ମଝି ରାସ୍ତାରେ ଖରାପ ହେଲା ଗାଡ଼ି : ଗଧ ଡାକି ସୋ'ରୁମ୍‌ରେ ଗାଡ଼ି ଛାଡି ଦେଇ ଆସିଲେ ମାଲିକ

ନୂଆ କିଣୁକିଣୁ ଖରାପ । ବାରମ୍ବାର ରାସ୍ତାରେ ଷ୍ଟାର୍ଟ ବନ୍ଦ ହେବାରୁ ରାଗିଗଲେ ମାଲିକ । ଗଧ ଡାକିଲେ, ଟାଣିଟାଣି ନୂଆ ଗାଡିକୁ ସୋ’ରୁମ୍‌ରେ ଛାଡିଲେ

broken vehicle

ଆଜିକାଲି ଗାଡି କିଣିବା ପ୍ରାୟ ସମସ୍ତଙ୍କର ସଉକ । କିଏ କମ୍‌ ଦାମର ଗାଡି କିଣୁଛି ତ ଆଉ କିଏ ଅଧିକ ଦାମ୍‌ର । ମୋଟ୍‌ ଉପରେ ଯାହା ପାଖରେ ଯେତେ ଟଙ୍କା ରହିଛି ସିଏ ସେହି ଅନୁସାରେ ଗାଡ଼ି କିଣୁଛି । ହେଲେ ଆମେ ସମସ୍ତେ ଜାଣନ୍ତି ୪ ଚକିଆ ଗାଡି କିଣିବା କିଛି ସହଜ ନୁହେଁ । ହେଲେ ବି ନିଜର ସ୍ୱପ୍ନ ପୂରଣ କରିବାକୁ କଷ୍ଟମଷ୍ଟେ ଗାଡି କିଣୁଛନ୍ତି ଲୋକେ । ହେଲେ ଥରେ ଚିନ୍ତା କରନ୍ତୁ ତ? ନୂଆ ଗାଡି କିଣିବା ପରେ ସେହି ଗାଡି ରାସ୍ତାରେ ଯଦି ବାରମ୍ବାର ଖରାପ ହୁଏ ତେବେ ଆପଣ କରିବେ କଣ? ବିରକ୍ତି ହେବେ ନା ! ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନରୁ । ଯେଉଁଠି ରାସ୍ତାରେ ଗାଡି ଖରାପ ହେବାରୁ ଗଧ ସାହାଯ୍ୟରେ ସୋ’ରୁମ୍‌ରେ ଗାଡି ଛାଡି ଆସିଲେ ମାଲିକ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ଟଙ୍କା ଦେଇ କିଣିଲେ ଚଢ଼େଇ, ଦେଲେ ମୁକ୍ତିର ଆନନ୍ଦ

ରାଜସ୍ଥାନର ଉଦୟପୁରର ସୁନ୍ଦରୱାସ ଅଞ୍ଚଳରେ ରହୁଥିବା ରାଜ କୁମାର ଓ ତାଙ୍କ ମାମୁଁ ନିଜର ପରିଶ୍ରମରେ ଗୋଟି ଗୋଟି ଟଙ୍କା ଠୂଳ କରି ୧୮ ଲକ୍ଷ ଟଙ୍କା ଦେଇ କାର କିଣିଲେ । ଭାବିଥିଲେ ଦୀର୍ଘଦିନ ତଳୁ ଦେଖିଥିବା ସ୍ବପ୍ନ ପୂରା ହେଲା । ହେଲେ ସେମିତି କିଛି ହେଲାନି...ବରଂ ରାସ୍ତାରେ ବାରମ୍ବାର ଗାଡିଟି ଖରାପ ହେବାକୁ ଲାଗିଲା । ଯାହାକୁ ନେଇ ରାଜ କୁମାର ବିରକ୍ତ ହେବା ସହିତ କମ୍ପାନୀକୁ ଅଭିଯୋଗ କରିଥିଲେ । ପରେ କମ୍ପାନୀ ଗାଡି ଆଣିବାକୁ କହିଥିଲା । ସୋ’ରୁମରେ ଗାଡି ପହଞ୍ଚିବା ପରେ କମ୍ପାନୀ କହିଥିଲା ଗାଡି ବ୍ୟାଟେରୀରେ ତ୍ରୁଟି ରହିଛି । ତେଣୁ କମ୍ପାନୀର କର୍ମଚାରୀ ଗାଡି ସଜାଡିଥିଲେ ଆଉ ସୋ’ରୁମରୁ ଘରକୁ ନେବା କହିଥିଲେ ।
 

କର୍ମଚାରୀଙ୍କ ପରାମର୍ଶ ଅନୁସାରେ ଗାଡି ଘରକୁ ଆଣିଥିଲେ ରାଜକୁମାର । ହେଲେ ପୁଣି ଥରେ ସେହି ସମସ୍ୟା ଦେଖାଯାଇଥିଲା । ଅଧା ରାସ୍ତାରେ ଗାଡି ପୁଣି ଥରେ ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ଭୀଷଣ ଭାବରେ ରାଗିଯାଇଥିଲେ ରାଜକୁମାର । ଶେଷରେ ଗୋଟିଏ ଗଧ ଠିକ୍‌ କରିଥିଲେ । ଆଉ ସେହି ଗଧ ଗାଡିକୁ ଟାଣିଟାଣି ସୋ’ରୁମ୍‌ରେ ନେଇ ଛାଡିଆସିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓକୁ ଦେଖି ୟୁଜର୍ସ ମଧ୍ୟ ମଜାଳିଆ କମେଣ୍ଟ ଦେଉଛନ୍ତି ।