ନିଆରା ବିବାହ ! କୃଷ୍ଣଙ୍କ ପ୍ରେମରେ ମତୁଆଲା ମହିଳା, ଶେଷରେ ଜିଦ୍‌ କରି କଲେ ବିବାହ...

ବିବାହରେ ଝିଅ ସିନା କନ୍ୟା ବେଶ ଧରିଥିଲା, କିନ୍ତୁ ବର ଥିଲେ ସ୍ୱୟଂ ଭଗବାନ କୃଷ୍ଣ ।

Lord Krishna

ନିଆରା ବିବାହ । ଭଗବାନଙ୍କ ପ୍ରେମରେ ପଡ଼ିଲେ ମହିଳା । ଆଉ ଶେଷରେ ନିଜ ଜିଦ୍‌ରେ ଅଟଳ ରହି ଭଗବାନଙ୍କୁ ବିବାହ କଲେ ମହିଳା । ତାଙ୍କ ଜିଦ୍‌ ଆଗରେ ହାର୍‌ ମାନିଲେ ପରିବାର ଲୋକ । ଶେଷରେ ଝିଅ କଥାରେ ରାଜି ହୋଇ ଭଗବାନ କୃଷ୍ଣଙ୍କ ସହ ବିବାହ କରାଇଲେ ପରିବାର ଲୋକ । ଧୁମ୍‌ ଧାମ୍‌ରେ ବିବାହ ଉତ୍ସବ ପାଳନ କରିବା ସହ ଭୋଜିଭାତର ଆସର ବି ଜମିଲା । ବନ୍ଧୁ ବାନ୍ଧବ ବି ଆସିଲେ । ଆଶୀର୍ବାଦ ବି ଦେଲେ ।

କାନପୁରରୁ ଏହି ଘଟଣା ସାମ୍ନାକୁ ଆସିଛି । ଗତ ରବିବାର ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ଏଥିରେ ଡିଜେ ବାଣ ରୋଷଣୀ ସହ ଆଲୋକମାଳାରେ ମଣ୍ଡପ ବି ସଜାଯାଇଥିଲା । ଝିଆର ଖୁସି ପାଇଁ ବାପା କରିଥିଲେ ବିରାଟ ଆୟୋଜନ । ହେଲେ ଫରକ କେବଳ ଏତିକି ଯେ, ବିବାହରେ ଝିଅ ସିନା କନ୍ୟା ବେଶ ଧରିଥିଲା, କିନ୍ତୁ ବର ଥିଲେ ସ୍ୱୟଂ ଭଗବାନ କୃଷ୍ଣ । କୃଷ୍ଣଙ୍କ ମୁର୍ତ୍ତୀ ସହ ୩୦ ବର୍ଷିୟ ମହିଳା ବିବାହ କରିଛନ୍ତି ।

ଖାଲି ସେତିକି ନୁହେଁ ପ୍ରସେସନ୍‌ ସହ ବରଯାତ୍ରୀ ମଧ୍ୟ ଆସିଥିଲେ । ବରଯାତ୍ରୀଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ । ସେମାନଙ୍କୁ ସୁସ୍ୱାଦୁ ଭୋଜନ ସହ ନାଚ ଗୀତର ବି ଆୟୋଜନ ହୋଇଥିଳା । 

ବିବାହ ସରିବା ପରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତୀ ସହ କନ୍ୟା ବିଦା ହୋଇଥିଲେ । ଆଉ ସୁକଚେନ୍‌ପୁରରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ ପୁଣି କୃଷ୍ଣଙ୍କ ମୁର୍ତ୍ତୀ ସହ ବାପ ଘରକୁ ଫେରିଥିଲେ ।

ଏହି ୩୦ ବର୍ଷିୟ ମହିଳା ଜଣକ ହେଉଛନ୍ତି, ରଞ୍ଜିତ ସିଂହ ସୋଲାଙ୍କିଙ୍କ ଝିଅ ରକ୍ଷା । ସେ LLBରେ ପିଜି ସାରିବା ପରେ ଭଗବାନ କୃଷ୍ଣଙ୍କ ଭକ୍ତ ହୋଇଯାଇଥିଲେ । ଆଉ ସବୁ ଦିନ ପାଇଁ କୃଷ୍ଣଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ପରେ ସେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ଯେ, ସେ ଭଗବାନ କୃଷ୍ଣଙ୍କୁ ବିବାହ କରିବେ । ଜୁଲାଇ ୨୦୨୨ରେ ସେ ପରିବାର ଲୋକଙ୍କ ଆଗରେ ଏଭଳି ଇଚ୍ଛା ପ୍ରକାଶ କରିଥିଲେ । ତାପରେ ପରିବାର ଲୋକ ରକ୍ଷାଙ୍କୁ ବ୍ରୁନ୍ଦାବନ ନେଇଥିଲେ ।

ରକ୍ଷାଙ୍କ କହିବା କଥା ସେ ପିଲାଟି ବେଳୁ କୃଷ୍ଣଙ୍କ ପ୍ରେମରେ ପଡ଼ିଛନ୍ତି । ସେ କୃଷ୍ଣଙ୍କୁ ନେଇ ସବୁବେଳେ ସ୍ୱପ୍ନ ଦେଖନ୍ତି । ଦୁଇ ଥର ସେ କୃଷ୍ଣଙ୍କୁ ବିବାହ କରୁଥିବା ମଧ୍ୟ ସ୍ୱପ୍ନରେ ଦେଖିଥିଲେ ।