Salary Of Prisoners: ଇଛା ହେଲେ କଏଦୀ ଏଠି ଜେଲ୍‌ ବାହାରକୁ ବି ଯାଆନ୍ତି !

ଜଣେ ବାୟୋକେମିଷ୍ଟ, ମାନସିକ ରୋଗ ବିଶେଷଜ୍ଞଙ୍କଠାରୁ ମଧ୍ୟ ଜଣେ କଏଦୀର ରୋଜଗାର ଅଧିକ ।

ବ୍ରିଟେନରେ ଜେଲ୍‌ ସୁରକ୍ଷା କର୍ମୀଙ୍କଠାରୁ ଅଧିକ ରୋଜଗାର କରନ୍ତି ସେହି ଜେଲ୍‌ ଭିତରେ ଥିବା କଏଦୀ ।

ବ୍ରିଟେନରେ ଜେଲ୍‌ ସୁରକ୍ଷା କର୍ମୀଙ୍କଠାରୁ ଅଧିକ ରୋଜଗାର କରନ୍ତି ସେହି ଜେଲ୍‌ ଭିତରେ ଥିବା କଏଦୀ । ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଥାଇପାରନ୍ତି । କିନ୍ତୁ ଏହା ସତ । ଏଠାରେ କାରାଗାରରେ ଥିବା କଏଦୀମାନେ ଢେର୍ ଅଧିକ ରୋଜଗାର କରନ୍ତି । ଏମିତିକି ସେଠାକାର ଜଣେ ଶିକ୍ଷକଙ୍କଠାରୁ ଜଣେ କଏଦୀଙ୍କ ରୋଜଗାର ଅଧିକ । ଖାଲି ସେତିକି ନୁହେଁ, ଜଣେ ବାୟୋକେମିଷ୍ଟ, ମାନସିକ ରୋଗ ବିଶେଷଜ୍ଞଙ୍କଠାରୁ ମଧ୍ୟ ଜଣେ କଏଦୀର ରୋଜଗାର ଅଧିକ । ଏନେଇ ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

କଏଦୀଙ୍କ ପୁନର୍ବାସ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଆପଣ ଏହା ମଧ୍ୟ ଜାଣି ରଖନ୍ତୁ ଯେ, କିଛି ହାଲୁକା ସୁରକ୍ଷା ବା ଖୋଲା ଜେଲରେ କଏଦୀମାନଙ୍କୁ କାମ କରିବାକୁ ବାହାରକୁ ମଧ୍ୟ ଯିବାକୁ ଅନୁମତି ଦିଆଯାଇଥାଏ । କିନ୍ତୁ, ଦିନ ଶେଷ ସୁଦ୍ଧା ସେମାନେ ଜେଲକୁ ସେମାନେ ଫେରି ଆସନ୍ତି । କଏଦୀମାନଙ୍କୁ ପୁନଃ ଥଇଥାନ କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପୁଣି ସାମିଲ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ । ତେବେ ସମାଜରେ କଏଦୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ରୋଜଗାର ଅସମାନତା ଯୋଗୁଁ ଏବେ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାକୁ ନେଇ ଏବେ ବିତର୍କ ମଧ୍ୟ ଆରମ୍ଭ ହୋଇଛି ।

କହାକୁ କେତେ ଦରମା ମିଳେ ?

ଗତବର୍ଷ ବ୍ରିଟେନରେ କଟାକଟି ପରେ ସର୍ବାଧିକ ଦରମା ପାଇଥିବା କଏଦୀଙ୍କୁ ମିଳିଛି ୪୬,୦୦୫ ଡଲାର ଅର୍ଥାତ୍ ୩୮ ଲକ୍ଷ ୮୪ ହଜାର ୪୯୧ ଟଙ୍କା ତାଙ୍କ ହାତକୁ ଯାଇଛି । ତେବେ ତାଙ୍କର ମୋଟ ଦରମା କଟାକଟି ପୂର୍ବରୁ ହିସାବ କଲେ ପ୍ରାୟ ୫୭,୬୪୦ ଡଲାର ଅର୍ଥାତ ୪୮,୬୬,୯୦୭ ଟଙ୍କା । ଗୃହ ମନ୍ତ୍ରଣାଳୟର ତଥ୍ୟ ଦର୍ଶାଇଛି ଯେ ଅନ୍ୟ ୯ ଜଣ କଏଦୀ ୨୮,୬୯୪ ଡଲାରରୁ ଅଧିକ ଅର୍ଥାତ୍ ୨୪,୨୨,୮୧୪ ଟଙ୍କା ରୋଜଗାର କରିଛନ୍ତି । ଅର୍ଥାତ୍ ହାରାହାରି କାର୍ଯ୍ୟରତ କଏଦୀଙ୍କୁ ବର୍ଷକୁ ପ୍ରାୟ ୨୫,୦୬୧ ଡଲାର ଅର୍ଥାତ୍ ୨୧,୧୬,୦୫୭ ଟଙ୍କା ଦିଆଯାଉଛି।

