Video Viral: ସାପକୁ ପାଟିରେ ଲଗାଇ CPR ଦେଲେ ଯୁବକ

ସାପକୁ CPR ଦେବା ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । 

CPR To Snake

ସାପକୁ ଦେଲେ ନୂଆ ଜୀବନ । ଅଚେତ ହୋଇପଡ଼ିଥିଲା ସାପ । CPR ଦେଇ ନୂଆ ଜୀବନ ଦେଲେ ଯୁବକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦୋଦରାରେ । ୟାସ୍‌ ତାଡ୍‌ଭି ନାମକ ଜଣେ ଯୁବକ ଏଭଳି କରିଥିବା ନେଇ ଖବର ସାମ୍ନାକୁ ଆସିଛି । ଯାହାଫଳରେ ତାଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ବାସ୍ତବରେ ସେ ଜଣେ ସାପ ଧରାଳି । ଆଖପାଖ ଅଞ୍ଚଳରେ ସେ ସାପ ଧରାଳି ଭାବେ ବେଶ୍‌ ପରିଚିତ । ସମସ୍ତେ ତାଙ୍କୁ ସାପ ଧରିବା ପାଇଁ ଡାକନ୍ତି । ହେଲେ ତାଙ୍କର ଏମିତି ରୂପ କେବେ କେହି ଦେଖିନଥିଲେ । ସାପ ପ୍ରତି ତାଙ୍କର ଭଲପାଇବା ଓ ଉଦାରତା ସମସ୍ତଙ୍କୁ ଚକିତ କରିଛି । 

ଅନ୍ୟପଟେ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ସାପକୁ CPR ଦେବା ବେଳେ ତାଙ୍କୁ ଭୟ ଲାଗିଲାନି କେମିତି ? ଏହାବାଦ୍‌ ସାପଟି କ’ଣ ବିଷଧର ନଥିଲା କି ? ଯଦି CPR ଦେବା ବେଳେ ସାପ ତାଙ୍କୁ କାମୁଡ଼ି ଦେଇଥାନ୍ତା, ତେବେ କ’ଣ ହୋଇଥାନ୍ତା ? ଏମିତି ଅଶ୍ଚର୍ଯ୍ୟ କଲାଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଅନ୍ୟପଟେ କିଛି ଲୋକ କହିଛନ୍ତି ଏଭଳି ଦୁଃସାହସ ସାଧାରଣ ଲୋକମାନେ ନକରିବା ଭଲ ।

ତେବେ ସାପକୁ CPR ଦେବା ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ମିଳିଥିବା ସୂଚନାନୁଯାୟୀ, ଯେତେବେଳେ ତାଡ୍‌ଭି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ଆଉ ଦେଖିଲେ ସାପଟିର କଣ୍ଡିସନ୍‌ ଭଲ ନାହିଁ । ସେ ନିସ୍ତେଜ୍‌ ହୋଇ ପଡ଼ିଛି । ସବୁଠାରୁ ବଡ଼ କଥା ହେଲା ତାହା ବିଷଧର ନଥିଲା । ତାପରେ ସାପକୁ ଉଦ୍ଧାର କରି ସେ ନିଜ ମୁହଁରେ ଲଗାଇ CPR ଦେଇଥିଲେ । କିଛି ସେକେଣ୍ଡ ପରେ ସାପଟି ପୁଣି ଚେତା ଫେରିପାଇଥିଲା । ଆଉ ଚଞ୍ଚଳିଆ ହେବାକୁ ଲାଗିଥିଲା ।

ପ୍ରଥମେ ସତର୍କତାର ସହ ସାପର ବେକକୁ ଧରିଥିଲେ ତାଡ୍‌ଭି । ତାପରେ ତାର ପାଟି ଖୋଲି ଫୁଙ୍କିବାକୁ ଲାଗିଲେ । ଦୁଇ ଥର ଚେଷ୍ଟା କରି ବିଫଳ ହୋଇଥିଲେ । କିନ୍ତୁ ତୃତୀୟ ଥର ବେଳକୁ ସାପଟି ହଲଚଲ ହେବାକୁ ଲାଗିଲା । ଯାହାକି କୌଣସି ଚମତ୍କାରଠାରୁ କମ୍‌ ନଥିଲା । ଏହାପରେ ସାପକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ।