ମହାକାଶରେ ଅଛନ୍ତି ସୁନୀତା ୱିଲିୟମ୍ସ । 2024 ଜୁନ ମାସରେ ଯାଇଥିଲେ ଅନ୍ତରୀକ୍ଷ । ଇତି ମଧ୍ୟରେ ୮ ମାସ ବିତିଗଲାଣି । କେମିତି ଅଛନ୍ତି ସୁନୀତା ? କେବେ ଫେରିବେ ପୃଥିବୀକୁ ? ଏସବୁ ପ୍ରଶ୍ନର ସଠିକ ଉତ୍ତର ହୁଏତ କାହାପାଖରେ ନାହିଁ । ଖାଲି ସୁନୀତା ୱିଲିୟମ୍ସ ନୁହେଁ, ଆଜିକାଲି ଅଧିକାଂଶ ମହାକାଶଚାରୀ ସ୍ପେଶକୁ ଯାଇ ସେଠାରେ ମାସାଧିକ କାଳ ରହୁଛନ୍ତି । ସେଠାରେ ସେମାନଙ୍କର ଖାଇବା, କାମ କରିବା, କସରତ କରିବା ଏପରିକି ଖେଳିବା ବି ସ୍ୱଭାବିକ ଭାବେ ଚାଲିଥାଏ । ଏପରି ସ୍ଥିତିରେ ଏକ ପ୍ରଶ୍ନ ମନକୁ ଆସେ ମହାକାଶଚାରୀମାନେ ସେଠାରେ ନିଜ ପୋଷାକ କିପରି ସଫା କରିଥାନ୍ତି ? ନା ତାଙ୍କୁ ପୋଷାକ ସଫା କରିବାର ଆବଶ୍ୟକତା ପଡେନି ? ଯଦି ପଡୁଥାଏ ତେବେ କେଉଁଠୁ ଆସେ ଏତେ ପାଣି ? ତା ଛଡା ଓଦା ପୋଷାକକୁ କିପରି ଶୁଖାନ୍ତି ?
କିଛି ବର୍ଷ ପୂର୍ବରୁ ସ୍ଥିତି ଭିନ୍ନ ଥିଲା । ମହାକାଶଚାରୀମାନେ ଅଳ୍ପଦିନ ପାଇଁ ସ୍ପେଶରେ ରହୁଥିଲେ । ସେମାନେ ପୋଷାକ ବଦଳାଉଥିଲେ । ହେଲେ ଏହାକୁ ଧୋଇବାର ଆବଶ୍ୟକତା ପ୍ରାୟତଃ ପଡୁ ନ ଥିଲା । କାରଣ ସେତିକି ଦିନ ପାଇଁ ସେମାନେ ପୋଷାକ ସାଙ୍ଗରେ ନେଇ ଯାଇଥାନ୍ତି । ହେଲେ ଏବେ ମହାକାଶଚାରୀମାନେ ତିନିରୁ ୮ମାସ ଯାଏ ସ୍ପେଶରେ ରହୁଛନ୍ତି । ଏମାନେ ପୋଷାକକୁ ସଫା ନ କଲେ କେମିତି ବ୍ୟବହାର କରିବେ ? କାରଣ ସେମାନେ ତ ଆଉ ୩ମାସ ପାଇଁ ଏତେ ପରିମାଣର ପୋଷାକ ସାଙ୍ଗରେ ନେଇ ଯାଇ ନଥିବେ ! ଏ ବାବଦରେ ନାସା ଏବଂ ଅନ୍ୟ ସ୍ପେସ ଏଜେନ୍ସିମାନେ କ’ଣ କହନ୍ତି, ଆସନ୍ତୁ ଜାଣିବା ।
କେମିତି ଧୋଇଥାନ୍ତି ପୋଷାକ ?
ବାସ୍ତବତା ହେଉଛି, ମହାକାଶରେ ରହୁଥିବା ଆଷ୍ଟ୍ରୋନଟମାନଙ୍କର ଆଭ୍ୟନ୍ତରୀଣ ପୋଷାକ ଜଲ୍ଦି ଖରାପ ହୋଇଯାଏ । ତେଣୁ ନିଜର ସୁବିଧା ପାଇଁ ମହାକାଶଚାରୀମାନେ ନିଜ ପାଇଁ ଯଥେଷ୍ଟ ପୋଷାକ ନେଇ ଯାଇଥାନ୍ତି । ବର୍ତ୍ତମାନ ଯାଏ ଏପରି ଭାବେ ହିଁ ଚାଲୁଥିଲା । ଯଦିଓ ସ୍ପେଶରେ ପୋଷାକ ଧୁଆ ଯାଇ ପାରିବ, କିନ୍ତୁ ପାଣି କାହିଁ ? ଏମିତିରେ ତ ସ୍ପେଶରେ ମହାକାଶଚାରୀଙ୍କୁ ପାଣିକୁ ସଫା କରି ପିଇବାକୁ ପଡିଥାଏ । ଏପରି ସ୍ଥିତିରେ ପୋଷାକ ଧୋଇବା ପାଇଁ ପାଣି ଆସିବ କିପରି ?
