/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747126406.jpg)
History of Nrusinghnath Baisakhi Mela of Western Odisha
ପୁରାଣ ଯୁଗର କଥା। ସୁବାହୁ ବନ ନିକଟରେ ଥିବା ଗୋଦାବରୀ ନଦୀ କୂଳରେ ଉଡ଼ଙ୍ଗ ୠଷି ବାସ କରୁଥିଲେ। ତାଙ୍କର ଥିଲେ ଜଣେ ଅପୂର୍ବ ସୁନ୍ଦରୀ କନ୍ୟା, ଯାହାର ନାଁ ଥିଲା 'ମାଳତୀ'। ମାଳତୀଙ୍କୁ ଲଙ୍କାର ରାଜା ରାବଣ ଓ ପରେ ପରେ ମୁଷିକ ଦୈତ୍ୟ ଅପହରଣ କରିନେଇ ତାଙ୍କ ଉପରେ ପାଶବିକ ଅତ୍ୟାଚାର କଲେ। ଫଳରେ ଧର୍ଷିତା ମାଳତୀଙ୍କ ଗର୍ଭରୁ ଜନ୍ମନେଲା ଆଉ ଜଣେ ମୂଷିକ ଦୈତ୍ୟ। ଏହି ମୂଷିକ ଦୈତ୍ୟ ଦେବତାଙ୍କୁ ବହୁତ ହଇରାଣ କରୁଥିଲା। ଏମିତିକି ଦେବୀ ଦୁର୍ଗାଙ୍କୁ ମଧ୍ୟ ସେ ଯୁଦ୍ଧରେ ପରାସ୍ତ କରିଥିଲା।
ଭୟରେ ଦେବତାମାନେ, ବିଷ୍ଣୁଙ୍କ ଅବତାର ନେଇ ଜନ୍ମ ହେଇଥିବା ରାମଙ୍କୁ ପ୍ରାର୍ଥନା କଲେ। ଦେବତାଙ୍କ ପ୍ରାର୍ଥନା ଫଳରେ ରାମଚନ୍ଦ୍ର ନୃସିଂହ ରୂପ ଧାରଣ କରି ମୂଷିକ ଦୈତ୍ୟ ପଛରେ ଗୋଡ଼ାଇଲେ। ମୂଷିକ ଦୈତ୍ୟ ନିଜକୁ ମୂଷା ରୂପରେ ପରିବର୍ତ୍ତନ କରି ଗନ୍ଧଗିରି ମଧ୍ୟରେ ଲୁଚିଗଲା। ଗନ୍ଧଗିରିର ଅନୁରୋଧ ରକ୍ଷା କରିବାକୁ ଯାଇ, ରାମଚନ୍ଦ୍ର ନୃସିଂହ ରୂପ ପରିତ୍ୟାଗ କଲେ ସତ, ମାତ୍ର ଏକ ମାର୍ଜାର (ବିଲେଇ) ରୂପରେ ଗିରି ଗହ୍ଵର ନିକଟରେ ମୂଷାକୁ ଜଗି ରହିଲେ। ମାର୍ଜାର ମୁଖ ଓ ସିଂହର ଗଣ୍ଡି ରୂପ ନେ଼ଇ ନୃସିଂହ ମୂଷିକ ଦୈତ୍ୟକୁ ଜଗି ରହିଲେ। ଏହି ମାର୍ଜାରମୁଖୀ ନୃସିଂହ ଏବେ ପୂଜା ପାଉଛନ୍ତି। ଏ ହେଉଚି ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ପୌରାଣିକ ମନ୍ଦିର ‘ନୃସିଂହ ନାଥ ମନ୍ଦିର’ ପଛର ପୌରାଣିକ ଓ କିମ୍ବଦନ୍ତୀ କାହାଣୀ।
ନୃସିଂହନାଥ ମନ୍ଦିର
ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଏହି ବୈଷ୍ଣବ ମନ୍ଦିରଟି ବରଗଡ଼ ଜିଲ୍ଲାର ପଦ୍ମପୁର ସବଡ଼ିଭିଜନର ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତ। ଏଠାରେ ଭଗଵାନ ନରସିଂହ, ବିରାଡ଼ି ବା ମାର୍ଜାର ରୂପେ ପୂଜା ପାଉଛନ୍ତି। ଐତିହାସିକ ଓ ପଣ୍ଡିତମାନଙ୍କ ସୂଚନାରୁ ଜଣାପଡ଼େ ଯେ, ପାଟଣାଗଡ଼ର ରାଜା ବୈଦଳ ସିଂହ ଦେବ, ସୁପୁତ୍ର ପ୍ରାପ୍ତି ନିମନ୍ତେ ଏହାକୁ ନିର୍ମାଣ କରାଇଥିଲେ। ଏହାର ଉଚ୍ଚତା ୪୫ ଫୁଟ। ଏହାର ଦୁଇଟି ଭାଗ ରହିଚି। ପ୍ରଥମଟିରେ ନୃସିଂହନାଥଙ୍କ ବିଗ୍ରହ ପୂଜା ପାଉଥିବା ବେଳେ ଅନ୍ୟଟିରେ ଜଗମୋହନ ପୂଜା ପାଆନ୍ତି। ମନ୍ଦିରର ଦ୍ୱାର କଳା ମୁଗୁନି ପଥରରେ ନିର୍ମାଣ କରାଯାଇଛି। ଏଥିରେ ଥିବା ନର୍ତ୍ତକୀ, ନୃତ୍ୟକାରୀ, ଗଜଲକ୍ଷ୍ମୀ, ଶିବ, ଗଙ୍ଗା, ଯମୁନା, ବନଦୁର୍ଗା ଓ ଭୈରବୀମାନଙ୍କ ଦେହରେ ସୂକ୍ଷ୍ମ ଶିଳ୍ପ କଳାର ବୈଭବ ଫୁଟି ଉଠିଥିବାର ଦେଖିବାକୁ ମିଳେ। ମନ୍ଦିରର ପୂର୍ବ ଦ୍ୱାରରେ ନବଗ୍ରହ ମୂର୍ତ୍ତି ଏବଂ ଏହି ଦ୍ଵାରର ଅଳ୍ପ ଦୂରରେ ଖଡ୍ଗହସ୍ତ ବୀର ସୈନିକର ମୂର୍ତ୍ତି ରହିଚି। ଏହାବ୍ୟତୀତ ଏହି କ୍ଷେତ୍ରର ବିଭିନ୍ନ ସ୍ଥଳରେ ଲକ୍ଷ୍ମୀ, ବାମନ, କାଳୀ, ବରାହ, ଶିବ, ନନ୍ଦୀ, ଗୋପାଳ, ଭୀମ, ଦୁର୍ଗା, ଗଣେଶ ଓ ପାଣ୍ଡବ ମାନଙ୍କର ପଥର ଖୋଦେଇ ମୂର୍ତ୍ତିମାନ ଦେଖିବାକୁ ମିଳେ।
ନୃସିଂହନାଥ ଯାତ୍ରା
ବୈଶାଖ ମାସ ନୃସିଂହ ଚତୁର୍ଦ୍ଦଶୀ ଦିନ ଏହି ନୃସିଂହନାଥ ମନ୍ଦିରରେ ଏକ ବିରାଟ ମେଳା ଅନୁଷ୍ଠିତ ହୋଇଥାଏ। ଯାହା ବୈଶାଖୀ ମେଳା ବା ନୃସିଂହନାଥ ଯାତ୍ରା ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ଏକ ଭବ୍ୟ କଳସ ଯାତ୍ରା ସହ ଏହି ଯାତ୍ରା ଆରମ୍ଭ ହୋଇ ଦୀର୍ଘ ପାଞ୍ଚଦିନ ଧରି ଚାଲିଥାଏ। ଏହି ମେଳାକୁ କେବଳ ବରଗଡ଼ ଜିଲ୍ଲାର ଶ୍ରଦ୍ଧାଳୁ ନୁହେଁ ବରଂ ପଡୋଶୀ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ଆଗମନ ହୋଇଥାଏ।
ମନ୍ଦିରର ପୂଜକ ଅବିବାହିତ କାହିଁକି?
