ଆମାଜନ୍ ପାର୍ସଲରୁ ବାହାରିଲା ଜୀଅନ୍ତା ନାଗ ସାପ, ଦେଖନ୍ତୁ ଭିଡିଓ...

ସରଜାପୁର ରୋଡ୍‌ରେ ରହୁଛୁ । ଏହି ପୁରା ଘଟଣାର ଭିଡିଓ ରେକର୍ଡିଂ ମଧ୍ୟ କରିଛୁ । ଖାଲି ସେତିକି ନୁହେଁ ଆମ ସହ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି ।

Amazon Parcel

ଆମାଜନ୍ ପାର୍ସଲରୁ ବାହାରିଲା ଜୀଅନ୍ତା ନାଗ ସାପ । ବେଙ୍ଗାଲୁରୁରେ ରହୁଥିବା ଏକ ଦମ୍ପତି ଅନଲାଇନରେ ଅର୍ଡର କରିଥିଲେ ଜିନିଷ । ଆମାଜନରୁ ଆସିଥିଲା ପାର୍ସଲ । ହେଲେ ପାର୍ସଲ ଖୋଲୁ ଖୋଲୁ ବାହାରିଥିଲା ନାଗ ସାପ । ରବିବାର ଦିନ ଏହି ଘଟଣା ସାମ୍ନାକୁ ଆସିଛି । ଏହି ସ୍ୱାମୀ-ସ୍ତ୍ରୀ ଉଭୟ ସଫ୍ଟଓୟାର ଇଞ୍ଜିନିୟର ଭାବେ କାମ କରନ୍ତି ।

ତାଙ୍କ କହିବାନୁଯାୟୀ, ଅନଲାଇନରେ ସେମାନେ ଏକ Xbox କଣ୍ଟ୍ରୋଲର ଅର୍ଡର କରିଥିଲେ । କିନ୍ତୁ ପ୍ୟାକେଟ୍‌ ଭିତରେ ସାପ ଦେଖିବା ପରେ ଛାନିଆ ହୋଇପଡ଼ିଥିଲେ । ତେବେ ଭାଗ୍ୟ ଭଲ ବିଷାକ୍ତ ସାପଟି ପ୍ୟାକେଜ୍‌ରେ ଲାଗିଥିବା ଅଠା ଟେପ୍‌ରେ ଫସି ରହିଥିଲା । ଯାହାଫଳରେ ସେ ଦମ୍ପତ୍ତିଙ୍କର କୌଣସି କ୍ଷତି କରିପାରିନଥିଲା ।

ଏହି ଦମ୍ପତି ପୁରା ଘଟଣାର ଭିଡିଓ ସୁଟ୍‌ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ କହିଛନ୍ତି ଏହି ପ୍ୟାକେଜ୍ ଆମକୁ ସିଧାସଳଖ ଡେଲିଭରି ବୟ ହିଁ ଦେଇଛନ୍ତି । ଅର୍ଥାତ୍‌ ବାହାରେ ଏହାକୁ ରଖାଯାଇନଥିଲା । ସେ ଆମ ହାତକୁ ହିଁ ଦେଇଥିଲେ । ଆମେ ସରଜାପୁର ରୋଡ୍‌ରେ ରହୁଛୁ । ଏହି ପୁରା ଘଟଣାର ଭିଡିଓ ରେକର୍ଡିଂ ମଧ୍ୟ କରିଛୁ । ଖାଲି ସେତିକି ନୁହେଁ ଆମ ସହ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି ।

ମହିଳା ଜଣକ ଆହୁରି କହିଛନ୍ତି, ସୌଭାଗ୍ୟବଶତଃ ସାପଟି ପ୍ୟାକେଜିଂ ଟେପରେ ଫସି ରହିଥିଲା ​​ଏବଂ ଆମ ଘର କିମ୍ବା ଆପାର୍ଟମେଣ୍ଟରେ କାହାର କିଛି କ୍ଷତି କରିନାହିଁ । ଏତେ ବଡ଼ ଘଟଣା ସତ୍ତ୍ୱେ ଆମାଜନ୍ ସର୍ଭିସ ପକ୍ଷରୁ ଆମକୁ ରାତି ଅଧରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ କୁହାଯାଇଥିଲା । ଯାହାର ପ୍ରମାଣ ହେଉଛି ଏହି ଭିଡିଓ ।

ଆମେ ଆମାଜନ୍‌ରୁ ପୁରା ଟଙ୍କା ଫେରି ପାଇଛୁ, କିନ୍ତୁ ଏପରି ଭୁଲ ବା ବିଷାକ୍ତ ସାପ ଯୋଗୁଁ ଆମ ଜୀବନ ପ୍ରତି ଯେଉଁ ବିପଦ ଉପୁଜିଥିଲା ସେଥିପାଇଁ ଆମେ କ’ଣ ପାଇବୁ ? ଏହା ସମ୍ପୂର୍ଣ୍ଣ ରୂପେ ଆମାଜନ୍‌ର ଅବହେଳା, ଖରାପ ପରିବହନ ବ୍ୟବସ୍ଥା, ଗୋଦାମ ଘରର ସ୍ୱଚ୍ଛତା ଏବଂ ତଦାରଖରେ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ସୁରକ୍ଷା କ୍ଷେତ୍ରରେ ଏଭଳି ଗମ୍ଭୀର ତ୍ରୁଟି ପାଇଁ କିଏ ଉତ୍ତର ଦେବ ?

କମ୍ପାନୀ ପକ୍ଷରୁ ଆସିଲା ଉତ୍ତର

ଦମ୍ପତ୍ତିଙ୍କ ଭିଡିଓ ଦେଖି ଆମାଜନ୍‌ ପକ୍ଷରୁ ଟ୍ୱିଟ୍ ଯୋଗେ ପ୍ରତିକ୍ରିୟା ଦିଆଯାଇଛି ଯେ, ଆମାଜନ ଅର୍ଡର ଯୋଗୁଁ ଆପଣଙ୍କର ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ । ଏହାକୁ ସଂସ୍ଥା ପକ୍ଷରୁ ଗମ୍ଭୀରତାର ସହ ନିଆଯିବ । ଆପଣଙ୍କ ଅସୁବିଧାର ସମ୍ପୂର୍ଣ୍ଣ ତଥ୍ୟ ଦିଅନ୍ତୁ । ଆମେ ଆପଣଙ୍କୁ ଖୁବ୍‌ଶୀଘ୍ର ଏନେଇ ଅପଡେଟ୍ ସହିତ ଯୋଗାଯୋଗ କରିବୁ ।