ଏବେ କିପରି ଅଛି ବ୍ୟବସ୍ଥା ?
ବର୍ତ୍ତମାନର ସ୍ଥିତି ଭିନ୍ନ । କାରଣ ଏବେ ମହାକାଶଚାରୀଙ୍କୁ ସ୍ପେଶରେ ଅଧିକ ସମୟ ବିତାଇବାକୁ ପଡୁଛି । କିନ୍ତୁ ପୂର୍ବପରି ଏବେ ବି ମହାକାଶରେ ପୋଷାକ ଧୁଆକୁ ନେଇ ସମାନ ସମସ୍ୟା ଲାଗି ରହିଛି । ଏବେ ବି ମହାକାଶରେ ପୋଷାକ ସଫା ହେଉ ନାହିଁ । ସେଥପାଇଁ ମହାକାଶଚାରୀଙ୍କୁ ନିଜ କାର୍ଗୋରେ ଯଥେଷ୍ଟ ଅଧିକ ପୋଷାକ ନେଇ ଯିବାକୁ ପଡିଥାଏ । ନିର୍ଦ୍ଦିଷ୍ଟ ସମୟାନ୍ତରରେ ସେମାନେ ପୋଷାକ ବଦଳାଇଥାନ୍ତି । ଏପରିକି ମଝିରେ ମଝିରେ ଆଷ୍ଟ୍ରୋନଟଙ୍କ ପାଇଁ ଇଣ୍ଟରନାଶନାଲ ସ୍ପେଶ ଷ୍ଟେସନକୁ ଯେତେବେଳେ କାର୍ଗୋ ଯାନ ବିଭିନ୍ନ ସାମଗ୍ରୀ ନେଇ ଯାଇଥାଏ ସେତେବେଳେ ମହାକାଶଚାରୀଙ୍କ ପାଇଁ ବି ଯଥେଷ୍ଟ ପୋଷାକ ପଠାଯାଇଥାଏ ।
ମହାକାଶରେ କେତେଦିନ ଯାଏ ସଫା ରହେ ପୋଷାକ
ମହାକାଶରେ ଆଷ୍ଟ୍ରୋନଟମାନେ ଗୋଟିଏ ପୋଷାକକୁ କିଛି ଦିନ ବା କିଛି ସପ୍ତାହ ପିନ୍ଧିଥାନ୍ତି । ତଥାପି ପୋଷାକ ମଇଳା ହୋଇ ନ ଥାଏ । କାରଣ ମହାକାଶରେ ପୃଥିବୀ ପରି ଏତେ ଧୂଳି ନ ଥାଏ । କହିବାକୁ ଗଲେ ପୃଥିବୀ ତୁଳନାରେ ମହାକାଶରେ ପୋଷାକ ଅଧିକ ଦିନ ସଫା ରହିଥାଏ । ତା ଛଡା ମହାକାଶରେ ତାପମାତ୍ରା ବି ନିୟନ୍ତ୍ରିତ ହୋଇଥାଏ ଯଦ୍ୱାରା ବେଶି ଝାଳ ବୋହି ନ ଥାଏ । ତେଣୁ ପୋଷାକ ମଇଳା ହେବାର ଆଶଙ୍କା କମ ଥାଏ ।
ତଥାପି କାହିଁକି ମଇଳା ହୁଏ ପୋଷାକ
ସ୍ପେଶ ଷ୍ଟେଶନରେ ମାଇକ୍ରୋଗ୍ରାଭିଟି ଥିବା କାରଣରୁ ସେଠାରେ ଥିବା ବ୍ୟକ୍ତିଙ୍କୁ ବେଶି ଶକ୍ତି ଖର୍ଚ୍ଚ କରିବାକୁ ପଡ଼ି ନ ଥାଏ । ହେଲେ ଷ୍ଟେସନରେ ପହଞ୍ଚିବା ପରେ ସେହି ମାଇକ୍ରୋଗ୍ରାଭିଟି କାରଣରୁ ମହାକାଶଚାରୀଙ୍କୁ ଯଥେଷ୍ଟ କସରତ କରିବାକୁ ପଡ଼ିଥାଏ । ଆଉ ଏହି ସମୟରେ ପ୍ରଚୁର ଝାଳ ବାହାରିଥାଏ । ଏହି ଗୋଟିଏ କାରଣରୁ ମହାକାଶରେ ପୋଷାକ ମଇଳା ହୋଇଥାଏ ।
ବ୍ୟବହୃତ ପୋଷାକ ଯାଏ କୁଆଡେ ?