ତେବେ ଏହି କ୍ରମରେ ଦେଖିବାକୁ ଗଲେ ଜଣେ ଜେଲ ଗାର୍ଡଙ୍କ ହାରାହାରି ଦରମା ୩୫,୦୮୫ ଡଲାର ଅର୍ଥାତ ୨୯,୬୨,୪୪୬ ଟଙ୍କା । ସେହିଭଳି ନୂଆ କରି ଚାକିରି ପାଇଥିବା ଶିକ୍ଷକଙ୍କ ଦରମା ବାର୍ଷିକ ପ୍ରାୟ ୩୦,୦୭୩ ଡଲାର ଅର୍ଥାତ ୨୫,୩୯,୨୫୨ ଟଙ୍କା । ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କଏଦୀଙ୍କଠାରୁ, ସମାଜର ମୁଖ୍ୟ ସ୍ରୋତରେ କାମ କରୁଥିବା ଲୋକଙ୍କ ଦରମା କମ୍ ।

କାଟ୍‌ ପରେ ବି ସର୍ବାଧିକ ବେତନ ପାଇଲେ

ରିପୋର୍ଟ ଅନୁସାରେ ଗତ ବର୍ଷ ସବୁ କଟାକଟି କରିବା ପରେ ବି ଦୁଇଜଣ କଏଦୀ ସର୍ବାଧିକ ୩୭,୫୯୧ ଡଲାର ଅର୍ଥାତ ୩୧,୭୪,୦୪୪ ଟଙ୍କା ପାଇଛନ୍ତି । ଅନ୍ୟ ସାତ ଜଣଙ୍କର ବ୍ୟକ୍ତିଗତ ଭାବରେ ଦରମା ୨୮,୬୯୪ ଡଲାର ଅର୍ଥାତ୍ ୨୪,୨୨,୮୧୪ ଟଙ୍କାରୁ ୩୭,୫୯୧ ଡଲାର ଅର୍ଥାତ ୩୧,୭୪,୦୪୪ ଟଙ୍କା ମଧ୍ୟରେ ରଖାଯାଇଥିଲା । ତେବେ କଏଦୀମାନେ ଅନେକ କାମ କରିଥାନ୍ତି । କିନ୍ତୁ ଅଧିକାଂଶ କଏଦୀ ଟ୍ରକ ଚଲାଇବା କାମ କରିଥାନ୍ତି ।

ଜେଲ ସେବା ମୁଖପାତ୍ର କହିଛନ୍ତି, 'କିଛି ଅପରାଧୀଙ୍କୁ ଦଣ୍ଡ ଶେଷ ହେବା ପରେ ଅସ୍ଥାୟୀ ଲାଇସେନ୍ସରେ ରିହାତି ଦିଆଯାଇଥାଏ । ଏହାଦ୍ୱାରା ସେମାନଙ୍କୁ ଜେଲ ଫେରିବା ପୂର୍ବରୁ ସମାଜରେ କିଛି ଦିନ ବିତାଇବାକୁ ସମୟ ମିଳିଥାଏ । ଏହି ସମୟ ମଧ୍ୟରେ ସେମାନେ କାମ କରନ୍ତି । ଆଉ ଯାହା ରୋଜଗାର କରନ୍ତି, ସେଥିରୁ ସେମାନଙ୍କୁ କୋର୍ଟରେ ଜୋରିମାନା ପୈଠ କରିବାକୁ ପଡ଼ିଥାଏ । ଏହାସହ ୪୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଦେବାକୁ ମଧ୍ୟ ପଡିଥାଏ । ଯାହାଦ୍ୱାରା ପୀଡିତଙ୍କ ପାଇଁ ପାଣ୍ଠି ସଂଗ୍ରହ ହୋଇଥାଏ । ଆଉ ସେହି ପାଣ୍ଠିରୁ ପୀଡ଼ିତଙ୍କୁ କ୍ଷତି ପୂରଣ ଦିଆଯାଇଥାଏ ।

ସମାଜରେ ଏମାନଙ୍କ ରୋଜଗାର କମ୍ !

ବିଭିନ୍ନ ପ୍ରକାର କଟାକଟି ପରେ ମଧ୍ୟ କଏଦୀମାନେ ଘରେ କାମ କରୁଥିବା ସହାୟକମାନଙ୍କଠାରୁ ଅଧିକ ଦରମା ପାଇଥାନ୍ତି । କଏଦୀଙ୍କ ଦରମା ୪୫,୮୮୯ ଡଲାର ରହିଥିଲା । ସେହିଭଳି ବାୟୋକେମିଷ୍ଟଙ୍କ ଦରମା ୪୫,୮୪୪ ଡଲାର, ମାନସିକ ବିଶେଷଜ୍ଞଙ୍କ ଦରମା ୪୫,୮୯୪ ଡଲାର ଓ ରିଟାୟାର୍ଡ ସର୍ଭେୟରଙ୍କ ଦରମା ୪୩,୯୦୮ ଡଲାର ।