସହରରେ ମଙ୍ଗଳବାର ଦିନ ୧୮ ତମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ ସମାପନ ହୋଇଛି । ଏଠାରେ ୧୦୦ ଏବଂ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାମବାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସଟପୁଟ ଇଭେଣ୍ଟରେ ମଧ୍ୟ ସେ ଶାନଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ନେଇଛନ୍ତି ।

ବୟସର ଅପରାହ୍ନରେ ରାମବାଇ ୧୦୦, ୨୦୦ ମିଟର ଦୌଡ଼, ରିଲେ, ଲଙ୍ଗ୍‌ ଜମ୍ପରେ ଚାରିଟି ସ୍ୱର୍ଣ୍ଣ ପଦକ ଜିତି ଜାତୀୟ ସ୍ତରୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ମଧ୍ୟ ନଭେମ୍ବର ୨୦୨୧ରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଚାରିଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ରାମବାଇ ତାଙ୍କ ଗାଁର ସବୁଠାରୁ ବୟସ୍କା ମହିଳା ବୋଲି ସୂଚନା ମିଳିଛି । ସମସ୍ତେ ତାଙ୍କୁ ଉଡନପରୀ ଦାଦି ନାମରେ ଡାକନ୍ତି ।

ସକାଳ ୪ଟାରୁ ଉଠି ସବୁଦିନ ଚାଲନ୍ତି

ବୃଦ୍ଧା ଆଥଲେଟ୍ ରାମବାଇ ନିଜ ଗାଁରେ ଥିବା ଅଣଓସାରିଆ ରାସ୍ତାରେ ପ୍ରତିଦିନ ଦୌଡ଼ ଅଭ୍ୟାସ କରନ୍ତି । ଏଥିପାଇଁ ସବୁଦିନ ସକାଳ ୪ଟାରୁ ଉଠି ନିଜର ଦିନଚର୍ଯ୍ୟା ଆରମ୍ଭ କରନ୍ତି । ନିୟମିତ ଭାବରେ ଚାଲିବା ସହ ସେ ଦୌଡ଼ ଅଭ୍ୟାସ କରନ୍ତି । ଏହା ବ୍ୟତୀତ ଏ ବୟସରେ ମଧ୍ୟ ପ୍ରତିଦିନ ସେ ୫/୬ କିଲୋମିଟର ଦୌଡ଼ନ୍ତି ।

ସାଧାରଣତଃ ୮୦ ବର୍ଷ ବୟସ ହେବାମାତ୍ରେ ଲୋକମାନେ ବେଡ୍‌ରୁ ଉଠି ପାରନ୍ତି ନାହିଁ । କିଛି ଲୋକଙ୍କ ପାଇଁ ତ ଚାଲିବା କଷ୍ଟକର ହୋଇପଡ଼େ । ଅପରପକ୍ଷେ ରାମବାଇ ୧୦୬ ବର୍ଷ ବୟସରେ ମଧ୍ୟ କ୍ରୀଡ଼ାରେ ଭାଗ ନେଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ନିଜକୁ ସୁସ୍ଥସବଳ ରଖିବା ପାଇଁ ପ୍ରତିଦିନ ଚୁର୍ମା, କଦଳୀ ଓ କ୍ଷୀର ପିଇଥାଆନ୍ତି ।

ପୁଅ, ଝିଅ ଓ ବୋହୂ ମଧ୍ୟ ଚାମ୍ପିଅନ୍

ରାମବାଇଙ୍କ ପୂରା ପରିବାର ଖେଳରେ ସୁନାମ ଅର୍ଜନ କରୁଛନ୍ତି । ତାଙ୍କ ୬୨ ବର୍ଷିୟ ଝିଅ ସନ୍ତରା ଦେବୀ ରିଲେଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ୨୦୦ ମିଟର ଦୌଡ଼ରେ ରାମବାଇଙ୍କ ୭୦ ବର୍ଷିୟ ପୁଅ ମୁଖତାର୍ ସିଂ ବ୍ରୋଞ୍ଜ ପଦକ ଜିତିଛନ୍ତି । ବୋହୂ ଭତେରୀ ଦେବୀ ମଧ୍ୟ ରିଲଦୌଡ଼ରେ ସ୍ୱର୍ଣ୍ଣ ପଦକ ଏବଂ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।