ମହାକାଶଚାରୀମାନେ ନିଜ ପୋଷାକ ଗୋଟିଏ ପରେ ଗୋଟିଏ ବଦଳାଇ ଚାଲିଥାନ୍ତି । ଏମିତି ଏକ ସମୟ ଆସେ, ଯେଉଁଠି ପୁରୁଣା ଅସନା ପୋଷାକ ଗଦା ହୋଇଯାଏ । ତେବେ ସ୍ପେଶ ଷ୍ଟେଶନରେ ଏଇ ପୁରୁଣା ମଇଳା ପୋଷାକକୁ କ’ଣ କରାଯାଏ ? ଏହି ପୁରୁଣା ପୋଷାକ ପୃଥିବୀକୁ ପୁଣି ଫେରି ଆସେ ଏବଂ ଏହାକୁ ସଫା କରି ପୁନଃବ୍ୟବହାର କରାଯାଏ । ନଚେତ ଏହାକୁ ମହାକାଶରେ କାର୍ଗୋରେ ରଖି ଫେରିବା ସମୟରେ ବାୟୁମଣ୍ଡଳରେ ଜଳିବା ପାଇଁ ଛାଡ଼ି ଦିଆଯାଇଥାଏ ।
କ’ଣ ଏହାର ସମାଧାନ ?
ମହାକାଶରେ ପୋଷାକ ଆଷ୍ଟ୍ରୋନଟଙ୍କ ପାଇଁ ଏକ ସମସ୍ୟା ହୋଇଥିଲେ ହେଁ ଏହାର ସମାଧାନର ବାଟ ଏଯାଏ ବାହାରି ପାରିନାହିଁ । ଏବେ ମହାକାଶଚାରୀମାନେ ମଙ୍ଗଳ ଗ୍ରହକୁ ଯିବାକୁ ବସିଲେଣି । ସେମାନେ ଭଲ ଭାବେ ଜାଣନ୍ତି, ଏତେ ବେଶୀ ପୋଷାକ ନେଇ ମହାକାଶକୁ ଯିବା ଅର୍ଥ ଯେଉଁ ଯାନରେ ମହାକାଶଚାରୀମାନେ ଯାଉଛନ୍ତି ସେହି ଯାନର କେବଳ ଓଜନ ବଢାଇବା । ତେଣୁ ମହାକାଶରେ କିପରି ପୋଷାକ ଧୁଆ ଯାଇ ପାରିବ ତାହାର ଉପାୟ ବାହାର କରିବାକୁ ପଡିବ ।
ତେବେ ଏଠି ପ୍ରଶ୍ନ, ପୋଷାକ ଧୋଇବା ପାଇଁ ତ ପାଣି ନେଇ ଯାଇ ପାରିବ ନାହିଁ । ତେବେ ସଫା କିପରି ହେବ ?
ନାସା ପ୍ରକ୍ଟର ଆଣ୍ଡ ଗ୍ୟାମ୍ପଲ ପରି କମ୍ପାନୀମାନେ ସ୍ପେଶରେ କପଡା ଧୋଇବା ସମସ୍ୟାର ସମାଧାନ କରିବା ଲାଗି କାମ କରୁଛନ୍ତି । ଏହି କମ୍ପାନୀ ୨୦୨୩ରେ ଏକ ସମାଧାନର ବାଟ ବାହାର କରିଥିଲା । ଏଥିପାଇଁ କମ୍ପାନୀ ଟାଇଟ ଇନଫିନିଟି ନାମକ ଏକ ଉତ୍ପାଦ ପ୍ରସ୍ତୁତ କରିଥିଲା । ଯାହା ମହାକାଶରେ ଅଧା ପାଣିରେ ପୋଷାକକୁ ଧୋଇ ପାରୁଥିଲା । ହେଲେ ନାସା ପକ୍ଷରୁ ଏ ଯାଏ ଏହି ଉତ୍ପାଦକୁ ବ୍ୟବହାର କରାଯାଇ ନାହିଁ ।
ଏହାବ୍ୟତୀତ ଉକ୍ତ କମ୍ପାନୀ ଏକ ସାଧାରଣ ୱାଶର ଡ୍ରାୟର ବାହାର କରିଥିଲା । ଏହାକୁ ଚନ୍ଦ୍ର ପୃଷ୍ଠରେ କିମ୍ବା ମଙ୍ଗଳ ଗ୍ରହରେ ବ୍ୟବହାର କରାଯାଇ ପାରିବ । ଏହା ବ୍ୟତୀତ ପୃଥିବୀର ଜଳାଭାବ ଅଞ୍ଚଳରେ ବି ଖୁବ କାମରେ ଆସିପାରିବ ।