ଓଡ଼ିଶାର ସବୁ ଆର୍ଯ୍ୟ ସଂସ୍କୃତିର ମନ୍ଦିରମାନଙ୍କ ପରି ଏହି କ୍ଷେତ୍ରରେ ମଧ୍ୟ ବ୍ରାହ୍ମଣ ପୂଜକ ଅଛନ୍ତି। କିନ୍ତୁ ଆରମ୍ଭ ସମୟରେ ଏଠାରେ ବ୍ରାହ୍ମଣ ପୂଜକ ନଥିଲେ। କେହି ଜଣେ ଆଦିବାସୀ ଈଶ୍ୱର ଭକ୍ତ ଯୋଗୀ ଏଠାରେ ନୃସିଂହନାଥଙ୍କୁ ପୂଜା କରୁଥିଲେ। ତାଙ୍କ ପୂର୍ବରୁ ବୌଦ୍ଧ ଶ୍ରମଣ ନାଗାର୍ଜୁନ ଏହି ଜାଗାରେ ବୌଦ୍ଧ ବିହାର ପ୍ରତିଷ୍ଠା କରି ବୌଦ୍ଧ ସାଧନା ମାର୍ଗ ଖୋଜୁଥିଲେ। ବର୍ତ୍ତମାନ ଏହି ମନ୍ଦିରର ପୂଜକ ଜଣେ ଅବିବାହିତ ବ୍ରାହ୍ମଣ ବାଳକ। ପୁରାତନ ଲୋକକଥାରୁ ଶୁଣିବାକୁ ମିଳେ ଯେ, ପ୍ରଥମେ ଏହି ମନ୍ଦିରର ପୂଜା ଦାୟିତ୍ଵ ଜଣେ ଅବିବାହିତ ବ୍ରାହ୍ମଣ ବାଳକ ନୃସିଂହନାଥଙ୍କୁ ପୂଜା କରିବା ପ୍ରଥା ଖଞ୍ଜି ଦେଇଥିଲେ। ସେହଦିନଠାରୁ ନୃସିଂହନାଥଙ୍କଠାରୁ ଧିରେ ଧିରେ ଆଦିବାସୀ ପ୍ରଭାବ ଲୋପ ପାଇ ବ୍ରାହ୍ମଣ୍ୟ ଧର୍ମର ପୂଜା ପଦ୍ଧତି ମଧ୍ୟରେ ପୂଜାକର୍ମ ହେଲା। ଯେଉଁ ଆଦିବାସୀ ସାଧକ ବ୍ରାହ୍ମଣ ମାନଙ୍କ ହାତକୁ ଏ କ୍ଷେତ୍ରର ଦାୟିତ୍ଵ ଦେଲେ ସେ ଜଣେ ସଂସାର ତ୍ୟାଗୀ ଯୋଗୀ ମହାପୁରୁଷ ନିଶ୍ଚୟ ଥିଲେ। ବିବାହିତ ଜୀବନ ପରେ ମଣିଷଠାରୁ ସାଧନା, ତ୍ୟାଗ, ପ୍ରେମ, ଭକ୍ତି, ଧର୍ମ ଇତ୍ୟାଦି ଲୋପ ପାଇ ମାୟା ମୋହ ଛନ୍ଦ କପଟରେ ମଣିଷ ଜୀବନ କିପରି ଜର୍ଜରିତ ହୋଇଯାଏ, ତାହା ହୁଏତ ସେ ଲକ୍ଷ୍ୟ କରି ପାରିଥିଲେ। ତେଣୁ ତୀର୍ଥ ପୀଠକୁ ସେବା ଧର୍ମ ତ୍ୟାଗ ମନ୍ତ୍ରରେ ପବିତ୍ର ରଖିବା ପାଇଁ, ଛନ୍ଦ କପଟ ମାୟା ମୋହ ଲୋଭ ଏବଂ ସାଂସାରିକ ବନ୍ଧନହୀନ ବାଳକ ହାତରେ ଏ କ୍ଷେତ୍ରର ପୂଜା ଦାୟିତ୍ଵ ଦେଇ ଯାଇଥିଲେ। ସେହି କାରଣରୁ ଏ କ୍ଷେତ୍ର ସ୍ୱାର୍ଥ, ମୋହ ଓ ଆସକ୍ତିଠାରୁ ମୁକ୍ତ ରହି ଆସିଛି ଆଜି ପର୍ଯ୍ୟନ୍ତ।
ନୃସିଂହନାଥ ମନ୍ଦିରର ପଙ୍ଗତ
ନୃସିଂହନାଥ ମନ୍ଦିରର ଅନ୍ୟ ଏକ ବିଶେଷତ୍ଵ ହେଉଚି ଏ ପୀଠର ‘ ପଙ୍ଗତ ‘। ପଙ୍ଗତର ଅର୍ଥ ହେଉଚି ସବୁ ଜାତିର ଲୋକେ ଏକାଠି ଭୋଜନ କରିବା। ମନ୍ଦିରର ପ୍ରସାଦ ହୋଇ ସାରିବା ପରେ, ସେହି ପ୍ରସାଦକୁ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମାନ ଭାବରେ ବାଣ୍ଟି ଦିଆଯାଏ। କେହି ହୁଏତ କ୍ଷେତ୍ରର କୌଣସି ଜାଗାରେ ଉପବାସ ରହିଯାଇ ପାରନ୍ତି, ତେଣୁ ପ୍ରସାଦ ହୋଇ ସାରିବା ପରେ ସମସ୍ତଙ୍କୁ ଏକାଠି ହେବା ପାଇଁ ଡକାଯାଏ। ସମସ୍ତେ ଏକାଠି ହେବା ପରେ ଧାଡ଼ି ହୋଇ ବସନ୍ତି। ପ୍ରଭୁଙ୍କ ପ୍ରସାଦକୁ ପୂଜକ ବ୍ରାହ୍ମଣମାନେ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି। କାହାରିକୁ ଏଥିପାଇଁ ଦେୟ ଦେବାକୁ ପଡେ ନାହିଁ କିମ୍ୱା କାହାରିକୁ ଏ ପ୍ରସାଦରୁ ବଞ୍ଚିତ କରାଯାଏ ନାହିଁ।
ଆଜିର ସମୟରେ ନୃସିଂହନାଥ ତୀର୍ଥକ୍ଷେତ୍ର ଏକ ପର୍ଯ୍ୟଟନ ସ୍ଥଳୀ ପାଲଟି ଯାଇଛି ଓ ବହୁ ଆଗନ୍ତୁକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରି ପାରିଛି। ଏଠି କୁଳୁକୁଳୁ ହୋଇ ବହୁଥିବା ଶୀତଳ ଝରଣା, ଆମ୍ବତୋଟା ବହୁ ଆଗନ୍ତୁକ ପଥିକଙ୍କୁ ଆକୃଷ୍ଟ କରି ପାରିଛି। ବୈଶାଖ ମାସରେ ହେଉଥିବା ନୃସିଂହନାଥ ଯାତ୍ରା ବା ବୈଶାଖୀ ମେଳା ଆଧ୍ୟାତ୍ମିକ, ସାଂସ୍କୃତିକ ତଥା ବାଣିଜ୍ୟିକ ପରିସର ସୃଷ୍ଟି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)