ଉତ୍ତରପ୍ରଦେଶର ଗାଜିଆବାଦ ସହରର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଜଣେ ମହିଳା ନିଜ ଶାଶୂଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ଝିଅର ମାଆ ସେହି ସମୟରେ ଭିଡିଓ କରୁଥିବାର ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ।
ଗୋଟିଏ ମିନିଟ ୨୮ ସେକେଣ୍ଡର ଏହି ଭାଇରାଲ ଭିଡିଓରେ ୨ ମହିଳାଙ୍କ ଭିତରେ ଝଗଡ଼ା ହେଉଛି । ଆକାଂକ୍ଷା ନାମୀ ଜଣେ ମହିଳା ନିଜ ଶାଶୂଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ଆକାଂକ୍ଷାଙ୍କ ହାତରେ ଛୋଟ ବ୍ୟାଗଟିଏ ଅଛି । ଯେଉଁଥିରୁ ଲାଗୁଛି ସେ ବାହାରୁ ଆସିଛନ୍ତି । ଆକ୍ଷାଂକାଙ୍କ ମାଆ ସିଢ଼ିର ଗୋଟିଏ ପଟେ ଠିଆ ହୋଇଛନ୍ତି । ତାଙ୍କ ହାତରେ ମୋବାଇଲ ଅଛି ଓ ସେ ପୁରା ଘଟଣା ରେକଡିଂ କରୁଛନ୍ତି ।
Also Read
ପ୍ରଥମେ ଆକାଂକ୍ଷା ନିଜ ଶାଶୂଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ହଠାତ ଶାଶୂ ଜଣକ ସିଢ଼ିରେ ବସି ପଡୁଛନ୍ତି । ଯେତେବେଳେ ଦେଖୁଛନ୍ତି ଫୋନରେ ସବୁ କିଛି ରେକର୍ଡ ହେଉଛି ସେ ହଠାତ ଉଠିଆସି ଫୋନକୁ ଛଡାଇବାକୁ ଚେଷ୍ଟା କରୁଛନ୍ତି । ଏହାରି ଭିତରେ ଆକାଂକ୍ଷା ନିଜ ଶାଶୂ ଓ ମାଆଙ୍କ ମଝିକୁ ଆସନ୍ତି ଓ ଶାଶୂଙ୍କୁ ଜୋରରେ ଆଘାତ ଦିଅନ୍ତି । ଶାଶୂଙ୍କୁ ଧକ୍କା ମାରିବା ସହ ବାରମ୍ବାର ଆଘାତ କରୁଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳିଛି । ଆକାଂକ୍ଷାଙ୍କ ମାଆ ଝିଅକୁ ଟାଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ଆକାଂକ୍ଷା ପଛକୁ ହଟିନଥିଲେ
ଏହାରି ଭିତରେ ଶାଶୂ ଜଣକ ପାଖ କବାଟକୁ ବାଡ଼ାନ୍ତି । କିନ୍ତୁ ଆକାଂକ୍ଷା ତାଙ୍କୁ ପଛକୁ ଟାଣି ଆଣନ୍ତି। ହାତକୁ ମୋଡିବା ସହ ଆକାଂକ୍ଷା ଶାଶୂଙ୍କୁ ଗୋଇଠା ବି ମାରୁଥିବାର ଦେଖିବାକୁ ମିଳିଛି । ଶାଶୂଙ୍କୁ ସିଢ଼ିରୁ ତଳକୁ ଟାଣିବା ବେଳେ ହଠାତ ପାଖ କବାଟ ଖୋଲିଯାଏ । ଆକାଂକ୍ଷା ନିଜ ଶାଶୂଙ୍କୁ ଟାଣିକି ଘର ଭିତରକୁ ନେଇ ଯାଆନ୍ତି ।
ଏକ ରିପୋର୍ଟରେ କୁହାଯାଇଛି ଆକାଂକ୍ଷା ଜଣେ ଇଂଜିନିୟର । ଅଢେଇ ବର୍ଷ ପୂର୍ବେ ତାଙ୍କର ଅନ୍ତରିକ୍ଷ ନାମକ ଜଣେ ଯୁବକଙ୍କ ସହିତ ବିବାହ ହୋଇଥିଲା । ଅନ୍ତରିକ୍ଷ ବି ଜଣେ ଇଂଜିନିୟର । ସେ ଗୁରୁଗ୍ରାମରେ କାମ କରନ୍ତି । ଆକାଂକ୍ଷା ଘରୁ କାମ କରନ୍ତି ।
ପିଡୀତା ମହିଳା ଅଭିଯୋଗ କରିଛନ୍ତି ଅନେକ ଦିନ ଧରି ସେ ଥାନାର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ପୋଲିସ ଏତଲା ରଖିନଥିଲା । ସେ ଅଭିଯୋଗ କରିଛନ୍ତି ଆକାଂକ୍ଷାଙ୍କ ବାପା ଦିଲ୍ଲୀ ପୋଲିସରେ ଅଛନ୍ତି । ସେଥିପାଇଁ ସ୍ଥାନୀୟ ପୋଲିସ ତାଙ୍କୁ ଅଣଦେଖା କରୁଛି । ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି ।